ଆନନ୍ଦ ମଠ

 

 

 

 

 

 

 

 

ଆନନ୍ଦ ମଠ

 

ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ

 

ଶ୍ରୀ ଲକ୍ଷ୍ମୀନାରାୟଣ ମହାନ୍ତି

 

 

 

 

 

 

 

 

 

 

 

 

ଯଶସ୍ଵୀ ଔପନ୍ୟାସିକ

ଶ୍ରୀଯୁକ୍ତ ରାଜକିଶୋର ପଟ୍ଟନାୟକଙ୍କ

 

ସୂଚୀପତ୍ର

 

୧.

ଆନନ୍ଦ ମଠ

ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ

୨.

ଚକ୍ଷୁଦାନ

ଶାର୍ଲଟ ବ୍ରଣ୍ଟି

୩.

କାମିନୀ

ନୁଟ ହାମସୁନ

୪.

ପ୍ରତିଧ୍ଵନି

ଆର୍ନେଷ୍ଟ ହେମିଙ୍ଗଓୟେ

୫.

ସ୍ଵୟଂବୃତା

ଆଲେକଜାଣ୍ଡାର ଡ଼ୁମା (କନିଷ୍ଠ)

Image

 

ଦ୍ଵିତୀୟ କୋଠରୀ

 

ଦେଖିଲେ ତ, ପ୍ରଥମ କୋଠରୀରେ ଅମୂଲ୍ୟଗ୍ରନ୍ଥ ଭାବରେ ବିଭିନ୍ନ ରସର ସାତୋଟି ଉପନ୍ୟାସ କିପରି ଯତ୍ନରେ ସାଇତା ହୋଇରହିଛି । ପ୍ରତ୍ୟେକ ଉପନ୍ୟାସକୁ ଯଦି ମୁଁ ଏକ୍ଷଣି ପଢ଼ି ବସେଁ, ତାହାହେଲେ ଖଣ୍ଡିକରେ ଆମର ଏଇଠି ରାତି ପାହିଯିବ, ଆମେ ଅନ୍ୟ କୋଠରୀ ସବୁ ବୁଲି ଦେଖି ପାରିବାନାହିଁ । ସେଇଥିପାଇଁ ମୁଁ ସେ ସବୁର ସାରକଥା ଠିକେ ଠିକେ ଆପଣମାନଙ୍କୁ କହିଦେଲି । ଆମ ଜାତୀୟ ସାହିତ୍ୟରେ ଯେମିତି ଅଛି, ଠିକ୍ ସେମିତି ପୃଥିବୀର ଅନ୍ୟ ସବୁ ଦେଶର ସାହିତ୍ୟରେ ମଧ୍ୟ ବହୁ କାଳଜୟୀ ଉପନ୍ୟାସ ରହିଛି, ଯାହାର ଆବେଦନ ସାର୍ବଜନୀନ ଓ ସର୍ବକାଳୀନ । ପାଶ୍ଚାତ୍ୟ ଦେଶରେ ସେହିସବୁ ଅକ୍ଷୟ ସାହିତ୍ୟକୃତିର ସଂକ୍ଷିପ୍ତ ରୂପାନ୍ତର ଦେଖାଯାଏ, ଯାହା ଫଳରେ ଅତି କମ୍ ସମୟ ଭିତରେ ଗୁଡ଼ିଏ ବଛା ବଛା ବହି ପଢ଼ି ହୁଏ । ସେହି ସଂକ୍ଷିପ୍ତ ରଚନାସବୁ ପଢ଼ି ସାରିଲା ପରେ ମୂଳଗ୍ରନ୍ଥ ପଢ଼ିବାର ଆଗ୍ରହ ପାଠକର ମନରେ ଜାତ କରାଇବା ଉଦ୍ଦେଶ୍ୟରେ ଏହି ଧରଣର ବହିସବୁ ସେଠାରେ ବହୁଳ ପ୍ରଚାରିତ ହୋଇଥାଏ । ସେସବୁ ପଢ଼ିବାକୁ କମ ସମୟ ଲାଗେ, ମୂଳ ରସ ଆସ୍ଵାଦନ କରିହୁଏ ଏବଂ ଦାମ ମଧ୍ୟ କମ୍ ଦେବାକୁ ପଡ଼େ । ସୁତରାଂ ସେସବୁ ବହିର ଚାହିଦା ଯଥେଷ୍ଟ ବେଶି । ମାତ୍ର ଆମର ଗରିବ ଦେଶରେ ସେପରି ସୁପରିକଳ୍ପିତ ଯୋଜନା ହୋଇ ନ ଥିବାରୁ, ମୁଁ ସ୍ଥିର କଲି ଯେ, ପୃଥିବୀର ନାନା ଦେଶରୁ ସଂଗୃହୀତ ବିଭିନ୍ନ ସ୍ଵାଦର ଶତାଧିକ ଚିରନ୍ତନ ତଥା ଜନପ୍ରିୟ ଉପନ୍ୟାସର ସଂକ୍ଷିପ୍ତ ରୂପ ମୋର ଗରିବ ପାଠକଙ୍କ ନିକଟରେ ଉପସ୍ଥାପିତ କରିବି । ସେଥିପାଇଁ ଆୟୋଜନ କରିଛି, ୩୦ ଖଣ୍ଡରେ ସେହିସବୁ ଉପନ୍ୟାସର ସାରକଥା ପ୍ରକାଶିତ ହେବ । ପ୍ରତ୍ୟେକ ଖଣ୍ଡରେ ପୃଷ୍ଠା ସୀମିତ ହୋଇଥିବାରୁ, ଅନ୍ତତଃ ପାଞ୍ଚ ଛଅ ଖଣ୍ଡରୁ ଅଧିକ ଉପନ୍ୟାସ ରହି ପାରିବନାହିଁ । ଏଣେ ପୃଷ୍ଠା ବଢ଼ାଇଦେଲେ, ବହିର ଦାମ ମଧ୍ୟ ବେଶି ହୋଇଯିବ ଏବଂ ଗରିବ ପାଠକେ ତାହା କିଣି ପଢ଼ି ପାରିବେ ନାହିଁ । ସେହି ଦୃଷ୍ଟିରୁ ବହିଗୁଡ଼ିକୁ ଛୋଟ ଛୋଟ ଖଣ୍ଡରେ ବିଭକ୍ତ କରିଦିଆଯାଇଛି । ମୋର ଏହି ବ୍ୟୟବହୁଳ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରକାଶକ ବନ୍ଧୁ ଶ୍ରୀ ନବକିଶୋର ମହାପାତ୍ର ଆଗ୍ରହରେ ଆଗଭର ହେବାରୁ, ମୋର ଦୃଢ଼ ଆଶା ଓ ବିଶ୍ଵାସ, ଯଥାଶୀଘ୍ର ସମ୍ପୂର୍ଣ୍ଣ ଯୋଜନାଟି ପୂର୍ଣ୍ଣାଙ୍ଗ ପ୍ରାପ୍ତ ହେବ, ଯେହେତୁ ଅନ୍ତତଃ ପ୍ରତି ମାସରେ ଖଣ୍ଡିଏ ଲେଖାଏଁ ବହି ପ୍ରକାଶନର ଯଥାଯଥ ବ୍ୟବସ୍ଥା ହୋଇଛି ।

 

ଏହି ଦ୍ୱିତୀୟ କୋଠରୀଟିରେ ପ୍ରଥମେ ରହିଛି ବଙ୍ଗଳାର ସାହିତ୍ୟ ସମ୍ରାଟ ବଙ୍କିମ ଚନ୍ଦ୍ରଙ୍କର ଅବିସ୍ମରଣୀୟ ସାହିତ୍ୟକୀର୍ତ୍ତୀ ‘ଆନନ୍ଦ ମଠ’ । ଏହି ଉପନ୍ୟାସ ଜରିଆରେ ସେ ଭାରତବର୍ଷରେ ଦେଶାତ୍ମବୋଧ ଜଗାଇବା ସଙ୍ଗେ ସଙ୍ଗେ ଦେଶବାସୀଙ୍କୁ ସଂଗ୍ରାମର ପ୍ରେରଣାରେ ଉଦ୍‌ବୁଦ୍ଧ କରିବାପାଇଁ ଏକ ମହତ୍ତମ ପ୍ରଚେଷ୍ଟା କରିଥିଲେ । ଉପନ୍ୟାସରେ “ବନ୍ଦେ ମାତରମ୍‌” ସଙ୍ଗୀତଟି ସ୍ଵାଧୀନତା ସଂଗ୍ରାମର ଏକମାତ୍ର ମୂଳମନ୍ତ୍ର ଥିଲା । ଏହି ମନ୍ତ୍ରରେ ଦୀକ୍ଷିତ ହୋଇ ଦିନେ ସମଗ୍ର ଭାରତବର୍ଷର ସଂଗ୍ରାମୀଜନତା ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ତୁମୂଳ ଅହିଂସା ଆନ୍ଦୋଳନ ଆରମ୍ଭ କରିଥିଲା ଏବଂ ବହୁ ବୀର ଶହୀଦ ହୋଇଥିଲେ । ସେହି “ବନ୍ଦେ ମାତରମ୍‌” ଆଜି ଆମର ଅନ୍ୟତମ ଜାତୀୟ ସଙ୍ଗୀତ ହୋଇଅଛି । ତା ପରେ ଅଛି ଇଂଲଣ୍ଡର ଏକ ପ୍ରସିଦ୍ଧ ଶକ୍ତିଶାଳୀ ଆଦି ରସାତ୍ମକ ଉପନ୍ୟାସ “ଚକ୍ଷୁଦାନ” ଲେଖିଛନ୍ତି ଶାର୍ଲଟ ବ୍ରଣ୍ଟି । ରେଭେରେଣ୍ଡ ବ୍ରଣ୍ଟିଙ୍କର ତିନୋଟି ଝିଅ– ବଡ଼ ଶାର୍ଲଟ, ମଝିଆଁ ଏମିଲ, ଆଉ ସାନ ଆନି । ତିନି ଭଉଣୀଙ୍କ ଭିତରେ ଉଜ୍ଜ୍ଵଳ ସାହିତ୍ୟିକ ପ୍ରତିଭା ନିହିତ ଥିଲା । ପ୍ରଥମେ ତିନିହେଁ ଛଦ୍ମନାମରେ କବିତା ରଚନା କରୁଥିଲେ । ତା ପରେ ସେମାନେ ମିଶି ଉପନ୍ୟାସରେ ହାତ ଦେଲେ ଏବଂ ସଫଳ ମଧ୍ୟ ହେଲେ । ଏମିଲିଙ୍କର “ଉଇବେରିଂ ହ୍ଵାଇଟସ” ଏକ ଅମରକୃତି ଏବଂ ଆନିଙ୍କର “ଆଗ୍‌ନେସାଗ୍ରୋ” ମଧ୍ୟ ସୁପାଠ୍ୟ । ଉଭୟେ ଯକ୍ଷ୍ମାକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ତା’ ପରେ ବ୍ରଣ୍ଟି ୩୯ ବର୍ଷ ବୟସରେ ବିଭାହେଲେ ଏବଂ ତହିଁ ପରବର୍ଷ ଇହଧାମ ତ୍ୟାଗ କଲେ । ତୃତୀୟଟି ହେଉଛି ନରଓୟେର ଅପ୍ରତିଦ୍ଵନ୍ଦୀ ସାହିତ୍ୟିକ “କାମିନୀ” । ତାଙ୍କର “କ୍ଷୁଧା” ଓ “ମାଟିର ମାୟା” ଉପନ୍ୟାସ ବିଶ୍ଵବିଦିତ ଏବଂ ବହୁ ଭାଷାରେ ମଧ୍ୟ ଅନୁଦିତ ହୋଇଅଛି । ସେ ୧୯୨୦ ସାଲରେ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିଲେ । ଚତୁର୍ଥ ଓ ପଞ୍ଚମସ୍ଥାନ ଅଧିକାର କରିଛନ୍ତି ଯଥାକ୍ରମେ ଆନେଷ୍ଟ ହେମିଙ୍ଗଓୟେଙ୍କର “ପ୍ରତିଧ୍ଵନି” ଓ କନିଷ୍ଟ ଡ଼ୁମାଙ୍କର “ସ୍ୱୟଂବୃତା” । ବିଶ୍ଵବିଖ୍ୟାତ ଫରାସୀ ଔପନ୍ୟାସିକ ଆଲେକଜାଣ୍ଡାର ଡ଼ୁମାଙ୍କର ସୁଯୋଗ୍ୟ ସନ୍ତାନ ହେଉଛନ୍ତି କନିଷ୍ଠ ଡ଼ୁମା । ବାପାଙ୍କ ପରି ସେ ବି କେତେଖଣ୍ଡ ଉପନ୍ୟାସ ରଚନା କରିଥିଲେ । ମାତ୍ର ତାଙ୍କର ଖ୍ୟାତି ଚାରିଆଡ଼େ ବ୍ୟାପିଲା, ଯେତେବେଳେ ତାଙ୍କର ନାଟକ ଗୁଡ଼ିକ ସଫଳତା ସହକାରେ ମଞ୍ଚସ୍ଥ ହେଲା । ଦୁଃସାହସୀ ସଂଗ୍ରାମୀ ମାର୍କିନ ଲେଖକ ହେମିଙ୍ଗଓୟେ ବିଭିନ୍ନ ରଣକ୍ଷେତ୍ରରେ ବିପ୍ଳବୀ ଯେଉଁ ପ୍ରତ୍ୟକ୍ଷ ଭୟାବହ ଅଭିଜ୍ଞତା ଅର୍ଜନ କରିଥିଲେ, ସେ ସବୁ ସେ ନିଜର ଉପନ୍ୟାସ ଓ କୁଶଳତା ସହକାରେ ଲିପିବଦ୍ଧ କରିଥିଲେ । ଅଲୌକିକ ଶୈଳୀ, ପ୍ରଖର ଅନୁଭୂତି, କାବ୍ୟାଶ୍ରୟୀ ବର୍ଣ୍ଣନା, ଭୟଙ୍କର କଥାବସ୍ତୁ ପାଇ ସେ ବିଦେଶରେ ଅନ୍ୟ ମାର୍କିନ ଲେଖକମାନଙ୍କ ଠାରୁ ଅଧିକ ପରିଚିତ ଓ ଜନପ୍ରିୟ ଥିଲେ । ୧୯୫୪ ସାଲରେ ଶାନ୍ତି, ଅହିଂସା ଓ ପୌରୁଷରବାଣୀ ପ୍ରଚାରିତ ଛୋଟ ଉପନ୍ୟାସ ‘‘ବୁଢ଼ା ଓ ସମୁଦ୍ର” ନିମନ୍ତେ ତାହାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କର ଶ୍ରେଷ୍ଠ ଉପନ୍ୟାସ ହେଉଛି ୧୯୪୦ ସାଲରେ ପ୍ରକାଶିତ “ପ୍ରତିଧ୍ଵନି”—ସ୍ପେନର ଅନ୍ତବିପ୍ଳବରେ ଫାସିଷ୍ଟ ବିରୋଧୀ ସଂଗ୍ରାମର ପଟ୍ଟଭୂମିକା ଉପରେ ରଚିତ । ରବାର୍ଟ ଜୋର୍ଡାନର ଆତ୍ମବଳି ଏନସେଲମୋର ସମର ନୈପୁଣ୍ୟ, ପାବ୍‍ଲୋର ଅଧୋପତନ ଓ ମାରିୟାର ଗଭୀର ପ୍ରେମ ଏପରି କରୁଣ ରସ ସୃଷ୍ଟି କରିଛି ଯେ ମଣିଷର ନିୟତି ଓ ପାରିପାର୍ଶ୍ଵକ ଅବସ୍ଥା ବିରୁଦ୍ଧରେ ଜୀବନର ରକ୍ତାକ୍ତ ଅକ୍ଷୟ ମନରେ ଚହଳ ପକାଏ । ଏହା ଏକ ଅସାଧାରଣ ସାହିତ୍ୟ କୀର୍ତ୍ତି ଚଳଚିତ୍ରରେ ମଧ୍ୟ ରୂପାୟିତ ହୋଇଛି । ଏହି ଅବସରରେ ମାର୍କିନ ଉପନ୍ୟାସ ସମ୍ବନ୍ଧରେ ମୋଟାମୋଟି କିଛି କହିଲେ ଅପ୍ରାସଙ୍ଗିକ ହେବ ନାହିଁ ବୋଲି ମୁଁ ମନେ କରୁଛି ।

 

ପଞ୍ଚଦଶ ଶତାବ୍ଦୀରେ କଲମ୍ବସ ଆମେରିକା ଆବିଷ୍କାର କରନ୍ତେ, ୟୁରୋପୀୟମାନେ ଦଳ ଦଳ ହୋଇ ସେହି ବିଚିତ୍ର ମହାଦେଶରେ ବସତି ସ୍ଥାପନ କରିବାକୁ ଲାଗିଲେ । ତା ପରେ ନାନା ପ୍ରକାର ଭାଷା, ଜାତୀୟତା ଓ ଆଚାର ବ୍ୟବହାର ମାନବ ଜୀବନର ପ୍ରୟୋଜନ ବୋଧରେ ଏକାକାର ହୋଇଗଲା । ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ସେମାନଙ୍କର ସମୟ କେବଳ ପ୍ରାଥମିକ ସଂଗ୍ରାମରେ ଅତିବାହିତ ହେଲା । ତେଣୁ ସେମାନେ ୟୁରୋପୀୟସାହିତ୍ୟରୁ ନିଜର ମାନସିକ ତୃଷା ନିବାରଣ କରିବାକୁ ଲାଗିଲେ । ଇଂଲଣ୍ଡର ଧର୍ମନୈଷ୍ଠିକ ପ୍ରଭାବ ବହୁ ପରିମାଣରେ ଦୃଷ୍ଟିଗୋଚର ହେଉଥିବାରୁ, ସେହି ଧାରା ମାର୍କିନ ସାମଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଅପ୍ରତିହତ ରହିଥିଲା । ଅଷ୍ଟାଦଶ ଶତାବ୍ଦୀରେ ମାର୍କିନ ସାହିତ୍ୟର ପ୍ରକୃତ ଅଭ୍ୟୁଦୟ ହେଲା । ଚାର୍ଲସ ବ୍ରକଡେନ ବ୍ରାଉନ (୧୭୭୧–୧୮୧୦) ପ୍ରଥମ ଔପନ୍ୟାସିକ ଭାବରେ ଗଣ୍ୟ ହେଲେ ସୁଦ୍ଧା, ଜେମସ ଫେନିମୋର କୁପର (୧୭୮୯–୧୮୫୧) ଓ ଓ୍ୟାଶିଙ୍ଗଟନ ଇରଭିଙ୍ଗ (୧୭୮୩–୧୮୨୯) ସ୍ଵକୀୟ ଅତୁଳନୀୟ ସାରସ୍ଵତ ପ୍ରତିଭା ବଳରେ ସେହି ନୂତନ ମହାଦେଶରେ ନିଜର ସୁଦୃଢ଼ ଆସନ ପ୍ରତିଷ୍ଠା କରିପାରିଥିଲେ ।

 

ଊନବିଂଶ ଶତାବ୍ଦୀରେ ବହୁ ବଳିଷ୍ଠ ଲେଖକଙ୍କର ଆବିର୍ଭାବରେ ମାର୍କିନ କଥା-ସାହିତ୍ୟ ବିଶ୍ଵ ଦରବାରରେ ନିଜର ଯଥାର୍ଥ ଆସନ ପ୍ରତିଷ୍ଠା କରିପାରିଲା । ଦ୍ଵିତୀୟ ମହାଯୁଦ୍ଧ ପରେ ନାନା ଦେଶରେ ସେମାନଙ୍କ ପ୍ରତି ପାଠକଙ୍କର ଯଥେଷ୍ଟ ଆଦର ଦେଖାଦେଲା । ବିଶେଷ ପରିଚିତ ଔପନ୍ୟାସିକମାନଙ୍କ ମଧ୍ୟରେ ନ୍ୟାଥନିୟେଲ ହଥର୍ଣ୍ଣ (୧୮୦୪–୬୪) ହାରିୟେଟ ଏଲିଜାବେଥ ବିଚେର ଷ୍ଟୋଓ୍ୟେ (୧୮୧୧–୯୬, ହ୍ୟାରମ୍ୟାନ ମେଲଭିଲ (୧୮୧୯–୯୧), ଚାର୍ଲସ ଫାରାର ବ୍ରାଉନେ (୧୮୩୪–୬୬), ମାର୍କ ଟୋୟନ (୧୮୩୫–୧୯୧୦, ହେନେରୀ ଜେମସ (୧୮୪୩–୧୯୧୬), ସାରା ଅଣ୍ଟେ ଜିଓ୍ୟେଟ (୧୮୪୯–୧୯୦୯), ଥିଓଡର ଡ୍ରେଇଡ଼ର (୧୮୭୧–୧୯୪୫), ଷ୍ଟିଫେନ କ୍ରେନ (୧୮୭୧–୧୯୦୦, ଶେରଉଡ ଅଣ୍ଡାରସେନ (୧୮୭୬– ୧୯୫୧), ଉଇଲା କାଥାର (୧୮୭୧–୧୯୦୭), ଜାକ ଲଣ୍ଡନ (୧୮୭୬–୧୯୧୬), ଜେମସ ବ୍ରାଞ୍ଚ କାବେଲ (୧୮୭୯), ଅପ୍‍ଟନ ସିନକ୍ଳେୟାର (୧୮୭୯), ସିନକ୍ଳେୟାର ଲୁଇସ (୧୮୮୫–୧୯୫୧), ପାର୍ଲ ବକ (୧୮୯୨), ଉଇଲିୟମ ଫକନାର (୧୮୯୭–୧୯୬୨), ଓ ଆର୍ଣ୍ଣେଷ୍ଟ ହେମିଙ୍ଗଓୟେ (୧୮୯୮–୧୯୬୧) ଏବଂ ବିଂଶ ଶତାବ୍ଦୀରେ ଜନ ଷ୍ଟେଇନବେକ (୧୯୦୨–୬୮), ଏରସ୍କିନ କାଲ୍‍ଡ଼ ଓ୍ୟେଲ ୧୯୦୨–୬୭), ରିଚାର୍ଡ଼ ରାଇଟ (୧୯୦୮–୬୦) ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ । ସେମାନଙ୍କ ଭିତରୁ ସିନ୍‌କ୍ଳେୟାର ଲୁଇସ, ପାର୍ଲବକ, ଉଇଲିୟମ ଫକନାର, ଆର୍ଣ୍ଣେଷ୍ଟ ହେମିଙ୍ଗୟେ ଓ ଜନ ଷ୍ଟେଇନବେକ ଷ୍ଟେଇନବେକ ଶ୍ରେଷ୍ଠ ଆନ୍ତର୍ଜାତିକ ସମ୍ମାନ ରୂପେ ନୋବେଲ ପୁରସ୍କାର ଲାଭ କରିଥିଲେ ମାତ୍ର ୧୯୩୦ ସାଲରୁ ୧୯୬୨ ସାଲ ମଧ୍ୟରେ ।

 

ମାର୍କ ଟୋୟେନ ସର୍ବପ୍ରଥମେ ଉପନ୍ୟାସ ରଚନା କ୍ଷେତ୍ରରେ ଏକ ବିଶିଷ୍ଟ ଶୈଳୀ ପ୍ରବର୍ତ୍ତନ କଲେ, ଯାହାର ପ୍ରୟୋଗ ଭଙ୍ଗୀ, ସ୍ଵର ଓ ଛନ୍ଦ ଆମେରିକାର ଲୋକ ଭାଷାରୁ ଗୃହୀତ । ୧୮୮୫ ସାଲରେ ତାହାଙ୍କ ରଚିତ ଉପନ୍ୟାସ ‘‘ହକ୍‌ଲବେରୀ ଫିନ୍’’ ରେ ଅସଲ ମାର୍କିନ ସାହିତ୍ୟର ସୂତ୍ରପାତ ହେଲା । ଆମେରିକାର ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳର ମଧ୍ୟଭାଗରେ ପ୍ରବାହିତ ମିସିସିପି ନଦୀର ପ୍ରଖର ସ୍ରୋତରେ ଭେଳା ଉପରେ ଭାସି ଚାଲିଥିଲା ବେଳେ ଟୋୟେନ ଉପରୋକ୍ତ ଉପନ୍ୟାସର ଦୁଇ ପ୍ରଧାନ ଚରିତ୍ର ଓ ବହୁ ବିଚିତ୍ର ଦୁଃସାହସିକ ଘଟଣାବଳୀର ସମ୍ମୁଖୀନ ହୋଇଥିଲେ । ସେ ବହୁ ଉପନ୍ୟାସ ଓ ହାସରସାତ୍ମକ ଗପ ଲେଖି ବିଶେଷ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ‘ଟମ ସାଇୟାର’ ଶିଶୁମାନଙ୍କ ନିମନ୍ତେ ଏକ ଶ୍ରେଷ୍ଠ ଉପନ୍ୟାସ କହିଲେ ଅତ୍ୟୁକ୍ତି ହେବନାହିଁ । ଫେନିମୋର କୁପାରଙ୍କର ପ୍ରସିଦ୍ଧ ଉପନ୍ୟାସ ‘ଦି ଲାଷ୍ଟ ଅଫ୍ ଦି ମୋହିକାନ୍‍ସରେ ମାର୍କିନ ଜୀବନର ପରିଚୟ ନ ଥିବାରୁ, ସେ ତୀବ୍ର ଭାବରେ ସମାଲୋଚିତ ହୋଇଥିଲେ । ୧୮୫୦ ସାଲରେ ପ୍ରକାଶିତ ‘‘ଦି ସ୍କାରଲେଟ ଲେଖାର,’ ଉପନ୍ୟାସରେ ହଥର୍ଣ୍ଣ ସ୍ୱଦେଶର ଧର୍ମୀୟ ଓ ନୈତିକ ଅଭିଜ୍ଞତାକୁ ରୂପ ଦେଇଥିଲେ । ମେଲଭିଲଙ୍କର ୧୮୫୧ ସାଲରେ ପ୍ରକାଶିତ ‘‘ମବି ଡ଼ିକ’ ଏକ ଉଚ୍ଚକୋଟୀର ବାସ୍ତବବାଦୀ ଉପନ୍ୟାସ ଭାବରେ ଖ୍ୟାତି ଅର୍ଜନ କରିଥିଲା । ଉପନ୍ୟାସଟି ମୁଖ୍ୟତଃ ତିମି ଶିକାରର ଚାଞ୍ଚଲ୍ୟକର କାହାଣୀ ହେଲେ ସୁଦ୍ଧା ଏଥିରେ ଆସୁରିକ ପ୍ରବୃତ୍ତ, ମାନବିକ ଭ୍ରାତୃଭାବ ଓ ପାପ ମୋଚନର ଚମତ୍କାର ବିଶ୍ଳେଷଣ ଦିଆହୋଇଛି । ଷ୍ଟୋଓ୍ୟେଙ୍କର “ଟମ କକାଙ୍କ କୁଟୀର’’ ଓ ଜ୍ରେଇଜାରଙ୍କର “ସିଷ୍ଟର କେରୀ’’ ଉପନ୍ୟାସ ଦୁଇଟି ମାନବିକତା, ମମତା, ଦୟା ଓ ସେବାର ଜ୍ଵଳନ୍ତ ନିଦର୍ଶନ ବହନ କରିଛି । ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ୟୁରୋପରେ ଶିଳ୍ପ ବିପ୍ଳବ ଯୋଗୁ ଆମେରିକା ମଧ୍ୟ ବାସ୍ତବ ଧର୍ମୀ ମନୋଭାବ ଗ୍ରହଣ କଲା । ସୁତରାଂ କେତେକ ଲେଖକଙ୍କର ରଚନାରେ ଚିନ୍ତାର ସୂକ୍ଷ୍ମତା, ନୀତି ବୋଧର ଜଟିଳତା ଓ ଶିଳ୍ପ ସଂଯମର ପରିଚୟ ସ୍ପଷ୍ଟ ଭାବରେ ମିଳିଲା । ହେନେରୀ ଜେମସଙ୍କର ଉପନ୍ୟାସ ଜଟିଳ ଓ ସଚେତନ ଶିଳ୍ପ ସୁଷମାରେ ସମୃଦ୍ଧ ହେଲା । ୧୮୯୦ ସାଲ ପରେ ଆମେରିକାରେ ସାମାଜିକ ଉପନ୍ୟାସର ସୁଅ ଛୁଟିଲା । ଏଗୁଡ଼ିକର ଲେଖକମାନେ ଆଂଶିକ ଭାବରେ ବାଲଜାକ ଓ ଜୋଲଙ୍କ ପରି ୟୁରୋପୀୟ ବାସ୍ତବବାଦୀ ଓ ସ୍ଵଭାବବାଦୀ ଲେଖକଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ । ଜ୍ୟକ ଲଣ୍ଡନ,ଅପ୍ ଟନ ସିନକ୍ଳେୟାର, ଥିଓଡର ଡ୍ରାଇଜାର, ସେରଉଡ଼ ଅଣ୍ଡାରସନ, ସିନକ୍ଳେୟାର ଲୁଇସ, ଫ୍ରାଙ୍କମରିସ, ଷ୍ଟିପେନ କ୍ରେନ, ଜେମସ ଟି ଫାରେଲ, ଜନ ଷ୍ଟେଇନ ବେକ, ଜନ ଡସ ପାସୋସ, ସଲ ବେଲୋ, ରବାର୍ଟ ପେନ ୱ୍ୟାରେନ, ଆର୍ଣ୍ଣେଷ୍ଟ ହେମିଙ୍ଗଓୟେ, ଉଇଲିୟମ ଫକନାର ପ୍ରମୁଖ ସେହି ଗୋଷ୍ଠୀରଂଅନ୍ତଭୁକ୍ତ । ଟମାସ୍‌ ଉଲଫଙ୍କର ଆତ୍ମ ଜୀବନୀମୂଳକ ଉପନ୍ୟାସ, ଉଇଲା କାଥାରଙ୍କର କାବ୍ୟିକ ରୀତିରେ ଆଞ୍ଚଳିକ ଜୀବନର ଚିତ୍ରଣ, ଥନଟନ ଓୟାଇଲଡ଼ଙ୍କର ‘‘ଆମ ସହର ଓ ସ୍କଟ ଫିଟଜେରାଲଡକର ଜାଜ୍ ଯୁଗ ସମ୍ପର୍କରେ କରୁଣ ଚିତ୍ର ‘‘ଦି ଗ୍ରେଟ ଗ୍ୟାଟସବି’’, ବିଶେଷ ଜନପ୍ରିୟତା ଅର୍ଜନ କରିଥିଲା । ସାମାଜିକ ବାସ୍ତବବାଦୀ ଲେଖକଙ୍କର ବିପରୀତ ଗୋଷ୍ଠୀ ହେଉଛନ୍ତି ବିଂଶ ଶତାବ୍ଦୀର ମୁଖ୍ୟତଃ ଯୁବ ଲେଖକ ବୃନ୍ଦ । ବ୍ୟକ୍ତିଗତ ଅଭିଜ୍ଞତାର କାବ୍ୟିକ ପ୍ରକାଶ, ଜୀବନର ନିଃସଙ୍ଗତା ଓ ପ୍ରେମମୟ ଦୃଷ୍ଟିରେ ଜୀବନକୁ ଦେଖିବାର ପ୍ରୟାସ ଏମାନଙ୍କ ରଚନାରେ ବହୁଳ ପ୍ରକଟିତ । ହାଓ୍ୟାର୍ଡ ଫାଷ୍ଟ, ନରମ୍ୟାନ ମେଇଲାର କ୍ୟାଥେରିନ ଏନ. ପର୍ଟାର, ଟମାସ ଉଲଫ ଥର୍ନଟନ ଓୟାଇଲଡ଼ ୟୁଡୋରା ୱ୍ୟେଲଟି, କାର୍ସନ ମ୍ୟାକକୁଲାର୍ସ, ଜେମସ ଜୋନସ୍, ମେରୀ ମ୍ୟାକାର୍ଥି, ମ୍ୟାକିନଲେ କାଣ୍ଟର, ଇଡ଼ିଥ ହୋୟାର୍ଟନ, ଏଲେନ ଗ୍ଲାସଗୋ ଗଟ୍ରୁଡ଼, ଷ୍ଟାଇନ; ଜୀନଷ୍ଟାଫର୍ଡ,କରୋଲାଇନ ଗର୍ଡ଼ନ, ଫ୍ଲାନାରୀ ଓଜନର, ଟ୍ରୁମାନ କ୍ଵାପୋତି, ଜେ. ଡ଼ି ସାଲିଞ୍ଜାର, ନବୋକଭ ଡ଼ ରବିନସନ ହେନରୀ ମିଲାର ଜାକ୍‌ଲିନ ସୁସାନ ପ୍ରମୁଖ ଏହି ଗୋଷ୍ଠୀର ଅନ୍ତର୍ଭୁକ୍ତ । ମାତ୍ର ହେମିଙ୍ଗଓୟେ ନିଜର ସରଳତା, କର୍କଶତା ଭାବ ପ୍ରବଣତା ଓ ପରିହାସ ପ୍ରିୟତା ଯୋଗୁ ଜଣେ ଖାଣ୍ଟି ଆମେରିକାନ ବୋଲି ମନେ ହୁଅନ୍ତି । ବିଶ୍ଵବିଦ୍ୟାଳୟ ମହଲରେ ଅବଶ୍ୟ ଫକନରଙ୍କର ଆଦର ସବୁଠାରୁ ବେଶୀ, କାରଣ ହଥର୍ଣ୍ଣ ଓ ମେଲଭିଲଙ୍କ ପରି ପ୍ରାଚୀନପନ୍ଥୀମାନଙ୍କ ସହିତ ତାଙ୍କର କିଛି ସାମଞ୍ଜସ୍ୟ ରହିଛି । ଏହାଛଡା ଆଞ୍ଚଳିକ ଉପନ୍ୟାସର ଚାହିଦା ମଧ୍ୟ କିଛି କମ୍ ନୁହେଁ । ଯେ କୌଣସି ବହି ଦୋକାନକୁ ଗଲେ ଅନୁଭବ କରି ହେବ ଯେ ଆମେରିକାବାସୀଙ୍କର ସ୍ଵଦେଶର ଐତିହ୍ୟ ଓ ପରମ୍ପରା ପ୍ରତି ପ୍ରଗାଢ଼ ଶ୍ରଦ୍ଧା ରହିଛି ।

 

ବିଦେଶୀର ଦୃଷ୍ଟିରେ ତରୁଣ ମାର୍କିନ ସାହିତ୍ୟ ପଚା–ସଢ଼ା ମନେହୁଏ ନାହିଁ, ଯଦିଚ ହୁଏତ ଜୀବନ–ଜିଜ୍ଞାସା କେତେକ ପରିମାଣରେ ଅସଂଲଗ୍ନ ସୌଖୀନ ପଥରେ ପ୍ରବାହିତ ହେଉଛି । ବହୁ ନବୀନ ଲେଖକ ଖାଲି ବୟସରେ ତରୁଣ ନୁହନ୍ତି, ସେମାନଙ୍କର କୃତି ସବୁ ସମ୍ପୂର୍ଣ୍ଣ ପ୍ରତିଷ୍ଠା ଲାଭ କରିପାରିନାହିଁ । ସେମାନଙ୍କ ଭିତରେ କେବଳ ପ୍ରତିଶ୍ରୁତି ନାହିଁ, ନିଜର କାହାଣୀ ଓ ଉପନ୍ୟାସରେ ରୂପାୟିତ ଜୀବନ ଦର୍ଶନ ମଧ୍ୟ ଅତିଶୟ ଶକ୍ତିଶାଳୀ । ଲେଖିକାମାନଙ୍କର ନିଜସ୍ଵ ଗୌରବ, ନାରୀ ସୁଲଭ ଅନୁକମ୍ପାମୟୀ ସୁଷ୍ମତା ସହିତ ଜୀବନାନୁଗ ନିର୍ଭୀକ ଅନୁସନ୍ଧିତ୍ସା ଅତ୍ୟନ୍ତ ବିସ୍ମୟକର । ମାର୍କିନ ସାହିତ୍ୟରେ ଅବଶ୍ୟ କେତେକ ପରିମାଣରେ ଶିଳ୍ପ ଓ ଦର୍ଶନର ସ୍ଖଳନ ଓ ଲକ୍ଷ୍ୟ ପଥର ଅଶୁଦ୍ଧତା ମିଳିପାରେ, ମାତ୍ର ତାହାର ସବୁଠାରୁ ବଡ଼ ପରିଚୟ ହେଉଛି ମୋଟାମୋଟି ବିଚିତ୍ର ମିଶ୍ର ଅଭିଜ୍ଞତାକୁ ପ୍ରବଳ ଶକ୍ତିରେ ହୁଏତ ବେଳେ ବେଳେ ଦିଗହଜ । ଦୃଷ୍ଟିରେ ନିବିଡ଼ ପରିଗ୍ରହଣ । ଶେଷ ଅବଧି ସାହିତ୍ୟ ତ ହେଉଛି ଜୀବନର ବ୍ୟାଖ୍ୟା । ସୁତରାଂ ଜୀବନ ସମ୍ବନ୍ଧରେ ବୁଦ୍ଧିର ସାହସିକତା ମାର୍କିନ ସାହିତ୍ୟରେ ସର୍ବକ୍ଷେତ୍ରରେ ପରିବ୍ୟାପ୍ତ ।

 

ଅତି କମ ପରିସର ଭିତରେ ଆମେରିକାର ଉପନ୍ୟାସ ସାହିତ୍ୟର ଉତ୍ପତି ଓ କ୍ରମବିକାଶ ସମ୍ବନ୍ଧରେ ସମ୍ୟକ ଧାରଣା ଆପଣମାନଙ୍କୁ ଦେଲି । ପରେ ଅନ୍ୟାନ୍ୟ ଦେଶର ଉପନ୍ୟାସ ସମ୍ବନ୍ଧରେ ଗୋଟିକ ପରେ ଗୋଟିଏ କିଛି କିଛି ଶୁଣିବାକୁ ପାଇବେ । ସମୟ ଓ ସୁଯୋଗକୁ ଅପେକ୍ଷା କରିବାକୁ ହେବ ।

 

ହେଉ, ଚାଲନ୍ତୁ ଆର କୋଠରୀକୁ, ଦେଖିବା କି କି ଧନ ରତ୍ନ ସେଠାରେ ସାଇତା ହୋଇଛି ।

 

ବାହୁଡ଼ା ଯାତ୍ରା,

 

୧୮, ଆଷାଢ଼, ୧୩୭୮

ଲକ୍ଷ୍ମୀ ନାରାୟଣ ମହାନ୍ତି

(ଜୁଲଇ ୨, ୧୯୭୧)

 

Image

 

ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ

ଆନନ୍ଦ ମଠ

 

୧୧୭୬ ମସିହାରେ ଏକ କରାଳ ଗ୍ରାସୀ ମନ୍ୱନ୍ତରରେ ବଙ୍ଗ ଦେଶରେ ହଜାର ହଜାର ନର ନାରୀ ଖାଇବାକୁ ନ ପାଇ ପ୍ରାଣ ହରାଇଲେ । ବହୁ ଗ୍ରାମ ଶ୍ମଶାନରେ ପରିଣତ ହେଲ । ଚାରିଆଡ଼େ ଛାତିଫଟା ହାହାକାର କ୍ରନ୍ଦନର ରୋଳ ଉଠି ଆକାଶ ବିଦୀର୍ଣ୍ଣ କରିଦେଲା ।

 

ପଦଚିହ୍ନ ଗ୍ରାମର ଧନୀ ଜମିଦାର ମହେନ୍ଦ୍ର ସିଂହ ମଧ୍ୟ ଏହି ଭୟଙ୍କର ଦୁର୍ଭିକ୍ଷର କରାଳ କବଳରେ ପଡ଼ି ନିଃସହାୟ ହେଲେ । ନିଜର ଆତ୍ମୀୟସ୍ଵଜନଙ୍କ ଭିତରୁ ଅଧିକାଂଶ ମୃତ୍ୟୁମୁଖରେ ପ୍ରତିତ ହେଲେ । ଯେଉଁମାନେ କୌଣସିମତେ ବଞ୍ଚି ରହିଲେ, ସେମାନେ ଘର ଛାଡ଼ି ପଳାଇଗଲେ । ଚାକର ବାକରମାନେ ରହିଲେ ନାହିଁ । ଶେଷକୁ କେବଳ ରହିଲେ ଜମିଦାର ନିଜେ, ତାଙ୍କର ସ୍ତ୍ରୀ କଲ୍ୟାଣୀ ଓ ଛୋଟ ଝିଅ ସୁକୁମାରୀ ।

 

ଏପରି ଦାରୁଣ ପରିସ୍ଥିତିରେ ପଡ଼ି, କଅଣ କରିବେ ମହେନ୍ଦ୍ର କିଛି ଭାବି ଠିକ୍ କରି ପାରିଲେ ନାହିଁ । ସେ ସ୍ତ୍ରୀଙ୍କ ସହିତ ପରାମର୍ଶ କଲେ । ଉଭୟେ ଭାବି ଚିନ୍ତି ସ୍ଥିର କଲେ, ରାଜଧାନୀକୁ ପଳାଇ ନ ଗଲେ ସେମାନେ ଏଠାରେ ପ୍ରାଣ ଧରି ରହି ପାରିବେ ନାହିଁ ।

 

ତହି ପରଦିନ ମହେନ୍ଦ୍ର ସ୍ତ୍ରୀ ଓ ଝିଅକୁ ସାଙ୍ଗରେ ଧରି ବାହାରି ପଡ଼ିଲେ । ସେ କିଛି ଟଙ୍କା, ବନ୍ଧୁକଟିଏ ଓ ଗୁଳି ବାରୁଦ ହାତରେ ଧରିଲେ । କଲ୍ୟାଣୀ ନିଜ ବିବାହର ଛୋଟ ଫରୁଆଟି ମଧ୍ୟ ସାଙ୍ଗରେ ନେଲା ।

 

ସଞ୍ଜ ନ ହେଉଣୁ ସେମାନେ ଯାଇ ଗୋଟିଏ ଚଟିଘରେ ପହଞ୍ଚିଗଲେ । ସେଠାରେ କେହି ଲୋକ ନ ଥିଲେ ।

 

ମହେନ୍ଦ୍ର ସ୍ତ୍ରୀକୁ କହିଲେ–‘‘ତୁମେ ଟିକିଏ ଦମ୍ଭ ଧରି ଝିଅକୁ ନେଇ ଏଠାରେ ବସିଥାଅ, ମୁଁ କେଉଁଠୁ ଦୁଧ ଟୋପାଏ ଯୋଗାଡ଼ କରି ଆଣେ । ଦୁଧ ନ ମିଳିଲେ ଝିଅଟିର ପ୍ରାଣ ଯେ ରହିବ ନାହିଁ ।”

 

ମହେନ୍ଦ୍ର ଚାଲିଗଲେ । କଲ୍ୟାଣୀ ଝିଅଟିକୁ ଧରି ପଡ଼ିରହିଲା । ତାହାକୁ ଏକା ଭାରି ଭୟ ଲାଗୁଥାଏ । ଏଣେ ଝରକା ଓ ଦୁଆର ବନ୍ଦ କରିବାର ଉପାୟ ନାହିଁ, କାରଣ କେଉଁଥିରେ କବାଟ ନ ଥିଲା ।

 

କିଛିକ୍ଷଣ ପରେ କଲ୍ୟାଣୀ ଦୁଆର ସାମନାରେ କେତେକ ଛାୟାମୂର୍ତ୍ତି ଦେଖି ଭୟରେ ମୂର୍ଚ୍ଛିତା ହୋଇ ତଳେ ପଡ଼ିଗଲା । ଏହି ସୁଯୋଗରେ ସେ କଳା ଛାଇଗୁଡ଼ାକ କଲ୍ୟାଣୀ ଓ ସୁକୁମାରୀକୁ ଟେକିନେଇ ଜଙ୍ଗଲ ଭିତରକୁ ପଳାଇଗଲେ ।

 

କେତେ ଘଣ୍ଟା ପରେ ମହେନ୍ଦ୍ର କିଛି ଦୁଧ ଧରି ଫେରି ଆସି ଦେଖିଲେ, ନିଜର ସ୍ତ୍ରୀ ଓ ଝିଅ ନାହାନ୍ତି । ତାଙ୍କର ମଥାରେ ଚଡ଼କ ପଡ଼ିଲା । ସେ କିଂକର୍ତ୍ତବ୍ୟବିମୂଢ଼ ହୋଇଗଲେ ।

 

ତେଣେ ଡକାୟତମାନେ କଲ୍ୟାଣୀ ଓ ସୁକୁମାରୀକୁ ନେଇ ଯାଇ ଜଙ୍ଗଲ ଭିତରେ ଗୋଟିଏ ଜାଗାରେ ଓହ୍ଲାଇଲେ । ସେମାନେ ଆଗରୁ କଲ୍ୟାଣୀ ପାଖରୁ ଗହଣାଗାଣ୍ଠି କାଢ଼ି ନେଇଥିଲେ, ସେ ସବୁ ଭାଗ ବଣ୍ଟୁଆରା କରିବାକୁ ବସିଲେ । ଜଣେ ଡକାୟତ ଖଣ୍ଡିଏ ଗହଣା ସର୍ଦ୍ଦାର ଉପରକୁ ଫିଙ୍ଗିଦେଇ କହିଲା–‘‘ମୋର ସୁନା ରୂପା କଅଣ ହେବ ? ଭୋକରେ ଯେ ପେଟ ଜଳୁଛି, ଚାଉଳ ଦିଅ କି ଆଉ କିଛି ଖାଇବାକୁ ଦିଅ ।”

 

ତାହା ଦେଖି ଅନ୍ୟମାନେ ମଧ୍ୟ ପାଟିଗୋଳ କରି ସର୍ଦ୍ଦାରକୁ ବାଡ଼େଇବାକୁ ଲାଗିଲେ । ଫଳରେ, ଅନାହାରକ୍ଲିଷ୍ଟ ସର୍ଦ୍ଦାର ମରିଗଲା ।

 

ଜଣେ ଡକାୟତ କହିଲା–“ଚାଲ ଭାଇମାନେ, ଆଜି ଏହାକୁ କାଟି ଖାଇ ଉଦରର ଜ୍ଵାଳା ନିବାରଣ କରିବା ।”

 

ଆଉ ଜଣେ କହିଲା–‘‘ବୁଢ଼ାର ମାଂସ କଅଣ ସୁଆଦ ଲାଗିବ ? ବରଂ ଏହି ଟିକି ଝିଅଟିକୁ ପୋଡ଼ି ଖାଇଲେ ଭଲ ହୁଅନ୍ତା ।”

 

ତହୁଁ ସମସ୍ତେ ଆନନ୍ଦରେ ତାଳିମାରି ନାଚି ନାଚି ଚିତ୍କାର କଲେ– “ବମ୍ କାଳୀ ! ଆଜି ନର ମାଂସ ଖାଇବୁ ।’’

 

ମାତ୍ର ସେମାନେ ମାଆ ଓ ଝିଅକୁ ପାଇଲେ ନାହିଁ । ଯେତେବେଳେ ସେମାନେ ଝଗଡ଼ା ଓ ମାଡ଼ଗୋଳରେ ମାତିଥିଲେ, ସେହି ସୁଯୋଗ ଉଣ୍ଡି କଲ୍ୟାଣୀ ଝିଅକୁ ନେଇ ସେଠାରୁ ଖସି ପଳାଇଲା । ଅନ୍ଧାରରେ ସେ ବେଶି ବାଟ ଯାଇ ପାରିଲା ନାହିଁ । ହତାଶ ହୋଇ ସେ ଭୟରେ ଭଗବାନଙ୍କୁ ଡାକିବାକୁ ଲାଗିଲା ।

 

ଡ଼କାୟତମାନେ ‘ଧର, ଧର’ ଚିତ୍କାର କରି ପଛରୁ ଧାଇଁ ଆସୁଥିଲେ । ହଠାତ୍ ଦୂରରୁ ଏକ ସ୍ଵର୍ଗୀୟ ସଙ୍ଗୀତର ସ୍ଵର ଲହରୀ ଭାସି ଆସିଲା–‘‘ହରେ ମୁରାରେ ମଧୁକେଟଭାରେ ।”

 

କଲ୍ୟାଣୀ ଆଖି ମେଲି ଦେଖିଲା, ତାହା ସାମନାରେ ଜଣେ ଶୁଭ୍ର କାନ୍ତି ଶୁକ୍ଳ କେଶ ଋଷି ଠିଆ ହୋଇଛନ୍ତି । ସେ ତାହାଙ୍କୁ ପ୍ରଣାମ କରି ମୂର୍ଚ୍ଛିତା ହୋଇଗଲା ।

 

ଚେତା ପଶିଲାରୁ କଲ୍ୟାଣୀ ଦେଖିଲା ଯେ ସେ ଗୋଟିଏ ପକା ଘରେ ଶୋଇଛି ଏବଂ ସାମନାରେ ସେହି ଦେବ କାନ୍ତି ମହାପୁରୁଷ ଠିଆ ହୋଇଛନ୍ତି ।

 

ମହାପୁରୁଷ ଗମ୍ଭୀର କଣ୍ଠରେ କହିଲେ–“କିଛି ଭୟ କର ନାହିଁ, ମାଆ । ଏ ହେଉଛି ଦେବ ପୀଠ । ଭୋକ ହେଉଥିବ । ଝିଅକୁ କିଛି ଖାଇବାକୁ ଦିଅ, ଆଉ ତୁମେ ବି କିଛି ଖାଅ ।’’

 

କଲ୍ୟାଣୀ ସୁକୁମାରୀକୁ ଦୁଧ ପିଆଇଲା, ମାତ୍ର ନିଜେ କିଛି ଖାଇଲା ନାହିଁ । ସେ କଳସୀରୁ କିଛି ପାଣି ନେଇ ମହାପୁରୁଷଙ୍କ ଚରଣରେ ଛୁଆଁଇଲା ଏବଂ ପାନ କରି କହିଲା–‘‘ବାବା, ଆଜି ମୁ ଅମୃତ ପାନ କଲି । ସ୍ଵାମୀଙ୍କ ଖବର ନ ଜାଣିବା ଯାଏ ମୁଁ ଆଉ କିଛି ତୁଣ୍ଡରେ ଦେବି ନାହିଁ ।”

 

ମହାପୁରୁଷ କଲ୍ୟାଣୀକୁ ଅଭୟ ଦେଇ ମହେନ୍ଦ୍ର ସିଂହଙ୍କୁ ଖୋଜିବାକୁ ବାହାରିଗଲେ ।

 

 

ଚଟିଘରେ ସ୍ତ୍ରୀ ଓ କନ୍ୟାକୁ ନ ପାଇ ମହେନ୍ଦ୍ର ନଗର ଅଭିମୁଖେ ଅଗ୍ରସର ହେଲେ । କିଛି ବାଟ ଗଲା ପରେ ସେ ଦେଖିଲେ, କେତେଗୁଡ଼ିଏ ବଳଦଗାଡ଼ି ଯାଉଛି ଏବଂ ସାଙ୍ଗରେ ପ୍ରାୟ ପଚାଶ ଜଣ ସଶସ୍ତ୍ର ସିପାହୀ ଅଛନ୍ତି । ସେମାନେ ଖଜଣା ଟଙ୍କା ନେଇ ଯାଉଥିଲେ ।

 

ସେତେବେଳେ ଇଂରେଜମାନେ ବଙ୍ଗଳାର ଦେବାନ ଥିଲେ I ନାନା ସ୍ଥାନରୁ ଖଜଣା ଆଦାୟ କରି ସେମାନେ କଲିକତାକୁ ନେଇଯିବାର ବ୍ୟବସ୍ଥା କରିଥିଲେ । ମହେନ୍ଦ୍ରକୁ ଦେଖି ସିପାହୀମାନେ ଭାବିଲେ, ସେ ବୋଧହୁଏ ଜଣେ ଡକାୟତ ହୋଇଥିବ । ତେଣୁ ସେମାନେ ତାଙ୍କର ହାତ ଗୋଡ଼ ବାନ୍ଧି ତାହାଙ୍କୁ ବଳଦଗାଡ଼ିରେ ପକାଇଦେଲେ । ମହେନ୍ଦ୍ର ସ୍ତ୍ରୀ ଓ କନ୍ୟାର ଶୋକରେ ଅତିଶୟ କାତର ହୋଇଥିବାରୁ ବିଶେଷ ବାଧା ଦେଲେ ନାହିଁ ଏବଂ ନିରୂପାୟ ହୋଇ ନିର୍ଜୀବଙ୍କ ପରି ବଳଦଗାଡ଼ି ଭିତରେ ପଡ଼ି ରହିଲେ ।

 

କିଛି ଦୂର ଯାଇ ସିପାହୀମାନେ ଦେଖିଲେ; ରାସ୍ତାରେ ଜଣେ ଗେରୁଆ ବସ୍ତ୍ରଧାରୀ ସନ୍ନ୍ୟାସୀ ଯାଉଛି । ତାହାକୁ ମଧ୍ୟ ଜଣେ ଡକାୟତ ଭାବି, ସେମାନେ ତାହାର ହାତ ଗୋଡ଼ ବାନ୍ଧି ଗାଡ଼ିରେ ମହେନ୍ଦ୍ର ସିଂହଙ୍କ ପାଖରେ ପକାଇ ଦେଲେ ।

 

ଗେରୁଆ ବସ୍ତ୍ରଧାରୀ ସନ୍ନ୍ୟାସୀଙ୍କ ନାମ ଭବାନନ୍ଦ । ସେ ମହେନ୍ଦ୍ର ସିଂହଙ୍କୁ ଖୋଜି ବାହାରିଥିଲେ ।

 

ବଳଦଗାଡ଼ି ଚାଲିଥାଏ । ଭବାନନ୍ଦ ଅତି ଧୀରେ ମହେନ୍ଦ୍ରଙ୍କ କାନ କତିରେ କହିଲେ–“ମୁଁ ତୁମକୁ ଚିହ୍ନିଛି । ତୁମକୁ ସାହାଯ୍ୟ କରିବାପାଇଁ ଆସିଛି । ଯାହା କହିବି ତୁମେ ସାବଧାନରେ କରିବ । ତୁମ ହାତର ବନ୍ଧନଟା ଗାଡ଼ିର ଚକ ଉପରେ ରଖ ।’’

 

ଅବାକ ହୋଇଯାଇ ମହେନ୍ଦ୍ର ସନ୍ନ୍ୟାସୀଙ୍କ କଥା ଅନୁଯାୟୀ କାମ କଲେ । ଚକର ଘର୍ଷଣରେ ଅତି କମ୍ ସମୟ ଭିତରେ ଦଉଡ଼ିର ଗଣ୍ଠି କଟିଗଲା । ସନ୍ନ୍ୟାସୀ ମଧ୍ୟ ସେହିପରି ଭାବରେ ନିଜର ବନ୍ଧନ ଛିଣ୍ଡାଇଦେଲେ ।

 

ସେତେବେଳେ ଗାଡ଼ିଗୁଡ଼ିକ ଗୋଟିଏ ପାହାଡ଼ ପାଖ ଦେଇ ଜଙ୍ଗଲ ଭିତରେ ଚାଲିଥାଏ । କିଛିକ୍ଷଣ ପରେ “ହରି, ହରି” ଶବ୍ଦ ଶୁଭିଲା । ସଙ୍ଗେ ସଙ୍ଗେ ଦୁଇ ଶହ ଅସ୍ତ୍ରଧାରୀ ଲୋକ ଧାଇଁ ଆସି ଗାଡ଼ିଗୁଡ଼ିକୁ ଚଢ଼ାଉ କଲେ ।

 

ଦୁଇଦଳ ଭିତରେ ଘମାଘୋଟ ଲଢ଼େଇ ଲାଗିଲା । ହଠାତ୍ ସିପାହୀମାନଙ୍କର ସାହେବ ଆକ୍ରମଣକାରୀଙ୍କ ତରବାରିର ଆଘାତରେ ପ୍ରାଣ ହରାଇଲେ । ତାହା ଦେଖି ସିପାହୀମାନେ ପ୍ରାଣ ବିକଳରେ ଛତ୍ରଭଙ୍ଗ ଦେଲେ । ତହୁଁ ସେହି ଆକ୍ରମଣକାରୀମାନେ ଟଙ୍କା ଭର୍ତ୍ତି ଥଳିଗୁଡ଼ିକ ଧରି ମୁହୂର୍ତ୍ତକ ଭିତରେ କୁଆଡ଼େ ଉଭେଇ ଗଲେ ।

 

 

ଟିକିଏ ଛଡ଼ାରେ ଠିଆ ହୋଇ ମହେନ୍ଦ୍ର ଅବାକ ହୋଇ କାଣ୍ଡ ଦେଖୁଥିଲେ । ସେ ମନେ ମନେ ଭାବିଲେ, ଏମାନେ ବୋଧହୁଏ ଡକାୟତ ହେବେ ।

 

ଭବାନନ୍ଦ ମହେନ୍ଦ୍ର ପାଖକୁ ଯାଇ କହିଲେ–“ବର୍ତ୍ତମାନ ମୋ ସାଙ୍ଗରେ ଚାଲ I ତୁମର ସ୍ତ୍ରୀ ଓ କନ୍ୟାଙ୍କୁ ଦେଖି ପାରିବ ।’’

 

ଆକାଶ ଧବଳ ଜ୍ୟୋତ୍ସ୍ନାରେ ପ୍ଲାବିତ ହୋଇଥିଲା । ଦୁହେଁ ନୀରବରେ ପଥ ଚାଲିବାକୁ ଲାଗିଲେ ।

 

କିଛିଦୂର ଯାଇ ଭବାନନ୍ଦ ଗୋଟିଏ ଗୀତ ଧରିଲେ–

 

ବନ୍ଦେ ମାତରମ୍ !

 

ସୁଜଳାଂ ସୁଫଳା ମଳୟଜ ଶୀତଳାଂ

ଶସ୍ୟ ଶ୍ୟାମଳାଂ ମାତରମ୍ ।

 

ଗୀତ ଟିକିଏ ଥମିଲା । ମହେନ୍ଦ୍ର କହିଲେ–“ଏ ତ ଦେଶ, ଏ ତ ମାଆ ନୁହେଁ ।”

 

 

ଭବାନନ୍ଦ ଜବାବ ଦେଲେ–‘‘ଆମେ ଅନ୍ୟ ମାଆକୁ ଜାଣୁ ନାହିଁ, କି ମାନୁ ନାହିଁ । ଆମ ନିକଟରେ ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପି ଗରୀୟସୀ । ଆମର ମାଆ ନାହିଁ, ବାପ ନାହିଁ, ଭାଇ ନାହିଁ, ଭଉଣୀ ନାହିଁ, ସ୍ତ୍ରୀ ନାହିଁ, ସନ୍ତାନ ନାହିଁ, ବନ୍ଧୁ ନାହିଁ କି ଘରଦ୍ୱାର ବି ନାହିଁ । ଆମର ଅଛି କେବଳ ସେହି ସୁଜଳା ସୁଫଳା ଶସ୍ୟଶ୍ୟାମଳା ମାତୃଭୂମି ।’’

 

ଏହା କହି ଭବାନନ୍ଦ ପୁଣି ଗୀତ ଗାଇବାକୁ ଲାଗିଲେ

 

ଶୁଭ୍ର ଜ୍ୟୋତ୍ସ୍ନା ପୁଲକିତ ଯାମିନୀମ୍‌,

ଫୁଲ୍ଲ କୁସୁମିତ ଦ୍ରୁମ ଦଳ ଶୋଭିନୀମ୍‌,

ସୁହାସିନୀଂ ସୁମଧୁର ଭାଷିଣୀମ୍,

ସୁଖଦାଂ ବରଦାଂ ମାତରମ୍ ।।

 

ସପ୍ତ କୋଟି କଣ୍ଠ କଳ କଳ ନିନାଦ କରାଳେ,

ଦ୍ଵି ସପ୍ତ କୋଟି ଭୁଜୈଧୃତ ଖର କରବାଳେ,

ଅବଳା କେନ ମା ଏତ ବଲେ ?

ବହୁ ବଳ ଧାରିଣୀଂ ନମାମି ତାରିଣୀଂ

ରିପୁ ଦଳ ବାରିଣୀଂ ମାତାରମ୍ ।।

ତୁମି ବିଦ୍ୟା, ତୁମି ଧର୍ମ,

ତୁମି ହୃଦି, ତୁମି ମର୍ମ

ତ୍ଵଂ ହି ପ୍ରାଣାଃ ଶରୀରେ ।

ବାହୁତେ ତୁମି ମା ଶକ୍ତି,

ହୃଦୟେ ତୁମି ମା ଭକ୍ତି,

ତୋମାରଇ ପ୍ରତିମା ଗଢ଼ି ମନ୍ଦିରେ ମନ୍ଦିରେ

ତ୍ଵଂ ହି ଦୁର୍ଗା ଦଶ ପ୍ରହରଣ ଧାରିଣୀଂ,

କମଳା କମଳ ଦଳ ବିହାରିଣୀଂ,

ବାଣୀ ବିଦ୍ୟା ଦାୟିନୀ ନମାମି ତ୍ଵାଂ ।

ନମାମି, କମଳାଂ ଅମଳାଂ ଅତୁଳାମ୍

ସୁଜଳାଂ ସୁଫଳାଂ ମାତରମ୍, I

ବନ୍ଦେ ମାତରମ୍

ଶ୍ୟାମଳାଂ ସରଳାଂ ସୁସ୍ମିତାଂ ଭୂଷିତାମ୍

ଧରଣୀଂ ଭରଣୀଂ ମାତରମ୍ ।।

 

 

ଭବାନନ୍ଦ ମହେନ୍ଦ୍ରଙ୍କୁ ସନ୍ନ୍ୟାସୀମାନଙ୍କ ଆଶ୍ରମ ଆନନ୍ଦ ମଠକୁ ନେଇଗଲେ । ସେଠାକାର ମୁଖ୍ୟ ସନ୍ନ୍ୟାସୀ ସ୍ଵାମୀ ସତ୍ୟାନନ୍ଦ ମହେନ୍ଦ୍ରଙ୍କୁ ସ୍ଵାଗତ କରି କହିଲେ–“ଚାଲ ତୁମକୁ ସ୍ତ୍ରୀ ଓ କନ୍ୟା ନିକଟରେ ପହଞ୍ଚାଇ ଦେବି । ମୋ ସାଙ୍ଗରେ ଆସ” ।

 

ସତ୍ୟାନନ୍ଦଙ୍କ ପଛେ ପଛେ ମହେନ୍ଦ୍ର ମନ୍ଦିର ଭିତରେ ପ୍ରବେଶ କଲେ । ସେ ବିସ୍ମିତ ଦୃଷ୍ଟିରେ ଦେଖିଲେ, ସାମନାରେ ଏକ ଅପରୂପ ଜଗଦ୍ଧାତ୍ରୀ ମୂର୍ତ୍ତି ।

 

ମହେନ୍ଦ୍ର ପଚାରିଲେ–“ଏ କିଏ ?”

 

ସତ୍ୟାନନ୍ଦ ଜବାବ ଦେଲେ–“ମାଆ ଯେମିତିକା ଥିଲେ, ଅର୍ଥାତ୍‌ ଦେଶମାତାର ଅତୀତ ରୂପ ।”

 

ଆଉ ଗୋଟିଏ ଘରେ ଯାଇ ମହେନ୍ଦ୍ର ଦେଖିଲେ କାଳୀ ମୂର୍ତ୍ତି !

 

ସତ୍ୟାନନ୍ଦ ବୁଝାଇ ଦେଲେ–“ଦେଖ, ମାଆ ଯାହା ହୋଇଛନ୍ତି, ଅର୍ଥାତ ଦେଶମାତୃକାର ବର୍ତ୍ତମାନ ରୂପ । ସେ ଆଜି ହୃତସର୍ବସ୍ଵା । ତେଣୁ କାଳୀ ନଗ୍ନିକା, ବସ୍ତ୍ରହୀନା । ଆଜି ଦେଶ ଶ୍ମଶାନ । ତେଣୁ ମାଆ କଙ୍କାଳର ମାଳା ଧାରଣ କରିଛନ୍ତି ।”

 

ମହେନ୍ଦ୍ର ଅନ୍ୟ ଘରକୁ ଯାଇ ଦେଖିଲେ, ସୁନାର ଦଶଭୁଜା ମୂର୍ତ୍ତି ।

 

ସତ୍ୟାନନ୍ଦ ବ୍ୟାଖ୍ୟା କଲେ–“ମାଆର ଭବିଷ୍ୟତ ରୂପ । ଅଦୂର ଭବିଷ୍ୟତରେ ଅତ୍ୟାଚାର ରୂପୀ ଅସୁର ଧ୍ଵଂସ ହେବ । ଦେଶରେ ଲକ୍ଷ୍ମୀଙ୍କ ଆବିର୍ଭାବରେ ଗ୍ରାମ ନଗର, ଧନ ଧାନ୍ୟରେ ପୂରିଯିବ । ସରସ୍ଵତୀଙ୍କ କୃପାରୁ ମାଆଙ୍କ ସନ୍ତାନମାନେ ଶିକ୍ଷିତ ହେବେ । କାର୍ତ୍ତିକ ହେବେ ବଳବୀର୍ଯ୍ୟ । ଗଣେଶ ଦେବେ ସିଦ୍ଧି । ମାଆଙ୍କୁ ପ୍ରଣାମ କର ।”

 

ମହେନ୍ଦ୍ର ପ୍ରଣାମ କଲେ ।

 

ତା’ ପରେ ସତ୍ୟାନନ୍ଦ କହିଲେ–‘‘ମନ୍ଦିରର ବାହାରକୁ ଗଲେ ତୁମର ସ୍ତ୍ରୀ ଓ କନ୍ୟାଙ୍କୁ ଦେଖିବାକୁ ପାଇବ । ଏବେ ଯାଅ ।”

 

ସ୍ୱାମୀ ସ୍ତ୍ରୀ ପରସ୍ପରକୁ ଦେଖି ପ୍ରଥମେ ବହେ କନ୍ଦାକଟା କଲେ । ତା ପରେ ସତ୍ୟାନନ୍ଦଙ୍କ ପ୍ରଦତ୍ତ ପ୍ରସାଦ ନେଇ ସେମାନେ ବଣରୁ ବାହାରି ଯାଇ ଗୋଟିଏ ନଦୀ କୂଳରେ ବସିଲେ ।

 

ମହେନ୍ଦ୍ର ଜଣାଇଲେ ଯେ କଲ୍ୟାଣୀ ଓ ସୁକୁମାରୀକୁ ଘରେ ଛାଡ଼ିଦେଇ ସେ ଆନନ୍ଦ ମଠକୁ ଫେରି ଆସିବେ ଏବଂ ସନ୍ନ୍ୟାସୀଙ୍କ ଦଳରେ ଯୋଗ ଦେବେ ।

 

ଅନ୍ତରରେ ଦାରୁଣ ବିହ୍ଵଳ ହେଲେ ସୁଦ୍ଧା କଲ୍ୟାଣୀ କହିଲା–‘‘ତୁମ ଇଚ୍ଛାରେ ମୁଁ କଦାପି ବାଧା ଦେବି ନାହିଁ ।”

 

ଦୁହେଁ କଥାବାର୍ତ୍ତା ହେଉଥିଲେ । ଇତିମଧ୍ୟରେ, ସୁକୁମାରୀ ସେମାନଙ୍କ ଆଗୋଚରରେ କଲ୍ୟାଣୀର ବିବାହ ଫରୁଆଟା ନେଇ ଯାଇ ଖେଳୁ ଖେଳୁ ସେଟା ଖୋଲି ପକାଇଲା ଏବଂ ତାହା ଭିତରୁ ବିଷ ବଟିକାଟି କାଢ଼ିଆଣି ପାଟିରେ ପୂରାଇ ଦେଲା ।

 

ହଠାତ୍ ତାହାର ଏକ ଅସ୍ପଷ୍ଟ ଶବ୍ଦ ଶୁଣି କଲ୍ୟାଣୀ ମୁଖ ବୁଲାଇଲା ଏବଂ ଝିଅର ଏପରି ଅବସ୍ଥା ଦେଖି ଆର୍ତ୍ତନାଦ କଲା । ସେ ତତ୍‌କ୍ଷଣାତ୍ ଝିଅର ମୁହଁରୁ ବଟିକା କାଢ଼ି ଆଣିଲା ସତ, ମାତ୍ର ସେତେବେଳକୁ ବିଷର କ୍ରିୟା ଆରମ୍ଭ ହୋଇ ଯାଇଥିଲା । ଚାହୁଁ ଚାହୁଁ ସୁକୁମାରୀ ଝାଉଁଳି ପଡ଼ିଲା ।

 

ଏହା ଦେଖି କଲ୍ୟାଣୀ ଚିତ୍କାର କରି ଅବଶିଷ୍ଟ ବଟିକାଟି ପାଟିରେ ପୂରାଇ ଗିଳିଦେଲା ଏବଂ ସଙ୍ଗେ ସଙ୍ଗେ ଅଚେତ ହୋଇଗଲା । ସ୍ତ୍ରୀ ଓ କନ୍ୟାର ଶୋଚନୀୟ ଅବସ୍ଥା ଦେଖି ହତବାକ୍ ହୋଇ ମହେନ୍ଦ୍ର ଆକୁଳରେ କାନ୍ଦିବାକୁ ଲାଗିଲେ ।

 

ସେତିକି ବେଳେ ସତ୍ୟାନନ୍ଦ ସେଠାରେ ପହଞ୍ଚି ଯାଇ ଭୂଲୁଣ୍ଠିତ ମହେନ୍ଦ୍ରଙ୍କ ମଥା କୋଳରେ ଧରି ବସିଲେ ଏବଂ ଗୀତ ଗାଇବାକୁ ଲାଗିଲେ–

 

ହରେ ମୁରାରେ, ମଧୁକୈଟଭାରେ–

 

ହଠାତ୍ ଦଳେ ସିପାହୀ ଆସି ସେଠାରେ ଉପସ୍ଥିତ ହେଲେ । ସେମାନେ ସରକାରଙ୍କ ହୁକୁମରେ ଡକାୟତମାନଙ୍କୁ ଖୋଜି ବୁଲୁଥିଲେ । ରାଜସ୍ଵର ଟଙ୍କା ଲୁଟି ହୋଇ ଥିବାରୁ, ରାଜଧାନୀରେ ହୁଲୁସ୍ଥୁଲ ପଡ଼ିଯାଇଥିଲା । ସରକାର ଖବର ପାଇଥିଲେ ଯେ ଦଳେ ସନ୍ନ୍ୟାସୀ ସେଇ ଟଙ୍କା ଲୁଟି ନେଇଛନ୍ତି । ଅତଏବ ରାଜାଙ୍କର ପାଇକ ଓ ଚରକନ୍ଦାଜମାନେ ସନ୍ନ୍ୟାସୀମାନଙ୍କ ଅନୁସନ୍ଧାନରେ ଚାରିଆଡ଼େ ଘୂରି ବୁଲୁଥିଲେ ।

 

ଦଳେ ସିପାହୀ ଅକସ୍ମାତ ସେହି ଜାଗାରେ ପହଞ୍ଚି ସତ୍ୟାନନ୍ଦ ଓ ମହେନ୍ଦ୍ରଙ୍କୁ ଦେଖି ଭାବିଲେ ଯେ ସନ୍ନ୍ୟାସୀ ଜଣକ ହେଉଛନ୍ତି ଡକାୟତ ଏବଂ ଆର ଜଣକ ତାଙ୍କର ଅନୁଚର । ତେଣୁ ସନ୍ଦେହରେ ସେମାନେ ସତ୍ୟାନନ୍ଦ ଓ ମହେନ୍ଦ୍ରଙ୍କୁ ଧରି ନେଇ ନଗରର ଫାଟକରେ ଅଟକାଇ ରଖିଲେ ।

 

ମହେନ୍ଦ୍ର ନିଜର ସ୍ତ୍ରୀ ଓ କନ୍ୟାଙ୍କ ଶୋକରେ ଅତ୍ୟନ୍ତ କାତର ହୋଇ ପଡ଼ିବାରୁ, ସତ୍ୟାନନ୍ଦ ତାହାଙ୍କୁ ସାନ୍ତ୍ୱନା ଦେଇ କହିଲେ–‘‘ତୁମେ ନିଶ୍ଚିନ୍ତ ରୁହ, ଯାହା କରିବା ଦରକାର ସନ୍ତାନମାନେ କରିବେ । ଆଜି ରାତିରେ ଆମେ କାରଗାରରୁ ନିଶ୍ଚୟ ମୁକ୍ତ ହେବା ।”

 

 

ଯେତେବେଳେ ସିପାହୀମାନେ ସତ୍ୟାନନ୍ଦ ଓ ମହେନ୍ଦ୍ରଙ୍କୁ ଧରିନେଇ ଯାଉଥିଲେ, ସେତେବେଳେ ସତ୍ୟାନନ୍ଦ ଗୀତ ବୋଲୁଥିଲେ–

 

‘ଧୀର ସମୀରେ ତଟିନୀ ତୀରେ

ବସତି ବନେ ବର ନାରୀ

ମା କୁରୁ ଧନୁର୍ଦ୍ଧର ଗମନ ବିଳମ୍ବନ,

ଅତି ବିଧୁରା ସୁକୁମାରୀ ।।

 

ଅଦୂରରେ ଗୋଟିଏ ଗୁପ୍ତ ସ୍ଥାନରେ ଠିଆ ହୋଇ ଜୀବାନନ୍ଦ ସେହି ଗୀତରୁ ଯଥାର୍ଥ ସଙ୍କେତ ବୁଝି ପାରିଲେ । ତତ୍‌କ୍ଷଣାତ୍ ସେ ନଦୀ ଆଡ଼କୁ ଅଗ୍ରସର ହେଲେ ଏବଂ କିଛି ବାଟ ପାଇ ବଲ୍ୟାଣୀ ଓ ସୁକୁମାରୀକୁ ଦେଖି ପାରିଲେ ।

 

କଲ୍ୟାଣୀ ମରି ଯାଇଥିଲା । ମାତ୍ର ସୁକୁମାରୀ ବଞ୍ଚିଥିଲା । ଜୀବାନନ୍ଦ ଝିଅଟିକୁ କୋଳକୁ ନେଇ ଜଙ୍ଗଲରୁ ବାହାରି ଯାଇ ନିକଟବର୍ତ୍ତୀ ଭୈରବପୁର ଗ୍ରାମର ଗୋଟିଏ ଛୋଟ ଘରେ ପହଞ୍ଚିଲେ ।

 

ସେଇ ଘରେ ତାଙ୍କର ସାନ ଭଉଣୀ ନିମାଇମଣି ଓ ନିଜର ସ୍ତ୍ରୀ ଶାନ୍ତି ରହୁଥିଲେ । ଜୀବାନନ୍ଦ ସୁକୁମାରୀକୁ ନିମାଇମଣିର କୋଳକୁ ଟେକି ଦେଲେ । ତା ପରେ ସେ ସ୍ତ୍ରୀ ସହିତ ଅନ୍ୟାନ୍ୟ କଥାବାର୍ତ୍ତା ହେଲେ ।

 

ଦୀକ୍ଷା ପ୍ରାପ୍ତ ସନ୍ନ୍ୟାସୀମାନଙ୍କ ପକ୍ଷରେ ସ୍ତ୍ରୀ ସହିତ ଦେଖା କରିବା ଏକାବେଳେ ନିଷିଦ୍ଧ l ସେହି ବ୍ରତ ଭଙ୍ଗ ହେଲେ, ତାହାର ଏକମାତ୍ର ଦଣ୍ଡ ହେଉଛି ମୃତ୍ୟୁ ।

 

ଶାନ୍ତିର ଦୁଃଖ ଦେଖି ଜୀବାନନ୍ଦ ଥରେ ଭାବିଲେ, ସେ ଆଉ ଆନନ୍ଦ ମଠକୁ ଫେରି ଯିବେ ନାହିଁ ।

 

କିନ୍ତୁ ଶାନ୍ତି କହିଲେ–‘‘ସେ କଥା କଦାପି ହେବନାହିଁ । ତୁମେ ନିଜର କ୍ଷାତ୍ର ଧର୍ମ କେବେ ହେଲେ ପରିତ୍ୟାଗ କର ନାହିଁ ।”

 

ଶାନ୍ତିର କଥାରେ ଜୀବାନନ୍ଦଙ୍କର ଚମକ ଭାଙ୍ଗିଲା । ତହୁଁ ସେ ଆନନ୍ଦ ମଠକୁ ଫେରିଗଲେ ।

 

ଏଣେ ସନ୍ୟାସୀ ସମ୍ପ୍ରଦାୟର ଅପର ନାୟକ ଭବାନନ୍ଦ ଘୋଡ଼ାରେ ଚଢ଼ି ସତ୍ୟାନନ୍ଦଙ୍କୁ ଖୋଜି ଖୋଜି ନଦୀ କୂଳରେ ଯାଇ ପହଞ୍ଚିଲେ । କଲ୍ୟାଣୀ ଅଚେତ ହୋଇ ପଡ଼ିଥିବାର ଦେଖି ସେ ଘୋଡ଼ାରୁ ଓହ୍ଲାଇ ପଡ଼ିଲେ ଏବଂ ତାହାଙ୍କୁ ପରୀକ୍ଷା ତାଙ୍କର ମନେ ହେଲା, ହୁଏତ ଏକ୍ଷଣି ଏ ରମଣୀର ଚିକିତ୍ସା ହେଲେ ସେ ବଞ୍ଚି ଯାଇପାରେ । ତହୁଁ ସେ କିଛି ବନଜ ପତ୍ରର ରସ କାଢ଼ି କଲ୍ୟାଣୀର ପାଟିରେ ଦେବାରୁ, ତାହାର ଚେତନା ଟିକିଏ ଫେରି ଆସିଲା । ତା ପରେ ସେ ତାହାର ଅର୍ଦ୍ଧ ଜୀବିତ ଦେହକୁ ଘୋଡ଼ାର ପିଠିରେ ପକାଇ ନଗର ଅଭିମୁଖେ ଯାତ୍ରା କଲେ । ସନ୍ତାନ ସମ୍ପ୍ରଦାୟ ଜାଣି ପାରିଲେ, ସତ୍ୟାନନ୍ଦ ଓ ମହେନ୍ଦ୍ର ନଗରର କାରଗାରରେ ବନ୍ଦୀ ହୋଇଛନ୍ତି । ଏହି ସମ୍ବାଦ ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ହଜାର ହଜାର ସନ୍ତାନ ଆସି ଆନନ୍ଦ ମଠରେ ଉପସ୍ଥିତ ହେଲେ । ସେହି ରାତିରେ ସେମାନେ କାରାଗାର ଆକ୍ରମଣ କଲେ । କାରାଗାର ଭାଙ୍ଗି ଓ ରକ୍ଷୀମାନଙ୍କୁ ମାରିପିଟି ସନ୍ତାନମାନେ ସତ୍ୟାନନ୍ଦ ଓ ମହେନ୍ଦ୍ରଙ୍କୁ ମୁକୁଳାଇ ଆଣି ଆନନ୍ଦରେ ନାଚିବାକୁ ଲାଗିଲେ ।

 

ତେଣେ ଇଂରେଜମାନେ ମଧ୍ୟ ବସି ରହିଲେ ନାହିଁ । କାରାଗାର ଆକ୍ରମଣର ଖବର ପାଇଲା ମାତ୍ରେ ସେମାନେ ଦଳେ ସିପାହୀଙ୍କୁ ଗୋଟିଏ କମାଣ ସହିତ ପଠାଇଦେଲେ । ସନ୍ତାନମାନେ ସେମାନଙ୍କ ସହିତ ବୀର ବିକ୍ରମରେ ଯୁଦ୍ଧ କଲେ ସୁଦ୍ଧା ଶେଷକୁ କମାଣ ମୁଖରେ ହାର ମାନି ପଳାଇବାକୁ ବାଧ୍ୟ ହେଲେ ।

 

ପର ଦିନ ଆନନ୍ଦ ମଠରେ ଗୋଟିଏ ସଭା ବସିଲା । ସେହି ସଭାରେ ସତ୍ୟାନନ୍ଦ ସନ୍ତାନମାନଙ୍କୁ ସମ୍ବୋଧନ କରି କହିଲେ–“ତୁମ୍ଭେମାନେ ଯେ ବୀର ଏଥିରେ କିଛି ସନ୍ଦେହ ନାହିଁ । ମାତ୍ର ତୁମ୍ଭମାନଙ୍କର ଅସ୍ତ୍ରଶସ୍ତ୍ର ଦରକାର । ଖାଲି ଲାଠି ଓ ବିଲ୍ଲମରେ କାମ ଚଳିବ ନାହିଁ । ସେମାନଙ୍କ ପରି ଆମ୍ଭମାନଙ୍କର ବି କମାଣ ଓ ବନ୍ଧୁକ ଲୋଡ଼ା । ସେହି ଉଦ୍ଦେଶ୍ୟରେ ମୁଁ ତୀର୍ଥଯାତ୍ରା କରିବି । ସେଠାରୁ କାରିଗର ପଠାଇଦେବି । ପଦଚିହ୍ନ ଗ୍ରାମରେ କାରଖାନା ବସାଇ ଆମକୁ ଅସ୍ତ୍ରଶସ୍ତ୍ର ତିଆରି କରିବାକୁ ହେବ । ମହେନ୍ଦ୍ର ସହିତ ମୁଁ କଥାବାର୍ତ୍ତା କରିଛି । ସେ ଆଜି ବ୍ରତ ଗ୍ରହଣ କରିବ ।’’

 

ସେ ଆହୁରି ଜଣାଇଲେ–‘‘ମହେନ୍ଦ୍ର ସହିତ ଆଉ ଜଣେ ନବାଗତ ତରୁଣକୁ ମୁଁ ଦୀକ୍ଷା ଦେବି । ମୁଁ ତାହାକୁ ପରୀକ୍ଷା କରି ଦେଖିଛି । ଯୁବକଟି ସୁନା ମୁଣ୍ଡାଟିଏ ।”

 

ଏହି ଯୁବକ ଜଣକ ହେଉଛି ଜୀବାନନ୍ଦର ସ୍ତ୍ରୀ ଶାନ୍ତି । ସ୍ଵାମୀ ଚାଲି ଆସିବା ପରେ ସେ ସନ୍ୟାସୀର ଛଦ୍ମବେଶ ଧାରଣ କରି ମଠରେ ଉପସ୍ଥିତ ହେଲା । ତାହାର ଉଦ୍ଦେଶ୍ୟ ହେଉଛି ନିଜର ସ୍ଵାମୀ ସାଙ୍ଗରେ ରହି ତାଙ୍କର ବ୍ରତରେ ସାହାଯ୍ୟ କରିବା ।

 

ମହେନ୍ଦ୍ର ଓ ଶାନ୍ତିର ଦୀକ୍ଷା ଗ୍ରହଣ ଯଥାରୀତି ସମ୍ପନ୍ନ ହେଲା । ଶାନ୍ତିର ନୂଆ ନାମ ହେଲା ନବୀନାନନ୍ଦ ।

 

ଦୀକ୍ଷା ପରେ ସତ୍ୟାନନ୍ଦ ମହେନ୍ଦ୍ରଙ୍କୁ କହିଲେ–‘‘ଏଣିକି ଆମ ଯୋଜନା ଅନୁସାରେ କାମ ଆରମ୍ଭ କର । ପଦଚିହ୍ନ ଗ୍ରାମକୁ ଯାଇ ଗୋଟିଏ ଦୁର୍ଗ ନିର୍ମାଣ କର । ସେଠାରେ କମାଣ ଓ ବନ୍ଧୁକ ତିଆରି ହେବ । ତାହା ଛଡ଼ା ସନ୍ତାନମାନଙ୍କର ଅର୍ଥ ଭଣ୍ଡାର ବି ସେଠାରେ ରହିବ ।”

 

ମହେନ୍ଦ୍ର ସମ୍ମତି ପ୍ରଦାନ କରି ପ୍ରସ୍ଥାନ କଲେ । ଅନ୍ୟମାନେ ଯେଝେ ଯେଝାର କାମରେ ଚାଲିଗଲେ ।

 

ସତ୍ୟାନନ୍ଦ ଶାନ୍ତିକୁ ଡାକି କହିଲେ–‘‘ଛି ମାଆ ! ମୋ ସାଙ୍ଗରେ ପ୍ରତାରଣା !'’

 

ଶାନ୍ତି ବିନୀତ କଣ୍ଠରେ ଜଣାଇଲା–“ପ୍ରଭୁ, ଏମିତି କି ଦୋଷ ବା ମୁଁ କରିଛି । ସ୍ତ୍ରୀ ଲୋକର ବାହୁରେ କଅଣ ଶକ୍ତି ନାହିଁ ?”

 

ସତ୍ୟାନନ୍ଦ କହିଲେ–“ସତେ । ଆଚ୍ଛା, ତାହାହେଲେ ପରୀକ୍ଷା ଦିଅ ।”

 

ସେ ଶାନ୍ତିକୁ ଗୋଟିଏ ଇସ୍ପାତର ଧନୁ ଓ ଲୁହାର ତୀର ଦେଇ କହିଲେ–“ଏହି ଧନୁରେ ଗୁଣ ଦେଇ ପାରିଲେ ତୁମର ଶକ୍ତି ଜଣା ପଡ଼ିବ ।”

 

ଶାନ୍ତି ଅନାୟାସରେ ସେହି ଧନୁରେ ଗୁଣ ହେଲା । ତହୁଁ ସତ୍ୟାନନ୍ଦ ବିସ୍ମୟରେ ନିର୍ବାକ ହୋଇଗଲେ ।

 

ଆଗରୁ ଏହି କଠିନ ପରୀକ୍ଷାରେ ମାତ୍ର ଚାରିଜଣ ଉତ୍ତୀର୍ଣ୍ଣ ହୋଇଥିଲେ–ସେ ନିଜେ, ଭବାନନ୍ଦ ଜୀବାନନ୍ଦ ଓ ଜ୍ଞାନାନନ୍ଦ ।

 

ତାପରେ ଶାନ୍ତିକୁ ଆନନ୍ଦ ମଠରେ ରହିବାକୁ ଅନୁମତି ମିଳିଲା ।

 

 

ମନ୍ଵନ୍ତର ଶେଷ ହେଲା । ଦେଶ ଶସ୍ୟ ଶାଳିନୀ ହେଲା । କିନ୍ତୁ ଦେଶରେ ଅରାଜକତା କମିଲା ନାହିଁ ।

 

ତେଣେ ସନ୍ତାନ ସେନା ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେବାକୁ ଲାଗିଲେ । ସେମାନେ ଏକାଧିକ ବାର ସରକାରୀ ତହବିଲ ଲୁଣ୍ଠନ କଲେ । ବହୁ ଇଂରେଜ ରାଜ କର୍ମଚାରୀ ସେମାନଙ୍କ ଦ୍ଵାରା ଲାଞ୍ଛିତ ହେଲେ । ସେହି ଖବର ଇଂଲଣ୍ଡରେ ଯାଇପହଞ୍ଚିଲା l

 

ସେତେବେଳେ ବଡ଼ଲାଟ ଓୟାରେନ ହେଷ୍ଟିଂସ ସନ୍ନ୍ୟାସୀ ବିଦ୍ରୋହ ଦମନ କରିବା ପାଇଁ ଦୃଢ଼ ସଙ୍କଳ୍ପ ହୋଇ କପ୍ତାନ ଟମାସଙ୍କ ନେତୃତ୍ୱରେ ଦଳେ ସୈନ୍ୟ ନିଯୁକ୍ତ କଲେ । କପ୍ତାନ ଟମାସଙ୍କର ସନ୍ତାନ ଦଳ ସହିତ କେତେ ଥର ସଂଘର୍ଷ ହେଲା । ସେହିସବୁ ଲଢ଼େଇରେ ସନ୍ତାନ ଦଳ ପ୍ରତି ଥର ଜୟଲାଭ କଲା ସତ, ମାତ୍ର ବହୁ ସନ୍ତାନ ମୃତ୍ୟୁ ମୁଖରେ ପତିତ ହେଲେ ।

 

ସତ୍ୟାନନ୍ଦ ମଠକୁ ଫେରି ଆସିଲେ । ସମବେତ ହଜାର ସନ୍ତାନମାନଙ୍କୁ ସମ୍ବୋଧନ କରି ସେ କହିଲେ– “ହେ ବୀର ସନ୍ତାନବୃନ୍ଦ, କପ୍ତାନ ଟମାସ ଆମର ବହୁ ସନ୍ତାନଙ୍କୁ ହତ୍ୟା କଲାଣି । ଆଜି ରାତିରେ ଆମେ ତାହାକୁ ସସୈନ୍ୟରେ ବଧ କରିବା । ପଦଚିହ୍ନ ଦୁର୍ଗରୁ ସତରଟି କମାଣ ଆସୁଛି । କମାଣ ଆସି ପହଞ୍ଚିଲା ମାତ୍ରେ ଆମେ ଯୁଦ୍ଧ ଯାତ୍ରା କରିବା ।”

 

କିନ୍ତୁ ତାହା ଆଗରୁ କପ୍ତାନ ଟମାସ ଆନନ୍ଦ ମଠ ଆକ୍ରମଣ କଲେ । ଏହି ଅପ୍ରତ୍ୟାଶିତ ଆକ୍ରମଣରେ ସନ୍ତାନ ସେନା ପ୍ରଥମେ ହତବୁଦ୍ଧି ହୋଇଗଲା । ଇଂରେଜର ତୋପ ଗର୍ଜନ କରିବାକୁ ଲାଗିଲା । ସହସା ସମୂହ ବିପଦ ଘନେଇ ଆସିଲା ।

 

ସତ୍ୟାନନ୍ଦଙ୍କ ନିର୍ଦ୍ଦେଶରେ ଜୀବାନନ୍ଦ ଦଶହଜାର ସନ୍ତାନଙ୍କୁ ନେଇ ମରଣ ପଣ କରି ଯୁଦ୍ଧ କରିବାକୁ ଅଗ୍ରସର ହେଲେ । ସନ୍ତାନ ସେନା ଓ ଇଂରେଜ ବାହିନୀ ଭିତରେ ଭୀଷଣ ଯୁଦ୍ଧ ଚାଲିଲା । ଭବାନନ୍ଦଙ୍କ ରଣ କୌଶଳରେ କପ୍ତାନ ଟମାସ ବନ୍ଦୀ ହେଲେ । ଅପର ପକ୍ଷରେ ଅନ୍ୟ ଦୁଇ ଇଂରେଜ ଅଧିନାୟକ କପ୍ତାନ ହେ ଓ ଲେଫ୍‌ଟେନାଣ୍ଟ ଓୟାଟସନ ଘନ ଘନ କମାଣ ଦାଗି ସନ୍ତାନ ଦଳକୁ ଛିନ୍ନ ଭିନ୍ନ କରି ଦେଲେ ।

 

ଏହି ସମୟରେ ଦୁଇ ପକ୍ଷଙ୍କୁ ଚକିତ କରି ଦୂରରୁ କାହାର କମାଣ ଗର୍ଜି ଉଠିଲା । ଦେଖୁ ଦେଖୁଁ ଇଂରେଜ ସୈନ୍ୟ ବାହିନୀ ଉପରେ ସେହି କମାଣରୁ ଅଗ୍ନି ବୃଷ୍ଟି ହେବାକୁ ଲାଗିଲା ।

 

ମହେନ୍ଦ୍ର ସତରଟି କମାଣ ନେଇ ଆସି ପହଞ୍ଚିଲେ । ସେହି କମାଣର ଭୟଙ୍କର ଗର୍ଜନରେ ବନ ଭୂମି ପ୍ରକମ୍ପିତ ହେଲା । ଇଂରେଜ ସୈନ୍ୟ ବାହିନୀ ଭୟରେ ଆଖି ବୁଜିଲା ।

 

ସନ୍ତାନ ଦଳ ଆନନ୍ଦରେ ଉତ୍‌ଫୁଲ ହୋଇ ଦୁଇ ଗୁଣ ତେଜରେ ଇଂରେଜ ସୈନ୍ୟ ବାହିନୀ ଉପରକୁ ଲମ୍ଫ ପ୍ରଦାନ କଲା । ଶହ ଶହ ଇଂରେଜ ସୈନ୍ୟ ମୃତ୍ୟୁ ବରଣ କଲେ ।

 

ଅନନ୍ୟୋପାୟ ହୋଇ କପ୍ତାନ ହେଓ ଲେଫଟେନାଣ୍ଟ ଓୟାଟସନ ପରାଜୟ ସ୍ଵୀକାର କରି ଖବର ଦେଲେ–‘‘ଆମେ ତୁମ ନିକଟରେ ଆତ୍ମ ସମର୍ପଣ କଲୁ, ତୁମେ ଆଉ ଆମକୁ ହତ୍ୟା କର ନାହିଁ ।

 

ଜୀବାନନ୍ଦ ଓ ଧୀରାନନ୍ଦ ଅବଶ୍ୟ ଯୁଦ୍ଧ ବନ୍ଦ କରିବାକୁ ସମ୍ମତ ହେଲେ, ମାତ୍ର ଭବାନନ୍ଦ ରାଜି ହେଲେ ନାହିଁ । ଆଜି ତାହାଙ୍କୁ ଯେ କୌଣସି ମତେ ପ୍ରାଣ ବିସର୍ଜନ ଦେବାକୁ ହେବ । କାରଣ ସେ ସନ୍ତାନମାନଙ୍କର ବ୍ରତ ଭଙ୍ଗ କରିଛନ୍ତି । ସେ କଲ୍ୟାଣୀକୁ ଗୌରୀ ଦେବୀ ନାମ୍ନୀ ଜଣେ ପରିଚିତା ବୃଦ୍ଧାର ଘରେ ରଖିଆସିଛନ୍ତି ଏବଂ ତାହା ପ୍ରତି ଆକୃଷ୍ଟ ହୋଇଛନ୍ତି ।

 

ସନ୍ତାନମାନଙ୍କ ପକ୍ଷରେ ଏହା ମହାପାପ । ଭବାନନ୍ଦ ମନେ ମନେ ସ୍ଥିର କଲେ, ଏହି ମହାପାପର ଏକମାତ୍ର ପ୍ରାୟଶ୍ଚିତ୍ତ ମୃତ୍ୟୁ । ଆଜି ତାଙ୍କର ମୃତ୍ୟୁ ଛଡ଼ା ଅନ୍ୟ ଗତି ନାହିଁ । ସେ ଏକାକୀ ଅବଶିଷ୍ଟ ଇଂରେଜ ସୈନ୍ୟ ବାହିନୀ ସହିତ ଯୁଦ୍ଧରେ ପ୍ରବୃତ୍ତ ହେଲେ ଏବଂ ଅଳ୍ପକ୍ଷଣ ପରେ ପ୍ରାଣ ବିସର୍ଜନ କଲେ ।

 

 

ବିଜୟର ଆନନ୍ଦ ଭିତରେ ବିଷାଦର କରାଳ ଛାୟା ଚାରିଆଡ଼େ ଘୋଟିଗଲା । ଭବାନନ୍ଦ ସହିତ ଆହୁରି ଅନେକ ବୀର ସନ୍ତାନ ପ୍ରାଣ ହରାଇଲେ ।

 

ଦିନେ ପ୍ରଧାନ ସନ୍ତାନମାନଙ୍କୁ ଏକାଠି କରି ସତ୍ୟାନନ୍ଦ କହିଲେ–‘‘ଆମ୍ଭମାନଙ୍କର ବ୍ରତ ସଫଳ ହୋଇଛି । ନଗର ଛଡ଼ା ସମୁଦାୟ ବୀରଭୂମି ଆମ ଅଧିକାରକୁ ଆସିଛି । ତୁମ୍ଭେମାନେ ଏଠାରେ ସନ୍ତାନ ରାଜ୍ୟ ପ୍ରତିଷ୍ଠା କର । ପ୍ରଜାମାନଙ୍କ ନିକଟରୁ ଖଜଣା ଆଦାୟ କର ।”

 

ତା’ ପରେ ସେ ମହେନ୍ଦ୍ରଙ୍କୁ ଡାକି କହିଲେ–“ମହେନ୍ଦ୍ର ତୁମେ ତୁମର କାର୍ଯ୍ୟ କରିଛ । ବର୍ତ୍ତମାନ ତୁମେ ସଂସାରୀ ହୋଇପାର ।”

 

ମହେନ୍ଦ୍ର ଜଣାଇଲେ–‘‘ପ୍ରଭୁ, କାହାକୁ ନେଇ ମୁଁ ଏକ୍ଷଣି ସଂସାରୀ ହେବି ? ମୋର ଯେ ସ୍ତ୍ରୀ ଓ କନ୍ୟା ନାହାନ୍ତି । ମୋର କେହି ନାହିଁ ।”

 

ସତ୍ୟାନନ୍ଦ ଆଶ୍ଵାସନା ଦେଲେ–‘‘ତୁମର ସବୁ ଅଛି ମହେନ୍ଦ୍ର । ମୁଁ ନବୀନାନନ୍ଦକୁ ନିର୍ଦ୍ଦେଶ ଦେଇଛି । ସେ ତୁମକୁ ତୁମର ସ୍ତ୍ରୀ ଓ କନ୍ୟାଙ୍କ ପାଖକୁ ନେଇଯିବ ।’’

 

ତା ପରେ ନବୀନାନନ୍ଦର ସହାୟତାରେ ମହେନ୍ଦ୍ର ନିଜର ସ୍ତ୍ରୀ ଓ କନ୍ୟାଙ୍କ ସହିତ ମିଳିତ ହେଲେ । ସେ ନବୀନାନନ୍ଦକୁ ଅଶେଷ କୃତଜ୍ଞତା ଜଣାଇଲେ ।

 

କଲ୍ୟାଣୀ ଆଗରୁ ଜାଣିଥିଲା, ଆଉ ମହେନ୍ଦ୍ର ଏକ୍ଷଣି ଜଣାଇଲେ ଯେ ନବୀନାନନ୍ଦ ହେଉଛି ଶାନ୍ତିର ଛଦ୍ମ ବେଶ ଏବଂ ଶାନ୍ତି ହେଉଛି ଜୀବାନନ୍ଦର ଧର୍ମ ପତ୍ନୀ ।

 

 

ଏଥର ସନ୍ତାନ ଦଳକୁ ଦମନ କରିବା ନିମନ୍ତେ ମେଜର ଏଡ଼ଓୟାର୍ଡ଼ସ ନାମକ ଜଣେ ନୂତନ ଇଂରେଜ ସେନାପତି ଆସି ପହଞ୍ଚିଲେ I ସେ ଚାରିଆଡ଼େ ସନ୍ଧାନ ନେଇ ଜାଣିପାରିଲେ ଯେ ପଦଚିହ୍ନ ଗ୍ରାମ ହେଉଛି ସନ୍ତାନମାନଙ୍କର ଦୁର୍ଗ ଏବଂ ସେଠାରେ ସେମାନଙ୍କର ଅସ୍ତ୍ରାଗାର ଓ ଧନାଗାର ଅଛି ।

 

ଏଡ଼ଓୟାର୍ଡସ ସ୍ଥିର କଲେ, ସ୍ଥଥମେ ପଦଚିହ୍ନ ଗ୍ରାମ ଦଖଲ କରିବାକୁ ହେବ । ସେହି ଯୋଜନାକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ସେ ଗୋଟିଏ ଉପାୟ ବାହାର କଲେ । ସେ ଚାରିଆଡ଼େ ରଚନା କରିଦେଲେ, ମାଘ ପୂର୍ଣ୍ଣିମାଦିନ ନଦୀ କୂଳରେ ଯେଉଁ ପ୍ରକାଣ୍ଡ ମେଳା ବସିବ ସେ ସେହି ମେଳା ଆକ୍ରମଣ କରିବେ । କିନ୍ତୁ ତାଙ୍କର ଅସଲ ମତଲବ ଥିଲା ଭିନ୍ନ ।

 

ସନ୍ତାନମାନେ ସେଦିନ ନିଶ୍ଚୟ ମେଳାକୁ ଯିବେ । ପଦଚିହ୍ନ ଦୁର୍ଗ ପ୍ରାୟ ଅରକ୍ଷିତ ଥିବ । ସେହି ସୁଯୋଗରେ ସେ ଆକ୍ରମଣ ନ କରି ଅତର୍କିତ ଭାବରେ ପଦଚିହ୍ନ ଦୁର୍ଗ ଆକ୍ରମଣ କରି ଦଖଲ କରି ନେବେ ।

 

ମାଘୀ ପୂର୍ଣ୍ଣିମା ଦିନ ନବୀନାନନ୍ଦର ସାହସ ଓ କୌଶଳ ଯୋଗୁଁ ଖବର ମିଳିଲା ଯେ ଇଂରେଜ ସୈନ୍ୟମାନେ ପଦଚିହ୍ନ ଗ୍ରାମ ଅଭିମୁଖେ ଧାବିତ ହୋଇଛନ୍ତି ।

 

ଏହି ସମ୍ବାଦ ପାଇଲା କ୍ଷଣି ମହେନ୍ଦ୍ର ଯାଇ ଗୋଟିଏ ମୁଣ୍ଡିଆ ନିକଟରେ ଶିବିର ସ୍ଥାପନ କଲେ । ମୁଣ୍ଡିଆ ସେ ପଟରେ ଇଂରେଜ ସୈନ୍ୟମାନେ ରହିଲେ । ଯେ ଆଗେ ମୁଣ୍ଡିଆ ଉପରକୁ ଉଠିଯାଇ ପାରିବ, ତାହାର ଜୟ ହେବ ।

 

ସେହି ମୁଣ୍ଡିଆଟି ଅଧିକାର କରିବା ସକାଶେ ଦୁଇ ଦଳଙ୍କ ଭିତରେ ତୁମୂଳ ଲଢ଼େଇ ଆରମ୍ଭ ହେଲା ।

 

ଇଂରେଜ ସୈନ୍ୟମାନେ ଆଗେ ମୁଣ୍ଡିଆ ଉପରକୁ ଉଠିଗଲେ ଏବଂ ସେଠାରୁ କମାଣ ଦାଗି ଶହ ଶହ ସନ୍ତାନଙ୍କୁ ହତାହତ କରିବାକୁ ଲାଗିଲେ । ସେତେବେଳେ ନିଶ୍ଚିତ ମରଣ ଜାଣି ସୁଦ୍ଧା ଜୀବାନନ୍ଦ ଘୋଡ଼ାରେ ଚଢ଼ି ଶତ୍ରୁର କମାଣ କାଢ଼ି ଆଣିବା ପାଇଁ ଅଗ୍ରସର ହେଲେ ।

 

ଏତିକିବେଳେ ସତ୍ୟାନନ୍ଦ ପଚିଶ ହଜାର ସନ୍ତାନ ସୈନ୍ୟ ଧରି ଇଂରେଜ ସୈନ୍ୟବାହିନୀକୁ ହଠାତ୍ ପଛରୁ ଆକ୍ରମଣ କଲେ ।

 

ଏହା ଦେଖି ମହେନ୍ଦ୍ରଙ୍କର ସନ୍ତାନ ସେନାମାନେ ଅଧିକ ଉତ୍ସାହିତ ହୋଇ ଶତ୍ରୁ ପକ୍ଷ ଉପରେ ଚଢ଼ାଉ କଲେ ।

 

ଦୁଇ ଦିଗରୁ ଆକ୍ରାନ୍ତ ହୋଇ ଇଂରେଜ ସୈନ୍ୟମାନେ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ ହେଲେ । ଏମିତି ଅବସ୍ଥା ହେଲା ଯେ କଲିକତାକୁ ବଡ଼ଲାଟ ଓୟାରେନ ହେଷ୍ଟିଂସଙ୍କ ପାଖକୁ ଖବର ନେଇଯିବା ପାଇଁ ବି ସେମାନଙ୍କ ଭିତରୁ ଜଣେ ହେଲେ କେହି ବଞ୍ଚି ରହିଲେନାହିଁ । ପୂର୍ଣ୍ଣିମାର ଅମଳ ଧବଳ ଜ୍ୟୋତ୍ସ୍ନାଲୋକରେ ନିସ୍ତବ୍ଧ ନିର୍ଜନ ରଣକ୍ଷେତ୍ର ପ୍ଲାବିତ ହୋଇଥିଲା । ଚାରିଆଡ଼େ ଇଂରେଜ ଓ ସନ୍ତାନ ସେନାମାନେ ମରି ପଡ଼ିଥିଲେ । ସେମାନଙ୍କ ଭିତରେ ଶାନ୍ତି ଏକାକିନୀ ଜୀବାନନ୍ଦଙ୍କ ଦେହ ଖୋଜୁଥିଲା । ବହୁତ ଖୋଜାଖୋଜି ପରେ ନ ପାଇବାରୁ ସେ ଅବଶେଷରେ ଭୂଇଁରେ ପଡ଼ିଯାଇ ବ୍ୟାକୁଳ ସ୍ଵରରେ କାନ୍ଦିବାକୁ ଲାଗିଲା ।

 

ଏତିକି ବେଳେ ଜଣେ ଜଟାଜୁଟଧାରୀ ମହାପୁରୁଷ ଆସି ସସ୍ନେହରେ ଶାନ୍ତିକୁ କହିଲେ–‘‘ଉଠ ମାଆ, କାନ୍ଦ ନାହିଁ । ତୁମ ସ୍ଵାମୀର ଦେହ ମୁଁ ଖୋଜିଦେଉଛି । ମୋ ସାଙ୍ଗରେ ଆସ । ’’

 

ମହାପୁରୁଷ ଜୀବାନନ୍ଦଙ୍କ ଦେହ ଖୋଜି ବାହାର କଲେ ଏବଂ କିଛି ଜଙ୍ଗଲୀ ଲତାର ପତ୍ରରେ ଔଷଧ ତିଆରି କରି ତାହାଙ୍କୁ ଖୋଇ ଦେବାରୁ ସେ ଜୀବନ ଲାଭ କଲେ ।

 

ଜୀବାନନ୍ଦ ଆଖି ମେଲି ଶାନ୍ତିକୁ ଦେଖିଲେ, ମାତ୍ର ସେହି ମହାପୁରୁଷଙ୍କୁ ଦେଖି ପାରିଲେ ନାହିଁ । କାରଣ ସେତେବେଳକୁ ସେ ଅନ୍ତର୍ହିତ ହୋଇଥିଲେ ।

 

ମହାପୁରୁଷ ରଣକ୍ଷେତ୍ରରୁ ଆନନ୍ଦ ମଠକୁ ଆସିଲେ ।

 

ସତ୍ୟାନନ୍ଦ ପରମ ଭକ୍ତିଭରେ ତାହାଙ୍କୁ ପ୍ରଣାମ କଲେ ।

 

ମହାପୁରୁଷ କହିଲେ– “ସତ୍ୟାନନ୍ଦ, ତୁମର କାର୍ଯ୍ୟ ସିଦ୍ଧି ହୋଇଛି ସତ, ମାତ୍ର ବର୍ତ୍ତମାନ ଇଂରେଜମାନେ ଦେଶ ଶାସନ କରିବେ । ସେମାନଙ୍କର ରାଜତ୍ଵ ଚାଲିବ । ଅତଏବ ତୁମେ ବର୍ତ୍ତମାନ ମୋ ସାଙ୍ଗରେ ଚାଲ ।”

 

ସତ୍ୟାନନ୍ଦ ବିଷଦ କଣ୍ଠରେ କହିଲେ– “ହାୟ ମାଆ, ଶେଷ ପର୍ଯ୍ୟନ୍ତ ତୁମକୁ ଉଦ୍ଧାର କରି ପାରିଲି ନାହିଁ ।”

 

ମହାପୁରୁଷ ସାନ୍ତ୍ୱନାର ବାଣୀ ଶୁଣାଇଲେ– ‘‘ସତ୍ୟାନନ୍ଦ, କାତର ହୁଅ ନାହିଁ । ବର୍ତ୍ତମାନ ସେ ସମୟ ଆସି ନାହିଁ । ଏ ଯାଏ ଦେଶ ଭିତରେ ଜ୍ଞାନର ପ୍ରସାର ହୋଇନାହିଁ । ଏହା ପରେ ଶିକ୍ଷାର ଫଳରେ ଦେଶବାସୀଙ୍କର ଜ୍ଞାନ ବଢ଼ିବ । ସେତେବେଳେ ପୁଣି ଦେଶ ଜାଗ୍ରତ ହେବ । ବର୍ତ୍ତମାନ ତୁମର ଆଉ ଏଠାରେ କିଛି କାମ ନାହିଁ । ତୁମେ ମୋ ସାଙ୍ଗରେ ହିମାଳୟର ମାତୃ ମନ୍ଦିରକୁ ଚାଲ । ସେଠାରେ ତୁମର ଜ୍ଞାନ ଲାଭ ସଂପୂର୍ଣ୍ଣ ହେବ ।”

 

ଏହା କହି ମହାପୁରୁଷ ସତ୍ୟାନନ୍ଦଙ୍କ ହାତ ଧରିଲେ । ତା’ ପରେ ଦୁହେଁ ଅଗ୍ରସର ହେଲେ ।

Image

 

ଶାର୍ଲଟ ବ୍ରଣ୍ଟି

ଚକ୍ଷୁଦାନ

 

 

କଅଣ କରିବ ଜେନ ଆୟାର ଭାବି ଠିକ୍ କରି ପାରିଲାନାହିଁ । ତାହାର ଇଚ୍ଛା ହେଲା, ସେ ବଡ଼ପାଟିରେ କାନ୍ଦି ଘର ଦ୍ଵାର ଫଟାଇଦେବ । ମାତ୍ର ପର ମୁହୂର୍ତ୍ତରେ ଭୟରେ ତାହାର ଗଳାରୁ କାଣିଚାଏ ଆଉ ନାଦ ବାହାରିଲା ନାହିଁ । ସେ ଘରର ଦୁଆର ଆଡ଼କୁ ଧାଇଁଗଲା । ବାହାର ପଟୁ ଦରଜାରେ ତାଲା ଦିଆଯାଇଥିଲା । ତେଣୁ ଘରୁ ବାହାରିବାର ବାଟ ନ ଥିଲା । ଗୋଟିଏ ଅନ୍ଧାରୁଆ ସନ୍ତସନ୍ତିଆ ଘରେ ସେ କେତେଦିନ ହେଲା ବନ୍ଦିନୀ ହୋଇ ରହିଥିଲା । ତାହାର ଖୁଡ଼ୀ ଶ୍ରୀମତୀ ରିଡ୍ ତାହାକୁ ଶାସ୍ତି ଦେବା ଲାଗି ଏମିତି ଭାବରେ ବନ୍ଦୀ କରି ରଖିଥିଲା । ଅଥଚ ସେ ଯେ ଏମିତି କି ଗୁରୁତର ଅପରାଧ କରିଥିଲା, ଦଶ ବର୍ଷର ଝିଅ ଜେନ ଆୟାର ତାହା ଭାବି ଠଉରାଇ ପାରିଲା ନାହିଁ ।

 

ଅତୀତର ବିରସ ଦିନଗୁଡ଼ିକର କଥା ତାହାର ମନେ ପଡ଼ିଲା । ଅତି ଶୈଶବରୁ ସେ ତାହାର ବାପା ମାଆଙ୍କୁ ହରାଇଥିଲା । ଦାଦା ତାହାକୁ ମଣିଷ କରିବାର ଭାର ନେଇଥିଲେ । ସେହି ଦାଦାଙ୍କ ମୃତ୍ୟୁଶଯ୍ୟାରେ ଏହି ଖୁଡ଼ୀଟି ପ୍ରତିଜ୍ଞା କରିଥିଲା ଯେ ସେ ଜେନକୁ ନିଜର ଝିଅ ଭଳି ମଣିଷ କରିବ । କିନ୍ତୁ ଏହା କଅଣ ନିଜର ଝିଅ ଭଳି ଦେଖିବା ? ଛୋଟ ହେଲେ ସୁଦ୍ଧା ଜେନ ଭଲ ଭାବରେ ବୁଝିପାରିଲା ଯେ ଖୁଡ଼ୀ ତାହା ସହିତ ଏମିତି ବ୍ୟବହାର କରୁଛି, ସତେ ଯେମିତି ଗୋଟାଏ ବୁଲା କୁତି କି ବିରାଡ଼ି । ଖାଲି ଖୁଡ଼ୀ ତ ନୁହେଁ; ତାହାର ପୁଅ ଝିଅମାନେ ମଧ୍ୟ ଜେନ ପ୍ରତି ଯଥେଷ୍ଟ ଖରାପ ବ୍ୟବହାର କରୁଥିଲେ । ସେ ଯେମିତି ସମସ୍ତଙ୍କର ଘୃଣାର ପାତ୍ରୀ ହୋଇଥିଲା ।

 

ଦିନେ ଖୁଡ଼ୀର କାହିଁକି କେଜାଣି ସୁମତି ହେଲା । ସେ ଜେନକୁ ଘରୁ ମୁକୁଳାଇଦେଲା । ଗୋଟାଏ ନୂଆ ଖବର ଜେନର କାନରେ ଆସି ବାଜିଲା । ତାହାର ଚରିତ୍ର ସଂଶୋଧନ ନିମନ୍ତେ ତାହାକୁ କୁଆଡ଼େ ଛାତ୍ରାବାସରେ ରଖାଯିବ । ଅନାଥ ପିଲାମାନଙ୍କ ପାଇଁ ଲୋଉଡ ଇନଷ୍ଟିଟିଉଟ ନାମରେ ଗୋଟିଏ ଦାତବ୍ୟ ବିଦ୍ୟାଳୟ ଅଛି; ଜେନକୁ ସେଠାରେ ଯାଇ ରହିବାକୁ ହେବ ।

 

ଖବରଟା ଶୁଣି ଜେନର ମନରେ ତିଳେ ହେଲେ ଦୁଃଖ ଜାତ ହେଲା ନାହିଁ । ବରଂ ସେ ଖୁସି ହେଲା ଯେ ଏଣିକି ସେ ଖୁଡ଼ୀର ହାତରୁ ତ୍ରାହି ପାଇବ । ତାହା ଛଡ଼ା ସେହି ଅନାଥ ବିଦ୍ୟାଳୟଟିର ଶିକ୍ଷକମାନେ କଦାପି ତାହାର ଖୁଡ଼ୀ ପରି ନିଷ୍ଠୁର ହୋଇ ନ ଥିବେ ।

 

ଲୋଉଡ ଇନଷ୍ଟିଟିଉଟରେ ରହି କେତୋଟି ଦିନ ଭିତରେ ଜେନ ବୁଝି ପାରିଲା ଯେ ଏଠାରେ ଆଉ ଯାହା ହେଉ ନା କାହିଁକି ନିର୍ଦ୍ଦୟତା କିଛି କମ ନାହିଁ । ଅଶୀ ଜଣ ଛାତ୍ରୀଙ୍କ ଭିତରୁ ଜଣେ ହେଲେ ପେଟ ପୂରା ଖାଇବାକୁ ପାଏ ନାହିଁ, ସେମାନଙ୍କୁ ଶୀତ ଦିନେ ଉପଯୁକ୍ତ ଗରମ ଜାମପଟା ଦିଆଯାଏ ନାହିଁ । ଯଦିଏ କଥାରେ କହିଲେ, ଏଠାରେ ସବୁ କିଛି ଅଭାବ ଦେଖାଯାଏ, ମାତ୍ର ଖାଲି ଯଥେଷ୍ଟ ପରିମାଣରେ ଧର୍ମ ଶିକ୍ଷା ଓ କଡ଼ା ଶାସନର ବ୍ୟବସ୍ଥା ଅଛି ।

 

କିଛି ଦିନ ଭିତରେ ଜେନ ଧଇଁ ସଇଁ ହୋଇଗଲା । କିନ୍ତୁ ନିଃସହାୟ ଝିଅଟିର କିଛି କରିବାର ନ ଥିଲା । ତାହାକୁ ବାଧ୍ୟ ହୋଇ ଦୀର୍ଘ ଆଠ ବର୍ଷ କାଳ ସେହି ଭୟଙ୍କର ଅନାଥ ବିଦ୍ୟାଳୟର ଚାରି କାନ୍ଥ ଭିତରେ ଅଟକି ରହିବାକୁ ହେଲା ।

 

ଦେଖୁଁ ଦେଖୁଁ ବର୍ଷଗୁଡ଼ିକ ପାଣିର ସୁଅ ପରି ଗଡ଼ିଗଲା । ଦିନକର ସାନ ଝିଅ ଜେନ ବର୍ତ୍ତମାନ ଯୁବତୀରେ ପରିଣତ ହେଲା । ତାହାର ବିଦ୍ୟାଳୟର ଶିକ୍ଷା ବି ଶେଷ ହୋଇଗଲା । ଜେନ ଭାବିଲା, ଏଥର ତାହାର ମୁକ୍ତି ଆସନ୍ନ । ସେ ଚାକିରୀ ଲାଗି ବିଭିନ୍ନ ଜାଗକୁ ଦରଖାସ୍ତ କରିବାକୁ ଲାଗିଲା । ଶେଷ ଅବଧି ସେ ଗୋଟିଏ ଗୃହଶିକ୍ଷୟିତ୍ରୀର ଚାକିରୀ ପାଇଲା ।

 

 

ଜେନ ସେପ୍‍ଟେମ୍ବର ମାସରେ ଯାଇ ଥର୍ଣ୍ଣଫିଲଡ଼ ହଲରେ ପହଞ୍ଚିଲା । ଘରର ପରିଚାରିକା ଶ୍ରୀମତୀ ଫେୟାରଫାକ୍‌ସ ତାହାକୁ ସାଦରେ ଅଭ୍ୟର୍ଥନା ଜଣାଇଲା । ତାହାର ବୟସ ଖୁବ୍ ବେଶି ହୋଇଯାଇଥିଲା ଏବଂ ବ୍ୟବହାର ଅତିଶୟ ଭଦ୍ରୋଚିତ ଥିଲା । ସେ ଘରଦ୍ଵାର ଦେଖାଶୁଣା କରୁଥିଲା । ସେତେବେଳେ ଘରର ମାଲିକ ଶ୍ରୀଯୁକ୍ତ ରଚେଷ୍ଟାର ଅନୁପସ୍ଥିତ ଥିଲେ । ଶ୍ରୀମତୀ ଫେୟାରଫାକ୍‌ସ ଜଣାଇଲା ଯେ ତାଙ୍କର ଦୂର ସମ୍ପର୍କୀୟା ଆତ୍ମୀୟ ଆଠ ବର୍ଷର ଝିଅ ଏଡ଼ିଲିର ପଢ଼ାଶୁଣାର ଭାର ଜେନକୁ ନେବାକୁ ହେବ । ଟିକି ଝିଅ ଏଡ଼ିଲିର ସୁନ୍ଦର ମୁଖଟି ଜେନକୁ ଭାରି ଭଲ ଲାଗିଲା । ସେ ଆନନ୍ଦ ମନରେ ନିଜ କାମରେ ଲାଗିଗଲା ।

 

ଦିନେ ଶ୍ରୀମତୀ ଫେୟାରଫାକ୍‌ସ ଶିକ୍ଷୟିତ୍ରୀ ଜେନକୁ ଘରଟା ବୁଲାଇ ଦେଖାଉଥିଲା । ଏମିତି ପ୍ରକାଣ୍ଡ ଅଟ୍ଟାଳିକାରେ ଜେନ ଆଗରୁ କେବେ ବାସ କରି ନ ଥିଲା । ଲମ୍ବା ଗ୍ୟାଲେରୀ, ପ୍ରକାଣ୍ଡ ଦଲାଣ, ସମ୍ଭ୍ରାନ୍ତ ଭୋଜନାଗାର, କାନ୍ଥରେ ଟଙ୍ଗା ହୋଇଥିଲା ଖୁବ୍ ବଡ଼ ଦର୍ପଣ ଓ ଘଡ଼ି–ସବୁ କିଛି ରାଜକୀୟ ଐଶ୍ୱର୍ଯ୍ୟର ପରିଚୟ ଦେଉଥିଲା ।

 

ଜେନ ପଚାରିକାକୁ ପଚାରିଲା–‘‘ଶ୍ରୀଯୁକ୍ତ ରଚେଷ୍ଟାରଙ୍କୁ ଖୁସି କରି ରଖିବା କଅଣ ଖୁବ୍‌ କଠିନ ?”

 

ଶ୍ରୀମତୀ ଫେୟାରଫାକ୍‌ସ ଜବାବ ଦେଲା–‘‘ନା, ସେମିତି କିଛି କଷ୍ଟକର ନୁହେଁ । ତେବେ ସେ ସୁରୁଚିର ପକ୍ଷପାତୀ । ପାଖ ଆଖରେ ଯେତେ ଜମି ବାଡ଼ି ଦେଖୁଛ, ସବୁହିଁ ତାଙ୍କର I ସେ ଖୁବ୍ ବଡ଼ ଜମିଦାର ।”

 

“ଲୋକ କେମିତିକା ?”

 

“ଚମତ୍କାର ଲୋକ; ମାତ୍ର ଟିକିଏ ଅଦ୍‌ଭୁତ ପ୍ରକୃତିର । ସେ ନାନା ଦେଶ ଘୂରି ବୁଲନ୍ତି । ଏହି ଘରେ ସେ ପ୍ରାୟ ରହନ୍ତି ନାହିଁ । ଯଦି କେବେ ଆସନ୍ତି ତ ବଡ଼ ଜୋର ପନ୍ଦର ଦିନ ଖଣ୍ଡେ ରହି ସେ ପୁଣି ଚାଲିଯାଆନ୍ତି । ’’

 

ଅଟ୍ଟାଳିକାର ତେତାଲାରେ ପହଞ୍ଚି ଜେନ ଅବାକ୍‍ ହୋଇଗଲା । ବହୁତ ରକମର ପୁରୁଣା ଆସବାବପତ୍ରସବୁ ରଖା ହୋଇଥିଲା । ସବୁ କିଛି ସହିତ ଯେମିତି ଅତୀତର ସ୍ମୃତି ନିବିଡ଼ ଭାବରେ ଜଡ଼ିତ ଥିଲା । ତାହାକୁ ଜଣାଗଲା, ସତେ କି ଏହା ଗୋଟାଏ ପ୍ରେତ ପୁରୀ ।

 

ତେତାଲାର ବାରନ୍ଦାରେ ଗଲା ବେଳେ ଜେନ ହଠାତ୍‌ ଗୋଟାଏ ବିକଟାଳ ହସର ଶବ୍ଦ ଶୁଣି ଚମକି ପଡ଼ିଲା । କିଏ ଏମିତି ହସୁଛି ବୋଲି ପଚାରିବାରୁ, ଶ୍ରୀମତୀ ଫେୟାରଫାକ୍‌ସ ତାହାକୁ ଜବାବ ଦେଲା–‘‘ବୋଧହୁଏ ଗ୍ରେସ ପୁଲି ହେବ, ଏ ଘରର ପୁରୁଣା ଚାକରାଣୀ ।”

 

କିଛି କ୍ଷଣ ପରେ ଗୋଟିଏ ଘରର ଦରଜା ଠେଲି ଦେଇ ଗ୍ରେସ ଫୁଲି ବାହାରି ଆସିଲା । ତାହାର ଭୟଙ୍କର ଚେହେରା ଦେଖି ଜେନ ଆତଙ୍କିତ ହୋଇଗଲା ।

 

ଜାନୁୟାରୀ ମାସରେ ଦିନେ ସନ୍ଧ୍ୟା ବେଳେ ଜେନ ଏକା ବୁଲି ବାହାରିଲା l ବରଫ ପଡ଼ିଥିବା ନିର୍ଜନ ରାସ୍ତା ଟପି ଯାଇ ସେ ଗୋଟିଏ ପାଚେରୀ ଉପରେ ବସି ସନ୍ଧ୍ୟାର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲା । ହଠାତ୍‌ ଘୋଡ଼ାର ଖୁରାର ଶବ୍ଦରେ ଚତୁର୍ଦ୍ଦିଗର ନିସ୍ତବ୍ଧତା ଭାଙ୍ଗିଗଲା । ଜଣେ ଲୋକ ଘୋଡ଼ାରେ ଚଢ଼ି ତାହା ସାମନାରେ ଚାଲିଗଲା । ତାହା ପଛରେ ଗୋଟାଏ ବାଘୁଆ କୁକୁର ଧାଇଁଥାଏ ।

 

ହଠାତ୍ ବରଫ ଉପରେ ଘୋଡ଼ା ଓ ମଣିଷ ଏକା ସାଙ୍ଗରେ ଖସରି ପଡ଼ିଗଲେ ଯେମିତିକା ଶବ୍ଦ ହୁଏ, ଠିକ୍ ସେହିଭଳି ଶବ୍ଦ ଶୁଣି ଜେନ ଚମକି ପଡ଼ିଲା । ସେ ଠଉରାଇଲା, ନିଶ୍ଚୟ ସେହି ଅଚିହ୍ନା ଲୋକଟି ପଡ଼ିଗଲା । ତତ୍‌କ୍ଷଣାତ୍ ସେ ପାଚେରୀରୁ ଓହ୍ଲାଇ ଆଗେଇ ଗଲା । ସେ ଯାହା ଭାବିଥିଲା, ଠିକ୍ ସେୟା ଘଟିଛି ।

 

ଜେନ ଧୀରେ ଧୀରେ ପଚାରିଲା, ‘‘ଆପଣଙ୍କୁ କିଛି ସାହାଯ୍ୟ କରିପାରେ ?”

 

ଲୋକଟି ତୁରନ୍ତ ଜବାବ ଦେଲା–‘‘ତୁମେ ଖାଲି ଚୁପ୍ କରି ଠିଆ ହୁଅ । ମୋର ହାଡ଼ ଭାଙ୍ଗି ନାହିଁ, ସାମାନ୍ୟ ମଚକି ଯାଇଛି ।”

 

ଲୋକଟିର ଚେହେରାରେ କେମିତିକା କଠିନତା ଥିଲା । ତାହାର ଚଉଡ଼ା କାନ୍ଧ, ଆଉ ମୋଟା ଭ୍ରୂ ଦେଖିଲେ ମାଲୁମ ହେଉଥିଲା, ସେ ଯେମିତି ଯୌବନ ଟପି ଗଲାଣି । ହୁଏତ ତାହାର ବୟସ ପ୍ରାୟ ପଇଁତ୍ରିଶ ବର୍ଷ ହେବ ।

 

ଜେନ ପୁଣି କହିଲା–‘‘ଆପଣ ଘୋଡ଼ାରେ ଚଢ଼ି ଘରକୁ ନ ଯିବାଯାଏ, ଏଠାରେ ଆପଣଙ୍କୁ ଏକା ଛାଡ଼ି ଦେଇ ମୋର ଚାଲିଯିବା ଉଚିତ ହେବ ନାହିଁ ।”

 

‘‘ମୋ ମତରେ ତୁମର ନିଜ ଘରକୁ ଏକ୍ଷଣି ଚାଲିଯିବା ଦରକାର । କେଉଁଠି ରହୁଛ ?”

 

“ଥର୍ଣ୍ଣଫିଲଡ଼ ହଲ୍‌ରେ ।’’

 

‘‘ରଚେଷ୍ଟାରଙ୍କ ଘରେ ?”

 

“ହଁ ।”

 

‘‘ତୁମେ ତ ତାଙ୍କର ଦାସୀ ନୁହଁ ?”

 

“ନା, ଶିକ୍ଷୟିତ୍ରୀ ।”

 

‘‘ଓ ! ମୋର ଭାରି ଭୁଲା ମନ । ମୁ ସବୁ କଥା ଭୁଲିଯାଉଛି । ତୁମେ ଟିକିଏ ସାହାଯ୍ୟ ନ କଲେ ମୁ ଏକା ପାରିବି ନାହିଁ । ଟିକିଏ ଆଗେଇ ଆସ ତ ।”

 

ଲୋକଟି ଜେନର କାନ୍ଧରେ ଭରା ଦେଇ ଘୋଡ଼ାର ପିଠି ଉପରକୁ କୁଦି ପଡ଼ିଲା ଏବଂ ତା ପରେ ଘୋଡ଼ା ଛୁଟାଇଦେଲା ।

 

ଘରକୁ ଫେରି ଆସି ଜେନ ଦେଖିଲା, ଅଶ୍ଵାରୋହୀର ସେହି ସଙ୍ଗୀ କୁକୁରଟି ଚୁଲି କତିରେ ବସିଛି । ଶ୍ରୀମତୀ ଫେୟାରଫାକ୍‌ସ ତାହାକୁ ଜଣାଇଲା ଯେ ଘରର ମାଲିକ ରଚେଷ୍ଟାର ମହାଶୟ ଫେରି ଆସିଛନ୍ତି ।

 

ପର ଦିନ ସନ୍ଧ୍ୟା ବେଳେ ଜେନକୁ ରଚେଷ୍ଟାରଙ୍କ ସହିତ ପରିଚୟ କରି ଦିଆଗଲା । ସେ ଜେନକୁ ଅନାଥ ବିଦ୍ୟାଳୟର ଜୀବନ ସମ୍ବନ୍ଧରେ ନାନା କଥା ପଚାରିଲେ । ଜେନର ଅଙ୍କିତ ଛବି ସବୁ ଦେଖି ସେ ଖୁବ୍ ପ୍ରଶଂସା କଲେ । ଜେନ ମନେ ମନେ ଭାବିଲା, ଲୋକଟିର ଚେହେରାରେ ଟିକିଏ ରୁକ୍ଷତା ଥିଲେ କଅଣ ହେବ, ସେ ନିଶ୍ଚୟ ପ୍ରଖର ବ୍ୟକ୍ତିତ୍ୱର ଅଧିକାରୀ ।

 

କେତେ ସପ୍ତାହ ଭିତରେ ଦୁଇ ଜଣଙ୍କର ପରିଚୟ ଅଧିକ ଘନିଷ୍ଠ ହେଲା । ରଚେଷ୍ଟାର ଓ ଜେନଙ୍କ ଭିତରେ କଥାବାର୍ତ୍ତାରୁ ମାଲୁମ ହେଲା, ମାଲିକ ଓ କର୍ମଚାରୀର ସମ୍ପର୍କ ବଦଳି ଯାଇ ଯେମିତି ଗୋଟାଏ ଆତ୍ମୀୟତାର ସ୍ଵର ଧ୍ଵନିତ ହେଉଛି । ରଚେଷ୍ଟାରଙ୍କର ଖାମଖିଆଲୀ ସ୍ଵଭାବ ଓ ଅନ୍ୟାନ୍ୟ ଦୋଷ ସତ୍ତ୍ୱେ ଜେନ ତାହାଙ୍କ ପ୍ରତି ତୀବ୍ର ଆକର୍ଷଣ ଅନୁଭବ କଲା ।

 

 

ଦିନେ ରାତିରେ ଜେନ ବିଛଣାରେ ଶୋଇ ରଚେଷ୍ଟାରଙ୍କ କଥା ଭାବୁଥିଲା । ଠିକ୍ ସେତିକି ବେଳେ ଦରଜାରେ କରାଘାତ ହେଲା । ସେହି ଶବ୍ଦ ଶୁଣି ଜେନ ଚମକି ପଡ଼ିଲା । ପର ମୁହୂର୍ତ୍ତରେ ଗୋଟିଏ ଦାନବୀୟ ଅଟ୍ଟହାସ୍ୟ ଶୁଭିଲା । ଜେନ ଭାବିଲା, ଏହା ନିଶ୍ଚୟ ସେହି ଗ୍ରେସ ପୁଲିର ହସ ହେବ । ଜେନ କବାଟ ଖୋଲି, ବାହାରକୁ ଗଲା । ସେ ଦେଖି ଅବାକ ହୋଇଗଲା ଯେ ରଚେଷ୍ଟାରଙ୍କ ଘରୁ ନୀଳ ଧୂଆଁର କୁଣ୍ଡଳୀ ବାହାରୁଛି । ତତକ୍ଷଣାତ୍ ସେ ରଚେଷ୍ଟାରଙ୍କ ଘର ଆଡ଼କୁ ଧାଇଁଗଲା । ଜେନ ଦେଖିଲା ସେତେବେଳେ ରଚେଷ୍ଟାରଙ୍କ ମଶାରୀରେ ନିଆଁ ଜଳୁଛି, ଆଉ ରଚେଷ୍ଟାର ମଲାଙ୍କ ପରି ବିଛଣାରେ ପଡ଼ିଛନ୍ତି । ତହୁଁ ଜେନ ବେସିନରୁ ପାଣି ଆଣି ମଶାରୀରେ ଛିଞ୍ଚିବାକୁ ଲାଗିଲା । କିଛି କ୍ଷଣ ପରେ ନିଆଁ ଲିଭିଗଲା I

 

ଇତି ମଧ୍ୟରେ ରଚେଷ୍ଟାର ବିଛଣାରୁ ଧଡ଼ପଡ ହୋଇ ଉଠି ପଡ଼ିଲେ ଏବଂ ବଡ଼ ପାଟିରେ ଜେନକୁ କହିଲେ–“ଆରେ, ତୁମେ ମୋତେ ପାଣିରେ ବୁଡ଼ାଇ ମାରିବ ନା କଅଣ ?”

 

ଜେନ ତାହାଙ୍କୁ ସବୁ କଥା ଖୋଲି କହିଲା । ତହୁଁ ରଚେଷ୍ଟାର କହିଲେ–“ଏହା ନିଶ୍ଚୟ ଗ୍ରେସ ପୁଲିର କାଣ୍ଡ । ଆଚ୍ଛା ତୁମେ ଟିକିଏ ରୁହ, ମୁ ଦେଖି ଆସେ ଘଟଣାଟା କଅଣ ।”

 

କିଛି କ୍ଷଣ ପରେ ରଚେଷ୍ଟାର ବିଷଣ୍ଣ ବଦନରେ ଫେରିଆସି ଜଣାଇଲେ–‘‘ମୁଁ ଯାହା ଭାବିଥିଲି, ଠିକ୍ ସେୟା । ଗ୍ରେସ ପୁଲିର କାଣ୍ଡ । ପାଗଳୀ ମାଇକିନାଟା । ସେହି ରକମର ତାହାର ହସ ।”

 

ଜେନ ଚାଲି ଯାଉଥିଲା । ରଚେଷ୍ଟାର ତାହାର ହାତ ଧରି ପକାଇ କୃତଜ୍ଞତା ଜଣାଇଲେ–‘‘ଆଜି ତୁମେ ମୋର ପ୍ରାଣ ରଖିଲ । ତୁମକୁ ଅଶେଷ ଧନ୍ୟବାଦ । ଲୋକେ ସହାନୁଭୂତିର କଥା କହନ୍ତି । କିନ୍ତୁ ଛାଡ଼ ସେ କଥା । ହେ ଜୀବନଯାତ୍ରୀ, ତୁମରି ଯୋଗୁଁ ମୁଁ ଏ ଜୀବନ ଫେରିପାଇଲି ! ଶୁଭ ରାତ୍ରି ।”

 

ରଚେଷ୍ଟାର ଅଦ୍‍ଭୁତ ଆବେଗ ସହକାରେ କଥା କହିଗଲେ । ତାଙ୍କର ଚକ୍ଷୁରେ ଗୋଟାଏ ଅସ୍ଵାଭାବିକ ରକମର ନିଆଁର ଝଲକ ଦିଶିଲା ।

 

ମାତ୍ର ରଚେଷ୍ଟାର ଗ୍ରେସ ପୁଲିକୁ ଘରୁ ବାହାର କରିଦେଲେ ନାହିଁ, କିମ୍ବା ତାହାକୁ କୌଣସି କୋଠରୀରେ କବାଟ କିଳି ଅଟକାଇ ରଖିଲେ ନାହିଁ । ତହିଁ ପର ଦିନ ରଚେଷ୍ଟାର ନିଜେ ଘରୁ ଚାଲିଗଲେ । ପନ୍ଦର ଦିନ ପର୍ଯ୍ୟନ୍ତ ତାଙ୍କର କିଛି ଖୋଜ ଖବର ମିଳିଲା ନାହିଁ ।

 

ରଚେଷ୍ଟାରଙ୍କ ଅନୁପସ୍ଥିତିରେ ଜେନ ଶୂନ୍ୟତା ଅନୁଭବ କଲା । ତାହାକୁ ମାଲୁମ ହେଲା, ଯେମିତି ତାହାର କଅଣ ନାହିଁ, ସେ କଅଣ ହଜାଇ ଦେଇଛି । ସେ ମନେ ମନେ ଭାବିଲା, ଏହି ଜଗତରେ ତାହାପରି ବୋକା ଆଉ କେହି ନାହାନ୍ତି । ନୋହିଲେ ରଚେଷ୍ଟାରଙ୍କର ତାହା ପ୍ରତି ଦୁର୍ବଳତା ଅଛି, ଏତେ ବଡ଼ ଗୋଟାଏ ଅଳୀକ କଳ୍ପନା ସେ ମନ ଭିତରେ ପୋଷଣ କରି ନ ଥାଆନ୍ତା । କାହିଁ, ଏଠାରୁ ଚାଲିଗଲା ବେଳେ ରଚେଷ୍ଟାର ତ ତାହାକୁ ପଦେ ହେଲେ କଥା କହିଲେ ନାହିଁ ।

 

 

କିଛି ଦିନ ପରେ ଖବର ଆସିଲା ଯେ ରଚେଷ୍ଟାର ସାଙ୍ଗରେ କେତେ ଜଣ ଅତିଥି ନେଇ ଘରକୁ ଫେରି ଆସୁଛନ୍ତି । ଘରର ଚାରିଆଡ଼େ ହୈଚୈ ପଡ଼ିଗଲା । ଘର ଦୁଆର ସବୁ ସଫା ସୁତୁରା ହେଲା, ଆସବାବପତ୍ର ସଜାସଜି ହେଲା, ବାସନ କୁସନ ମଜାମଜି ହେଲା, କାନ୍ଥରେ ଛବିଗୁଡ଼ାକ ପୁଣି ଟଙ୍ଗା ହେଲା ।

 

ଦିନେ ରଚେଷ୍ଟାର ଦଳେ ସୁନ୍ଦରୀ ମହିଳାଙ୍କୁ ଘେନି ଉପସ୍ଥିତ ହେଲେ । ସେମାନଙ୍କ ଭିତରେ ସବୁଠାରୁ ବେଶୀ ସୁନ୍ଦରୀ ଥିଲା କୁମାରୀ ଇନଗ୍ରାମ ।

 

ଜେନ ପରିଚାରିକା ଠାରୁ ଶୁଣିଲା ଯେ ରଚେଷ୍ଟାର କୁଆଡ଼େ ଇନଗ୍ରାମକୁ ଭଲ ପାଆନ୍ତି । ହୁଏତ ଏଥର ସେମାନଙ୍କର ବିବାହ ହୋଇପାରେ ।

 

ଦିନେ କୁମାରୀ ଇନଗ୍ରାମ ଜେନର ମୁଖ ଉପରେ ଶୁଣାଇ ଦେଲା ଯେ ସେ ଶିକ୍ଷୟିତ୍ରୀମାନଙ୍କୁ ଘୃଣା କରେ ।

 

ରଚେଷ୍ଟରଙ୍କର ଗୀତର ତାଳେ ତାଳେ ଇନଗ୍ରାମ ବାଦ୍ୟ ବଜାଉଥିଲା । ସେମାନଙ୍କର ଦିନସବୁ ମହା ଆନନ୍ଦରେ କଟୁଥିଲା । ଜେନ ମନେ ମନେ ଭାବିଲା ଏହି ଆନନ୍ଦ–ଉତ୍ସବରେ ସେ ହିଁ ଏକମାତ୍ର ଉପେକ୍ଷିତା, କାରଣ ରଚେଷ୍ଟାର ତାହା ସହିତ ପଦେ ହେଲେ କଥା ହେଉ ନ ଥିଲେ ।

 

ରଚେଷ୍ଟାରଙ୍କ ସହିତ ଜେନର ଦିନେ ହଠାତ୍ ବାରନ୍ଦାରେ ସାମନା ସାମନି ଭେଟ ହୋଇଗଲା । ଜେନ ତରବରରେ ଚାଲି ଯାଉଥିଲା । ରଚେଷ୍ଟାର ବାଟ ଓଗାଳି ପଚାରିଲେ–“ତୁମେ ଏତେ ବିମର୍ଷ ଦିଶୁଛ କାହିଁକି ? କଅଣ ହୋଇଛି ତୁମର ?”

 

ଜେନ କିଛି ଜବାବ ଦେଇ ପାରିଲା ନାହିଁ । ତାହାର ଆଖି ଦୁଇଟି ଖାଲି ଲୁହରେ ଛଳଛଳ ହେଲା ।

 

“କାହିଁକି ତୁମେ ତୁଚ୍ଛାରେ କଷ୍ଟ ପାଉଛ ? ମୁଁ ଯେ ତୁମକୁ–” କଥାଟା ଅସମାପ୍ତ ରଖି ରଚେଷ୍ଟାର ହଠାତ୍ ଚାଲିଗଲେ ।

 

ଘରେ ନାନା ରକମ ଉତ୍ସବର ଧୂମଧାମ୍‍ ଚାଲିଲା । ଜେନର ବୁଝିବାକୁ ବାକି ରହିଲା ନାହିଁ ଯେ ପ୍ରତି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରଚେଷ୍ଟାର ଓ ଇନଗ୍ରାମ ମଧ୍ୟର ଗଭୀର ଘନିଷ୍ଠତା ସ୍ଥାପନ କରିବା । ଗର୍ବିତା ରୂପସୀ ଇନଗ୍ରାମ ସବୁ ଉତ୍ସବର କେନ୍ଦ୍ର ବିନ୍ଦୁ ଥିଲା ।

 

 

ଜେନର ଖୁଡ଼ୀ ପାଖରୁ ଦିନେ ଜଣେ ଲୋକ ଆସି ପହଞ୍ଚିଲା । ସେ ଜଣାଇଲା ଯେ ଜେନର ଖୁଡ଼ୀ ଏକ୍ଷଣି ମୃତ୍ୟୁଶଯ୍ୟାରେ ଏବଂ ସେ ଜେନକୁ ଟିକିଏ ଦେଖିବା ପାଇଁ ଅତିଶୟ ବ୍ୟାକୁଳ ହେଉଛନ୍ତି ।

 

ଶୈଶବରେ ଜେନ ଖୁଡ଼ୀର ବହୁତ ଅତ୍ୟାଚାର ସହ୍ୟ କରିଥିଲା । ତଥାପି ତାହାର ଅସୁସ୍ଥତାର କଥା ଶୁଣି ସେ ସ୍ଥିର ହୋଇ ରହି ପାରିଲା ନାହିଁ । ରଚେଷ୍ଟାରଙ୍କ ଠାରୁ ଏକ ସପ୍ତାହ ଛୁଟି ନେଇ ସେ ନିଜର ଖୁଡ଼ୀ ପାଖକୁ ଚାଲିଗଲା ।

 

ମୃତ୍ୟୁ-ଶଯ୍ୟାରେ ଖୁଡ଼ୀ ଜେନ ସତି କରିଥିବା ସବୁ ଖରାପ ବ୍ୟବହାର ପାଇଁ ଅନୁତାପ କଲା । ତେବେ ସୁଦ୍ଧା ଜେନର ମନେ ହେଲା, ଖୁଡ଼ୀ ତାହାକୁ ଅନ୍ତରରେ ଘୃଣା କରେ । ନିଜ ମନର ସମସ୍ତ ଗ୍ଳାନି ପୋଛି ପକାଇ ଜେନ ଖୁଡ଼ୀର ସେବାରେ ଲାଗିଗଲା; କିନ୍ତୁ ଖୁଡ଼ୀ ବଞ୍ଚିଲା ନାହିଁ । ଶୋକରେ ସେ ଭାଙ୍ଗି ପଡ଼ିଲା । ଦିନଗୁଡ଼ାକ କେମିତି ପାଣି ପରି ଗଡ଼ିଗଲା ସେ ଜାଣି ପାରିଲା ନାହିଁ । ଏହିପରି ଭାବରେ ସେ ଖୁଡ଼ୀର ଘରେ ପ୍ରାୟ ମାସେ କାଳ ଅଟକିଗଲା ।

 

ଜେନ ପୁଣି ନିଜର କର୍ମକ୍ଷେତ୍ରକୁ ଫେରିଗଲା । ତାହା ସହିତ ଦେଖା ହେବାରୁ ରଚେଷ୍ଟାର କହିଲେ–‘‘ତୁମେ ତ ଭାରି ନିଷ୍ଠୁର ! ମାସେ ଯାଏ ଆମକୁ ଏକାବେଳେ ଭୁଲି ରହିଗଲ !”

 

କିଛି ଜବାବ ନ ଦେଇ ଜେନ ମୃଦୁ ହସିଲା ।

 

ରଚେଷ୍ଟାର ପୁଣି କହିଲେ– “ଚାଲ, ମୋର ଭାବୀ ସ୍ତ୍ରୀ ପାଇଁ ଗୋଟିଏ ଗାଡ଼ି କିଣିଛି, ଟିକିଏ ଦେଖି ଆସିବ ।”

 

“ଚାଲନ୍ତୁ”– ଜେନର ତୁଣ୍ଡରୁ ଏତିକି ମାତ୍ର ବାହାରିଲା ।

 

ଅତିଥିମାନେ ଢେର୍ ଦିନରୁ ବିଦାୟ ନେଇଥିଲେ । ଖାଲି ରଚେଷ୍ଟାର ଏକା ଏତେ ବଡ଼ ଅଟ୍ଟାଳିକାରେ ବାସ କରୁଥିଲେ ।

 

ସେହି ଦିନ ଦିପହରେ ରଚେଷ୍ଟାର ବଗିଚାରେ ବସି କଅଣ କରୁଥିଲେ । ଜେନ ସେହି ବାଟ ଦେଇ ଯାଉଥିଲା । ତାହା ଉପରେ ଦୃଷ୍ଟି ପଡ଼ିଲା କ୍ଷଣି, ରଚେଷ୍ଟାର ତାହାକୁ ଡାକି ପଚାରିଲେ– “ଏ ଘର କଅଣ ତୁମକୁ ଭଲ ଲାଗୁନାହିଁ ?”

 

ଜେନ ହସି ହସି ଜବାବ ଦେଲା–“ଖୁବ୍ ଭଲ ଲାଗୁଛି ତ ।”

 

“ତାହା ହେଲେ ଏଠାରୁ ଚାଲିଗଲେ ତ ନିଶ୍ଚୟ ତୁମର କଷ୍ଟ ହେବ । ନୁହେଁ ?”

 

“ହଁ ।”

 

“କିନ୍ତୁ ତାହା ଛଡ଼ା ତ ଆଉ ଉପାୟ ନାହିଁ ।”

 

“ମୋତେ କଅଣ ଏଠାରୁ ଚାଲିଯିବାକୁ ପଡ଼ିବ ?’’

 

‘‘ସତରେ ଦୁଃଖିତ ମୁଁ ତୁମ ପାଇଁ, ଜେନ । ମାତ୍ର ତୁମର ଚାଲିଯିବା ବରଂ ଭଲ ।”

 

‘‘ତାହାର ମାନେ ଆପଣ ବିବାହ କରିବେ– ଏୟା ତ ?”

 

“ହଁ । ତୁମେ ତ ଦିନେ ମୋତେ କହିଥିଲ ଯେ ଇନଗ୍ରାମ ସହିତ ମୋର ବିବାହ ହୋଇଗଲା ପରେ ତୁମେ ଆଉ ଏଠାରେ ରହିବ ନାହିଁ । ଯାହା ହେଉ, ତୁମ ପାଇଁ ମୁଁ ଗୋଟାଏ ଚାକିରୀ ଠିକ୍ କରିଛି– ଆୟର୍ଲାଣ୍ଡରେ ଜଣେ ଶିକ୍ଷୟିତ୍ରୀର କାମ ।”

 

“ଆୟର୍ଲାଣ୍ଡ । ଏତେ ଦୂର !”

 

‘‘କେଉଁ ଠୁ ଦୂର, ଜେନ ?”

 

‘‘ଇଂଲଣ୍ଡ ଠାରୁ, ଏହି ଘର ଠାରୁ, ଆଉ– ।”

 

“ଆଉ କଅଣ ?”

 

‘‘ଆପଣଙ୍କ ଠାରୁ ଯେ ବହୁତ ଦୂର ।”

 

ଜେନ ଆଉ କିଛି କହି ପାରିଲା ନାହିଁ । ତାହାର ଆଖିରୁ ଲୁହ ଝରଝର ହୋଇ ଗଡ଼ି ପଡ଼ିଲା ।

 

ରଚେଷ୍ଟାର ଜେନର ହାତ ଧରି ପକାଇ କହିଲେ–“ମୁ ତ ଏକ୍ଷଣି ବିଭା ହୋଇନାହିଁ, ଜେନ !’’

 

‘‘କିନ୍ତୁ ଆପଣ ତ ବିବାହ କରିବେ ବୋଲି ସ୍ଥିର କରିଛନ୍ତି ।”

 

‘‘ହଁ, କରିବି । ମାତ୍ର ତୁମର ଏଠାରୁ ଚାଲିଯିବା ଦରକାର ନାହିଁ ।”

 

“ଆପଣ ମୋତେ କଅଣ ଭାବୁଛନ୍ତି କି ? ମୁଁ କଅଣ ଗୋଟାଏ ନିଷ୍ପ୍ରାଣ ଯନ୍ତ୍ର ? ମୁଁ ଗରୀବ ଓ ସରଳ ହେଲି ବୋଲି କଅଣ ମୋର ମନ ବୋଲି କିଛି ନାହିଁ ? ମୁ ଆପଣଙ୍କର କେହି ନ ହେଲେ ସୁଦ୍ଧା, ଉପେକ୍ଷିତା ଭଳି ଏହି ଘରେ ପଡ଼ି ରହିଥିବି କାହିଁକି ? ଯଦି ଆଜି ମୋର ରୂପ ଓ ଧନ ଥାଆନ୍ତା, ଆପଣ କଅଣ ମୋତେ ଏଡ଼େ ସହଜରେ ଛାଡ଼ିଦେଇ ପାରି ଥାଆନ୍ତେ ?”

 

ରଚେଷ୍ଟାର ଜେନକୁ ଛାତି ଉପରକୁ ଭିଡ଼ି ନେଇ ପ୍ରବୋଧନା ଦେଲେ–‘‘ଶାନ୍ତ ହୁଅ, ଜେନ । କାନ୍ଦ ନାହିଁ ।”

 

‘‘ଛାଡ଼ନ୍ତୁ ! ଆପଣ ଏକ୍ଷଣି ଜଣେ ବିବାହିତ ଲୋକ ସାଙ୍ଗରେ ସମାନ ।”

 

‘‘ଜେନ, ସତ କହୁଛି, ତୁମେ ହିଁ ମୋର ସ୍ତ୍ରୀ ହେବ । ମୁଁ ଏତେ ଦିନ ଯାଏ ତୁମକୁ ହିଁ ମନେ ମନେ କାମନା କରି ଆସିଛି ।”

 

ଜେନ ଅବାକ ହୋଇ ରଚେଷ୍ଟାରଙ୍କ ଆଡ଼କୁ ଚାହିଁରହିଲା । ଏହି କଥା ପଦକ କୌଣସି ମତେ ତାହାକୁ ପରତେ ନାହିଁ ।

Image

 

 

ରଚେଷ୍ଟାର ନିଜେ ବିବାହର ଦିନ ସ୍ଥିର କଲେ । ସତକୁ ସତ ବିବାହର ସବୁ ଆୟୋଜନ ଆରମ୍ଭ ହୋଇଗଲା ।

 

ବିବାହର ଠିକ୍ ଦୁଇ ଦିନ ଆଗରୁ ଜେନ ରାତିରେ ବିଛଣାରେ ଶୋଇ ରହି ସ୍ୱପ୍ନ ଦେଖିଲା ଯେ ରଚେଷ୍ଟାରଙ୍କର ବିଶାଳ ଅଟ୍ଟାଳିକାଟି ଭାଙ୍ଗି ଚୁରମାର ହୋଇଯାଇଛି ଏବଂ ସେହି ଭଙ୍ଗା ଘରେ ପେଚା ଓ ବାହୁଡ଼ି ସବୁ ଆସି ନିଃଶଙ୍କୋଚରେ ବାସ କରୁଛନ୍ତି ।

 

ଦୁଃସ୍ଵପ୍ନ ଦେଖି ଜେନର ନିଦ ଭାଙ୍ଗିଗଲା । ସେ ବିଛଣାରେ ଉଠିପଡ଼ି ବସିଲା ମାତ୍ରେ ସାମନାକୁ ଅନାଇ ଦେଇ ଆହୁରି ଅବାକ୍ ହୋଇଗଲା । କିଏ ଯେମିତି ହାତରେ ଗୋଟିଏ ମହମବତି ଧରି ତାହାର ବିବାହର ପୋଷାକ ଓ ଓଢ଼ଣୀ ପରୀକ୍ଷା କରୁଛି । ଜେନ ଆଖି ମୁଦି ଦେଇ ପୁଣି ଅନାଇଲା–କିଏ ? ଏ ତ ଶ୍ରୀମତୀ ଫେୟାରଫାକ୍‌ସ ନୁହେଁ, ଏପରିକି ଗ୍ରେସ ପୁଲି ବି ନୁହେଁ । ଜଣେ ସ୍ତ୍ରୀ ଲୋକ ସାଦା ପୋଷାକ ପିନ୍ଧି ଠିଆ ହୋଇଛି– ଖୁବ୍ ଡେଙ୍ଗା, ଘନ କଳା କେଶ, ଲାଲ ଆଖି, ମୁଖରେ ହିଂସ୍ରତାର ଛାୟା, ସତେକି ପେତିନୀଟାଏ । ସେ ଜେନର ଓଢ଼ଣୀ ଥରେ ନିଜ ମଥା ଉପରେ ପିନ୍ଧିଲା ଏବଂ ତା ପରେ ସେଟା ଖଣ୍ଡ ଖଣ୍ଡ କରି ଛିଡ଼ାର ପକାଇ ଦେଲା । କିଛି କ୍ଷଣ ପରେ ସେ ଧୀରେ ଧୀରେ ଜେନର ବିଛଣା ପାଖକୁ ଚାଲିଯାଇ ଉଙ୍କିମାରି ଦେଖିଲା । ତହୁଁ ଜେନ ଭୟରେ ମୂର୍ଚ୍ଛିତ ହୋଇ ତଳେ ପଡ଼ିଗଲା ।

 

ପର ଦିନ ଜେନ ରଚେଷ୍ଟାରଙ୍କୁ ସବୁ କଥା ଜଣାଇଲା । ଶୁଣିସାରି ରଚେଷ୍ଟାର କହିଲେ– “ ହୁଏତ ଗ୍ରେସ ପୁଲି ତୁମ ଘରକୁ ଯାଇଥିଲା । ସେ ଯାହା ହେଉ ନା କାହିଁକି, ଆମ ବିବାହ ପରେ ମୁ ତୁମକୁ ସବୁ କଥା ଖୋଲି କହିବି ।”

 

ବିବାହ ଦିନ ରଚେଷ୍ଟାର ଖୁବ୍ ଚଞ୍ଚଳ ଜଣା ଯାଉଥିଲେ । ସେ ମୁହୂର୍ତ୍ତେ ମାତ୍ର ବିଳମ୍ବ ସହି ପାରୁ ନ ଥିଲେ । ଘରଠାରୁ କିଛି ଦୂରରେ ଗୋଟିଏ ଗୀର୍ଜା ଥିଲା । ସେଠାରେ ବିବାହ ହେବ ବୋଲି ସ୍ଥିର ହୋଇଥିଲା । ରଚେଷ୍ଟାର ଓ ଜେନ ନିର୍ଦ୍ଦିଷ୍ଟ ସମୟରେ ସେଠାରେ ଉପସ୍ଥିତ ହେଲେ ।

 

ବିବାହର ଆୟୋଜନ ପ୍ରାୟ ସମ୍ପୂର୍ଣ୍ଣ ହୋଇଯାଇଥିଲା । ବିବାହର ଚୁକ୍ତି ପତ୍ରରେ ଦସ୍ତଖତ କରିବା ଆଗରୁ ରଚେଷ୍ଟାର ଶପଥ ବାକ୍ୟ ଉଚ୍ଚାରଣ କରୁଥିଲ । ଏତିକି ବେଳେ ଜଣେ ଲୋକ ଧାଇଁ ଆସି ବାଧା ଦେଇ ବଡ଼ ପାଟିରେ କହିଲା–‘‘ରୁହନ୍ତୁ, ଆପଣମାନେ ଟିକିଏ ରହନ୍ତୁ । ଏ ବିବାହ କଦାପି ହୋଇ ନ ପାରେ । ଏହା ଏକାବେଳେ ଅନ୍ୟାୟ, କାରଣ ରଚେଷ୍ଟାରଙ୍କର ସ୍ତ୍ରୀ ଏକ୍ଷଣି ଜୀବିତ ଅଛନ୍ତି ।’’

 

ମୁହୂର୍ତ୍ତକ ଭିତରେ ରଚେଷ୍ଟାରଙ୍କ ମନ ମଳିନ ପଡ଼ିଗଲା । ସେ ଧୀରେ ଧୀରେ ଜଣାଇଲେ–“ମୋର ଚକ୍ରାନ୍ତ ସଫଳ ହେଲାନାହିଁ । ସେହି ଭଦ୍ରଲୋକ ଠିକ୍ କହିଛନ୍ତି । ଆପଣମାନେ ହୁଏତ ଶୁଣିଥିବେ; ମୋ ଘରେ ଜଣେ ମହିଳାଙ୍କୁ ଗୋଟିଏ କୋଠରୀରେ ତାଲା ପକାଇ ଅନେକ ଦିନ ହେଲା ଅଟକାଇ ରଖାଯାଇଅଛି । ସେହି ମହିଳା ସମ୍ପୂର୍ଣ୍ଣ ପାଗଳିନୀ ହୋଇଛନ୍ତି । ପନ୍ଦର ବର୍ଷ ତଳେ ମୁଁ ବାର୍ଥା ମାସନଙ୍କୁ ବିବାହ କରିଥିଲି । ତାଙ୍କର ବଂଶରେ ଅନେକ ପାଗଳ ହୋଇଛନ୍ତି । ଗ୍ରେସ ପୁଲି ମୋର ସେହି ସ୍ତ୍ରୀକୁ ଦେଖାଶୁଣା କରେ । ଚାଲନ୍ତୁ, ଆପଣମାନେ ଥରେ ଏହି ଅଭାଗାର ସ୍ତ୍ରୀକୁ ସ୍ଵଚକ୍ଷୁରେ ଦେଖି ଆସିବେ ।”

 

ସମସ୍ତେ ଫେରିଗଲେ । ଗ୍ରେସ ପୁଲିର ଘରକୁ ପଶିଯାଇ ଜେନ ଦେଖିଲା, ଏହି ଦୀର୍ଘାଙ୍ଗୀ ସ୍ତ୍ରୀ ଲୋକଟି ସେଠାରେ ବସିଛି । ବିବାହର ଦୁଇରାତି ଆଗରୁ ସେ ଜେନର ଘରେ ପ୍ରବେଶ କରିଥିଲା । ରଚେଷ୍ଟାରଙ୍କୁ ଦେଖିଲାକ୍ଷଣି ସେହି ପାଗଳୀ ତାହାଙ୍କ ଉପରକୁ ବନ୍ୟ ଜନ୍ତୁ ପରି କୁଦି ପଡ଼ିଲା ।

 

ରଚେଷ୍ଟାର କୌଣସି ମତେ ନିଜକୁ ବଞ୍ଚାଇ ନେଇ ତାହାକୁ ଦେଖାଇ କହିଲେ–‘‘ଏହି ହେଉଛି ମୋର ସ୍ତ୍ରୀ ।’’

 

 

ଜେନ ଦୁଃସହ ଯାତନାରେ ଦଗ୍‌ଧ ହେଉଥିଲା । ଏହି ଘର ଛାଡ଼ିଦେଇ ଚାଲିଯିବା ପାଇଁ ସେ ଖୁବ୍‌ ବ୍ୟସ୍ତ ହେଉଥିଲା ।

 

ପରଦିନ ଭୋର ବେଳେ ଘରେ କାହାରି ନିଦ ଭାଙ୍ଗିବା ଆଗରୁ, ଜେନ ରାସ୍ତାକୁ ବାହାରିଗଲା । ସେ ଉଦ୍ଦେଶ୍ୟହୀନ ଭାବରେ ଚାରି ଦିନ କାଳ ରାସ୍ତାରେ ଏଣେ ତେଣେ ଘୂରି ବୁଲିଲା । ରାତିରେ ଗୋଟିଏ ପାନ୍ଥଶାଳାରେ ସେ ଆଶ୍ରୟ ନେଲା । ଶେଷ ଅବିଧି ଭାଗ୍ୟ ଦେବୀ ତାହା ପ୍ରତି ସୁପ୍ରସନ୍ନ ହେଲେ । ଗୋଟିଏ ବିଦ୍ୟାଳୟରେ ତାହାକୁ ଶିକ୍ଷୟିତ୍ରୀର ଚାକିରୀଟାଏ ମିଳିଗଲା । ସେଠାରେ ଜଣେ ପାଦ୍ରୀ ଭଦ୍ରଲୋକଙ୍କ ସହିତ ଜେନର ପରିଚୟ ହେଲା । ସେହି ଭଦ୍ରଲୋକ ପୂର୍ବ ଦେଶକୁ ଧର୍ମପ୍ରଚାର କାର୍ଯ୍ୟରେ ଯିବାର ଖବର ଜେନର କାନରେ ପଡ଼ିଲା । ସେହି ଭଦ୍ରଲୋକ ଦିନେ ଜେନକୁ ଡାକି କହିଲେ–“ଭଗବାନଙ୍କର ଇଚ୍ଛା ଯେ ତୁମେ କୌଣସି ପାଦ୍ରୀର ସ୍ତ୍ରୀ ହୋଇ ଧର୍ମ ପ୍ରଚାର କରିବ । ଏହି କାର୍ଯ୍ୟରେ ତୁମଠାରୁ ଅଧିକ ସଚୋଟ ଓ ଉପଯୁକ୍ତ ମଣିଷ ଖୋଜି ପାଇବା ମୁସ୍କିଲ ।”

 

ଜେନ ଜଣାଇଲା ଯେ ସେ ଧର୍ମ ପ୍ରଚାର ସକାଶେ ତାହାଙ୍କ ସାଙ୍ଗରେ ଯିବାକୁ ରାଜି ଅଛି, ମାତ୍ର ତାଙ୍କର ସ୍ତ୍ରୀ ଭାବରେ ନୁହେଁ ।

 

କିନ୍ତୁ ଭଦ୍ରଲୋକ ସେଥିରେ ରାଜି ନ ହୋଇ ଜେନକୁ ବିବାହ କରିବା ପାଇଁ ବାରମ୍ବାର ଅନୁରୋଧ କଲେ ।

 

ଜେନ ଅନନ୍ୟୋପାୟ ହୋଇ ଭଗବାନଙ୍କୁ କାତର କଣ୍ଠରେ ପ୍ରାର୍ଥନା କଲା– “ହେ ଭଗବାନ, ତୁମେ ମୋତେ ରକ୍ଷା କର ।”

 

ଯେତେବେଳେ ଜେନ ଏପରି ପ୍ରାର୍ଥନା କରୁଥିଲା, ସେ ହଠାତ୍ ଶୁଣି ପାରିଲା ସତେ ଯେମିତି କେହି ଚିତ୍‌କାର କରି ତାହାକୁ ଡାକୁଛି– ‘‘ଜେନ–ଜେନ–ଜେନ ।”

 

ଏପରି ଡାକ ଶୁଣି ଜେନ ଘରୁ ବାହାରି ଆସିଲା । ତାହାକୁ ଜଣାଗଲା, ଏହା ଯେମିତି ତାହାର ଅତି ପରିଚିତ କଣ୍ଠ ସ୍ୱର । ସେ ମନେ ମନେ ଭାବିଲା, ନିଶ୍ଚୟ ରଚେଷ୍ଟାର ତାହାକୁ ଡାକୁଛନ୍ତି । କିନ୍ତୁ ବାହାରକୁ ଆସି ଜେନ କାହାରି ଦେଖା ପାଇଲାନାହିଁ । ସେ ଏଣେ ତେଣେ ଢେର ଖୋଜି ବୁଲିଲା, ମାତ୍ର କେଉଁଠି କାହାକୁ ଦେଖିବାକୁ ପାଇଲା ନାହିଁ ।

 

ପରଦିନ ଭୋରରୁ ଜେନ ରଚେଷ୍ଟାରଙ୍କ ଘର ଅଭିମୁଖେ ଚାଲିଲା । ସେଠାରେ ପହଞ୍ଚି ସେ ଯାହା ଦେଖିଲା, ସେଥିରେ ଅତ୍ୟନ୍ତ ବିସ୍ମିତ ନ ହୋଇ ସେ ରହି ପାରିଲାନାହିଁ । ଅଟ୍ଟାଳିକାର ଭାଙ୍ଗି ଚୁରମାର ହୋଇ ଗୋଟାଏ ଧ୍ଵଂସ ସ୍ତୁପରେ ପରିଣତ ହୋଇଯାଇଛି । ଜେନ ଖାଲି ଆତଙ୍କିତ ଦୃଷ୍ଟିରେ ଅନାଇ ରହିଲା ।

 

ଶେଷରେ ଜେନ ଜଣକୁ ପଚାରିଲା– ‘‘ରଚେଷ୍ଟାର ଏହି ଘରେ ଆଉ ରହୁ ନାହାନ୍ତି କି ?”

 

ଲୋକଟି ଜବାବ ଦେଲା– “ନା, ଏ ଘରେ ଆଉ କେହି ରହୁ ନାହାନ୍ତି । ଗତ ଶରତ କାଳରେ ଅକସ୍ମାତ ନିଆଁ ଲାଗି ଏହି ଘରଟି ପୋଡ଼ି ଜଳି ଧ୍ଵଂସ ହୋଇଯାଇଛି ।”

 

‘‘କେମିତି ନିଆଁ ଲାଗିଲା ?”

 

“ସେଥିରେ ଅନେକ ରହସ୍ୟମୟ କଥା ଅଛି । ଏହି ଘରେ ଗୋଟାଏ ପାଗଳୀ ରହୁଥିଲା । ସେ ଦିନେ ଘରେ ନିଆଁ ଲଗାଇ ଦେଲା । ପ୍ରଥମେ ସେ ଯେଉଁ କୋଠରୀରେ ନିଆଁ ଲଗାଇ ଦେଲା, ସେଠାରେ ଆଗରୁ ଜଣେ ଶିକ୍ଷୟିତ୍ରୀ ରହୁଥିଲେ । ତା ପରେ ସେହି ନିଆଁ ସମୁଦାୟ ଘରଟାକୁ ପୋଡ଼ି ଛାରଖାର କରିଦେଲା I”

 

ଯେତେବେଳେ ନିଆଁ ଲାଗିଲା, ସେତେବେଳେ ରଚେଷ୍ଟାର ଘରେ ଥିଲେ ତ ?”

 

‘‘ନିଶ୍ଚୟ ଥିଲେ । ନୋହିଲେ ତାଙ୍କର ଏମିତି ଦୁର୍ଦ୍ଦଶା ହୋଇ ଥାଆନ୍ତା କିପରି ?”

 

“ସେ ବଞ୍ଚିଛନ୍ତି ତ ?”

 

“ଏଭଳି ଭାବରେ ବଞ୍ଚି ରହିବାଠାରୁ ବରଂ ମରିଯିବା ତାହାଙ୍କ ପକ୍ଷରେ ଯଥେଷ୍ଟ ଭଲ ଥିଲା । ତାଙ୍କର ଗୋଟିଏ ହାତ ନାହିଁ । ସେ ସମ୍ପୂର୍ଣ୍ଣ ଅନ୍ଧ ହୋଇ ଯାଇଛନ୍ତି ।’’

 

“ସେ ଏକ୍ଷଣି କେଉଁଠି ଅଛନ୍ତି ?”

 

‘‘ସେ ଏଠାରୁ ପ୍ରାୟ ତିରିଶ ମାଇଲ ଦୂରରେ ଫ୍ରାନଡ଼ିନରେ ରହୁଛନ୍ତି ।’’

 

ଜେନ ଆଉ ମୁହୂର୍ତ୍ତେ ସୁଦ୍ଧା ସେଠାରେ ରହିଲା ନାହିଁ । ସେ ତତ୍‌କ୍ଷଣାତ ଫ୍ରାନଡ଼ିନ ଅଭିମୁଖେ ଯାତ୍ରା କଲା । ସେଠାରେ ନିର୍ଜନ ବଣ ଭିତରେ ଗୋଟିଏ ଛୋଟ କୋଠା ତାହାର ନଜରରେ ପଡ଼ିଲା ।

 

ଘରର ସାମନାକୁ ଯାଇ ଜେନ ଦେଖିଲା, ଜଣେ ଲୋକ ହାତ ବଢ଼ାଇ ବାହାରେ ବର୍ଷା ହେଉଛି କି ନା ଜାଣିବାକୁ ଚେଷ୍ଟା କରୁଛି । ଜେନର ଚିହ୍ନିବାକୁ ବାକି ରହିଲା ନାହିଁ ଯେ ସେ ହେଉଛନ୍ତି ରଚେଷ୍ଟାର । ତାଙ୍କର ବହୁତ ପରିବର୍ତ୍ତନ ହୋଇଛି । ତାଙ୍କର ମୁଖମଣ୍ଡଳରେ ନୈରାଶ୍ୟର ଛାୟା ଅଙ୍କିତ ହୋଇଛି ।

 

ଜେନ ତାହାଙ୍କ ପାଖକୁ ଯାଇ ଧୀରେ ଧୀରେ ପଚାରିଲା–“କଅଣ ଖୋଜୁଛନ୍ତି ? ଟିକିଏ ପାଣି ଆଣି ଦେବି ?’’

 

“କିଏ ? ଏ କାହାର ଗଳା ?’’ –ରଚେଷ୍ଟାର ଆଉ ଚିତକାର କଲେ । ପର ମୁହୂର୍ତ୍ତରେ ସେ ଅଣ୍ଡାଳି ଅଣ୍ଡାଳି ଜେନର ହାତକୁ ଚାପି ଧରି କହିଲେ– “ଏ ଯେ ଅବିକଳ ତାହାରି ହାତ !”

 

“ହଁ, ଠିକ୍ କହିଛ । ମୁଁ ତୁମର ସେଇ ଅଭାଗିନୀ ଜେନ”–ଜେନ ଜବାବ ଦେଲା ।

 

‘‘କିନ୍ତୁ ମୁଁ ଯେ ଶକ୍ତିହୀନ, ମୁ ଯେ ଅନ୍ଧ । ଗୋଟାଏ ଭଙ୍ଗା ଗଛଭଳି ଯେ ମୁଁ ଆଜି ପୃଥିବୀର ଗୋଟାଏ ଅଖ୍ୟାତ କୋଣରେ ଆସି ପଡ଼ିଛି ।’’

 

ଜେନ ରଚେଷ୍ଟାରଙ୍କୁ ବିବାହ କଲା । ଦୁଇ ବର୍ଷ ପରେ ରଚେଷ୍ଟାର ନିଜର ଦୃଷ୍ଟିଶକ୍ତି କିଛି ପରିମାଣରେ ଫେରି ପାଇଲେ ।

Image

 

ନୁଟ ହାମସୁନ

ଆନନ୍ଦ ମଠ

କାମିନୀ

 

 

ଷ୍ଟିମାରରୁ ଓହ୍ଲାଇ ଜୋହାନିସର ମନ ଆନନ୍ଦରେ ନାଚିବାକୁ ଲାଗିଲା । ଅନେକ ଦିନ ପରେ ସେ ନିଜ ଗାଁର ମାଟିରେ ଆସି ପାଦ ଦେଲା । ସେ ସହରକୁ ପାଠ ପଢ଼ିବାକୁ ଯାଇଥିଲା । ଆଜି ଛୁଟିରେ ସେ ଘରକୁ ଆସିବାର ସୁଯୋଗ ପାଇଛି ।

 

ଷ୍ଟିମାର ଘାଟରୁ ଗାଁ ଜମିଦାରଙ୍କ ଅଟ୍ଟାଳିକାର ଚୂଡ଼ା ଦେଖାଯାଏ । ଜମିଦାରଙ୍କ ପୁଅ ଏକା ସେହି ଷ୍ଟିମାରରେ ଜୋହାନିସ ସାଙ୍ଗରେ ଆସିଥିଲା । ଜମିଦାର ଘରର ଗାଡ଼ି ଘାଟ ପାଖରେ ଠିଆ ହୋଇଥିଲା । ଜମିଦାର, ତାଙ୍କ ଗୃହିଣୀ ଓ ଝିଅ ଭିକ୍‌ଟୋରିୟା ଗାଡ଼ିରେ ବସି ଅପେକ୍ଷା କରିଥିଲେ ।

 

ଜୋହାନିସ ଗରିବ । ସେ ଗହମ ପେଶା କଳର ମାଲିକର ପୁଅ । ତଥାପି ଜମିଦାରଙ୍କ ପରର ସମସ୍ତଙ୍କ ସହିତ ତାହାର ପରିଚୟ ଅଛି । ଶୈଶବରେ ସେ ଭିକ୍‌ଟୋରିୟା ସହିତ କେତେ ଖେଳା ଲୀଳା କରିଛି । ଦୁହେଁ ପାହାଡ଼ ଓ ବଣରେ କେତେ ଦିନ ଧରି ଘୂରି ବୁଲିଛନ୍ତି । ସେହିସବୁ ସ୍ଵପ୍ନିଳ ଦିନ ଆଜି ଖାଲି ତାହାର ମାନସ ପଟରେ ସ୍ମୃତି ହୋଇରହିଛି ।

 

ଜୋହାନିସ ଷ୍ଟିମାରରୁ ଓହ୍ଲାଇ ଜମିଦାରଙ୍କ ଘରର ସମସ୍ତଙ୍କୁ ଅଭିବାଦନ ଜଣାଇଲା । ମାତ୍ର ଭିକ୍‌ଟୋରିୟା ତାହାକୁ ପ୍ରତି ନମସ୍କାର କଲା ନାହିଁ । ଜୋହାନିସ ବିସ୍ମିତ ଦୃଷ୍ଟିରେ ତାହା ଆଡ଼କୁ ଅନାଇଲା ଏବଂ ମନେ ମନେ ଭାବିଲା, ଯେଉଁ କିଶୋରୀ ଝିଅଟି ଶୈଶବରେ ତାହାର ଖେଳସାଥୀ ଥିଲା ଏ ସେହି ଭିକ୍‌ଟୋରିୟା ନୁହେଁ । ସେ ବଡ଼ ହୋଇ ଯାଇଥିଲା । ସେ ଅତ୍ୟନ୍ତ ସୁନ୍ଦରୀ ଦିଶୁଥିଲା । ତାହାର ନୟନର ଦୃଷ୍ଟି ଗଭୀରତର ଥିଲା ।

 

ଭିକ୍‌ଟୋରିୟା ତାହାର ଭାଇକୁ ପଚାରିଲା–‘‘ଲୋକଟା କିଏ ?”

 

ଭିକ୍‌ଟୋରିୟା ଭାଇ ଜବାବ ଦେଲା–‘‘ତୁ ଏତେ ଶୀଘ୍ର ଭୁଲିଗଲୁ ? ସେ ପରା ଆମର ଜୋହାନିସ ସହରକୁ ପାଠ ପଢ଼ିବାକୁ ଯାଇଥିଲା ।”

 

ଏଥର ଭିକ୍‌ଟୋରିୟା ଭଲକରି ଜୋହାନିସ ଆଡ଼କୁ ଅନାଇଲା । ତା ପରେ ସେ ଗାଡ଼ିରେ ଯାଇ ବସିଲା । ଜମିଦାର ଘରର ଗାଡ଼ି ଜୋହାନିସକୁ ଅତିକ୍ରମ କରି ଧାଇଁ ଚାଲିଗଲା । ମାତ୍ର ଜୋହାନିସ କ୍ଳାନ୍ତ ପଦରେ ଘରକୁ ଫେରି ଆସିଲା ।

 

ବହୁତ ଦିନ ପରେ ପୁଅକୁ ଫେରି ପାଇ ଜୋହାନିସର ବାପ-ମାଆ ତାକୁ ଛାତିରେ ଭିଡ଼ି ଧରିଲେ ।

 

ଜୋହାନିସ କେତେ ଦିନ ସ୍ଵପ୍ନାବିଷ୍ଟ ଭଳି ଶୈଶବର ସହସ୍ର ସ୍ମୃତି ବିଜଡ଼ିତ ଗ୍ରାମର ପଥ ପ୍ରାନ୍ତରରେ ଘୂରି ବୁଲିଲା । ଗ୍ରାମର କାକଳି ମୁଖର ନିର୍ଜନ ପଥ, ଛୋଟ ନଦୀ ଓ ପଥରକଟା ପାହାଡ଼–ସବୁ କିଛି ଯେମିତି ତାହାକୁ ପୁଣି ନୂଆ କରି ଡ଼ାକିଲା ।

 

ଦିନେ ଜମିଦାରଙ୍କ ଘର ଆଗରେ ଯାଇଥିବା ରାସ୍ତାରେ ଜୋହାନିସ ଚାଲି ଚାଲି ଯାଉଥିଲା ।

 

ଏତେ ରାସ୍ତା ଥାଉଁ ଥାଉଁ ସେ ଏହି ରାସ୍ତାରେ କାହିଁକି ଆସିଛି ? ଶୈଶବରେ ଯାହାକୁ ଧରି ମନେ ମନେ କଳ୍ପନାରେ ଡ଼େଣା ମେଲି ସେ ଦେଶ ଦେଶାନ୍ତରକୁ ଉଡ଼ି ଯାଉଥିଲା, ଆଜି କଅଣ ତାହାକୁ ଦେଖିବା ପାଇଁ ତାର ମନ ବ୍ୟାକୁଳ ହେଉଛି ? ଏହି କଥା ମନେ ପଡ଼ିଗଲା ମାତ୍ରେ ଜୋହାନିସକୁ ଭାରି ଲାଜ ମାଡ଼ିଲା । ସେ ମୋଡ ଘୂରି ଅନ୍ୟ ରାସ୍ତା ଧରିଲା, ମାତ୍ର ବିସ୍ମୟ ସହକାରେ ଲକ୍ଷ୍ୟ କଲା ଯେ ଭିକ୍‌ଟୋରିୟା ନିଜର ଭାଇ ସାଙ୍ଗରେ ସେହି ରାସ୍ତାରେ ଚାଲି ଚାଲି ଆସୁଛି । ତହୁଁ ଜୋହାନିସ ନୀରବରେ ଆଗନ୍ତୁକିମାନଙ୍କୁ ଅଭିବାଦନ ଜଣାଇ ସେମାନଙ୍କ ପାଖ ଦେଇ ଆଗେଇ ଗଲା । ଭିକ୍‌ଟୋରିୟା ଓ ତାହାର ଭାଇ ନୀରବରେ ସେହି ଅଭିବାଦନ ଗ୍ରହଣ କଲେ । କିଛି ବାଟ ଚାଲି ଯାଇ ଭିକ୍‌ଟୋରିୟା ଥରେ ତାହା ଆଡ଼କୁ ଫେରି ଋହିଲା । ତାହାର ଲଜ୍ଜା ନମ୍ର ଆନତ ଦୃଷ୍ଟି କହି ଦେଉଥିଲା, ସତେ ଯେମିତି କେହି ମୁଠାଏ ଅବିର ତାହାର ଗାଲ ଉପରକୁ ଛାଟି ଦେଇଛି ।

 

ଜୋହାନିସ ବଣ ଭିତରକୁ ପଶିଗଲା । ସେଠାରେ ଗୋଟିଏ ପଥର ମୁଣ୍ଡିଆ ଉପରେ ସେ ବସି ପଡ଼ିଲା । ଯାହାକୁ ଏଡ଼ିବା ପାଇଁ ସେ ଏଠାରେ ବସି ପଡ଼ିଲା, ଦେଖାଗଲା ଯେ କିଛିକ୍ଷଣ ପରେ ସେହି ତରୁଣୀ ଭିକ୍‌ଟୋରିୟା ଜୋହାନିସ ଆଡ଼କୁ ଆଗେଇ ଯାଉଛି ।

 

ତାହା ନିକଟରେ ପହଞ୍ଚି ଭିକ୍‌ଟୋରିୟା ମୃଦୁ ହସି କହିଲା–‘‘ତୁମକୁ ସ୍ଵାଗତ ଜଣାଉଛି । କେତେ କାଳ ପରେ ତୁମେ ଗ୍ରାମକୁ ଫେରିଲ ।’’

 

କଅଣ ଜବାବ ଦେବ ଜୋହାନିସ ପ୍ରଥମେ ସ୍ଥିର କରି ପାରିଲା ନାହିଁ । ତାହାର ମନ ଭିତରେ ଢେର କଥା ଖେଳିଗଲା, ମାତ୍ର ସେ ଏତିକି କହିଲା– ‘‘ତୁମେ ଯେ ଏଠାକୁ ଆସିବ, ମୁଁ ତାହା ଜାଣି ନଥିଲି ।

 

“ତାହା ତ ନ ଜାଣିବାର କଥା । ହଠାତ୍ କଣ ମନେ ହେଲା ମୁଁ ଭାବିଲି ଯେ ବଣ ଭିତରର ରାସ୍ତା ଦେଇ ଘରକୁ ଫେରିଯିବି । ହଁ ତୁମେ ଏଠାରେ କେତେ ଦିନ ରହିବ ?”

 

“ଛୁଟି ପୁରିବା ଯାଏ ରହିବି ବୋଲି ତ ଭାବିଛି । ଦେଖାଯାଉ କଣ ହେଉଛି ।”

 

“ଓ ! ଭାଇ କହୁଥିଲେ, ତୁମେ କୁଆଡ଼େ ଶ୍ରେଣୀରେ ଭଲ ଛାତ୍ର ହୋଇଛ ତାହାଛଡ଼ା ସୁନ୍ଦର କବିତା ମଧ୍ୟ ଲେଖିପାର । ସତ ନା ?”

 

“କବିତା ? ହଁ, ବେଳେ ବେଳେ ଲେଖେଁ । କେତେ ଲୋକ ତ ଏମିତି ଲେଖୁଛନ୍ତି ।”

 

“ଦିନେ ମୋତେ ଗୋଟାଏ କବିତା ଲେଖି ଦିଅ ନା । ଛାଡ଼ କି ବାଜେ କଥା ଯେ ମୁଁ କହୁଛି । କବିତାର ମୁଣ୍ଡ ଗଣ୍ଡି ତ ମୁଁ କିଛି ବୁଝିପାରେ ନାହିଁ ।”

 

ଜୋହାନିସର ଅନ୍ତର ଭିତରେ ବହୁତ କଥା ଆସି ଜମା ହେଲା । କିନ୍ତୁ ତାହାର ତୁଣ୍ଡରୁ ପଦେ ହେଲେ କଥା ବାହାରିଲା ନାହିଁ । ସେ ଥରେ ସୁଦ୍ଧା କହି ପାରିଲା ନାହିଁ ଯେ ଏତେ ଦିନ ଯାଏ ସେ ଯେତେ କବିତା ଲେଖିଛି ସବୁ ଭିକ୍‌ଟୋରିୟାକୁ ଉଦ୍ଦେଶ୍ୟ କରି ଲେଖାଯାଇଛି ।

 

ଶେଷରେ ଭିକ୍‌ଟୋରିୟା କହିଲା–“ଫେର୍ ଦେଖାହେବ । ଆଜି ଯାଉଛି ।”

 

ଜୋହାନିସ ନୀରବରେ ତାହାକୁ ନମସ୍କାର କଲା ।

 

 

ରବିବାର ଦିନ ଭିକ୍‌ଟୋରିୟାର ଭାଇ ଜୋହାନିସକୁ ଖବର ପଠାଇଲା–ସେ ନଦୀର ଆର ପାରିରେ ଥିବା ଦ୍ଵୀପକୁ ନୌକାରେ ବୁଲିବାକୁ ଯିବ, ଯଦି କିଛି ଆପତ୍ତି ନଥାଏ ଜୋହାନିସ ନାଉରୀ ହୋଇଗଲେ ସେ ଖୁବ୍ ଖୁସି ହେବ । ଇଚ୍ଛା ନଥିଲେ ସୁଦ୍ଧା ଜୋହାନିସ ନୌକା ନେଇ ଜାହାଜ ଘାଟକୁ ଗଲା ଏବଂ ଭିକ୍‌ଟୋରିୟାର ଭାଇ ପାଇଁ ଅପେକ୍ଷା କରିବାକୁ ଲାଗିଲା ।

 

ଏତିକି ବେଳେ ଘାଟରେ ଗୋଟାଏ ହୈ ଚୈ ପଡ଼ିଗଲା । ଜଣେ ସ୍ତ୍ରୀ ଲୋକ ଚିତ୍କାର କଲା–“ମୋ ଝିଅ, ବଞ୍ଚାଅ ମୋ ଝିଅକୁ ।” ଗୋଟିଏ ଝିଅ ହଠାତ୍ ଜାହାଜରୁ ଖସି ପଡ଼ି ପାଣିରେ ବୁଡ଼ିଗଲା । ସମସ୍ତେ ଆଉ କଣ୍ଠରେ ଚିତ୍କାର କରୁଥିଲେ, କିନ୍ତୁ ଝିଅଟିକୁ ବଞ୍ଚାଇବା ପାଇଁ କେହି ଚେଷ୍ଟା କରୁ ନଥିଲେ । ଖାଲି ଜଣେ ଖଲାସୀ ପାଣିକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଥିଲା ।

 

ଜୋହାନିସ କାହାରି ବିପଦ ଦେଖିଲେ ସ୍ଥିର ହୋଇ ରହିପାରେନାହିଁ । ସେ ପାଣିକୁ ଡେଇଁ ପଡ଼ିଲା ଏବଂ ଅସୀମ ବୀରତ୍ଵ ସହକାରେ ଅଜ୍ଞାନ ଝିଅଟିକୁ ଜାହାଜକୁ ଉଠାଇ ନେଇ ଆସିଲା । ସମସ୍ତେ ତାକୁ ଧନ୍ୟ ଧନ୍ୟ କଲେ ।

 

ଝିଅଟିର ଚେତା ପଶିଲାରୁ, ଜୋହାନିସ ଭଲ କରି ତାହା ଆଡ଼କୁ ଅନାଇଲା । ସୁନ୍ଦରୀ କିଶୋରୀଟିଏ, ସତେ ଯେମିତି ଫୁଲର କଢ଼ଟିଏ ଏବେ ଫୁଟିଛି ।

 

“ସବୁ ମାଟି ହେଲା, ଦେଖୁଛି । ଆଜି କଅଣ ନୌକାରେ ବୁଲିଯିବା ହେବ ନାହିଁ ?” ଭିକ୍‌ଟୋରିୟାର ଭାଇ ଜୋହାନିସକୁ ପଚାରିଲା ।

 

ଜୋହାନିସ ଦେଖିଲା, ଭାଇ ପାଖରେ ଭଉଣୀ ଠିଆ ହୋଇଛି ।

 

ଭିକ୍‌ଟୋରିୟା କହିଲା–“ଘରକୁ ଯାଇ ସେ ଏକ୍ଷଣି ଓଦା ଲୁଗା ବଦଳାଇବେ ନାହିଁ ? ଭାଇଙ୍କର ଅକଲ ଦେଖ, କଅଣ ଯେ କହୁଛନ୍ତି ।’’

 

ଜୋହାନିସର ମନ ଆନନ୍ଦରେ ଭରିଗଲା । ସେ ମନେ ମନେ ଭାବିଲା ତାହା ହେଲେ ଭିକ୍‌ଟୋରିୟା କୂଳରେ ଠିଆ ହୋଇ ତାହାର ଏହି ବୀରତ୍ଵ ପୂର୍ଣ୍ଣ କାର୍ଯ୍ୟଦେଖିଛି । ଏହିପରି ଭାବରେ କେତେ ଦରକାର ପଡ଼ିଲେ ସେ ଯେ ଭିକ୍‌ଟୋରିୟା ସକାଶେ ନିଜର ଜୀବନ ଉତ୍ସର୍ଗ କରିପାରିବ, ତାହା ଭାବି ବି ଭାବି ପାରିଲା ନାହିଁ ।

 

ଜୋହାନିସ ଆନନ୍ଦ ମନରେ ଘରକୁ ଫେରିଗଲା ।

 

 

ଜମିଦାରଙ୍କ ଘରକୁ ଅନେକ ଅତିଥି ଆସିଥିଲେ । ଭିକ୍‌ଟୋରିୟା ବୋଧହୁଏ ସେମାନଙ୍କର ତତ୍ତ୍ୱ ନେବାରେ ବ୍ୟସ୍ତ ଥିଲା । ଜୋହାନିସ ପ୍ରଧାନ ଅତିଥିକୁ ଚିହ୍ନିଥିଲେ । ତାହାର ନାମ ଅଟୋ । ସେ ଜମିଦାରଙ୍କ ବନ୍ଧୁର ପୁଅ । ସେତେବେଳେ ଅଟୋ ପ୍ରଥମେ କଲେଜରେ ପଢୁଥିଲା, ସେତେବେଳେ ସେ ଥରେ ଏହି ଗ୍ରାମକୁ ଆସିଥିଲା । ଜୋହାନିସର ଏକ୍ଷଣି ବେଶ ମନେ ପଡ଼ୁଛି, ସେତେବେଳେ ଅଟୋ ତାହା ସହିତ ଖରାପ ବ୍ୟବହାର କରୁଥିଲା । ଅଟୋ ସବୁବେଳେ ଭିକ୍‌ଟୋରିୟାର ପାଖେ ପାଖେ ରହିବାକୁ ଚାହୁଥିଲା । ତେଣୁ ଜୋହାନିସ ତାହା ପାଖକୁ ଗଲେ, ସେ ତାହାକୁ ତଡ଼ି ଦେଉଥିଲା । ଅଟୋ ବଡ଼ ଘରର ପୁଅ ହୋଇଥିବାରୁ ଜୋହାନିସ ପ୍ରତି ବରାବର ତାଚ୍ଛଲ୍ୟ ପ୍ରକାଶ କରୁଥିଲେ । ସେହି ଅଟୋ ପୁଣି ଏବେ ଆସିଛି ।

 

ଦିନେ ଅଟୋ ଯାଇ ଜୋହାନିସର ବାପାର ଛୋଟ ଗହମ ପେଶା କଳଟା ଚାଲୁ କରିଦେଲା । ଏଥିରେ ଜୋହାନିସର ବାପା ଆତଙ୍କିତ ହୋଇ ଜଣାଇଲା ଯେ କଳରେ ଗହମ ନାହିଁ, ସୁତରାଂ ଏପରି ଅବସ୍ଥାରେ କଳ ଚଳାଇଲେ କଳଟା ଭାଙ୍ଗିଯିବ । ଅଟୋ ସେ କଥାକୁ କାନ ଦେଲା ନାହିଁ ।

 

ଜୋହାନିସ ଯାଇ କଳଟା ବନ୍ଦ କରିଦେଲା ।

 

ଅଟୋ ଚିତ୍କାର କରି କହିଲା–‘‘କଳ ବନ୍ଦ କଲ କାହିଁକି ? ମୁ ହୁକୁମ ଦେଉଛି, କଳ ଚାଲିବ ।”

 

ଭିକ୍‌ଟୋରିୟା କେଉଁଠୁ ଧାଇଁ ଆସିଲା । ସେ ଅଟୋ ସାଙ୍ଗରେ ହସି ହସି କଥା ହେଲା । ତାହାର ଅନୁରୋଧରେ ଅଟୋ ଏହି କାର୍ଯ୍ୟରୁ ନିବୃତ୍ତ ହେଲା ଏବଂ ଜମିଦାରଙ୍କ ଘରକୁ ଚାଲିଗଲା ।

 

ଭିକ୍‌ଟୋରିୟା କହିଲା–‘‘ଜୋହାନିସ, ବହୁତ ଦିନ ପରେ ତୁମ ସହିତ ପୁଣି ଦେଖା ହେଲା ।’’

 

ଜୋହାନିସ ହସି ହସି ଜଣାଇଲା–‘ବାଃରେ, ସେ ଦିନ ପରା ଜାହାଜ ଘାଟରେ ଆମର ଦେଖା ହୋଇଥିଲା ।’’

 

“ଓ, ସତେ ତ ! ଯାହା ହେଉ ସେ ଝିଅଟାର କପାଳ ଭଲ, ତୁମେ ତାହାକୁ ସେ ଦିନ ବଞ୍ଚାଇ ଦେଲ । ତୁମେ କଅଣ ଏକା ପାଣି ଭିତରେ ବୁଡ଼ି ତାହାକୁ ଖୋଜି ଉଠାଇ ଆଣିଥିଲ ?

 

‘‘ଜାହାଜର ଖଲାସୀଟା ଅବଶ୍ୟ ମୋତେ ସାହାଯ୍ୟ କରିଥିଲା ।

 

“ତୁମେ ଯାହାର ପ୍ରାଣ ବଞ୍ଚାଇଲ, ସେ ଖୁବ୍ ସୁନ୍ଦରୀ । ସେ ତୁମ ନିକଟରେ ଅତିଶୟ କୃତଜ୍ଞ । ଏଥିରେ ମୋର କି ଗରଜ ପଡ଼ିଛି । ହେଉ, ଯାଉଛି !”

 

ଭିକ୍‌ଟୋରିୟା ହଠାତ୍ ଚାଲିଗଲା ।

 

ଜୋହାନିସ ଅସ୍ଥିର ଚିତ୍ତରେ ବଣ ଭିତରେ ଘୁରି ବୁଲିବାକୁ ଲାଗିଲା । ହଠାତ୍ ତାହାର ନଜରରେ ପଡ଼ିଲା, ଭିକ୍‌ଟୋରିୟା ଗୋଟିଏ ଗଛ ତଳେ ଠିଆ ହୋଇ କାନ୍ଦୁଛି ।

 

ଜୋହାନିସ ଧୀରେ ଧୀରେ ତାହା ପାଖକୁ ଗଲା ଏବଂ ପଚାରିଲା–“କଅଣ ହେଲା ତୁମର ? କାନ୍ଦୁଛ କାହିଁକି ?”

 

ଭିକ୍‌ଟୋରିୟା ଲୁହ ପୋଛି ପକାଇ ଅଭିମାନ ଭରା ସ୍ଵରରେ ଜବାବ ଦେଲା–“ନା, କିଛି ନୁହେଁ ।”

 

“ଓ !”

 

‘‘ଜୋହାନିସ, ତୁମେ ଏମିତି ଭାବରେ ମୋ ଆଡ଼କୁ କଟମଟ କରି ଅନାଇ ରହିଛ କାହିଁକି ? ମୋର ଛାତି ଥରୁଛି । ଆରେ, କଥା କହୁ ନାହିଁ କାହିଁକି ? କଅଣ ଦେଖୁଛି ? ମୋ ଠାରୁ ତୁମେ କଣ ଚାହଁ ?”

 

“କଅଣ ଯେ ଚାହେଁ, ମୁଁ ନିଜେ ତାହା ଭଲ ଭାବରେ ବୁଝି ପାରୁ ନାହିଁ ।”

 

ପ୍ରକୃତରେ ଜୋହାନିସ ତାହାଠାରୁ କଅଣ ଚାହେଁ ତୁଣ୍ଡ ଖୋଲି କହି ପାରିଲା ନାହିଁ । ପ୍ରେମର ତ କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ନାହିଁ । ପ୍ରେମ ହେଉଛି ଠିକ୍ ଗୋଲାପ ଫୁଲର କାନରେ ଦକ୍ଷିଣା ପବନର ଚୁପି ଚୁପି କଥା କହିଲା ଭଳି । ହୁଏତ ତାହା କୌଣସି ମନ ମତାଣିଆ ସଙ୍ଗୀତର ସ୍ଵର ଲହରୀ, ଯାହା ବୁଢ଼ାର ହୃଦୟକୁ ବି ଚହଲାଇ ଦେଇପାରେ । ହୁଏତ ତାହା ଫଗୁଣର ଗୋଟାଏ ଉଦାସିଆ ରାତି ପରି । ତାହା ଏକ ଅପାର ରହସ୍ୟମୟ ଅନୁଭୁତି । କେତେବେଳେ ତାହା ମନୁଷ୍ୟକୁ ଧ୍ଵଂସ କରିଦିଏ ତ, କେତେବେଳେ ପୁଣି ତାହା ଭିତରେ ନୂତନ ଜୀବନ ସଞ୍ଚାର କରେ । କେତେବେଳେ ତାହା ହୃଦୟକୁ ଦୁଃଖରେ ବିଦୀର୍ଣ୍ଣ କରେ ତ କେତେବେଳେ ପୁଣି ଆନନ୍ଦରେ ଉଦ୍‌ବେଳିତ କରେ । ପ୍ରେମର ପଥରେ ଫୁଲ ଅଛି, କଣ୍ଟା, ବି ଅଛି ।

 

 

ଜୋହାନିସ ସହରକୁ ଫେରିଗଲା । ଲେଖାପଢ଼ା ଓ କାବ୍ୟ କବିତାର ସାଧନା ଭିତରେ ସେ ବୁଡ଼ି ରହିଲା । ଲାଗେ ଲାଗେ ତାହାର ଦୁଇ ଖଣ୍ଡ କବିତାର ବହି ପ୍ରକାଶିତ ହେଲା । ସାହିତ୍ୟ ଜଗତରେ ତାହାର ନାମ ଖେଳିଗଲା ।

 

ଦିନେ ଜୋହାନିସ ସହରର ଗୋଟାଏ ନିର୍ଜ୍ଜନ ରାସ୍ତାରେ ଯାଉଥିଲା । ହଠାତ୍ ତାହାର ନଜରରେ ପଡ଼ିଲା, ଭିକ୍‌ଟୋରିୟା ସେହି ରସ୍ତାରେ ଯାଉଛି । ଭିକ୍‌ଟୋରିୟାର ସହରକୁ ଆସିବାର ଖବର ଜୋହାନିସ ଅନେକ ଦିନ ଆଗରୁ ପାଇଥିଲେ । କିନ୍ତୁ ଭିକ୍‌ଟୋରିୟା ଅଭିଜାତ ସମାଜ ଭିତରେ ବିଚରଣ କରୁଥିଲା । ଜୋହାନିସର ଗତି ସେ ଆଡ଼କୁ ନ ଥିଲା ।

 

ଜୋହାନିସ ପାଖରେ ପହଞ୍ଚି ଗଲାରୁ ଭିକ୍‌ଟୋରିୟାକୁ ନମସ୍କାର କଲା । ଭିକ୍‌ଟୋରିୟା ପ୍ରତିନମସ୍କାର ଜଣାଇ ଚାଲିଗଲା । ସେ ଦଣ୍ଡେ ହେଲେ ସେଠାରେ ଠିଆ ହେଲା ନାହିଁ । ଏଥିରେ ଜୋହାନିସ ହତାଶ ହୋଇ ପଡ଼ିଲା । ତହୁଁ ସେ ଅନ୍ୟ ରାସ୍ତା ଦେଇ ଯିବ କିନା ଭାବୁଛି, ଏତିକି ବେଳେ ସେ ଦେଖିଲା ଯେ ଭିକ୍‌ଟୋରିୟା ଦ୍ରୁତ ଗତିରେ ତାହା ଆଡ଼କୁ ଫେରିଆସୁଛି ।

 

ଭିକ୍‌ଟୋରିୟା ହସି ହସି ପଚାରିଲା–“ଜୋହାନିସ, ତୁମେ କେମିତି ଅଛ ?”

 

ଜୋହାନିସ ପଦକରେ ଜବାବ ଦେଲା–“ଭଲ ।”

 

“ମୁଁ କେମିତି ଅଛି, କାହିଁ ପଚାରିଲ ନାହିଁ ତ ?”

 

ଭିକ୍‌ଟୋରିୟାର ଆଙ୍ଗୁଳିରେ ଗୋଟିଏ ମୁଦି ଝଲସୁ ଥିଲା– ବାଗ୍‌ଦତ୍ତାର ମୁଦି । ଜୋହାନିସର ଆଖି ତାହା ଉପରେ ପଡ଼ିବାରୁ ସେ କହିଲା–“ମୋର ଅଭିନନ୍ଦନ ଗ୍ରହଣ କର, ଭିକ୍‌ଟୋରିୟା । ତୁମର ବିବାହ ସ୍ଥିର ହେଲାଣି, ଏ କଥା ତ ତୁମେ ମୋତେ ଏ ଯାଏ ଜଣାଇ ନାହିଁ ! ଯାହା ହେଲେ ବି, ମୁଁ ତ ତୁମର ଜଣେ ପଡ଼ିଶା ।’’

 

ଭିକ୍‌ଟୋରିୟା କହିଲା–‘‘ଏ ଆଲୋଚନା ଆଜି ଥାଉଜୋହାନିସ । ଆଜିକାଲି ଲୋକଙ୍କଠାରୁ ତୁମ ସମ୍ବନ୍ଧରେ ଢେର୍‌ କଥା ଶୁଣିବାକୁ ମିଳୁଛି । ଶୁଣିଲି, ଯେଉଁ ଝିଅଟିକୁ ତୁମେ ସେ ଦିନ ଜଳରୁ ଉଦ୍ଧାର କରିଥିଲେ, ତୁମେ ତାହାକୁ କୁଆଡ଼େ, ବିଭା ହେଉଛ । ଝିଅଟିର ନାମ କଅଣ ?”

 

ଜୋହାନିସ ତତ୍‌କ୍ଷଣାତ୍‌ ଜବାବ ଦେଲା–“କାମିଲା । ସେ ଏହି ସହରରେ ରହେ । ମୁଁ ପ୍ରାୟ ସେମାନଙ୍କ ଘରକୁ ଯାଏ । ମାତ୍ର ତାହାକୁ ବିଭା ହେବା କଥା ମୁଁ କେବେହେଲେ ଭାବି ନାହିଁ ।”

 

ଭିକ୍‌ଟୋରିୟା କହିଲା–‘‘ତୁମେ ନ ଭାବିଲେ କଅଣ ହେଲା, କାମିଲା ନିଶ୍ଚୟ ଭାବୁଥିବ ।”

 

“ମୋର ବିବାହ ପ୍ରତି ତୁମର ଏତେ ଆଗ୍ରହ କାହିଁକି ? ତୁମେ କଅଣ ସତରେ ମୋ ମନକୁ ଆଉ ଜଣକ ଆଡ଼କୁ ବୁଲାଇ ଦେବାକୁ ବସିଛ ?”

 

‘‘ଏତେ ଦିନ ପରେ ତୁମେ ଏୟା ବୁଝିଲ । ତୁମକୁ ଆଉ କେହି ଚାହିଲେ, ତାହା ସହ୍ୟ କରିବା ଯେ ମୋ ପକ୍ଷରେ କେତେ କଠିନ ତାହା ତୁମେ କଦାପି ବୁଝି ପାରିବ ନାହିଁ ।’’

 

“ତୁମ ଆଙ୍ଗୁଳିର ମୁଦିଟି ଦେଖି ମୁଁ ସବୁ କଥା ବୁଝି ସାରିଲିଣି, ଭିକ୍‌ଟୋରିୟା । ଆଉ କିଛି ବୁଝିବା ମୋର ଲୋଡ଼ା ନାହିଁ ।”

 

‘‘ଜୋହାନିସ, ତୁମେ ମୋର ସବୁ କଥା ଜାଣିନାହିଁ । ମୁଁ ବି ତୁମକୁ ସବୁ କଥା ମୁହଁ ଖୋଲି କହି ପାରିବି ନାହିଁ । କିନ୍ତୁ ଜୋହାନିସ, ତୁମେ ଆଜି ଜାଣିଥାଅ, ଦୁନିଆରେ ଏକମାତ୍ର ତୁମକୁ ହିଁ ମୁ ଭଲ ପାଏ ।”

 

ଭିକ୍‌ଟୋରିୟା ନିଜ ମନର କଥା ଶେଷ କରି ପାରିଲା ନାହିଁ । ତାହାର ନୟନ ଯୁଗଳରେ ଲୋତକ ଛଳ ଛଳ ହେଲା ।

 

ପରଦିନ ସନ୍ଧ୍ୟାବେଳେ ଜୋହାନିସ ସହରର ରାସ୍ତାରେ ବୁଲୁଥିଲା । ସେ ମନେ ମନେ ଆଶା କରୁଥିଲା, ହୁଏତ ଭିକ୍‌ଟୋରିୟା ସହିତ ଦେଖା ହୋଇଯିବ । ଜୋହାନିସ ରଙ୍ଗାଳୟ ନିକଟକୁ ଆସି ଦେଖିଲା ସାମନାରେ ଭିକ୍‌ଟୋରିୟା ଠିଆ ହୋଇଛି । ଏକା ନୁହେଁ, ଅଟୋ ବି ତାହାର ସାଙ୍ଗରେ ଅଛି । ଜୋହାନିସ ହସି ହସି ସେମାନଙ୍କୁ ନମସ୍କାର କଲା । ସେ ଭାବିଲା, ବୋଧହୁଏ ଭିକ୍‌ଟୋରିୟା ତାହାକୁ କିଛି ଇଙ୍ଗିତ ଦେବ । କିନ୍ତୁ ମୁଖ ନୁଆଁଇ ଭିକ୍‌ଟୋରିୟା ତରତର ହୋଇ ଅଟୋ ସାଙ୍ଗରେ ରଙ୍ଗାଳୟ ଭିତରକୁ ପଶିଗଲା । ଜୋହାନିସ ମଧ୍ୟ ଟିକଟ କିଣି ଭିତରକୁ ଗଲା ।

 

ପ୍ରଥମ ଅଙ୍କ ସରିଲାରୁ, ଜୋହାନିସ ବାରନ୍ଦାକୁ ଆସି ଭିକ୍‌ଟୋରିୟା ପାଇଁ ଅପେକ୍ଷା କରିବାକୁ ଲାଗିଲା । ଶେଷରେ ଭିକ୍‌ଟୋରିୟା ବାରନ୍ଦାକୁ ଆସିଲା, ବିସ୍ମିତ ଦୃଷ୍ଟିରେ ଥରେ ଜୋହାନିସ ଆଡ଼କୁ ଅନାଇଲା ଏବଂ ତା’ ପରେ ଅଟୋର ହାତ ଧରି ତାହାରି ପାଖ ଦେଇ ଚାଲିଗଲା ।

 

ଜୋହାନିସର ମନେ ହେଲା, ଏ ସଂସାର ବଡ଼ ନିଷ୍ଠୁର । ସେ ଭାବିଲା, ହୁଏତ ସେ ଦିନ ଭିକ୍‌ଟୋରିୟା ଖୁବ୍ ଭଲ ମିଜାଜରେ ଥିଲା, ସେଥିପାଇଁ ରାସ୍ତା ଉପରେ ତାହାକୁ ଭଲ ପାଇବାର କଥା କହି ଟିକିଏ ମଜ୍ଜା କରିଥିଲା । ଜୋହାନିସ ମଧ୍ୟ ସେ କଥାକୁ ସତ ମଣି ଅନ୍ତର ଭିତରେ କେତେ ଆନନ୍ଦ ଲାଭ କରିଥିଲା । ମାତ୍ର ଏକ୍ଷଣି ତାହାକୁ ନିର୍ବୋଧତାର ଶାସ୍ତି ଭୋଗ କରିବାକୁ ହେବ ।

 

ଅନେକ ଦିନ ପରେ ଜୋହାନିସ ଗ୍ରାମକୁ ଫେରିଗଲା । ସେଠାରେ ଶୁଣିଲା, ଭିକ୍‌ଟୋରିୟା ଦିନେ କୁଆଡ଼େ ତାହାକୁ ଖୋଜିବା ଲାଗି ତାହାର ଘରକୁ ଆସିଥିଲା ।

 

ସେ ଦିନ ଦିପହରେ ଘର ସାମନାରେ ଭିକ୍‌ଟୋରିୟା ସହିତ ତାହାର ହଠାତ୍ ଭେଟ ହୋଇଗଲା । ଭିକ୍‌ଟୋରିୟା ହାତରେ ଗୋଟାଏ ଫୁଲ ଚାଙ୍ଗୁଡ଼ି ଧରିଥିଲା । ସେ କହିଲା ଯେ ଫୁଲ ତୋଳିବା ପାଇଁ ସେ ଏ ଆଡ଼କୁ ଆସିଥିଲା ।

 

ଜୋହାନିସ ଭାବି ସ୍ଥିର କରିପାରିଲାନାହିଁ, ଜମିଦାରଙ୍କ ଉଦ୍ୟାନରେ ଏତେ ଫୁଲ ଗଛ ଥାଉଁ ଥାଉଁ ଭିକ୍‌ଟୋରିୟା ଏତେ ଦୂରକୁ ବା କାହିଁକି ଫୁଲ ତୋଳିବାକୁ ଆସିଲା ।

 

ଭିକ୍‌ଟୋରିୟା ତାହାକୁ କହିଲା – “ଆମ ଘରେ ଆଜି ଗୋଟାଏ ଭୋଜି ହେଉଛି । ସହରରୁ ଅନେକ ଲୋକ ଆସିବେ । ତୁମେ ଆସିଲେ ମୁଁ ଖୁବ୍ ଖୁସି ହେବି ।’’

 

ଜୋହାନିସ କିଛି କହିଲା ନାହିଁ । ଅଭିଜାତ ସମାଜର ଭୋଜିରେ ଯୋଗ ଦେବା ପାଇଁ ତାହାର ସଙ୍କୋଚ ହେଉଥିଲା । ତାହାରି ପାଇଁ ତ ଭୋଜି ଦିଆ ଯାଉ ନ ଥିଲା ।

 

ଭିକ୍‌ଟୋରିୟା ପୁଣି କହିଲା – ‘‘ତୁମେ ମନା କର ନାହିଁ । ଗଲେ କିନ୍ତୁ ଠକିବ ନାହିଁ । ମୁଁ ତୁମକୁ ଏମିତି ଗୋଟାଏ ନୂଆ ଜିନିଷ ଦେଖେଇବି ଯେ ତୁମେ ଅବାକ ହୋଇଯିବ । କଅଣ ଯିବ ତ ?”

 

“ଯଦି ତୁମେ ଖୁସି ହୁଅ, ତାହା ହେଲେ ମୁ ନିଶ୍ଚୟ ଯିବି ।”

 

ଭିକ୍‌ଟୋରିୟା ଚାଲିଗଲା । ଜୋହାନିସ ମନେ ମନେ ଭାବି ସ୍ଥିର କରି ପାରିଲାନାହିଁ, ଭିକ୍‌ଟୋରିୟା ତାହାକୁ ଏମିତି କି ଅଜବ ଜିନିଷ ଦେଖାଇବାକୁ ଚାହୁଛି ।

 

ନିର୍ଦ୍ଦିଷ୍ଟ ଦିନ ଜୋହାନିସ ଜମିଦାରଙ୍କ ଘରେ ଯାଇ ଉପସ୍ଥିତ ହେବ । ଗୃହିଣୀ ତାହାକୁ ଅଭ୍ୟର୍ଥନା ଜଣାଇଲେ । ସେ ଦେଖିଲା, ସେଠାରେ ଅନେକ ଲୋକ ଠୁଳ ହୋଇଛନ୍ତି ଏବଂ ଚାରିଆଡ଼େ ଆନନ୍ଦର ସୁଅ ଛୁଟିଛି । ଅଟୋ ଆସିଛି, ତାହାର ବାପ ମାଆ ବି ଆସିଛନ୍ତି । ତାହାର ସମସ୍ତଙ୍କ ସାଙ୍ଗରେ ଦେଖାହେଲା, ମାତ୍ର ଭିକ୍‌ଟୋରିୟାକୁ ସେ କେଉଁଠି ଖୋଜି ପାଇଲା ନାହିଁ ।

 

କିଛି କ୍ଷଣ ପରେ ଭିକ୍‌ଟୋରିୟା ଗୋଟିଏ ଝିଅକୁ ସାଙ୍ଗରେ ନେଇ ଜୋହାନିସ ପାଖକୁ ଆସି କହିଲା–‘‘ଦେଖନି, ଏ କିଏ । କାମିଲକୁ ଏଠାରେ ଦେଖିବାକୁ ପାଇବ ବୋଲି ତୁମେ କେବେ ହେଲେ ଆଶା କରି ନ ଥିବ । ହେଉ, ତୁମ ଦୁହିଁଙ୍କର ତ ଆଗରୁ ପରିଚୟ ଅଛି । କଅଣ କହୁଛ ତୁମେ ?”

 

କାମିଲା ହସି ହସି କହିଲା–“ହଁ, ସେ ତ ମୋର ପ୍ରାଣ ବଞ୍ଚାଇଛନ୍ତି ।”

 

ତା ପରେ କାମିଲା ଜୋହାନିସ ପାଖରେ ବସି ପଡ଼ି ଗପର ପେଡ଼ି ଖୋଲି ଦେଲା । ଜୋହାନିସ ମନେ ମନେ କଅଣ ଭାବୁଥିଲା ।

 

କାମିଲା କହିଲା–“ଆଜିକାଲି ଭୋଜିରେ ବିବାହର ବିଷୟ ଘୋଷଣା କରାଯିବ । ଭିକ୍‌ଟୋରିୟା ଅଟୋକୁ ଭଲ ପାଏ । ସେମାନଙ୍କର ବିବାହ ଠିକ୍ ହୋଇଛି, ସେ କଥା ଆପଣ ଜାଣନ୍ତି ତ ?”

 

କାମିଲା ଆନନ୍ଦରେ ଆହୁରି କେତେ କଥା ଗପିଗଲା । ତାହାର ଅକପଟ କଥାବାର୍ତ୍ତା ଓ ସତେଜ ମୁଖ ଭଙ୍ଗୀରେ ଜୋହାନିସ ପୁଲକିତ ହେଲା । ଦୁହିଁଙ୍କ ଭିତରେ ଗପ ଖୁବ୍ ଜମିଗଲା । କିଛି କ୍ଷଣ ପରେ ଭୋଜନ ପାଇଁ ସେମାନଙ୍କୁ ଡକା ହେଲା । ଭୋଜି ସଭାରେ ପ୍ରତ୍ୟେକ ଚଉକିରେ ନିମନ୍ତ୍ରିତମାନଙ୍କର ନାମ ଲେଖା ହୋଇଥିବା କାଗଜ ମରିଥିଲା । ଜୋହାନିସ ନିର୍ଦ୍ଦିଷ୍ଟ ଆସନରେ ଯାଇ ବସିଲା । ହଠାତ୍ ଭିକ୍‌ଟୋରିୟା ସେଠାରେ ହାଜର ହୋଇ କହିଲା–“ଟିକିଏ ଭୁଲ ହୋଇଯାଇଛି, ଜୋହାନିସ । ତୁମର ଚଉକି ଏଠି ନୁହେଁ, ହେଇ ସେଇଠି । ’’ ଏହା କହି ଭିକ୍‌ଟୋରିୟା ଚଉକିରୁ ଜୋହାନିସର ନାମ ଲେଖା ଥିବା କାଗଜ ଖଣ୍ଡିକ କାଢ଼ି ନେଇ ଟିକିଏ ଛଡ଼ାରେ ଆଉ ଗୋଟିଏ ଚଉକିରେ ଲଗାଇ ଦେଲା ।

 

ଜୋହାନିସ ସେହି ଚଉକିରେ ବସି ଦେଖିଲା, ତାହାର ସାମନା ଚଉକିରେ ଅଟୋ ବସିଛି । ଅଟୋର ଗୋଟାଏ ପାଖରେ କାମିଲା ଏବଂ ଅନ୍ୟ ପାଖରେ ଭିକ୍‌ଟୋରିୟା ବସିଲେ ।

 

ଭୋଜି ସଭାରେ ବିବାହର ଘୋଷଣା ଶୁଣି ସମବେତ ଭଦ୍ର ମଣ୍ଡଳୀ ଆନନ୍ଦ ପ୍ରକାଶ କଲେ । ଅଟୋ ଭିକ୍‌ଟୋରିୟା ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ।

 

 

ତହିଁ ପର ଦିନ କାମିଲା ଏକା ଜୋହାନିସର ଘରକୁ ଗଲା । ଜୋହାନିସ କାମିଲାକୁ ନିଜର ବାପ ମାଆଙ୍କ ସହିତ ପରିଚୟ କରାଇଦେଲା ।

 

କାମିଲାର ବଦନ ମଣ୍ଡଳରେ ଯୌବନ ଓ ଆନନ୍ଦର ଉଚ୍ଛଳତା ଖେଳୁଥିଲା । ସେ ଜୋହାନିସର ଘନିଷ୍ଠ ସାନ୍ନିଧ୍ୟ ଲାଭ କରିବାକୁ ବସିଲା । ଦି’ ପହରେ ଦୁହେଁ ପଥର-କଟା ନିର୍ଜନ ପ୍ରାନ୍ତରକୁ ବୁଲିବାକୁ ଗଲେ । ଜୋହାନିସ ତରୁଣୀ କାମିଲାର ଅଗଣିତ ପ୍ରଶ୍ନର ଜବାବ ଦେବାକୁ ଲାଗିଲା । ଉଚ୍ଛ୍ଵସିତ ପ୍ରାଣ ତରଙ୍ଗ ଜୋହାନିସର ଅନ୍ତରକୁ ସ୍ପର୍ଶ କଲା ।

 

କାମିଲା ପଚାରିଲା– ‘‘ସହରକୁ କେବେ ଯିବେ ? ମୁଁ ତ କାଲି ଘରକୁ ଯିବି ।”

 

ଜୋହାନିସ ଜବାବ ଦେଲା– “କିଛି ଦିନ ପରେ ।’’

 

“ଆପଣଙ୍କୁ ବେଶି ଦିନ ନ ଦେଖିଲେ, ମୋର ମନ ଭାରି କଷ୍ଟ ହେବ ।”

 

‘‘ସତେ ? ଆଚ୍ଛା କାମିଲା, ଯଦି ବର୍ଷେ କି ଦୁଇ ବର୍ଷ ପରେ ମୁଁ ତୁମକୁ ଚିର ଦିନ ପାଇଁ ଅତି ଆପଣାର କରି ପାଇବାକୁ ଚାହେ, ତାହାହେଲେ ପାଇବି ତ ? ଅବଶ୍ୟ ମୁଁ ତୁମର ଯୋଗ୍ୟ ପାତ୍ର ନୁହେଁ ।”

 

“ଆପଣ କଅଣ ଯେ କହୁଛନ୍ତି, ମୁଁ କିଛି ବୁଝିପାରୁ ନାହିଁ । ମୁଁ ଅନନ୍ତ କାଳ ଯାଏଁ ଆପଣଙ୍କ ପାଇ ଅପେକ୍ଷା କରି ରହିପାରେ ।”

 

କାମିଳାର ମୁଖ ଲାଜରେ ଆରକ୍ତ ହୋଇଗଲା । ସେ ଜୋହାନିସର ବର୍ଷ ଭିତରେ ଆତ୍ମସମର୍ପଣ କରିବାକୁ ଚେଷ୍ଟା କଲା ।

 

ପରଦିନ କାମିଲାକୁ ଜାହାଜରେ ଚଢ଼ାଇଦେବା ପାଇଁ ଜୋହାନିସ ଜାହାଜ ଘାଟକୁ ଗଲା, କାମିଲା ଜମିଦାର ଘରର ଅତିଥି ହୋଇଥିଲା । ମାତ୍ର ଜମିଦାରଙ୍କ ଝିଅ ଭିକ୍‌ଟୋରିୟା ତାହାକୁ ବିଦାୟ ଦେବାକୁ ଆସି ନ ଥିଲା । ଏହା ଦେଖି ଜୋହାନିସ ଖୁବ୍ ବିସ୍ମିତ ହେଲା । ବୋଧହୁଏ ତାହାର ଏତାଦୃଶ ମନୋଭାବ ବୁଝିପାରି କାମିଲା ଜଣାଇଲା–“ଭିକ୍‌ଟୋରିୟା ସାଙ୍ଘାତିକ ବିପଦରେ ପଡ଼ିଛି; ଆପଣ କଅଣ ଶୁଣି ନାହାନ୍ତି ? ହଠାତ୍ ଅଟୋର ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।”

 

ଏହି ଆକସ୍ମିକ ଦୁର୍ଯୋଗର ଖବର ଶୁଣି ଜୋହାନିସ କିଛି କ୍ଷଣ ସ୍ତବ୍‌ଧ ହୋଇଗଲା । ତାହାର ପାଟିରୁ ପଦେ ହେଲେ କଥା ବାହାରିଲା ନାହିଁ ।

 

ଜାହାଜକୁ ଚଢ଼ିଯାଇ କାମିଲା ନିଜର ପ୍ରେମିକ ଜୋହାନିସ ଆଡ଼କୁ ହାତ ବଢ଼ାଇଦେଲା । ହାତଟି ଧରି ଜୋହାନିସ କହିଲା–‘‘ହୁଏତ ମୁ ଏହି ହାତର ଯୋଗ୍ୟ ନୁହେଁ । ତୁମକୁ ପାଇଲେ ଅବଶ୍ୟ ଯୋଗ୍ୟ ହେବାକୁ ମୁଁ ଚେଷ୍ଟା କରିବି ।”

 

କାମିଲା ହସି ହସି ନିଜ ମନର କଥା ଜଣାଇଲା–“ମୁଁ ଏତେ ଦିନ ହେଲା ତୁମକୁ ହି କାମନା କରି ରହିଛି । ମୁଁ ତ ତୁମରି !”

 

ଜାହାଜ ଛାଡ଼ିବାକୁ ବସିଲା । ଯେତେବେଳ ଯାଏ ଜାହାଜ ଦେଖାଯାଉଥିଲା, ସେତେବେଳେ ଯାଏ ରୁମାଲ ହଲାଇ ଜୋହାନିସ କାମିଲାକୁ ବିଦାୟ ଜଣାଇଲା । ତାପରେ ପଛକୁ ବୁଲି ପଡ଼ିଲା ମାତ୍ରେ, ଜୋହାନିସ ଦେଖିଲା ଯେ ଭିକ୍‌ଟୋରିୟା ଠିଆ ହୋଇଛି ।

 

ଭିକ୍‌ଟୋରିୟା କହିଲା – ‘‘ମୋର ଆସିବାକୁ ଟିକିଏ ଉଛୁର ହୋଇଗଲା ।”

 

ଜୋହାନିସ କିଛି ଜବାବ ଦେଲା ନାହିଁ ।

 

ଭିକ୍‌ଟୋରିୟା ପୁଣି ଜଣାଇଲା–“ଅଟୋର ଅକସ୍ମାତ କାଳ ହୋଇଗଲା ।”

 

ତଥାପି ଜୋହାନିସ ନୀରବ ରହିଲା । କଅଣ ଜବାବ ଦେବ, ସେ କିଛି ବୁଝି ପାରିଲା ନାହିଁ ।

 

ଭିକ୍‌ଟୋରିୟା ନରମ କଣ୍ଠରେ କହିଲା–“ଏଁ, ଏତେ ବଡ଼ ଦାରୁଣ ମରଣଟା ତୁମ ନିକଟରେ କିଛି ନୁହେଁ ! ମୋର ଭଲ ମନ୍ଦରେ ତୁମର କଅଣ କିଛି ଯାଏ ଆସେ ନାହିଁ ? ତାହା ହେଲେ ତୁମେ ଜାଣି ରଖ, ଅଟୋ ତୁମଠାରୁ ହଜାରେ ଗୁଣ ଭଲ ଥିଲା, ଲକ୍ଷେ ଗୁଣ ଭଲ ଥିଲା ।”

 

ନିଜର କୋହକୁ ଚାପି ଭିକ୍‌ଟୋରିୟା ଘର ଆଡ଼କୁ ଫେରିଗଲା । ପର ଦିନ ଭିକ୍‌ଟୋରିୟା ହଠାତ୍ ଜୋହନିସର ଘରେ ଆସି ହାଜର ହୋଇଗଲା । ସେ ଜୋହାନିସକୁ ବଣକୁ ଡ଼ାକି ନେଇଗଲା । ସେଠାରେ ଗୋଟାଏ ବୁଦା ମୂଳରେ ଦୁହେଁ ବସିଲେ । ଭିକ୍‌ଟୋରିୟା ଅଶାନ୍ତ ହୃଦୟରେ ଢେର କଥା କହିଗଲା । ଏହି ପ୍ରଥମ ଥର ପାଇଁ ଜୋହାନିସ ଜାଣିପାରିଲା ଯେ ଭିକ୍‌ଟୋରିୟା ସ୍ଵେଚ୍ଛାରେ ଅଟୋକୁ ବିଭା ହେବାକୁ ରାଜି ହୋଇ ନ ଥିଲା, ବରଂ ସେ ଆପତ୍ତି ଉଠାଇଥିଲା । କିନ୍ତୁ ଶେଷ ଅବଧ୍ୟ ଭିକ୍‌ଟୋରିୟା ନିଜ ବାପାର ମୁଖକୁ ଚାହିଁ ଏହି ବିବାହରେ ରାଜି ହେବାକୁ ବାଧ୍ୟ ହେଲା । ବାହାରର ଥାଟ କିଛି ପରିମାଣରେ ଥିଲେ ସୁଦ୍ଧା ଭିକ୍‌ଟୋରିୟାର ବାପା ପ୍ରାୟ କପର୍ଦକଶୂନ୍ୟ ହୋଇ ଯାଇଥିଲେ । ଅଶେଷ ଦାରିଦ୍ର୍ୟ ଭିତରେ ସେମାନଙ୍କର ଦିନ କଟୁଥିଲା । ଅନ୍ୟ ଦିଗରେ ଅଟୋର ହାତରେ ପ୍ରଚୁର ଅର୍ଥ ଥିଲା । ସୁତରାଂ ଆପଣା ବଂଶର ଗୌରବ ଓ ସମ୍ମାନ ରକ୍ଷା କରିବାର ଏକମାତ୍ର ବାଟ ଥିଲା ଅଟୋର ହାତରେ ନିଜର ଦୁହିତାକୁ ସମର୍ପଣ କରିଦେବା । ସେଇଥି ପାଇଁ ଭିକ୍‌ଟୋରିୟାର କିଛି ଆପତ୍ତି ତାହାର ବାପା କାନକୁ ନେଇ ନ ଥିଲେ । ଅଟୋ ସହିତ ତାହାର ବିବାହ ସ୍ଥିର ହୋଇଥିଲା ।

 

ସବୁ କଥା ଜଣାଇ ଭିକ୍‌ଟୋରିୟା ନିଜ ବାଗଦାନର ମୁଦିଟାକୁ ଗୋଟାଏ ବୁଦା ଭିତରକୁ ଫିଙ୍ଗି ଦେଲା ଏବଂ ଜୋହାନିସର ହାତ ଚାପି କହିଲା–“ତୁମେ ମୋତେ କ୍ଷମା କର । ହୁଏତ ମୁଁ ପରୋକ୍ଷରେ ତୁମକୁ ବହୁତ କଷ୍ଟ ଦେଇଛି ।’’

 

ଜୋହାନିସ ଖାଲି ଏତିକି କହିଲା–‘‘ତୁମେ ଘରକୁ ଯାଅ ।”

 

ଭିକ୍‌ଟୋରିୟା ପୁଣି ଅନୁଯୋଗ କଲା–‘‘ଜୋହାନିସ, ତୁମେ କାଶ ନାହିଁ, ସେହି ଶୈଶବରୁ ମୁଁ ତୁମକୁ କେତେ ଭଲ ପାଇ ଆସୁଛି । ଆଜି ମୋର ଏହି ଦୁର୍ଯୋଗ ସମୟରେ ତୁମେ ମୋତେ ଫେରାଇ ଦିଅ ନାହିଁ । ମୁ ଯେ ଏକାନ୍ତ ତୁମର !”

 

ଜୋହାନିସ ଜବାବ ଦେଲା–“ମୁଁ ଯେ ଅନ୍ୟ ଆଡ଼େ ବନ୍ଧା ପଡ଼ିଲିଣି । ଗୋଟିଏ ଝିଅ ସାଙ୍ଗରେ ମୋର ବିବାହ ଠିକ୍ ହୋଇଛି ।”

Image

 

 

ଜୋହାନିସ ସହରକୁ ଫେରିଗଲା, ଆଉ ସାହିତ୍ୟରେ ବୁଡ଼ି ରହିଲା । ସେ ଗୋଟିକ ପରେ ଗୋଟିଏ ଗପ ଲେଖିବାକୁ ଲାଗିଲା । କାମିଲା ବେଳେ ବେଳେ ତାହାର ଘରକୁ ଆସେ ଏବଂ ତାହାର ଲେଖା କେତେ ଦୂର ଆଗେଇଛି ଦେଖିସାରି ଚାଲିଯାଏ । ସେ ନିଜର ନୂଆ ବନ୍ଧୁ ରିଚମଣ୍ଡ ସମ୍ବନ୍ଧରେ ନାନା କଥା ତାହାକୁ ଶୁଣାଏ । ଜୋହାନିସ ଭାବେ, କାମିଲାର ମନ ରିଚମଣ୍ଡ ଆଡ଼କୁ ଢଳିଛି ସତ, ମାତ୍ର ସେ ତ ଏଯାଏ ଜୋହାନିସକୁ ଭଲ ପାଉଛି ।

 

ଜୋହାନିସର ସମୟ ନ ଥିଲା । ସେ ଲେଖାଲେଖିରେ ଖୁବ୍ ବ୍ୟସ୍ତ ଥିଲା । ତେଣୁ ସେ କାମିଲାକୁ ଯଥେଷ୍ଟ ସଙ୍ଗ–ସୁଖ ଦେଇ ପାରୁ ନ ଥିଲା । ଅନ୍ୟ ଦିଗରେ ରିଚମଣ୍ଡ ସେହି ଅଭାବ ପୂରଣ କରୁଥିଲା ।

 

ଦିନେ କାମିଲା ହଠାତ୍ ଜୋହାନିସର ଘରକୁ ଆସି ତାହାକୁ ଗୋଟିଏ ଆସରରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରି କହିଲା–“ଆପଣ ନ ଗଲେ ମୋର ମନ ବିଶେଷ ଖରାପ ହେବ । ’’ ତା ପରେ ଟିକିଏ ରହି ସେ ପୁଣି କହିଲା ମୁ ଭିକ୍‌ଟୋରିୟାକୁ ନିମନ୍ତ୍ରଣ କରିଛି । ସେ ଏହି ଆସରରେ ଯୋଗ ଦେବ । ଆପଣ ନିଶ୍ଚୟ ଯିବେ ।”

 

ଜୋହାନିସ ହସି ହସି ଜବାବ ଦେଲା–‘‘ହେଉ, ଯିବି ।”

 

ମାତ୍ର ନିର୍ଦ୍ଦିଷ୍ଟ ଦିନ ଜୋହାନିସ ଆସରରେ ଯୋଗ ଦେଲା ନାହିଁ । ଶୂନ୍ୟ ନିରାସକ୍ତ ମନରେ ସେ ରାସ୍ତାରେ ଘୂରି ବୁଲିଲା । ସେ ଘରକୁ ଫେରିଲା ବେଳକୁ ବହୁତ ରାତି ହୋଇଯାଇଥିଲା । ସେ ଦେଖିଲା, ଜଣେ ଲୋକ ତାହାର ଦୁଆର ମୁହଁରେ ଅପେକ୍ଷା କରି ବସିଛି ।

 

ଲୋକଟି ଜଣାଇଲା–“ମୁ ଜମିଦାର ଭିକ୍‌ଟୋରିୟାର ଶିକ୍ଷକ । ଭିକ୍‌ଟୋରିୟା ଆଉ ଏ ସଂସାରରେ ନାହିଁ । ମଲା ବେଳେ ସେ ଏହି ଚିଠି ଖଣ୍ଡିକ ଆପଣଙ୍କୁ ଦେବା ପାଇଁ ମୋତେ କହି ଯାଇଥିଲା ।”

 

ଜୋହାନିସର ହାତ ଥରୁଥିଲା । ସେ ଚିଠିଟି ଚାପି ଧରିଲା । ତାହାକୁ ମାଲୁମ ହେଲା, ତାହାର ପାଦ ତଳୁ ଯେମିତି ମାଟି ଆସ୍ତେ ଆସ୍ତେ ଖସି ଯାଉଛି । ଭିକ୍‌ଟୋରିୟା ସେ ଇହଧାମରେ ନାହିଁ, ଏହା ସେ କୌଣସି ମତେ ବିଶ୍ଵାସ କରି ପାରିଲା ନାହିଁ ।

 

ଘର ଭିତରକୁ ଯାଇ ଜୋହାନସ ଚିଠିଟା ଖୋଲିଲା ସେଥିରେ ଲେଖା ଥିଲା–

 

“ପ୍ରିୟ ଜୋହାନିସ,

 

ମରଣ ମୋ ମୁଣ୍ଡ ଉପରେ ଠିଆ ମରିବାକୁ ଚାହେ ନା, ମୁଁ ବଞ୍ଚିବାକୁ ଚାହେ ।

ହୋଇଛି । ଏହି ଧରଣୀକୁ ମୁଁ ଆସିଥିଲି କେବଳ ତୁମକୁ ଭଲ ପାଇବା ସକାଶେ । ଆଜି ସବୁ ଶେଷ ହୋଇଛି । ତେଣୁ ମୁଁ ବିଦାୟ ନେଉଛି । ତୁମର ଦେଖା ପାଇବା ଆଶାରେ ମୁଁ କାମିଲାର ଆସରକୁ ଯାଇଥିଲି । ମାତ୍ର ମୋର ସକଳ ଆଶା ବ୍ୟର୍ଥ ହେଲା । ତୁମର ଶେଷ ଦର୍ଶନ ମିଳିଲା ନାହିଁ । ମୋ ଜୀବନର ଯେଉଁ ମୁହୂର୍ତ୍ତଗୁଡ଼ିକ ତୁମେ ଗୋପନ ମଧୁରତାରେ ପୂର୍ଣ୍ଣ କରିଥିଲ, ସେଇଥିପାଇଁ ତୁମକୁ ଆନ୍ତରିକ ଧନ୍ୟବାଦ ଜଣାଉଛି । ତୁମକୁ ମନେ ମନେ ହେଜି ମୁଁ ଏହି ଧରଣୀରୁ ଶେଷ ବିଦାୟ ନେବି ।

 

ଆଉ ଲେଖି ପାରୁ ନାହିଁ । ହେ ମୋର ପ୍ରିୟତମ, ବିଦାୟ ।

 

। ଇତି ।

ଭିକ୍‌ଟୋରିୟା”

Image

 

ଆର୍ନେଷ୍ଟ ହମିଙ୍ଗଓୟେ

ଆନନ୍ଦ ମଠ

ପ୍ରତିଧ୍ୱନି

 

ପାଇନ ବଣ ଭିତରେ ସେ ଶୋଇଛି । ଦୁଇ ବାହୁ ମଝିରେ ତାହାର ଚିବୁକ ନଇଁ ପଡ଼ିଛି । ଅତି ଉଚ୍ଚରେ ପାଇନ ଗଛର ଶାଖାରେ ସମୀରଣର ମର୍ମର । ଶାନ୍ତ ସ୍ତବ୍‌ଧ ଢାଲୁ ପାହାଡ଼ ଶ୍ରେଣୀର ଢେର୍ ତଳେ ସଂକୀର୍ଣ୍ଣ ପଥ । ତାହାରି ତିଳେ କରତ କଳ ।

 

ସେ ମାନଚିତ୍ର ଖୋଲି ଭଲ କରି ଦେଖିବାକୁ ଲାଗିଲା । ବୁଢ଼ା ଲୋକଟି ତାହା କତିରେ ବସିଥିଲା । ପାହାଡ ଚଢ଼ିବାର ପରିଶ୍ରମରେ ସେ ଧକଉଥିଲା । ସେ ବି ସୈନ୍ୟ ବିଭାଗର ମାନଚିତ୍ର ଦେଖୁଥିଲା । ଖର୍ବକାୟ ଟାଣ ଲୋକ, ପରିଧାନ ଚଷାଙ୍କ କୁର୍ତ୍ତା ଓ ପାଉଁଶିଆ ଟ୍ରାଉଜାର, ଜୋତାର ତଳଟା ଦଉଡ଼ିର ଦୁଇଟି ଭାରୀ ଗଣ୍ଠିରି ତାହା ପାଖରେ ଥୁଆ ହୋଇଥିଲା । ଗୋଟିକ ଉପରେ ସେ ହାତ ରଖିଥିଲା ।

 

‘‘ତାହା ହେଲେ ଏଠାରୁ ପୋଲଟା ଦେଖା ଯାଉନାହିଁ’’ !

 

‘‘ନା”– ବୁଢ଼ା ଲୋକଟି କହିଲା ।

 

ଫିଲଡ଼୍‌ଗ୍ଲାସର କାଚ ପୋଛି ରବାର୍ଟ ଜୋର୍ଡ଼ାନ ଆଖିରେ ଲଗାଇଲା । ଦେହରେ ଖାକି ଫ୍ଲାନେଲ କମିଜ । ସେ କହୁଣିରେ ଭରା ଦେଇ ଦୂରକୁ ଅନାଇଲା । ମୁଣ୍ଡଟା ବୁଲାଇ ସେ କହିଲା–“କାହିଁ, ସନ୍ଥୀ ତ ଦେଖାଯାଉ ନାହିଁ ।”

 

“ଅଛି, ପୋଲର ଦୁଇ ପଟରେ ।’’

 

“କିଛି ଲୋକ ଦରକାର । କେତେ ଜଣ ମିଳିବେ ?”

 

‘‘ତୁମର କେତେ ଜଣ ଦରକାର ?”

 

“ପରେ କହିବି । ଆଗେ ପୋଲଟା ଦେଖିସାରେ ।”

 

“‘ଦେଖିବା ପାଇଁ କଅଣ ଆମେ ଆହୁରି ପୋଲଟା ଉପରକୁ ଉଠିବା ?”

 

“ନା, ଆପାତତଃ ଏହି ବିସ୍ଫୋରକର ଗଣ୍ଠିରି ଦୁଇଟା ଲୁଚାଇବା ପାଇଁ ଗୋଟାଏ ଜାଗା ଦେଖିବାକୁ ହେବ ।”

 

ଏନସେଲମୋ କହିଲା – “ମିଳିବ, ଆମେ ଯେଉଁଠାକୁ ଯାଉଛନ୍ତି ପାହାଡ଼ ତଳେ ପୋଲ ଆଡ଼କୁ । କିନ୍ତୁ ଆଉ ଟିକିଏ ଉଠିବାକୁ ହେବ । ଭୋକ ଲାଗିଲାଣି ?”

 

“ଲାଗୁଛି, ମାତ୍ର ସେ କଥା ପରେ ।” ରବାର୍ଟ ଜୋର୍ନ ଠିଆ ହେଲା । ଲମ୍ବା, ପତଳା, ଖରା ପୋଡ଼ା ମୁଖ, ପରିଧାନ ଚାଷୀଙ୍କର ଟାଉଜାର, ଜୋତାର ତଳଟା ଦଉଡ଼ିର। ସେ ନଇଁପଡ଼ି ଚମଡ଼ା ଫିତା ଲଗା ଗୋଟିଏ ଗଣ୍ଠିରି ପିଠି ଉପରକୁ ଟେକି ନେଲା– ଚାଲ, କେଉଁ ଆଡ଼କୁ ?”

 

‘‘ଉଚ୍ଚକୁ ଉଠିବାକୁ ହେବ ।”

 

ଆହୁରି ତୀଖ ପାହାଡ଼, ଆହୁରି ପରିଶ୍ରମ ।

 

‘‘ପାରୁଛ ତ ?”

 

“ନିଶ୍ଚୟ”....ରବାର୍ଟ ଧକଉଥିଲା । ତାହାର ଜାମାରେ ଝାଳର ଓଦା ଛାପ ।

 

“ଏଠାରେ ଟିକିଏ ବିଶ୍ରାମ କର । ହୁସିଆର କରି ଦେଇ ଆସେ ସେମାନଙ୍କୁ । ଏତେ ସବୁ ବୋଝ ଦେଖିଲେ ସେମାନେ ଗୁଳି କରିଦେବେ ।”

 

‘‘ହେଉ ।” ସେମାନେ ଗଣ୍ଠିରି ଓହ୍ଲାଇଲେ ।

 

ରବାର୍ଟ ଗଣ୍ଠିରି ପାଖରେ ବସି ପଡ଼ିଲା । ଏନସେଲମୋ ଗଛପତ୍ର ଭିତରେ ଉପରକୁ ଉଠିଗଲା ।

 

ରବାର୍ଟକୁ ସତରେ ଭୋକ ଲାଗୁଥିଲା । କିନ୍ତୁ ଭୋକ ପାଇଁ ମଥା ଖେଳାଇବାକୁ ତାହାର ସମୟ ନ ଥିଲା । ସେ ଭାବୁଥିଲା, ଏହିସବୁ ଜାଗାରେ ଶତ୍ରୁ – ଘାଟିର ପଛରେ ଯାତାୟାତ କରିବା କେତେ ବିପଦଜନକ । ଅସଲ କଥା ହେଲା ବିଶ୍ଵାସ । କାହାରି ଉପରେ ତ ତାହାକୁ ନିର୍ଭର କରିବାକୁ ପଡ଼ିବ । ଏନସେଲମୋ ସତରେ ଏହି ପାହାଡ଼ୀ ଜାଗାରେ ଜଣେ ଚମତ୍କାର ପଥ–ପ୍ରଦର୍ଶକ । ସେ ଖୁବ୍ ସ୍ଵଚ୍ଛନ୍ଦରେ ପାହାଡ଼ ଚଢ଼ିପାରେ । ସେ ଏପର୍ଯ୍ୟନ୍ତ ତାହା ଉପରେ ନିର୍ଭର କରିଆସିଛି । ମାତ୍ର ସେ ତ ଏନସେଲ୍‌ମୋର ବିଚାର ବୃଦ୍ଧି ଉପରେ ନିର୍ଭର କରୁନାହିଁ । ନା, ଆପତତଃ ଆଉ କୌଣସି ସମସ୍ୟା ନାହିଁ, ଏପରିକି ପୋଲଟା ବି ନୁହେଁ । ସେ ଜାଣେ, ଯେ କୌଣସି ଧରଣର ପୋଲକୁ କିପରି ଭାବରେ ଉଡ଼ାଇ ଦେବାକୁ ହୁଏ ।

 

ଟିକିଏ ଆଗେଇ ଯାଇ ସେ ଝରଣାର ଧାରକୁ ପଶିଗଲା । ପିସ୍ତଲଟା ପିଠି ଉପରକୁ ଠେଲି ଦେଇ ସେ ନଇଁପଡ଼ି ପାଣି ପିଇଲା । ଥଣ୍ଡାରେ ତାହାର ମୁଖ କାଲୁଆ ମାରିଲା । ସେ ଅନାଇ ଦେଖିଲା, ଏନସେଲମୋ ସାଙ୍ଗରେ ଜଣେ ଲୋକ ନେଇ ଆସୁଛି । ତାହାର ପୋଷାକ ପ୍ରାୟ ଉର୍ଦୀଧରଣର, ପଛରେ ଛୋଟ ହାଲୁକା ବନ୍ଧୁକଟିଏ ଝୁଲୁଛି ।

 

ରବାର୍ଟ ହାତ ଟେକି ନୂଆ ଲୋକଟିକୁ ସଲାମ କଲାରୁ, ସେ ହସିଦେଲା ।

 

ସେହି ଲୋକଟି ଅନିଚ୍ଛାରେ କହିଲା, ସଲାମ !”

 

ରବାର୍ଟ ଜୋର୍ଡ଼ାନ ଲୋକଟିକୁ ଅନାଇ ଦେଖିଲା–ଖୁଣ୍ଟା ଦାଢ଼ି, ଗୋଲ ମୁଖ, ଗୋଲାକାର ମୁଣ୍ଡ, ଛୋଟ ଆଖି, ଭଙ୍ଗା ନାକ, ଓଠର ଗୋଟାଏ କୋଣରେ କଟା ଦାଗ ।

 

ଏନସେଲମୋ ହସି ହସି କହିଲା– “ଏ ମହାଶୟ ହେଉଛନ୍ତି ଏଠାକାର କର୍ତ୍ତା, ଅତ୍ୟନ୍ତ ଶକ୍ତିଶାଳୀ ।’’

 

“ହଁ, ସେୟା ତ ଦେଖୁଛି ।” –ରବାର୍ଟ ମତ ଦେଲା ।

 

ଗୋଲାକାର ମୁଖ ଓ ମଥା ଥିବା ଲୋକଟି ପଚାରିଲା– “ତୁମକୁ ବିଶ୍ଵାସ କଲା ଭଳି ପରିଚୟ ପତ୍ର ତୁମ ପାଖରେ ଅଛି କି ?”

 

ରବାର୍ଟ ଜୋର୍ଡ଼ାନ ପକେଟର ବୋତାମ ଫିଟାଇ ଖଣ୍ଡିଏ ଚଉତା ମୋଟା କାଗଜ ତାହାର ହାତକୁ ବଢ଼ାଇ ଦେଲା । ଲୋକଟି ଶୂନ୍ୟ ଦୃଷ୍ଟିରେ ଅନାଇ ମୁଣ୍ଡ ହଲାଇଲା, ଅର୍ଥାତ ସେ ପଢ଼ିପାରେ ନାହିଁ ।

 

“ସିଲ୍ ମୋହରଟା ଦେଖି ନିଅ” –ସେ ଏନସେଲମୋକୁ କହିଲା ।

 

ରବାର୍ଟ କହିଲା– “ଏସ୍. ଆଇ ଏମ୍., ମାନେ ସର୍ଭିସ ଅଫ୍ ଦି ମିଲିଟାରୀ ଇଣ୍ଟେଲିଜେନସ ।”

 

‘‘ଆଗରୁ ଜାଣେ । କିନ୍ତୁ ଏ ଅଞ୍ଚଳ ମୋ ଅଧିକାରରେ । ମୁଁ ଏଠାରେ ହୁକୁମ ଦିଏଁ । ଗଣ୍ଠିରିରେ କଅଣ ?’’

 

ଏନସେଲମୋ ଗର୍ବରେ ଜବାବ ଦେଲା– ‘‘ଡ଼ିନାମାଇଟ”

 

“ ଭଳି ଡିନାମାଇଟ ମୋର ଦରକାର ଅଛି ।”

 

“ଆପଣଙ୍କ ଦରକାର ଲାଗି ଡିନାମାଇଟ ଅଣା ହୋଇନାହିଁ, ଅନ୍ୟ କାମ ପାଇଁ । ଆପଣଙ୍କ ନାମ କଅଣ ?

 

‘‘ସେଥିରୁ ତୁମକୁ କଅଣ ମିଳିବ ?”

 

‘‘ତାଙ୍କର ନାମ ହେଉଛି ପାବଲୋ”–ଏନସେଲେମୋ ଜବାବ ଦେଲା ।

 

“ଏଁ, ଆପଣଙ୍କର ଢେର ପ୍ରଶଂସା ତ ମୁଁ ଶୁଣିଛି ।’’

 

“କେମିତିକା ?”

 

ରବାର୍ଟ ଜୋଡ଼ାନ ଜବାବ ହେଲା– ‘‘ମୁଁ ଶୁଣିଛି, ଆପଣ ଜଣେ ଚମତ୍କାର ଗରିଲା ସର୍ଦାର, ପ୍ରଜାତନ୍ତ୍ରରେ ଅନୁଗତ ଓ ବିଶ୍ଵସ୍ତ । ଜେନାରେଲ ଷ୍ଟାଫ ତରଫରୁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ।”

 

ପାବ୍‌ଲୋ ନିଜେ ଗୋଟିଏ ଗଣ୍ଠିରି ଉଠାଇନେଲା, ଅନ୍ୟଟି ଏନସେଲମୋ ।

 

“ଆପଣଙ୍କ ବନ୍ଧୁକଟା ମୋତେ ଦିଅନ୍ତୁ ।’’

 

ପାବ୍‌ଲୋ ତାହାର ବନ୍ଧୁକଟା ରବାର୍ଟକୁ ଦେଲା । ସେମାନେ ପାହାଡ଼ର ଢାଲୁ ପଥରେ ଆଗେଇ ଚାଲିଲେ ।

 

କିନ୍ତୁ ରବାର୍ଟ ଜୋର୍ଡାନ ମୁହୂର୍ତ୍ତକର ଖଟକାରେ ବାଧା ପାଇଲା–ପାବ୍‌ଲୋର ଆଖିରେ ମୁଖରେ ଦୁଃଖ କାହିଁକି ? ଦୁଃଖ ଖରାପ । ପଳାୟନ ବା ବିଶ୍ଵାସଘାତକତା ଆଗରୁ ଏମିତି ଦୁଃଖ ହୁଏ ।

 

ଦୂରରେ ଗଛର ଫାଙ୍କରେ ହ୍ରେସା ରବ ଶୁଭିଲା ।

 

“ଆପଣମାନଙ୍କର ଘୋଡ଼ା ନା ?”

 

“ହଁ ।”

 

କିଛି ଦୂର ଆଗେଇ ଯାଇ ରବାର୍ଟ ଦେଖିବାକୁ ପାଇଲା, ପାଞ୍ଚଟି ଘୋଡ଼ା ଗଛରେ ବନ୍ଧା ହୋଇଛନ୍ତି ।

 

“ଏହି ଯେ ହୁଇଟା ଦେଖୁଛ, ପାଖରେ, ଦୁଇଜଣ ପ୍ରହରୀଙ୍କୁ ମାରି–”

 

“ଆପଣମାନେ କଅଣ ଅନେକ ପ୍ରହରୀଙ୍କୁ ମାରିଛନ୍ତି ?”

 

“ହ, କେତେକ । ଜଣେ ବିଦେଶୀ ଲୋକର ଖବର କହି ପାରିବ ?” — ପାବ୍‌ଲୋ ପଚାରିଲା । “ଆରଭାଳୋରେ ରେଳଗାଡ଼ି ଉଡ଼ାଇଲା ବେଳେ ସେ ମୋ ସାଙ୍ଗରେ ଥିଲା, ଅବିକଳ ତୁମରି ପରି ପରିଷ୍କାର ଚେହେରା, ନାକଟା ଟିକିଏ ଭଙ୍ଗା ଥିଲା ।”

 

“ଓ, ବୁଝିଲି, କାସ୍‌ଖିନ, ଅପ୍ରେଲ ମାସରେ ମରିଗଲା ।’’

 

“ହଁ, ସେୟା ହେବ । ଏମିତି ଭାବରେ ତ ସମସ୍ତେ ଖତମ ହୋଇଯିବେ ।”

 

ଏନସେଲମୋ କହିଲା–“ଏମିତି ଭାବରେ ତ ସବୁ ଲୋକ ଖତମ ହୁଅନ୍ତି । ଚିରକାଳ ସେୟା ହୋଇ ଆସୁଛି । ତୁମର କଅଣ ହେଲା ? ପେଟରେ କିଛି ପଡ଼ିଛି ଆଜି ?”

 

ପାବ୍‌ଲୋ କହିବାକୁ ଲାଗିଲା–“ସେମାନଙ୍କର ଅନେକ କ୍ଷମତା । ତୁମେ ଜାଣ ନାହିଁ ସେମାନଙ୍କର କ୍ଷମତା, ଅସ୍ତ୍ରଶସ୍ତ୍ର ଓ ଲୋକବଳ । ମୋର କଣ ଅଛି ? ମୁଁ ସେମାନଙ୍କର ଶିକାର, ଧାଇଁ ବି ଆଊ ମରିବି । ଶେଷକୁ ଏହି ପାହାଡ଼ର ଆଶ୍ରୟ ଠାରୁ ବିତାଡ଼ିତ ହେଲେ ଯିବି କୁଆଡ଼େ ? ଉତ୍ତର ଦିଅ ନା, କୁଆଡ଼େ ?”

 

‘‘ସ୍ପେନରେ ଅନେକ ପାହାଡ଼ ।”

 

“ନା, ଆଉ ପାହାଡ଼ ନୁହେଁ, ଢ଼େର ତଡ଼ା ଖାଇଲିଣି, ଟିକିଏ ନିଃଶ୍ଵାସ ନେବାକୁ ଦିଅ । ଯଦି ପୋଲ ଉଡ଼ାଅ, ପୁଣି ସେହି ତଡ଼ା-ସୈନ୍ୟ ପଠାଇବେ, ଉଡ଼ାଜାହାଜ ପଠାଇବେ । ସତରେ ମୁଁ କ୍ଳାନ୍ତ, ତୁମେ ଶୁଣିଛି ?” ସେ ରବାର୍ଟ ଜୋର୍ଡାନ ଆଡ଼କୁ ଅନାଇଲା । “ତୁମେ ଜଣେ ବିଦେଶୀ, ମୋତେ କଅଣ କରିବାକୁ ହେବ, ତାହା ନିର୍ଦ୍ଦେଶ ଦେବାରେ ତୁମର କି ଅଧିକାର ଅଛି ?”

 

“ତୁମକୁ କିଛି କରିବା ପାଇଁ ମୁଁ କହି ନାହିଁ ।”

 

‘‘କହିବ, ଜାଣେ, କହିବ ।”

 

“ମୁଁ ଆସିଛି କାମ ପାଇଁ, ଯାହା କରିବାର ହୁକୁମ ମୋତେ ଦିଆଯାଇଛି । ମୁଁ ଆସିଛି ସେମାନଙ୍କର ହୁକୁମରେ, ଯେଉଁମାନେ ଏ ଲଢ଼େଇ ଚଳାଇଛନ୍ତି !”

 

ଆଉ କିଛି ଦୂର ଘନ ବଣ ଭିତରେ ଆଗେଇ ପାହାଡ଼ର ଦେହରେ ଗୋଟିଏ ଗୁହା ସାମନାରେ ସେମାନେ ଅଟକିଲେ । ଏକାବେଳେ ପାଖକୁ ନ ଆସିଲେ ନଜରରେ ପଡ଼େନାହିଁ । ଆକାଶରୁ ଦେଖାଯିବାର ବି କୌଣସି ସମ୍ଭାବନା ନାହିଁ । ଗୁହାର ମୁଖରେ ପ୍ରହରୀ କାନ୍ଧରେ ବନ୍ଧୁକ ପକାଇ ବସିଛି । ସେ ପାବ୍‌ଲୋକୁ ପଚାରିଲା– ‘‘କଥା କଅଣ ? ଆଉ ଜଣେ ଲୋକ ଆସିଛି କି ?”

 

‘‘ଡିନାମାଇଟାର !” ପାବ୍‌ଲୋ ଖାଲି କହିଲା । ଗୁହାର ମୁଖରେ ସେ କାନ୍ଧରୁ ବୋଝ ଓହ୍ଲାଇଲା ।

 

ସେତିକି ବେଳେ ରବାର୍ଟ ଓ ଏନସେଲମୋ ଆଗେଇ ଆସି ସେମାନଙ୍କର ବୋଝ ଓହ୍ଲାଇଲେ । ରବାର୍ଟ ତାହାର ରାଇଫେଲଟି ପଥର ଉପରେ ଡେରିଦେଲା ।

 

‘‘ଆରେ ବାବୁ, ଗୋଳା ବାରୁଦ ସମ୍ଭାଳି ରଖ, ଭିତରେ ନିଆଁ ଜଳୁଛି । ’’ ସହରୀ ପ୍ରାୟ ମିଠା ଖଳାରେ ରବାର୍ଟକୁ ସତର୍କ କରିଦେଲା ।

 

ରବାର୍ଟ ତାହା ପାଖରେ ଗୋଡ଼ ଲମ୍ବାଇ ଭୂଇଁରେ ବସି ପଡ଼ିଲା । ପାବ୍‌ଲୋ ଓ ଏନସେଲମୋ ଭିତରକୁ ପଶିଗଲେ ।

 

ଦିପହରର ଖସିଲା ଖରା ପାଇନ ଗଛର ଘନ ଶାଖାର ଫାଙ୍କ ବାଟେ ଆସି ତାହାର ପାଦ ଉପରେ ପଡ଼ିଲା ।

 

ଟିକିଏ ପରେ ଏନସେଲମୋ ବାହାରକୁ ଆସିଲା । ସେ ହାତରେ ଗୋଟିଏ ବଡ଼ ପଥର ବେଲାରେ ଲାଲ ମଦ ଓ ତିନୋଟି ପିଆଲା ଧରିଥିଲା । ପାବ୍‌ଲୋ ଆସି ତାହା ପଛରେ ପହଞ୍ଚିଲା ଏବଂ କହିଲା– ‘‘ଦେଖ, ଏମାନଙ୍କର ଫେର୍ ପିଆଲା ବି ଅଛି ।”

 

ଖାଦ୍ୟ ସାମଗ୍ରୀର ଗୋଟିଏ ବଡ଼ ବାକ୍‌ସ ହାତରେ ଧରି ଝିଅଟିଏ ଗୁହା ଭିତରୁ ବାହାରି ଆସିଲା ।

 

“ଦେଖ, ଦେଖ, କିଏ ଖାଦ୍ୟ ଆଣିଛି ।”

 

ଝିଅଟି ହସି ହସି କହିଲା–“ହେଲୋ, କମରେଡ ।”

 

ରବାର୍ଟ ସଲାମ କଲା । ଝିଅଟି ଖାଦ୍ୟର ବାକ୍‍ସଟା ତଳେ ରଖିଲା । ଦୁଇଟି ସୁନ୍ଦର ହାତ, ବାଦାମୀ ରଙ୍ଗ, ସୁନେଲୀ କେଶ, ଆଉ ସୁନେଲୀ ଆଖି । ରବାର୍ଟ ଜୋର୍ଡାନ ମନେ ମନେ କହିଲେ– “ସୁନ୍ଦର, ଖୁବ୍ ସୁନ୍ଦର, ଯଦି ତାହାର କେଶ ଏତେ ଛୋଟ କରି କଟା ହୋଇ ନ ଥାଆନ୍ତା ।”

 

“ଏମିତି ଭାବରେ ମୁଁ ମୁଣ୍ଡ କୁଣ୍ଡାଏ”–ସେ କହିଲା ଏବଂ ହସିଲା । “ଯାଅ, ମୋ ଆଡ଼କୁ ଅନାଅ ନାହିଁ । ବାଳ କଟା ହୋଇଥିଲା ଭାଲାଦନିଦରେ । ତେବେ ଏକ୍ଷଣି ତ କିଛି କିଛି କଞ୍ଚାଇଲାଣି ।’’ ସେ ତାହା ସାମନାରେ ଗୋଡ଼ ଲମ୍ବାଇ ମାଟିରେ ବସି ପଡ଼ିଲା । ପରିଧାନ ଟ୍ରାଉଜାର ଓ ପାଉଁଶ ରଙ୍ଗର କାମିଜ ।

 

ପିଆଜ ଦେଇ ରନ୍ଧା ହୋଇଥିବା ଠେକୁଆର ମାଂସ, କଞ୍ଚାଲଙ୍କା, ଲାଲ ମଦ ମିଶା ମଟରର ଚଟଣି, ଆଉ ରୋଟି । ସେମାନେ ଖାଇ ବସିଲେ । ଖାଇବା ନ ସରିବା ଯାଏ ଝିଅଟି ତାହା ଆଡ଼କୁ ଅନାଇ ରହିଥିଲା ।

 

ରବାର୍ଟ ପଚାରିଲା–‘‘ତୁମକୁ ଏମାନେ କଅଣ ବୋଲି ଡାକନ୍ତି ?”

 

“ମାରିୟା । ତୁମକୁ ?’’

 

‘‘ରବାର୍ଟ । ତୁମେ କଅଣ ବହୁତ ଦିନ ହେଲା ପାହାଡ଼ରେ ଅଛ ?”

 

‘‘ତିନି ମାସ ।” ସେ ମୁଣ୍ଡରେ ହାତ ରଖିଲା । ‘‘ଜେଲରେ ପ୍ରାୟ ମୁଣ୍ଡ କମାଇ ଦେଉଥିଲେ । ଏହି ତିନି ମାସରେ ଏତିକି କଞ୍ଚାଇଛି ! ଆମ ଭିତରୁ ଅନେକ ପଳାଇ ଯାଇ ପାରିଥିଲୁ– ଏହି ପାହାଡ଼ର ପଥ କଅଣ ତୁମକୁ ଜଣା ?”

 

“ନା, ସେତେ ନୁହେଁ । ’’ ରବାର୍ଟ ଜୋର୍ଡାନ ହସିଲେ । ‘‘କିନ୍ତୁ ଭଲ ମାନଚିତ୍ର ଅଛି । ଆଉ ଏହି ଯେ !” ସେ ଏନସେଲମୋକୁ ଦେଖାଇ ଦେଲା ।

 

‘‘ହଁ, ଚମତ୍କାର ଲୋକ । ଏମିତିକା ମଣିଷ କ୍ଵଚିତ ଦେଖାପାଆନ୍ତି ।”

 

“ଧନ୍ୟବାଦ ।” ଏନସେଲମୋ ଦୁହିଁଙ୍କ ଉଦ୍ଦେଶ୍ୟରେ କହିଲା ।

 

ରବାର୍ଟର ମନେ ହେଲା, ଦୁଇଟି ନିୟମ ଭିତରୁ ସେ ଦ୍ଵିତୀୟ ନିୟମଟି ଭଙ୍ଗ କରୁଛି । ଯେଉଁମାନେ ସ୍ପେନୀୟ କଥା କହନ୍ତି, ସେହି ପୁରୁଷକୁ ତମାଖୁ ଦିଅ, ଆଉ ସ୍ତ୍ରୀମାନଙ୍କୁ ଏକା ରହିବାକୁ ଦିଅ । କାହିଁକି ବା ସେ ବାରମ୍ବାର ମାରିୟା ଆଡ଼କୁ ଅନାଉଛି ଏବଂ ବାରମ୍ବାର ଢୋକ ଗିଳୁଛି ?

 

‘‘ଆଚ୍ଛା, ମୁଁ ଭିତରକୁ ଯାଉଛି”–ମାରିୟା କହିଲା ।

 

“ବସ ନା ଏଇଠି ।”

 

‘‘ନା”–ମାରିୟା ଖାଲି ବାକ୍‌ସ ଓ ଜିନିଷପତ୍ର ଧରି ଠିଆ ହେଲା । ରବାର୍ଟ ପୁଣି ତାହା ଆଡ଼କୁ ଅନାଇଲା । ମାରିୟାର ମୁଖ ଆରକ୍ତ ଦିଶିଲା । ସେ ଚାଲିଗଲା ।

 

“ଏଠି ତୁମେ କେତେ ଜଣ ଅଛ ?”

 

‘‘ସାତ ଜଣ । ମାରିୟା ଛଡ଼ା ଆଉ ଜଣେ ସ୍ତ୍ରୀ ଲୋକ ଅଛି ।”

 

“କିଏ ସେ ?”

 

ପ୍ରହରୀ ରାଫେଲ ହସି ଦେଲା–ପାବ୍‌ଲୋର– ।”

 

‘‘କେମିତିକା, ସେୟା କୁହ ନା ?” ରବାର୍ଟ ପଚାରିଲା ।

 

‘‘ପଦିଏ କଥାରେ ସାଙ୍ଘାତିକ ଭୟାନକ ବନ୍ୟ । ପାବ୍‌ଲୋର ଚେହେରଟା ଦେଖିଲ ତ । ଦେଖିବ ତାହାର ଚେହେରା । କିନ୍ତୁ, ହଁ ସାହସୀ, ପାବ୍‌ଲୋଠାରୁ ଶହେ ଗୁଣ ସାହସୀ ।”

 

ଏନସେଲମୋ କହିଲା–“ପାବ୍‌ଲୋ ବି ଦିନେ ସାହସୀ ଥିଲା, ଆଉ ପ୍ରଥମେ ପ୍ରଥମେ ତାହାର ଗୋଟାଏ ନିଷ୍ଠା ମଧ୍ୟ ଥିଲା ।”

 

ରାଫେଲ କହିଲା–“ପ୍ରଥମ ସମୟରେ ପାବ୍‍ଲୋ ହଇଜା ଠାରୁ ଅଧିକ ଲୋକ ମାରିଛି । ଯେତେବେଳେ ଏହି ଲଢ଼େଇ ଲାଗିଲା, ସେ ଟାଇଫଏଡ ଠାରୁ ବି ବେଶି ଲୋକ ମାରିଛି ।”

 

ଏନସେଲମୋ ଜବାବ ଦେଲା–‘‘ସେ ତ ବହୁ ଦିନ ତଳର କଥା । କିନ୍ତୁ ଏକ୍ଷଣି ସେ ମରଣକୁ ଭୟ କରେ ।’’

 

“ହଁ, ସତ କଥା’’–ରାଫେଲ କହିଲା ।

 

‘‘ହଁ ସେୟା”–ଗମ୍ଭୀର ଗଭୀର ଗଳାରେ ପାଖରୁ କେହି ଜଣେ କହି ପକାଇଲା । “କିନ୍ତୁ ତୁମ୍ଭେମାନେ କଅଣ କରୁଛ ? ବସି ବସି ଆରାମ କରୁଛ ନା କୋଢ଼ିଆ, ଅପଦାର୍ଥ ଗୁଡ଼ାକ ।”

 

ରବାର୍ଟ ଜୋର୍ଡାନ ତାହା ଆଡ଼କୁ ଅନାଇଲା । ସ୍ତ୍ରୀ ଲୋକଟିର ବୟସ ପ୍ରାୟ ପଚାଶ ବର୍ଷ ହେବ, ପାବଲୋ ଭଳି ପ୍ରକାଣ୍ଡ ଚେହେରା, ଯେମିତି ଲମ୍ବା, ସେମିତି ଚଉଡ଼ା ।

 

“କଅଣ ହେଲା କି ? ତୁଣ୍ଡରେ କଥା ନାହିଁ କାହିଁକି ? କଅଣ ଏମିତି ବକର ବକର ହେଉଥିଲ ?

 

“ଏହି ଦିନ କମରେଡମାନଙ୍କ ସାଙ୍ଗରେ କଥା ହେଉଥିଲି । ଯେ ଏହାକୁ ଦେଖୁଛ, ନୂତନ ଡ଼ିନାମାଇଟାର ।’’

 

‘‘ସେ ସବୁ ମୋତେ ବେଶ୍ ଜଣା ଅଛି । ଯାଅ, ଏଠୁ ଚାଲିଯାଅ । ଆନ୍ଦ୍ରେ ଉପରେ ପହରା ଦେଉଛି, ତାହା ଠାରୁ ଯାଇ କାମ ବୁଝି ନିଅ ।”

 

ରାଫେଲ ତତ୍‌କ୍ଷଣାତ୍‌ ଠିଆ ହୋଇ ପଡ଼ି ରବାର୍ଟକୁ କହିଲା– “ଚାଲିଲି ଡିଉଟି ଦେବାକୁ । ପୁଣି ଖାଇବା ବେଳେ ଦେଖା ହେବ ।”

 

“ଆଉ ଖାଇବାକୁ ହେବନାହିଁ । ମୋ ହିସାବରେ ଇତି ମଧ୍ୟରେ ତୁମେ ତିନି ଥର ଖାଇ ସାରିଲଣି”–ସେମିତିକା ଗମ୍ଭୀର ଗଭୀର ଗଳା “ଯାଅ, ଆନ୍ଦ୍ରେକୁ ପଠାଇ ଦେବ ।’’

 

‘‘ହେଲୋ !” ସେ ରବାର୍ଟ ଜୋଡ଼ାନ ଆଡ଼କୁ ହାତ ବଢ଼ାଇ ଦେଲା । “ଖବର ଦେବ, ତୁମ ଖବର ଓ ପ୍ରଜାତନ୍ତ୍ରର ଖବର । ତୁମେ କଅଣ ରେଳଗାଡ଼ି ଉଡାଇ ଦେବା ପାଇଁ ଆମ ପାଖକୁ ଆସିଛ ?”

 

ଶକ୍ତ ହାତ ସାଙ୍ଗରେ ହାତ ମିଳାଇ ରବାର୍ଟ ମୁହୁର୍ତ୍ତକ ଭିତରେ ଅନୁଭବ କଲା ଯେ ଏହି ଲୋକଟିକୁ ବିଶ୍ଵାସ କରାଯାଇ ପାରେ... “ରେଳଗାଡ଼ି ନୁହେଁ, ପୋଲ ।”

 

“ବେଶ୍ । ଯେତେ ପୋଲ ଅଛି, ଆମକୁ ସେ ସବୁ ଉଡାଇ ଦେବାକୁ ହେବ । ତା’ ପରେ ଆମକୁ ଏଠାରୁ ପଳାଇବାକୁ ହେବ । ଧଇଁ ସଇଁ ହୋଇଗଲୁଣି । ଚାରିଆଡ଼େ ଲୋକ ଜମିଲେଣି । ’’ ଗଛର ଫାଙ୍କ ବାଟେ ପାବ୍‌ଲୋକୁ ଆସୁଥିବାର ଦେଖାଗଲା । ତତ୍‌କ୍ଷଣାତ୍ ସେ କହି ପକାଇଲା– ‘‘ମାତାଲ, ବଦ୍ଧ ମାତାଲ, ଚମଡ଼ା ବୋତଲ ନେଇ ବଣ ଭିତରକୁ ଯାଇଥିଲା ମଦ ଖାଇବାକୁ । ଅନବରତ ସେ ମଦ ଖାଉଛି । ଏ ଜୀବନ ସେ ଆଉ ସହି ପାରୁ ନାହିଁ, ଜାଣି ଶୁଣି ସର୍ବନାଶକୁ ଡାକି ଆଣୁଛି । ତୁମେ ଯେ ଆସି ପହଞ୍ଚିଲ ଖୁବ୍‌ ଭଲ ହେଲା । ସେ ରବାର୍ଟର ପିଠି ଥାପୁଡେଇଲା, ଦେହରେ ହାତ ବୁଲାଇ ଫ୍ଲାନେଲ ତଳେ ତାହାର ଶକ୍ତ ପେଶୀ ଅନୁଭବ କଲା–“ଚମତ୍କାର । ଖୁସି ହେଲି, ତୁମେ ଆସିଛ ! ଶୁଣ, ଆଉ ଗୋଟାଏ କଥା । ଶୁଣ, ଝିଅଟି ସମ୍ପର୍କରେ ସାବଧାନ ହେବ, ଯତ୍ନବାନ ହେବ । ମାରିୟାର କଥା କହୁଛି, ବହୁତ କଷ୍ଟ ପାଇଛି ବିଚାରୀ ।”

 

“ହଁ, କାହିଁକି ଏ କଥା କହୁଛ ?”

 

‘‘ଗୁହା ଭିତରେ ଦେଖିଛି, ହଠାତ୍ ତାହାର ମୁଖ–ଆଖିର ଚେହେରା କେମିତିକା ବଦଳିଯାଇଛି । ବାହାରକୁ ଆସିବା ଆଗରୁ ମୁଁ ଦେଖିଛି କିପରି ଭାବରେ ମାରିୟା ତୁମକୁ ଦେଖୁଥିଲା । ଏଠାକାର କାମ ସରିଗଲେ ତୁମେ ଓ ଏନସେଲମୋ ତାହାକୁ ନେଇଯିବ ।”

 

“ତାହା ହୋଇପାରିବ–’’ ତାହାର କଣ୍ଠ ସ୍ଵର ଭାରି ହୋଇଗଲା ।

 

ସେ ମୁଣ୍ଡ ହଲାଇବାକୁ ଲାଗିଲା–‘‘ଜାଣେ, ଜାଣେ, ପ୍ରଜାତନ୍ତ୍ର କଅଣ ଏମାନଙ୍କର କୌଣସି ବ୍ୟବସ୍ଥା କରି ପାରିବ ନାହିଁ ?”

 

“ହଁ, ଜାଗା ଅଛି, ଭାଲେନସିୟା ନିକଟରେ ସମୁଦ୍ରକୂଳରେ । ଆହୁରି ଅଛି । ଭଲ ବ୍ୟବହାର ପାଇବ, ପିଲାମାନଙ୍କ ସାଙ୍ଗରେ କାମ କରିବାର ସୁବିଧା ଅଛି ।’’

 

‘‘ତେଣୁ ମୁଁ ଚାହେଁ, ଇତି ମଧ୍ୟରେ ପାବ୍‌ଲୋର ରୋଗ ଦେଖା ଦେଇଛି, ଯେତେ ଶୀଘ୍ର ତାହାକୁ ଏଠାରୁ ପଠାଇ ଦିଆଯାଏ ସେତେ ଭଲ ।

 

‘‘ଆଚ୍ଛା, କେତେ ଜଣ ଲୋକଙ୍କର ସାହାଯ୍ୟ ମୁଁ ପାଇପାରିବି ?”

 

“ପାଞ୍ଚ ଜଣ । ପାବ୍‌ଲୋକୁ ଆଉ ମୁ ବିଶ୍ଵାସ କରୁ ନାହିଁ ।”

 

ଶେଷ ଦୁଇ ଶହ ଗଜ ସେମାନେ ଖୁବ୍ ସାବଧାନରେ ଆସିଲେ–ଗଛ ଉହାଡ଼ରେ, ଛାୟାରେ ଛାୟାରେ । ପୋଲଟା ଆଉ ପଚାଶ ଗଜ ଦୂରରେ । ସାୟାହ୍ନର ଶେଷ ଆଲୁଅରେ ବି ପୋଲଟା ଦେଖା ଯାଉଥିଲା, ଗଠନ ବାରି ହେଉଥିଲା । ରବାର୍ଟ ଜୋର୍ଡ଼ାନ ପକେଟରୁ ଟିପା ଖାତାଟା କାଢ଼ି କ୍ଷିପ୍ର ହାତରେ ନକ୍‌ସା ଆଙ୍କି ପକାଇଲା । ବିସ୍ଫୋରକ କେଉଁଠି କେଉଁଠି ବସାଇବ, ତାହା ବି ସେ ଦାଗ ଦେଇଦେଲା । ଆଉ କେତେ ମିନିଟ ଆଙ୍କିବା ପରେ ସେ ଖୁସି ହେଲା, କାରଣ ସେ କାମ ଆରମ୍ଭ କରି ଦେଇଛି ବୁଝି ନେଇଛି କଅଣ ତାହାର କାମ ଏବଂ କଅଣ ତାହାକୁ କରିବାକୁ ହେବ । ଟିପା ଖାତା ଓ ପେନସିଲ ଛାତି ପକେଟରେ ରଖି ଦେଇ ସେ ବୋତାମ ମାରିଲା ।

 

ଯେତେବେଳ ଯାଏ ତାହାର ଅଙ୍କନ ଚାଲିଥିଲା, ଏନସେଲ୍‌ମୋ ରାସ୍ତା, ପୋଲ ଓ ସନ୍ତ୍ରୀମାନଙ୍କର ବାକ୍‌ସ ଉପରେ ନଜର ରଖିଥିଲା । ଏତେ ପାଖକୁ ଆସିଯିବା ଏକାବେଳେ ନିରାପଦ ନୁହେଁ । ରବାର୍ଟକୁ ଟିପାଖାତା ପକେଟରେ ପୂରାଇବାର ଦେଖି ସେ ସ୍ଵସ୍ତିର ନିଶ୍ଵାସ ଛାଡ଼ିଲା । ସେ ଆଙ୍ଗୁଳିରେ ସନ୍ତ୍ରୀ–ବାକ୍‌ସ ଦେଖାଇ ଦେଲା । ସନ୍ତ୍ରୀ ହାତରେ ରାଇଫେଲ ଧରି ବସିଥିଲା ସିଗାରେଟ ଟାଣୁଥିଲା । ରବାର୍ଟ ଜୋର୍ଡାନ ଆଖିରେ ଫିଲ୍‌ଡ଼ ଗ୍ଳାସ ଲଗାଇ ଦେଖିବାକୁ ଲାଗିଲା । ଅନ୍ଧକାର ମାଡ଼ି ଆସୁଥିଲା ।

 

“ଚାଲ, ଯିବା !” ରବାର୍ଟ କହିଲା ।

 

ସେମାନେ ଅନ୍ଧକାରରେ ସାବଧାନରେ ଆଗେଇବାକୁ ଲାଗିଲେ । ଆଗେ ଏନସେଲମୋ, ପଛରେ ରବାର୍ଟ ।

 

“ଆମର ଉଡ଼ାଜାହାଜ କିନ୍ତୁ ଜର୍‌ବର, ଜାଣ ?” ଏନସେଲମୋ କହିଲା, ‘‘ଆମେ ଏଥର ଲଢ଼େଇରେ ଜିତିବୁ ।” “ଆମକୁ ଜିତିବାକୁ ହେବ ।”

 

‘‘ଲଢ଼େଇ ସରିଗଲେ ତୁମେ ଆମ ଗାଁକୁ ଶିକାର କରିବାକୁ ଯିବ ।”

 

ରବାର୍ଟ ଜୋର୍ଡାନ ଜବାବ ଦେଲା– “ନା, ଜନ୍ତୁ ହତ୍ୟା ମୋତେ ଭଲ ଲାଗେ ନାହିଁ ।”

‘‘ ମୋର କିନ୍ତୁ ଓଲଟା । ମଣିଷ ହତ୍ୟା ମୋତେ ଭଲ ଲାଗେ ନାହିଁ ।’’

 

‘‘ କାହାକୁ ତାହା ଭଲ ଲାଗେ ନାହିଁ । ଯେଉଁ ମାନଙ୍କର ମୁଣ୍ତରେ ଗୋଳମାଳ ଅଛି, ସେମାନଙ୍କର କଥା ଅଲଗା ।       କିନ୍ତୁ ଯଦି ଦରକାର ହୁଏ – ମୋ ମନରେ କୌଣସି ବାଧା ଆସିବ ନାହିଁ, ଯଦି କୌଣସି କାରଣ ଥାଏ, ଯୁକ୍ତି ଥାଏ। ସମୟ ଆସିବ, ଯେଉଁ ଦିନ ତୁମେ ଏହି ହତ୍ୟା ପାଇଁ ନିଜକୁ କ୍ଷମା କରି ପାରିବ ।’’

 

‘‘ମୋର ମଧ୍ୟ ସେହି ବିଶ୍ୱାସ ଅଛି ।’’

 

ଗୁହା ଭିତରଟା ଗରମ ଓ ଧୂଆଁଳିଆ । ଗୋଟିଏ ପାଖରେ ଟେବୁଲ, ବୋତଲର ମୁଖରେ ଲାଗିଥିବା ଚର୍ବିର ମହମବତୀ ଜଳୁଛି । ଟେବୁଲ କତିରେ ଟୁଲ ଉପରେ ବସିଛି ପାବ୍‌ଲୋ ଅନ୍ୟ ତିନିଜଣ ଅପରିଚିତ, ଆଉ ରାଫେଲ। ପଥର କାନ୍ଥରେ ଲୋକମାନଙ୍କର ଛାଇ କମ୍ପୁଛି। ଟେବୁଲର ଡାହାଣ ପାଖରେ ଏନସେଲମୋ ଠିଆ ହୋଇଛି । ପାବଲୋର ସ୍ତୟୀ ଗୋଟିଏ କୋଣରେ ଛିଡ଼ା ହୋଇଛି , ଯେଉଁଠି ଖୋଲା ନିଆଁ ଜଳୁଛି । ତାହା ପାଖକୁ ମାରିୟା ଆଣ୍ଠେଇ ପଡ଼ି ଲୁହା କରେଇରେ ଖାଦ୍ୟ ଘାଣ୍ଟୁଛି । କାଠ କରଚୁଲିଟା ଉଠାଇ ସେ ରବାର୍ଟ ଜୋର୍ଡାନ ଆଡ଼କୁ ଅନାଇଲା । ସେ ଗୁହାର ମୁଖରେ ଠିଆ ହୋଇଥିଲା ।

 

ପାବ୍‌ଲୋ ତାହାକୁ ପଚାରିଲା – ‘‘ ତୁମର ଏହି ଗଣ୍ଠିରି ଗୁଡ଼ାକ ଭିତରକୁ ଆଣିବାର କି ଦରକାର ଥିଲା? ବାହାରେ ଥିଲେ କଅଣ ଖରାପ ହୋଇଥାଆନ୍ତା ?’’

 

‘‘ଅନ୍ଧକାରରେ କେହି ହାବୁଡ଼ି ପଡ଼ି ପାରେ ।’’ ଟେବୁଲ ପାଖକୁ ଯାଇ ସେ ସିଗାରେଟ ପାକେଟଟା ଥୋଇଦେଲା ।

 

‘‘ଗୁହା ଭିତରେ ଡ଼ିନାମାଇଟ ରଖିବା ମୁଁ ପସନ୍ଦ କରେ ନା’’ - ପାବ୍‌ଲୋ କହିଲା ।

 

‘‘ନିଆଁଠାରୁ ଢେର ଦୂରରେ ରହିଛି । ନିଅ, ସିଗାରେଟ ନିଅ ।’’ ସେ ପାକେଟଟା ପାବ୍‌ଲୋ ଆଡ଼କୁ ଠେଲି ଦେଲା । ‘‘ଆସିବା ବେଳେ ଅଗାଷ୍ଟିନ ନାମକ ଜଣେ ଲୋକ ସାଙ୍ଗରେ ଦେଖାହେଲା, ସେ ଉପରେ ପହରା ଦେଉଥିଲା, କହିଲା ଯେ ସେ ବିରକ୍ତିରେ ମରିଯାଉଛି ।’’

 

‘‘ବିରକ୍ତିରେ କେହି ମରିଯାଏ ନାହିଁ । ମରୁ ନା ଟିକିଏ ।’’

 

‘‘ପାନ କରିବା ପାଇଁ କିଛି ଅଛି କି ?’’

 

ଟିକିଏ ରାଗିଯାଇ ପାବ୍‌ଲୋ ଜବାବ ଦେଲା – ‘‘ସାମାନ୍ୟ ଅଛି ।’’

 

‘‘ତାହାହେଲେ ଟିକିଏ ପାଣି ପିଆଯାଉ ।’’ ମାରିୟା ଆଡ଼କୁ ଅନାଇ ସେ କହିଲା — ‘‘ଦେଖ, ମୋତେ ଟିକିଏ ପାଣି ପିଇବାକୁ ଦେଇପାରିବ? ’’

 

ପାବ୍‌ଲୋର ସ୍ତ୍ରୀ ପିଲାର ଆଡ଼କୁ ମାରିୟା ଅନାଇଲା । ପିଲାର ଯେମିତି କିଛି ଶୁଣି ପାରି ନଥିଲା । ମାରିୟା ଉଠି ପଡ଼ିଲା ଏବଂ କେଟଲୀରୁ ପାଣି ଗଡ଼ାଇ ରବାର୍ଟ ସମାନାର ଟେବୁଲ ଉପରେ ରଖିଲା । ରବାର୍ଟ ତାହାର ଆଖି ଉପରେ ଆଖି ରଖି ହସିଲା ।

 

ଗୋଟିଏ ଦୁଇଟି କଥା ପରେ ରବାର୍ଟ କହିଲା – ‘‘ ସବୁଠାରୁ ବେଶୀ ଜରୁରୀ କାମ ହେଉଛି ପୋଲ । ତା’ପରେ ଅନ୍ୟ କଥା ଚିନ୍ତା କରାଯିବ ।’’

 

ପାବ୍‌ଲୋ ଜବାବ ଦେଲା – ‘‘ତୁମେ ପୋଲ କଥା ଭାବୁଛି । ମୁଁ କି ମୋର କୌଣସି ଲୋକ ସେ କଥା ଭାବୁ ନାହାନ୍ତି ।’’

 

ରବାର୍ଟ ସେ କଥାର କିଛି ଜବାବ ଦେଲା ନାହିଁ । ସେ ଏନସେଲମୋ ଆଡ଼କୁ ଅନାଇ ଆସ୍ତେ ପିଆଲାଟି ମୁଖ ପାଖରେ ଟେକି ଧରି କହିଲା - ‘‘ ତାହା ହେଲେ ଆମେ ଏକା କରିବୁ, କଣ କହୁଛ? ସେ ହସିଲା ।

 

‘‘ହଁ, ଏହି କାପୁରୁଷଟିକୁ ବାଦ ଦେଇ !’’

 

‘‘କଅଣ କହିଲ ?’’ ପାବ୍‌ଲୋ ପଚାରିଲା ।

 

‘‘ ମୁଁ ତୁମକୁ କିଛି କହି ନାହିଁ । ମୁଁ ତୁମ ସାଙ୍ଗରେ କଥା କହି ନାହିଁ ।’’

 

ରବାର୍ଟ ପଚାରିଲା – ‘‘ ତାହାହେଲେ ତୁମର ସାହାର୍ଯ୍ୟ ଛଡ଼ା ପୋଲଟା ଉଡ଼ାଇବାକୁ ହେବ? ’’

 

ପାବ୍‌ଲୋ କହିଲା — ‘‘ନା, ଏଠାରେ କୌଣସି ପୋଲ ତୁମେ ଉଡ଼ାଇବାକୁ ହେବ ?’’

 

ପାବ୍‌ଲୋର କପାଳରେ ଝାଳ ଦେଖାଦେଲା ।

 

‘‘ନା ?’’

‘‘ନା, ଏଠାରେ ପୋଲ ଉଡ଼ାଇବ ନାହିଁ ।’’

 

‘‘ଆଉ ତୁମେ ?’’ ରବାର୍ଟ ପିଲାର ମୁଖ ଆଡ଼କୁ ଅନାଇଲା । ପିଲାର ଠିଆ ହୋଇଥିଲା – ‘‘ହଁ । ମୁଁ ପୋଲ ଉଡ଼ାଇବା ସପକ୍ଷରେ ।’’

 

ମହତବତିର ଆଲୁଅରେ ତାହାର ମୁଖ ଉଜ୍ଜ୍ୱଳ ଓ ସୁନ୍ଦର ଦିଶୁଥିଲା ।

 

‘‘କଅଣ କହିଲ ତୁମେ ।’’ ପଚାରିଲା ପାବ୍‌ଲୋ । ରବାର୍ଟ ତାହାର ମୁଖରେ ବିଶ୍ୱାସହୀନତାର ଚିହ୍ନ ଦେଖିପାରିଲା ।

 

‘‘କହୁଥିଲି; ପୋଲ ଉଡ଼ାଇବାକୁ ହେବ । ପ୍ରଜାତନ୍ତ୍ର କଥା ଭାବୁଛି ଏବଂ ଚିନ୍ତା କରାଯିବ ।’’

 

‘‘ଅନ୍ୟକଥା ? ’’ ତିକ୍ତ ଗଳାରେ ପାବ୍‌ଲୋ କହିଲା । ‘‘ ତୁମ ମଗଜରେ ଗୋବର ଅଛି, ଆଉ ଅନ୍ତରରେ ସଇତାନୀ ! ପୋଲ ପରେ ଅନ୍ୟ କଥା ଆସିବ ତୁମ ଜୀବନରେ । ତୁମର ଚିନ୍ତା କରିବାର କ୍ଷମତା ଅଛି, ତାହା ପରେ ଆମର ଅବସ୍ଥା କଅଣ ହେବ ? ’’

 

‘‘କଅଣ ହେବ ? ଯାହା ହେବାର କଥା ତାହା ହେବ ! କାପୁରୁଷ ।’’

 

‘‘ତୁମେ କଅଣ କରିବାକୁ ଚାହ?’’

 

‘‘କିଛି ନୁହେଁ’’ — ପିଲାର ଜବାବ ଦେଲା ।

 

‘‘ତେବେ କଥା କହିବା ଆଗରୁ ଟିକିଏ ଚିନ୍ତା କର । ମୁଁ ବୁଝିପାରିଛି କି ସାଙ୍ଘାତିକ ଏହାର ଫଳାଫଳ । ମୁଁ ଦଳପତି, ମୁଁ ଜାଣେ କଅଣ କହୁଛି । ବୁଢ଼ାଟା ବାଜେ ବକୁଛି । ସେ କଅଣ ବୁଝିଛି ? ଏହି ଯେ ବିଦେଶୀ ଲୋକ , ସେ ଯାହା କରିବ ତାହା ସେମାନଙ୍କର ସୁବିଧାପାଇଁ, ଯାହା ଫଳରେ ଆମକୁ ମରିବାକୁ ପଡ଼ିବ । ଏଠାକାର ଲୋକମାନଙ୍କୁ ବଞ୍ଚାଇବାର ଦାୟିତ୍ୱ ମୋର !’’

 

ପିଲାର ଜବାବ ଦେଲା – ‘‘ହଁ , ବଞ୍ଚାଇବାକୁ ଯାଇ ତୁମେ ସର୍ବସ୍ୱ ହରାଇବ । ବଞ୍ଚିବା କଥା ଛଡ଼ା ଆଉ କଅଣ ହୋଇଛି? ଅଳସୁଆ, ମାତାଲ ଓ କାପୁରୁଷ !’’

 

‘‘ଚୁପ୍‍ କର । କାହାର ହୁକୁମରେ ଚାଲିଛି ଏଠାକାର - ?’’

 

ପିଲାର କହିଲା — ‘‘ଥଟା ! ଏଠାରେ ହୁକୁମ ଦେବାର ମାଲିକ ମୁଁ ।’’

‘‘ଦୁଇଜଣଙ୍କୁ ମୁଁ ଗୁଳି କରି ମାରି ଦେବି — ତୁମକୁ, ଆଉ ଏହି ବାହରର ଲୋକଟିକୁ !’’

 

‘‘ଦେଖ ନା ଥରେ ଚେଷ୍ଟା କରି । ଦେଖିବ ତା’ପରେ କଅଣ ହେବ ।’’

 

ରବାର୍ଟ ପିସ୍ତଲଟା ବାହାର କରି ଟେବୁଲ ତଳେ ଆଣ୍ଟୁ ଉପରେ ରଖିଲା ।

 

‘‘ବାହାରକୁ ଯାଅ !’’ ପିଲାର ମାରିୟାକୁ କହିଲା ।

 

ମାରିୟା ଜବାବ ଦେଲା – ‘‘ବାହାରେ ଥଣ୍ତା ।’’

 

‘‘ହେଉ, ଅଳ୍ପ ସମୟ ପାଇଁ !’’

 

ମାରିୟା ଗୁହାରୁ ବାହାରିଗଲା । ପିଲାର ପାବ୍‌ଲୋକୁ କହିଲା ‘‘ ଶୁଣ, ମାତାଲ, ଏଠାରେ ସମସ୍ତଙ୍କୁ ମୋ ହାକିମ ମାନି ଚଳିବାକୁ ହେବ ।’’

 

ପାବ୍‌ଲୋ ମୁଖ ଟେକି ଅନାଇଲା । ମୁଖ ଦେଖି ବୁଝିବାର ଉପାୟ ନାହିଁ ଯେ ସେ କଅଣ ଭାବୁଛି । ତା ପରେ ସେ ରବାର୍ଟ ଆଡ଼କୁ ମୁଖ ବୁଲାଇଲା, କିଛିକ୍ଷଣ ତାହାକୁ ନିରୀକ୍ଷଣ କଲା, ଏବଂ ଆସ୍ତେ ଆସ୍ତେ କହିଲା — ‘‘ବେଶ୍‍, ତୁମ ହୁକୁମରେ ଚଳୁ, ଏପରିକି ଏହି ଲୋକଟିର ହୁକୁମରେ ଚଳୁ, ଏପରିକି ଏହି ଲୋକଟିର ହୁକୁମରେ ବି ଚଳିପାରେ । ହୁଏତ ମୁଁ ଅଳସୁଆ ହୋଇଯାଇଛି, ହୁଏତ ମୁଁ ଅଳସୁଆ ହୋଇଯାଇଛି, ହୁଏତ ବେଶୀ ମଦ ଖାଉଛି । ତୁମେ ଭାବି ପାର ମୁଁ କାପୁରୁଷ ମାତ୍ର ବୋକା ନୁହେଁ ।

 

‘‘ମାରିୟା !’’ ପିଲାର ଡ଼ାକିଲା ।

ମାରିୟା ! ଭିତରକୁ ଆସିଲା ।

‘‘ସମସ୍ତଙ୍କୁ ଖାଇବାକୁ ଦିଅ ।’’

 

ଗୁହାର ବାହାରେ ଘନ ପାଇନ ଗଛରେ ଆଢ଼ୁଆଳରେ ପଥର ଉପରେ ଗୋଟିଏ ଲମ୍ୱି ଢ଼ିଲା ଗରମ ଆଲଖାଲା ଭିତରେ ଖାଲି ନାକଟା ବାହାର କରି ରବାର୍ଟ ଜୋର୍ଡାନ ଶୋଇପଡ଼ିଛି । ହାତର କଚଟିରେ ଅଟୋମେଟିକ ପିସ୍ତଲଟା ବନ୍ଧା ହୋଇଛି । କଡ଼ ଲେଉଟାଇଲାବେଳ ତାହାର ନିଦ ଭାଙ୍ଗିଗଲା । ସେ କେଉଁଠି ଶୋଇଛି ମନେପକାଇବାକୁ ତାକୁ କେତେ ମୂହୂର୍ତ୍ତ ଲାଗିଲା ।

 

ହଠାତ୍‍ କାନ୍ଧରେ ମୃଦୁ ସ୍ପର୍ଶ ଲାଗିଲାରୁ ସେ ଚମକି ପଡ଼ିଲା ଏବଂ ପିସ୍ତଲଟା ଜାବୁଡ଼ି ଧରିଲା ।

 

‘‘ଓ, ତୁମେ !’’ ପିସ୍ତଲଟା ସେ ପିଠି ତଳେ ପୁରାଇ ଦେଇ ସେ ଦୁଇହାତ ବଡ଼ାଇ ମାରିୟାକୁ ତାହାର ଦେହ ଉପରକୁ ଟାଣି ନେଲା । ମାରିୟା ଥଣ୍ତରେ ଥରୁଥିଲା ।

 

‘‘ଭିତରକୁ ଚାଲି ଆସ !’’

 

‘‘ନା ।’’

 

‘‘ଭିତରକୁ ଆସ ।’’

 

‘‘ଡର ମାଡ଼ୁଛି ।’’

 

‘‘କେମିତି ?’’

 

‘‘ଏହି ତ ପାଖ ଦେଇ ।’’

 

ମୁହୂର୍ତ୍ତେ ! ତା’ପରେ ମାରିୟା ତାହାର ଛାତି ଭିତରେ ଥରିଲା ।

 

ଅସ୍ପଷ୍ଟ କଣ୍ଡ ସ୍ୱର – ‘‘ଅନ୍ୟାୟ କଲି । ନା କିଛି ନୁହେଁ ।’’

 

ମାରିୟା ରବାର୍ଟ ଗଳାରେ ମୁଖ ପୂରାଇ ଦେଲା । ଆଖିରେ ତତଲା ପାଣି ! ‘‘ମୁଁ ତ ଚୁମା ଦେବା ଜାଣି ନାହିଁ ।’’

‘‘ଦରକାର ନାହିଁ ।’’

 

‘‘ମୋତେ ଜାଣିବାକୁ ହେବ । ମୁଁ ସବୁକିଛି ତୁମକୁ ଦେବି । କଣ କରିବି କୁହ ? ପିଲାର କହିଛି, ମୁଁ ତୁମ ସାଙ୍ଗରେ ଯିବି, ମୁଁ ତୁମର ହେବି । ସମୟ ନାହିଁ, ଆସ ନା ।’’

 

‘‘ତୁମା ଚାହ?’’

 

‘‘ହଁ, ନିଶ୍ଚୟ !’’ ତୀବ୍ର ଓ ନିର୍ମମ ଗଳାରେ ମାରିୟା କହି ପକାଇଲା ।‘‘ ହଁ, ହଁ, ହଁ ।’’

 

ପ୍ରଥମ ଭୋରର ଆଲୁଅରେ ରର୍ବାଟ ଉଠିପଡ଼ିଲା । ମାରିୟା ନାହିଁ । ଦୂର ଆକାଶରେ ଉଡ଼ାଜାହାଜର ଶବ୍ଦ ! ଆଲଖାଲା ଗୋଟାଇ ରବାର୍ଟ ପେଣ୍ଟ ଜାମା ପିନ୍ଧି ପକାଇଲା । ରାତିରେ ଏଗୁଡ଼ାକ ତକିଆର କାମ କରିଥିଲା । ସେ ଗୁହା ପାଖକୁ ଆସି ଦେଖିଲା, ପ୍ରାୟ ସମସ୍ତେ ବାହାରି ଆସି ଆକାଶ ଆଡ଼କୁ ଅନାଇ ରହିଛନ୍ତି । ରବାର୍ଟ ପଚାରିଲା — ‘‘ ଏକା ସାଙ୍ଗରେ ଏତେ ଫାସିଷ୍ଟ ଉଡ଼ାଜାହାଜ ଆଗରୁ କେବେ ଦେଖା ଯାଇଛି ?’’

 

‘‘ ନା ଆଗେ ଆମେ ଦେଖି ନାହୁଁ ’’ ପାବ୍‌ଲୋ ଜବାବ୍‍ ଦେଲା ।

 

ଏନସେଲମୋ ବାହାରି ଆସିବାରୁ ରବାର୍ଟ ତାହାକୁ ଠାରରେ ଡ଼ାକିଲା । ସେମାନେ ଟିକିଏ ଆଗେଇ ଗଲେ । ‘‘ ଖାଇଛି?’’ ସେ ପଚାରିଲା ।

 

ଏନସେଲମୋ ଜବାବ ଦେଲା – ‘‘ ନା, ଏଯାଏ ଖିଆପିଆ ହୋଇନାହିଁ । କେହି ଖାଇନାହାନ୍ତି ।’’

 

‘‘ଯାଅ, ବେଗି ଖାଇ ପକାଅ । ମଧ୍ୟାହ୍ନ ଭୋଜନଟା ସାଙ୍ଗରେ ନେଇଯାଅ । ତୁମକୁ କାମ କରିବାକୁ ହେବ ।’’ ଟିପା ଖାତାରୁ ଦୁଇଟା ପୃଷ୍ଠା ସେ ଛିଡ଼ାଇଲା । ‘‘ ରାସ୍ତା ପହରା ଦେବାକୁ ହେବ । ଟ୍ୟାଙ୍କ ଦେଖିଲେ ଏହି ଚିହ୍ନ ଦେବୁ, ଆଉ ଟ୍ରକ ଦେଖିଲେ ଏହି ଚିହ୍ନ, ଏହି ଚିହ୍ନ ସୈନିକର । ଏଟା ବନ୍ଧକ ଏମ୍ୱୁଲେନ୍‍ସ, ଏମିତିକା ସବୁ । ବୁଝିଲ ତ? ’’

‘‘ନିଶ୍ଚୟ ।’’

 

‘‘ରାଇଫେଲକୁ ସାଙ୍ଗରେ ନେବ, ପୋଲର ପହରା କେତେବେଳେ ବଦଳି ହୁଏ ଲକ୍ଷ୍ୟ କରିବ । କହିହେଉଛି, ମୋ ପାକକୁ ଖବର ପଠାଇବ ।’’

 

ପିଲାର କହିଲା — ‘‘ ଚାଲ ରବାର୍ଟ, ତୁମକୁ ଏଲସାର୍ଦୋ ପାଖକୁ ନେଇଯାଏଁ । ମାରିୟା, ତୁମେ ବି ଚାଲ ।’’

 

ମୁଣ୍ତ ଉପରେ ପାଇନ ଗଛର ଶାଖା ଟପି ନୀଳ ଆକାଶ ଓ ସୀମାହୀନ ପାହାଡ଼ର ଶ୍ରେଣୀ। ପ୍ରହରୀ ଅଟକାଇଲା, ଆଉ ପିଲାରକୁ ପଚାରିଲା — ‘‘ ତୁମ ସାଙ୍ଗରେ ଏ କିଏ !’’

‘‘ରବାର୍ଟ ! କି ତୀଖ ପାହାଡ଼ !’’ ପିଲାର ଗୋଟିଏ ଖରାପ କଥା କହିଲା ।

 

ସଲାମ, କମରେଡ଼ ! ତୁମେ ସେହି ଡ଼ିନାମାଇଟ ନେଇ ଆସିଛି ନା ? ତୁମ କଥା ଆମେ ଶୁଣିଛୁ । ଚାଲ, ତୁମ୍ଭମାନଙ୍କୁ ନେଇ ଯାଉଛି ।’’

 

ଆଉ ଗୋଟିଏ ଠିକ୍‍ ସେମିତିକା ଗୁହା । ପାଖକୂ ଆସିଲେ ସୁଦ୍ଧା ଚିହ୍ନିବାର ବାଟ ନାହିଁ ।

ଗୁହାର ବାହାରକୁ ଆସି ଜଣେ ଶକ୍ତି ଗଢ଼ଣ ବାଙ୍ଗର ତମ୍ୱାଳିଆ ଲୋକର ପିଲାର ଆଡ଼କୁ ହାତ ବଢ଼ାଇ କହିଲା — ‘‘ ହେଲୋ!’’ ସେ ରବାର୍ଟ ଜୋର୍ଡ଼ନକୁ ବି କହିଲା — ‘‘ ହେଲୋ ।’’ ତାହାର ନାମ ହେଉଛି ଏଲସାର୍ଦୋ ।

ପାଚିଲା ବାଳ, ଦେହରେ ଚମଡ଼ା ଜାକେଟ । ସେ ସ୍ନେହରେ ମାରିୟାକୁ କହିଲା — କି ହୋ !’’

 

ଏହି ଘାଟିର ନାୟକ ।

 

‘‘ ଆସ, ଭିତରକୁ ।’’

 

‘‘ଆମେରିକାନ ’’ – କହିଲା ରବାର୍ଟ ଜୋର୍ଡ଼ାନ ।

 

‘‘ହୁଇସ୍କି ?’’

 

‘‘ ହୁଇସ୍କି ଅଛି? ପୋଲ କଥା ଜାଣ ?’’

 

ଏଲ ସାର୍ଦୋ ମୁଣ୍ତ ହଲାଇ ଜଣାଇଲା, ସେ ଜାଣେ ।

 

‘‘ପହରଦିନ ସକାଳେ ।’’

 

‘‘ବେଶ୍‍ ! ପାବ୍‌ଲୋ?’’ ସେ ପିଲାରକୁ ପଚାରିଲା ।

 

ପିଲାର କାନ୍ଧର ଭଙ୍ଗୀରେ ପାବ୍‌ଲୋ ବାତିଲ କରିଦେଲା ।

 

ଏଲସାର୍ଦୋ ରବାର୍ଟକୁ ଜଣାଇଲା — ‘‘ ଶୁଣ, ସେମାନେ ସେଗୋଭିୟାରେ ବହୁତ ସୈନ୍ୟ ମୃତୟନ କରିଛନ୍ତି । ଆଜି ସେମାନେ ଆଉ ଏଣେ ଆଗେଇ ପାରି      ବେ ନାହିଁ ।

 

‘‘ହୁକୁମ୍‍ ।’’

 

‘‘କାହାର ହୁକୁମ୍‍ ? ’’

 

‘‘ ଜେନାରେଲ ଷ୍ଟାଫ୍‍ର । ଦଶଜଣ ବିଶ୍ୱାସୀ ଲୋକ ଦେଇପାରିବେ ?’’

 

‘‘ଚାରିଜଣ ।’’

 

‘‘ କାହିଁକି? ଏନସେଲମୋ କହିଛୀ, ଏଠାରେ ଶହେ ଜଣ ଲୋକ ଅଛନ୍ତି ।’’

 

‘‘କୌଣସି କାମର ନୁହନ୍ତି ।’’

 

କଥା ଶେଷ କରି ସେମାନେ ବାହାରି ଆସିଲେ । ଏଲ୍‍ସାର୍ଦୋ ସେମାନଙ୍କୁ ସାଙ୍ଗର; ବହୁତ ତଳକୁ ଓହ୍ଲାଇ ଆସିଲା ଏବଂ ପୁଣି ନିଜର ଘାଟକୁ ଫେରିଗଲା ।

 

ମଇମାସର ଦି ପ୍ରହର । ପାହାଡ଼ ଚଢନିବା ଓ ଓହ୍ଲାଇବାର ପରିଶ୍ରମରେ ସେମାନେ ଟିକିଏ କ୍ଲାନ୍ତ ହୋଇ ପଡ଼ିଲେ । ରବାର୍ଟ କହିଲା – ‘‘ ଚାଲ, ମିନିଟିଏ ବସିପଡ଼ି ଟିକିଏ ଥକା ନେବା ।’’ ପାଇନ ଗଛର ଛାଇରେ ସେମାନେ ବସିଲେ । ଦୂରରେ ଗଛର ଚୂଡ଼ାରେ ଖରା ଚିକ୍‍ ଚିକ୍‍ କରୁଥାଏ । କିଛିକ୍ଷଣ ପରେ ପିଲା କହିଲା — ‘‘ ତୁମ୍ଭେମାନେ ବ, ମୋର ଢ଼େର କାମ ଅଛୀ ।’’ ସେ ଉଠିପଡ଼ିଲା ।

 

ରବାର୍ଟ କହିଲା — ‘‘ ରୁହ, ଏକା ସାଙ୍ଗରେ ଫେରିଯିବା ।’’

 

କିନ୍ତୁ ପିଲାର ରହିଲା ନାହିଁ, ଚାଲିଗଲା ।

 

ମାରିୟା କହିଲା — ‘‘ଯେଉ ସେ । ତାହାକୁ ଯିବାକୁ ଦିଅ । ଚାଲ, ଆମେ ଏଠାରୁ ଆଉ କିଛି ବାଟ ଆଗେଇ ଯିବା ।’’ ସେମାନେ ଉଠି ପଡ଼ିଲେ ଏବଂ ପାଖାପାଖି ଚାଲିବାକୁ ଲାଗିଲେ । ଟ୍ରାଉଜରରେ ଶୁଖିଲାଘାସର ସ୍ପର୍ଶ, କପାଳରେ ନରମ ଖରା, ଆଉ ବରଫଛୁଆଁ ପାହାଡ଼ି ହାଓ୍ୟା । ଚମଡ଼ା ଖୋଳରେ ପିସ୍ତଲ । ରବାର୍ଟର ଆଙ୍ଗୁଳି ସାଙ୍ଗରେ ମାରିୟାର ଆଙ୍ଗୁଳି ବାଜୁଛି । ରବାର୍ଟ ତାହାକୁ ଛାତି ଉପରକୁ ଟାଣି ନେଲା ଏବଂ ତାହାର ଓଠ ଉପରେ ଓଠ ରଖିଲା ।

 

ରବାର୍ଟ ମନେ ମନେ ଭାବିଲା — କାହିଁକି ମାରିୟାକୁ ବିଭା ହେବି ନାହିଁ? କାହିଁକି ନୁହେଁ? ନିଶ୍ଚୟ ମୁଁ ତାହାକୁ ବିଭା ହେବି । ତା’ପରେ ଆମେ ଶ୍ରୀ ଓ ଶ୍ରୀମତୀ ରବାର୍ଟ ଜୋର୍ଡାନ ହୋଇଯିବୁ। କିନ୍ତୁ ଏହିକ୍ଷଣି ରୁହ, ଏହି ବିଚିତ୍ର ଜୀବନର ଅଧ୍ୟାୟ କେବେ ଶେଷ ହେବ? ଏହିକ୍ଷଣି ତୁମେ ସ୍ପେନରେ, ସ୍ପେନ ତୁମର କର୍ମସ୍ଥଳୀ । ଇତି ମଧ୍ୟରେ ଜୀବନ ତୁମର — ତୁମେ ଭାବୁଛ ଆଜିକା କଥା । ଆଜି ରାତିର କଥା ଓ କାଲିର କଥା କିଏ କହିପାରିବ? ଯେତିକି ସମୟ ତୁମ ହାତରେ ଅଛି, ତାହାର ପ୍ରତ୍ୟେକ ମୁହୂର୍ତ୍ତର ସଦ୍‍ବ୍ୟବହାର ତୁମକୁ କରିବାକୁ ହେବ । ଯଦି ପୋଲରକାମ ମାଟି ହୋଇଯାଏ, ତାହାହେଲେ ତୁମର ମୁଖ ଟେକି ଦେଖିବାର ବା ରହିଲା କଅଣ? କିନ୍ତୁ ସତର ବର୍ଷର ପରମାୟୁ ପରି ସେହି ସତରଘଣ୍ଟାର ପରିପୂର୍ଣ୍ଣ ଜୀବନ ! ଚୁପ୍‍କର, ରବାର୍ଟ, କଅଣ ସବୁ ଏଣୁ ତେଣୁ ଭାବୁଛ? ନା , ହୁଏତ ଏଣୁ ତେଣୁ କିଛି ନୁହେଁ ।

 

ମାରିୟା ପରା କହୁଥିଲା, ଆହୁରି ଅନେକ କାମ ଅଛି ଯାହା ସେ ମୋ ପାଇଁ କରିପାରେ । ଯଦି ମୁଁ ଅସୁସ୍ଥ ହୁଏ, ସେ ଝୋଳ ତିଆରି କରିଦେଇପାରିବୁ , ମୋର ସେବା କରିପାରିବ, ମୋତେ ବହି ପଢ଼ି ଶୁଣାଇ ପାରିବ, ଇତ୍ୟାଦି ।

 

ଯେତେବେଳେ ସେମାନେ ଫେରି ଆସିଲେ, ସେତେବେଳକୁ ପାଇନ୍‍ ଗଛର ଫାଙ୍କା ବାଟେ ବରଫ ପଡ଼ିବାକୁ ଲାଗିଲାଣି । ପାବ୍‌ଲୋ ଗୁହାର ମୁଖରେ ଠିଆ ହୋଇଥିଲା। ସେ କହିଲା – ‘‘ଆହୁରି ବେଶୀ ବରଫ ପଡ଼ିବ ।’’ ତାହାର କଣ୍ଠସ୍ୱର ଭାରୀ ଓ ଆଖି ଲାଲ ଦିଶୁଥିଲା ।

 

ରବାର୍ଟ ପଚାରିଲା — ‘‘ରାଫେଲ ଫେରିଲାଣି? ’’

 

‘‘ନା, ବୁଢ଼ାଟା ବି ନୁହେଁ ।’’

 

‘‘ଯିବ ତୁମେ ମୋ ସାଙ୍ଗରେ ଉପର ଘାଟି ପର୍ଯ୍ୟନ୍ତ? ’’

 

ପାବ୍‌ଲୋ ଜବାବ ଦେଲା — ‘‘ନା ! ସେ ସବୁ ବ୍ୟାପରରେ ମୁଁ ନାହିଁ ।’’

 

‘‘ତେବେ ମୁଁ ଏକା ଯିବା ।’’

 

‘‘ଯାଇ ପାର । ଝଡ଼ ବୋହୁଛି, ବାଟ ହୁଡ଼ିଯିବ । ଏତେ ତରତର ହେବାର କଅଣ ଅଛି? ସେମାନେ ଏକ୍ଷଣି ଆସି ପହଞ୍ଚିବେ !’’

 

‘‘ବୁଢ଼ା ଲୋକଟି ମୋ ପାଇଁ ଅପେକ୍ଷା କରିବ !’’

 

‘‘ନା, ସେ ଅପେକ୍ଷା କରିବ ନାହିଁ, ଦେହରେ ବରଫ ବୋଳା ସେ ଏକ୍ଷଣି ଆସି ପହଞ୍ଚିବ! ପାବ୍‌ଲୋ ବାହାରକୁ ଅନାଇଲା ।। ବରଫର ଝଡ଼ ବୋହୁଛି । ଆସ ଭିତରକୁ, ଏ କ୍ଷଣି ତୁମର ଲୋକ ଆସି ପହଞ୍ଚିବ ।’’

 

ଗୁହା ଭିତରେ ମାରିୟା ନିଆଁକତିରେ ବ୍ୟସ୍ତ ଥିଲା, ଆଉ ପିଲାର ରନ୍ଧା ଟେବୁଲରେ ।

 

ରବାର୍ଟ ପଚାରିକା — ‘‘ ନିଶ୍ଚୟ ଢ଼େର ବେଶୀ ।’’ ପିଲାର ଆଡ଼କୁ ଅନାଇ ସେ କହିଲା –‘‘ ହୁକୁମ ଦେବାର ମାଲିକ ଯେତେବେଳେ ତୁମେ, ତୁମେ ବି ତ ପସନ୍ଦ କର ନାହିଁ । ଆହା । ଚମତ୍କାର ଏହି ବରଫ- ପାତ ! ଆଜି ତୁମେ ନିଶ୍ଚୟ ବାହାରେ ଶୋଇବ ନାହିଁ ? ’’

 

‘‘ ଓ, ଏହି କଥା !’’ ରବାର୍ଟ ଭାବିଲା — ‘‘ତୁମର ଅନେକ ଗୋଳମାଳ ଅଛି ନା, ପାବ୍‌ଲୋ?’’

 

ପାବ୍‌ଲୋ ଡ଼ାକିଲା — ‘‘ମାରିୟା ! ଟେବୁଲ ସଫା କରିଦେଇ ଯାଅନା !’’ ରବାର୍ଟ ଆଡ଼କୁ ଅନାଇ ସେ ହସିଦେଲା ।

ପିଲାର ଜବାବ ଦେଲା — ‘‘ତୁମେ ଟେବୁଲ ମଇଳା କରିଛ, ତୁମେ ପରିଷ୍କାର କର । ଆଗେ ତୁମ ଚିବୁକଟା ପରିଷ୍କାର କର , ତାପରେ କମିଜ, ତା ପରେ ଯାଇ ଟେବୁଲ ।’’

 

ପାବ୍‌ଲୋ ଡାକିଲା – ‘‘ ମାରିୟା !’’

 

ପିଲାର କହିଲା – ‘‘ନା, ତାହାର କଥାକୁ କାନ୍‍ ଦିଅ ନାହିଁ । ସେ ମାତାଲ ହୋଇଛି ।’’

 

ବାହାରେ ବରଫ ପଡ଼ିଛି । ବତାସର ଗର୍ଜନ । ଏନସେଲମୋ ଗୋଟିଏ ପ୍ରକାଣ୍ତ ଗଛରେ ଦେହଟାକୁ ଜାକିଜୁକି ପହରା ଦେଉଛି। ଗଛର ଦୁଇପାଖ ଦେଇ ବରଫ ଉଡ଼ିଯାଇଛି । ସେ ଜାକେଟକ କାନ ପର୍ଯ୍ୟନ୍ତ ଟାଣି ଦେଇଛି ଏବଂ ଦୁଇ ହାତ ଦୁଇ ମୁଠାଇ ପକେଟ ଭିତରେ ପୂରାଇଛି । ‘‘ ଆଉ କିଛି ସମୟ ଏଠାରେ ରହିଲେ ମୁଁ ଜମାଟ ବାନ୍ଧିଯିବ । ତାପରେ ମୋ ଦ୍ୱାରା ଆଉ କି କାମ ହେବ? ରବାର୍ଟ କହିଥିଲା; ଲୋକ ନ ଆସିବା ପର୍ଯ୍ୟନ୍ତ ରହିବାକୁ ହେବ । ସେତେବେଳେ ତ ସେ ଜାଣି ନଥିଲା ଯେ ଏମିତି ଭାବରେ ବରଫ- ପାତ ଆରମ୍ଭ ହୋଇଯିବ ।’’ ସେପାଦକୁ ପାଦ ଘଷିବାକୁ ଲାଗିଲା । ଆରକ୍ତି ଅନ୍ଧକାର ଘନେଇ ଆସୁଥିଲା । ନା , ସେ ବାଟ ହୁଡ଼ିବ ନାହିଁ । କିନ୍ତୁ କଅଣ ହେବ ଆଡ଼ ଅପେକ୍ଷା କରି ? ବତାସର ଜୋର ବଢ଼ୁଛି । ବରଫ କ୍ରମେ କ୍ରମେ ଘନ ହୋଇ ପଡ଼ୁଛି । ରବାର୍ଟ ତାହାକୁ ଅପେକ୍ଷା କରିବାକୁ କହିଥିଲା ।

 

ରାସ୍ତା ଉପରୁ କରତ ଧୂଆଁ ଉଡ଼ି ଆସୁଛି । ଫାସିଷ୍ଟମାନେ ବେଶ୍‍ ଆରାମରେ ଅଛନ୍ତି, ଦେହ ଉଷୁମାଉଛନ୍ତି । ଯେତେ ପାର ଉଷୁମାଅ, କାଲି ରାତି ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଜୀବନର ମିଆଦ କରତ କଳ ଝରକାରେ ଆଲୁଅ ଦେଖାଗଲା । ସେଠାରେ ଆଲୁଅର ଉଷ୍ମତା, ଆଉ ଏହି ପାହାଡ଼ରେ ଆମେ ଜନ୍ତୁ ପରି ଘୂରି ବୁଲୁଛୁ ଏବଂ ଥଣ୍ତାରେ ହିମ ହୋଇ ଯାଉଛୁ ! ନିଜ ଘରକୁ କେବେ ଫେରିଯିବୁ? କେବେ ଏ ଲଢ଼େଇ ସରିବ? କିନ୍ତୁ ତୁମର ସେହି ଘର ଏକ୍ଷଣି ନାହିଁ । ଘରକୁ ଫେରିବାକୁ ହେଲେ ତୁମକୁ ଲଢ଼େଇ ଜିତିବାକୁ ହେବ । କିନ୍ତୁ ଯେଉଁ ହତ୍ୟା କରିଛୁ, ତାହାର ପରିଣାମ କଅଣ ହେବ? ଏନସେଲମୋ ଭାବିଲା, ମଣିଷର ପ୍ରାଣ ନେବାର କି ଅଧିକାର ମୋର ଅଛି ? ଏକା ଥିଲେ ଏହି ଚିନ୍ତାଟା ଆସି ମୋ ମଗଜରେ ଚକ୍‍କର ମାରେ । କିନ୍ତୁ ଗୋଟିଏ ଜିନିଷ ତ ମୋ ଜୀବନରୁ କେତେ କେବେ ଦୂର ହେବ ନାହିଁ, ମଣିଷ କିମ୍ୱା ଭଗବାନ ମୋ ପାଖରୁ ତାହା କାଢ଼ି ନେଇ ପାରିବେ ନାହିଁ । ପ୍ରଜାତନ୍ତ୍ରର କାମରେ ତ କେଉଁଦିନ ମୁଁ ପଛେଇ ଯାଇ ନାହିଁ । ଜୀବନରେ ଏହାଠାରୁ ଭଲ କାମ ଆଉ କଣ ହୋଇପାରେ?

 

 

କାନ ପାଖରେ ଅସ୍ପଷ୍ଟ ଡ଼ାକ– “କି ବନ୍ଧୁ !”

 

ରବାର୍ଟ ତାହାର ପିଠି ଥାପୁଡାଇ ପଚାରିଲା–“‘କି ବୁଢ଼ା, କେମିତି ଅଛ ? ଯାଅ, ଶରୀରଟାକୁ ଟିକିଏ ଗରମ କରିନିଅ । ଏତେବେଳ ଯାଏ ତୁମକୁ ଏଠାରେ ଠିଆ କରାଇ ରଖିବା ମୋର ବଡ଼ ଅପରାଧ । ଫାନାଣ୍ଡୋ କାହିଁ ? ଏହି ଯେ ! ଚାଲ!” ତିନି ଜଣ ପାହାଡ଼ରେ ଉଠିବାକୁ ଲାଗିଲେ, ହଲି ଦୋହଲି, ଗଛ ଓ ପଥରକୁ ଧରି ଧରି ।

 

ଗୁହା ଭିତରେ ନିଆଁ ଜଳୁଥିଲା । ପିଲାର ମୁଣ୍ଡ ଟୁଙ୍ଗାରି ତାହା ପାଖକୁ ଯିବା ପାଇଁ ତାହାକୁ ଡାକିଲା । ପାବ୍‌ଲୋ ଆରାମରେ ବସିଥିଲା, ତାହାକୁ ଦେଖି ହସି ଦେଲା । ପିଲାର ଜଣାଇଲା–“ଏଇ ସାର୍ଦୋ ଆସିଥିଲା ।”

 

ରବାର୍ଟ ପଚାରିଲା–“କିଛି କହି ଯାଇଛି ?”

 

“କିଛି ନା, ସେ ଘୋଡ଼ା ନେବା ଲାଗି ଆସିଥିଲା ।”

 

ମାରିୟା ତାହା ପାଖକୁ ଆସି କହିଲା– “ତୁମର ଜୋତା ଯୋଡ଼ାକୁ ଖୋଲିଦିଅ, ନିଆଁରେ ଟିକିଏ ସେକି ଆଣେ ।”

 

“ନିଅ, କିନ୍ତୁ ଦେଖ, ଯେମିତି ପୋଡ଼ି ନ ଯାଏ ! ତାହା ହେଲେ ଖାଲି ପାଦରେ– ।”

 

“ଖାଇବାକୁ ବସିବ ?”

 

“ରୋଷେଇ ସରିଲାଣି ?”

 

“ବସିଲେ ଖାଇବାକୁ ଦେବି ।”

 

“ଆଉ ସମସ୍ତେ ଖାଇଲେଣି ?”

 

ମାରିୟା ଜବାବ ଦେଲା– “ହଁ, ସମସ୍ତେ, ଖାଲି ଏନସେଲମୋ ଫାର୍ନାଣ୍ଡୋ ଓ ତୁମକୁ ଛାଡ଼ି ।”

 

“ହେଉ, ଖିଆ ଯାଉ, ତୁମେ ଆଉ ପିଲାର ବି ବସ । ଏକାମ ସାଙ୍ଗରେ ଖାଇବା ।”

 

ମାରିୟା ଆପତ୍ତି କଲା– “ନା, ସେଟା ଭଲ ନୁହେଁ ।”

 

“ଆରେ, ଆସ, ଆମ ଦେଶରେ ସ୍ତ୍ରୀମାନଙ୍କୁ ଛାଡ଼ି ଦେଇ ପୁରୁଷମାନେ ଏକା ଖାଆନ୍ତି ନାହିଁ ।”

 

ଟେବୁଲରୁ ମୁଖ ଟେକି ପାବ୍‌ଲୋ କହିଲା– “ଯାଅ, ତାହା ସାଙ୍ଗରେ ଖାଅ, ପାନ କର, ଶୁଅ, ଆଉ ତାହା ସାଙ୍ଗରେ ମର ।”

 

ରବାର୍ଟ ପଚାରିଲା– “ତୁମେ କଅଣ ମାତାଲ ହୋଇଛ, ପାବ୍‌ଲୋ ?” ସେତେବେଳେ ପାବ୍‌ଲୋର ନୁଙ୍ଗୁରା ମୁଖରେ ହସ ଲାଖି ରହିଥିଲା ।

 

ପିଲାର କହିଲା– “ହଁ, ତାହା ଛଡ଼ା ଆଉ କଅଣ ?”

 

“ପାବ୍‌ଲୋ, ଯେତେବେଳେ ତୁମେ ଲଢ଼େଇ କରୁଥିଲ ଓ ହିଂସ୍ର ଥିଲ, ସେତେବେଳେ ତୁମେ ବରଂ ଭଲ ଥିଲ । ଏକ୍ଷଣି ତୁମେ କଅଣ ହୋଇଛ ? ମଣିଷଙ୍କ ଭିତରେ ସବୁଠାରୁ ବେଶୀ, ଖରାପ ହେଉଛନ୍ତି ମାତାଲମାନେ । ଚୋର ଯେତେବେଳେ ଚୋରି କରେ ନାହିଁ, ସେତେବେଳେ ସେ ଆଉ ପାଞ୍ଚ ଜଣଙ୍କ ପରି ହୋଇଥାଏ । ଖୁଣି ବି ଘରକୁ ଫେରିଯାଇ ହାତ ଧୋଇ ପକାଇପାରେ । କିନ୍ତୁ ମାତାଲ ଚିରଦିନ ଗନ୍ଧ ଛାଡ଼େ, ନିଜର ବିଛଣାରେ ବାନ୍ତି କରେ ଏବଂ ମଦ ଭିତରେ ତାହାର ଅନ୍ତନାଡ଼ିକୁ ବୁଡାଇ ରଖେ ।”

 

ଆଗଷ୍ଟିନ କହିଲା– “ରବାର୍ଟ । ପାବ୍‌ଲୋର କଥା ଛାଡ଼ । ତାହାର ଆଖି ତ ନିଶାରେ ଟୁଳୁଟୁଳୁ ହେଉଛି । ତୁମ କଥା କୁହ, ତୁମେ ସ୍ପେନକୁ କିପରି ଆସିଲ ?”

 

“ବାର ବର୍ଷ ହେଲା ତୁମର ଦେଶ ଦେଖୁଛି, ତୁମ ଭାଷା ଶିଖିଛି, ଆଉ ବିଶ୍ଵବିଦ୍ୟାଳୟରେ ବି ସ୍ପେନୀୟ ଭାଷା ଶିକ୍ଷା ଦେଉଛି ।”

 

“ସତରେ ତୁମେ ଜଣେ ଅଧ୍ୟାପକ ପରି ଦିଶୁଛ ।”

 

ଗପ ଜମିଗଲା । ପାବ୍‌ଲୋ ହଠାତ୍‌ ଛିଡ଼ା ହୋଇ କହିଲା–“ମୁଁ ଟିକିଏ ବାହାରକୁ ଯାଉଛି, ଏକ୍ଷଣି ଫେରି ଆସିବି ।” ଗୁହାର ମୁଖରେ କମ୍ବଳ ଝୁଲୁଥିଲା । କମ୍ବଳଟା ଆଡ଼େଇ ଦେଇ ବାହାରିଯିବା ବେଳେ ସେ କହିଲା–“ରବାର୍ଟ, ଏକ୍ଷଣି ବି ବରଫ ପଡ଼ୁଛି ।”

 

ରାଫେଲ କହିଲା–“କାଲି ରାତିରେ ତାହାକୁ ଖତମ କରିଦେବା ଉଚିତ ଥିଲା ରବାର୍ଟର । ବୋକାମୀ ହୋଇଛି ।”

 

ପିଲାର ସମ୍ମତି ଜଣାଇଲା–“ହଁ, ଠିକ୍‌ କଥା । ଏକ୍ଷଣି ମୋର ସେୟା ମନେ ହେଉଛି ।”

 

“ଆଜି ରାତିରେ, ଯଦି ତୁମେ ସମସ୍ତେ ଚାହଁ ।” –ରବାର୍ଟ କହିଲା । କିଛିକ୍ଷଣ ପରେ କମ୍ବଳଟା ଉଠିଗଲା, ଆଉ ପାବ୍‌ଲୋ ଭିତରକୁ ମଥାଟା ବଢ଼ାଇ ଦେଲା । ସେ ଭିତରରୁ ଆସିଲା, କମ୍ବଳ ପକାଇ ଦେଲା, ଜାମାରୁ ବରଫ ଝାଡୁ ଝାଡୁ ହସି ହସି ପଚାରିଲା “ତୁମ୍ଭେମାନେ ମୋ କଥା ଆଲୋଚନା କରୁଥିଲ ନା ? ବାଧା ଦେଲି କି ?”

 

କେହି ତାହାର କଥାର ଜବାବ ଦେଲେ ନାହିଁ । କାନ୍ଥର କଣ୍ଟାରେ ଟୋପିବା ଟଙ୍ଗାଇ ସେ ଟେବୁଲକୁ ଫେରି ଆସିଲା । “କାଲି ଆକାଶ ପରିଷ୍କାର ହୋଇଯିବ, ରବାର୍ଟ । କିଛି ଚିନ୍ତା କରନାହିଁ ।” ତାହାର କଣ୍ଠ ସ୍ଵରରେ ଆନ୍ତରିକତା ଓ ବିଶ୍ୱାସ ପ୍ରକଟିତ ହେଲା । ସେ ଟୁଲରେ ବସି ପଡ଼ି କହିଲା–“କାଲି ଆମେ ଭଲ ଆକାଶ ଦେଖି ପାରିବା ।”

 

“ଆମେ ?” ବିସ୍ମିତ କଣ୍ଠରେ ପିଲାର ପଚାରିଲା “ଆମେ ?”

 

“ହଁ ଆମେ । ବାହାରେ ଥଣ୍ଡାରେ ମଥାଟା ସଫା ହୋଇଗଲା । ପୋଲ ବ୍ୟାପାରରେ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ଅଛି, ସବୁ କିଛି କଥାରେ ମଧ୍ୟ, ତୁମ୍ଭେମାନେ ମୋତେ ବିଶ୍ଵାସ କର ବା ନ କର ।”

 

ଗୁହା ଭିତରେ ଗରମ । ବାହାରେ ପବନର ବେଗ କମୁଛି । ସାମନାରେ ଟିପା ଖାତା ଖୋଲି ରବାର୍ଟ ପୋଲ ଉଡ଼ାଇବାର ଟିକିନିଖି ବିବରଣୀ ଦେଖିନେଲା । ମାରିୟା ତାହାର ପିଠି ପାଖରେ ବସି ଉଙ୍କି ମାରୁଥିଲା । ପାବ୍‌ଲୋ ଟେବୁଲର ଆରପଟରେ ବସିଲା l ଅନ୍ୟମାନେ ତାଆସ ଖେଳୁଥିଲେ ।

 

ପାବ୍‌ଲୋ ପଚାରିଲା– “କଅଣ କରୁଛ ?”

 

“ପୋଲ”–ରବାର୍ଟ ଜବାବ ଦେଲା ।

 

“କେମିତିକା ହେଉଛି ?”

 

“ବେଶ୍‌ ସବୁ ଠିକ୍‌ ଅଛି ।”

 

“ମୁଁ ଭାବୁଛି, କିପରି ଭାବରେ ପଛକୁ ହଟିଯାଇ ହେବ ।”

 

ତାଆସ ଖେଳୁଁ ଖେଳୁଁ ଅଗାଷ୍ଟିନ ପଚାରିଲା–“କିଛି ଭାବି ରଖିଛନା କଅଣ ?”

 

“ବହୁତ କିଛି ?”

 

“କେଉଁଠୁ ଏତେ ଭାବନାର ଖୋରାକ ପାଇଲ ? ପାତ୍ର ଭିତରୁ ନା କଅଣ ?”

 

“ହୋଇଥାଇପାରେ, କିଏ କହିପାରିବ ? ମାରିୟା, ଅନୁଗ୍ରହ କରି ପାତ୍ରଟି ଭରି ଦେବ ?”

 

ଅଗାଷ୍ଟିନ ତାଆସ ଉପରୁ ମୁଖ ଉଠାଇ କହିଲା– “ଚମଡ଼ା ଥଳୀଟା ଭିତରେ ଦେଖୁ ନାହିଁ କାହିଁକି ? ମଦ ବଦଳରେ ଚିନ୍ତାର ଖୋରାକ ପାଇବ । ଯାଅ ନା ହାମୁଡ଼େଇ ହାମୁଡ଼େଇ ।”

 

ପିଲାର ନିଆଁ କତିରେ ବସି ଖେଳ ଦେଖୁଥିଲା । ମାରିୟା ରବାର୍ଟ ପାଖକୁ ଆସିଲା ଏବଂ ଧୀରେ ଧୀରେ ପଚାରିଲା–“ତୁମେ ଏଠି ବସି କଅଣ କରୁଛ ?”

 

“ଭାବୁଛି ।”

 

“ପୋଲ କଥା ।”

 

“ନା, ପୋଲ ବିଷୟରେ ଆଉ ଭାବିବାର କିଛି ନାହିଁ । ଭାବୁଛି ତୁମ କଥା, ଆଉ ମାଦ୍ରିଦରେ ଗୋଟାଏ ହୋଟେଲ କଥା । ସେଠାରେ କେତେକ ରୁଷିୟମାନଙ୍କ ସହିତ ଜଣାଶୁଣା ଅଛି । ଆଉ ଭାବୁଛି, ଦିନେ ଖଣ୍ଡିଏ ବହି ଲେଖିବି ।” ସେ ଗୁହାର ମୁଖକୁ ଗଲା, ଏବଂ କମ୍ବଳଟା ଆଡ଼େଇ ଦେଇ ଦେଖିଲା, ନିର୍ଜନ ଥଣ୍ଡା ରାତିରେ ବରଫ ପରିଷ୍କାର ହୋଇଯାଇଛି । ପରଦା ପକାଇ ଦେଇ ସେ ନିଜ ଜାଗାକୁ ଫେରିଆସି କହିଲା–“ଆକାଶ ପରିଷ୍କାର ହୋଇଗଲାଣି l ଝଡ଼ ଥମି ଯାଇଛି ।”

 

ରବାର୍ଟ ବାହାରେ ଶୋଇଛି । ନିସ୍ତବ୍‌ଧ ରାତି । ପବନ ନାହିଁ । ପାଇନ ଗଛର ଶାଖାରେ ପତ୍ରର ମର୍ମର ନାହିଁ । ସେ ଅପେକ୍ଷା କରିଛି । ଆଲଖାଲାର ଉଷ୍ଣତାରେ ପାଦ ଲମ୍ବାଇ ସେ ଖାଲି ନିଜ ନିଃଶ୍ଵାସର ଶବ୍ଦ ଶୁଣୁଛି । ବିଛଣା କଲାବେଳେ ପିଠିରେ ବନ୍ଧୁକ ପକାଇ ଫର୍ନାଣ୍ଡୋ ପଚାରିଲା–“ରବାର୍ଟ, ଏମିତି ଥଣ୍ଡାରେ ବାହାରେ ଶୋଇବାର ଖିଆଲ କାହିଁକି ?”

 

ଅନେକ ଦିନର ଅଭ୍ୟାସ । ପହରାକୁ ଚାଲିଲ ? କେତୁଟାରେ ଛାଡ଼ ମିଳିବ ?”

 

“ଚାରିଟାରେ । ଯାଏଁ, ଉପରକୁ ଉଠେଁ । ଶୁଭ ରାତ୍ରି ।”

 

“ଶୁଭ ରାତ୍ରି, ଫାର୍ନାଣ୍ଡୋ ।”

 

ତା ପରେ ସେ ଟ୍ରାଉଜର ଓ ଜାମା ବିଛାଇ ତକିଆ ତିଆରି କଲା । ମଥାରେ ଥଣ୍ଡା ଲାଗିଲା । ଆକାଶ ଆହୁରି ପରିଷ୍କାର ହୋଇଆସିଲା । ଦେହକୁ ଲାଗି ପାତନର ଡାଳ, ପଇାନର ଗନ୍ଧ । ବୋଧହୁଏ ସମସ୍ତେ ଶୋଇ ନ ପଡ଼ିଲେ ମାରିୟା ଆସିବ ନାହିଁ । ଆଉ ସମୟ ନାହିଁ, ମାରିୟା । ଗଛର ଡାଳରୁ ବରଫ ଝରି ପଡ଼ିଲା । ମୃଦୁ ଅସ୍ପଷ୍ଟ ଶବ୍ଦ । ହୁଏତ ମାରିୟା ଆସିବ ନାହିଁ ।

 

ସେ ଦେଖି ପାରିଲା, ମାରିୟା ଗୁହାରୁ ବାହାରିଲା, ମୁହୂର୍ତ୍ତେ ଛିଡ଼ା ହେଲା ତା ପରେ ଧାଇଁ ଆସିଲା ।

 

“କୁହ, ତୁମେ ମୋତେ ସତରେ ଭଲପାଅ ?”

 

“ଭଲପାଏ”–ରବାର୍ଟ କହିଲା ।

 

“ମୁଁ ତୁମକୁ ଭାରି ଭଲ ପାଏ । ମୁଁ ତୁମର ସ୍ତ୍ରୀ ।”

 

“ତୁମେ ଶୋଇ ପଡ଼ିଥିଲ କି ?”

 

“ନା, ଆଉ ଅପେକ୍ଷା କରି ପାରିଲିନାହିଁ । ଆଃ, ସେଥିରେ ବା କଅଣ ଯାଏ ଆସେ ?”

 

“ନା, କିଛି ଯାଏ ଆସେନାହିଁ । ଆସ, ଭିତରକୁ ଚାଲିଆସ । ଯଦି ଥଣ୍ଡା ନଲାଗେ, ଜାମାଟା ଖୋଲି ପକାଅ ।”

 

ମାରିୟା ଜାମା ଖୋଲି ପକାଇଲା ଏବଂ ଆଲଖାଲା ଭିତରକୁ ପଶିଗଲା ।

 

ଭୋରର ଆଲୁଅ ସାଙ୍ଗରେ ଗୋଟାଏ ଗରମ ହାଓ୍ୟା ଧାଇଁ ଆସିଲା । ଗଛର ଶାଖାରୁ ବରଫ ଗଳୁଛି । ବସନ୍ତର ବିଳମ୍ବିତ ଭୋର । “ମାରିୟା ।” – ରବାର୍ଟ ତାର କାନ୍ଧରେ ମୃଦୁ ଧକ୍‌କା ଦେଲା ।

 

ଘୋଡ଼ାର ଖୁରାର ଶବ୍ଦ ଶୁଭିଲା ! କୌଣସି ଘୋଡସବାର ଆସୁଛି । କିଏ ? ମାରିୟା ଅଲଖାଲା ଭିତରେ ମଥା ପୂରାଇଦେଲା । ଗଛର ଫାଙ୍କ ଦେଇ ଘୋଡ଼ାସବାର ତାହାର ସାମନାରେ ଆସି ପହଞ୍ଚିଲା, ମାତ୍ର କେତେ ଗଜ ଦୂରରେ । ଖାକି ଟୋପି, କଳା ବୁଟ ଜୋତା ଓ ହାତରେ ଅଟୋମେଟିକ ରାଇଫେଲ ଧାରୀ ଫାସିଷ୍ଟ ପ୍ରହରୀ । ରବାର୍ଟ ତାହାର ଛାତିକୁ ଲକ୍ଷ୍ୟକରି ଗୁଳି ଫୁଟାଇଲା । ଘୋଡ଼ାଟା କୁଦି କୁଦି ଧାଇଁଲା I ଜୀନର ରେକାବରେ ଲୋକଟିର ପାଦ ଅଟକିଛି, ମାତ୍ର ଶରୀର ମାଟିରେ ନଇଁ ପଡ଼ିଛି । ବରଫ ଉପରେ ରକ୍ତର ଦାଗ ରଖି ଘୋଡ଼ାଟା ତାହକୁ ଟାଣି ଟାଣି ଅଦୃଶ୍ୟ ହୋଇଗଲା ।

 

“ଜାମା ପିନ୍ଧି ପକାଅ, ମାରିୟା ।” ରବାର୍ଟ ଛିଡ଼ା ହେଲା । ଆକାଶରେ ଉଡ଼ାଜାହାଜ ଉଡ଼ିଯାଉଛି । ସେତେବେଳକୁ ପ୍ରାୟ ସମସ୍ତେ ଗୁହାର ବାହାରେ ଆସି ଠିଆ ହୋଇଥିଲେ । ପ୍ରିମିଟିଭୋକୁ ପାଖେଇ ଆସିବାର ଦେଖି ରବାର୍ଟ କହିଲା–“ଯାଅ, ଘୋଡ଼ାଟାକୁ ଧର । ଉପରେ କିଏ ପହରା ଦେଉଥିଲା ? ଶୀଘ୍ର ବନ୍ଧୁକ ନେଇ ଉପରକୁ ଯାଅ । ନିଶ୍ଚୟ ଆହୁରି ଘୋଡ଼ାସବାର ବାହାରିଛନ୍ତି ଏବଂ ଚାରିଆଡ଼େ ଖେଳି ଯାଇଛନ୍ତି ?”

 

ଗୁହାରୁ ଅଟୋମେଟିକ ରାଇଫେଲ ଓ ବନ୍ଧୁକ ନେଇ ତିନିଜଣ ପାଇନ୍‌ ଗଛ ଭିତରକୁ ଛୁଟିଲେ । ଅନ୍ୟମାନେ ବନ୍ଧୁକ ଓ ହାତ ବୋମା ଧରି ବାହାରେ ଠିଆ ହୋଇ ଅପେକ୍ଷା କରିବାକୁ ଲାଗିଲେ । ପିଲାର ଚମଡ଼ା ଥଳୀରୁ ହାତ–ବୋମା କାଢ଼ି ଆଣି ରବାର୍ଟକୁ ବଢ଼ାଇ ଦେଲା । ରବାର୍ଟ ତିନିଟା ପକେଟରେ ପୂରାଇଲା, ଗୁହା ଭିତରକୁ ଯାଇ ଗଣ୍ଠିରି ଫିଟାଇଲା, ସବ୍‌–ମେସିନଶନ ବାହାର କଲା ଏବଂ ବାହାରକୁ ଆସି କହିଲା–“ପିଲାର, ମୁଁ ଉପରକୁ ଉଠୁଛି । ଯଦି କିଛି ହୁଏ, ଗଣ୍ଠିରି ହୁଇଟାକୁ ହେପାଜତ କରିବ, ତୁମ ଜିମାରେ ରହିଲା । ଯଦି ଯେମିତି ଦରକାର ହୁଏ, ଘୋଡ଼ାରେ ଚଢ଼ି ଉପରକୁ ଚାଲି ଆସିବ । ମନେ ରଖିଥିବ, ଗଣ୍ଠିରି ଦୁଇଟା ।”

 

ଇତି ମଧ୍ୟରେ ପ୍ରିମିଟିଭୋ ଘୋଡ଼ାଟାକୁ ଧରି ନେଇ ଆସିଲା ।

 

ପାବ୍‌ଲୋ କହିଲା– “ଆହା । କି ସୁନ୍ଦର ଧଳା ଘୋଡ଼ା । ମୋର ଆଉ ଗୋଟିଏ ଘୋଡ଼ା ବଢିଲା ।”

 

“ପାବ୍‌ଲୋ, ଘୋଡ଼ା କଥା ପରେ ହେବ । ତୁମେ ଦୁଇ ଜଣଙ୍କୁ ନେଇ ତଳକୁ ଚାଲିଯାଅ ।’’

 

ପାବ୍‌ଲୋ ଘୋଡ଼ା ଧରି ତିଆରି ହୋଇ ରହିଥିଲା । ସେ ବୁଝିଲା ଯେ ଏଟା କଥା କହିବାର ବେଳ ନୁହେଁ । ପାହାଡ଼ର ଗଡ଼ାଣିରେ ସେ ତଳକୁ ଓହ୍ଲାଇବାକୁ ଲାଗିଲା ।

 

“ମୁଁ ତୁମ ସାଙ୍ଗରେ ଯାଇପାରେ କି ?” ମାରିୟା ପଚାରିଲା ।

“ନା, ତୁମେ ପିଲାର ପାଖରେ ଥାଅ, ତାହାକୁ ସାହାଯ୍ୟ କରିବ ।”

 

ମାରିୟା ତାହା ପାଖକୁ ଘୁଞ୍ଚି ଆସିଲା ଏବଂ ତାହାର ପକେଟରେ ହାତ ପୂରାଇ ଶକ୍ତ ହୋଇ ଠିଆହେଲା ।

 

“ତୁମକୁ ଲଜ୍ଜା ନାହିଁ ?”

 

“ନା ।”

 

“ଘୁଞ୍ଚି ଯାଆ, ମାରିୟା, ସମୟ ନାହିଁ । କେଜାଣି, ହୁଏତ ଆମକୁ ଏକ୍ଷଣି ଲଢ଼ିବାକୁ ହେବ ।”

 

“କୁହ, ମୋତେ ଭଲ ପାଅ ।”

 

“ଏଟା ଭଲ ପାଇବାର ସମୟ ନୁହେଁ ।”

 

ରବାର୍ଟ, ପ୍ରିମିଟିଭୋ ଓ ଅଗାଷ୍ଟିନ ପାହାଡ଼ ଉପରକୁ ଉଠିବାକୁ ଲାଗଲେ ।

 

ଗୋଟିଏ ଗଛ ପାଖରେ ବରଫ ଜମି ନଥିଲା । ରବାର୍ଟ ସେଠାରେ ମେସିନ ଗନ୍‌ ବସାଇଲା ଏବଂ ପାଇନ ଗଛ ଡାଳରେ ଢାଙ୍କି ଦେଲା, ଯଦ୍ଵାରା ପଦାକୁ ଦେଖା ନ ଯାଏ । ରବାର୍ଟ ଭାବିଲା–ସେମାନେ ଏଲ ସାର୍ଦୋର ସନ୍ଧାନ ପାଇବେ ନାହିଁ ତ । ଆଜି ଲଢ଼ିବାକୁ ପଡ଼ିପାରେ । ତାହା ହେଉ ପଛକେ, ମାତ୍ର ଯେକୌଣସି ମତେ କାଲିଯାଏ ସେମାନଙ୍କୁ ଅଟକାଇ ରଖିବାକୁ ହେବ । ପ୍ରଜାତନ୍ତ୍ର କଅଣ ଆମ ପାଖକୁ କେତୁଟା ଉଡ଼ାଜାହାଜ ପଠାଇ ପାରିବ ନାହିଁ ? “ପ୍ରିମିଟିଭୋ, ତୁମେ ଆହୁରି ଉପରକୁ ଉଠ, ହଠାତ୍‌ ଗୁଳି ଫୁଟାଇବ ନାହିଁ । ଅଗାଷ୍ଟିନ, ତୁମେ ବନ୍ଧୁକ– ।”

 

“ହଁ, ହଁ, ଗୁଳି ଭର, ଲକ୍ଷ୍ୟକର, ଗୁଳି ଫୁଟାଅ । ଆଉ କିଛି ନୁହେଁ ।”

 

“ପଚାଶ ମିଟର ଆଗରୁ କଦାପି ଗୁଳି ଫୁଟାଇବ ନାହିଁ । ଯଦି ଜାଣି ପାରିବ ଯେ ସେମାନେ ଏହି ବାଟେ ଗୁହାର ସନ୍ଧାନରେ ଆସୁଛନ୍ତି, ତାହା ହେଲେ ଆଗେ ଅଫିସରକୁ ଗୁଳିକରିବ, ତାପରେ ବାକି ସୈନ୍ୟମାନଙ୍କୁ ।”

 

ପ୍ରିମିଟିଭୋ ମଥା ଉପରେ ଆଉ ଗୋଟିଏ ଚୂଡ଼ାରେ ହାତରେ ବନ୍ଧୁକ ଧରି ବସିଥିଲା । ସେ ଖଣ୍ଡିଏ ଛୋଟ ପଥର ଗଡ଼ାଇଦେଇ ସଙ୍କେତ ଦେଲା । “ଅଶ୍ୱାରୋହୀ ସୈନିକ”–ଚାପା ଗଳାରେ ରବାର୍ଟ ଅଗାଷ୍ଟିନକୁ କହିଲା । ପ୍ରଥମ ଅଶ୍ଵାରୋହୀର ପଛରେ ଆହୁରି ତିନି ଜଣ । ଘୋଡ଼ାର ଖୁରାର ଚିହ୍ନ ଦେଖି ସେମାନେ ଗଛ ଟପି ଆଗେଇ ଆସୁଥିଲେ । ଅଟୋମେଟିକ ରାଇଫେଲର ନୀଳ ବାରେଲ ଉପର ଦେଇ ରବାର୍ଟ ସେମାନଙ୍କୁ ଲକ୍ଷ୍ୟ କରୁଥିଲା । ସେମାନେ ଆଗେଇ ଆସୁଥିଲେ । ସେମାନଙ୍କ ହାତରେ ରାଇଫେଲ ସେମାନେ ତୀକ୍ଷ୍‌ଣ ଦୃଷ୍ଟିରେ ଏପଟ ସେପଟ ଅନାଉଥିଲେ । ରବାର୍ଟର ପାଖରେ ଅରାଷ୍ଟିନ । ସେ କାଶ ସମ୍ଭାଳି ନେଲା । ପୁଣି ଘୋଡ଼ାର ଖୁରାର ଶବ୍ଦ ! ଆଉ ଦଳେ, ଦୁଇ ଜଣ ଲେଖାଏଁ କୋଡ଼ିଏ ଜଣ ।

 

ସେମାନେ ସନ୍ଧାନୀ ଦୃଷ୍ଟି ବୁଲାଇ ଚାଲିଗଲେ । ରବାର୍ଟ ରାଇଫେଲର ଟ୍ରିଗାରରୁ ହାତ କାଢ଼ିନେଲା । ପୁଣି ଗୋଟିଏ ଦୁଇଟି କଥା ଆରମ୍ଭ ହେଲା । ମଇ ମାସର ସକାଳ । ପରିଷ୍କାର ଆକାଶ । ପବନ ବହୁଛି । ସେ କହିଲା– “ଚମଡ଼ା ଥଳିଟା ଦିଅ, ତଣ୍ଟିଟା ଟିକିଏ ଭିଜେଇ ନିଏ । କିଛି ଖାଦ୍ୟ ଆଣିବାକୁ ସମୟ ପାଇଲ ନାହିଁ ?”

 

ଦୂରରୁ ଗୁଳିର ଆବାଜ ଶୁଭିଲା । ପ୍ରିମିତିଭୋ କହିଲା–“ବୋଧହୁଏ ସାର୍ଦୋକୁ ଆକ୍ରମଣ କଲେ । ସେମାନଙ୍କୁ ସାହାଯ୍ୟ କରିବାକୁ ହେବ ।” ତାହାର କଣ୍ଠ ସ୍ଵର ଶୁଖିଲା ଓ ଧାରୁଆ ଶୁଭିଲା ।

 

ରବାର୍ଟ ଜବାବ ଦେଲା “ଅସମ୍ଭବ । ସାରା ସକାଳୁ ମୁଁ ଏହା ଆଶଙ୍କା କରିଥିଲି । ଆମର କିଛି କରିବାର ନାହିଁ । ଯଦି ଥାଆନ୍ତା, ମୁଁ କରି ଥାଆନ୍ତି ।”

 

“ଉପରୁ ସେମାନଙ୍କ ପାଖରେ ପହଞ୍ଚିବାର ରାସ୍ତା ଅଛି । କିଛି କରିବା ନିହାତି ଦରକାର ।”

 

“ଶୁଣ, ସେମାନଙ୍କୁ ତ ହରାଇଲେ । ଯଦି ଆମେ ଯାଉଁ, ଆମେ ବି ଫେରି ଆସିବୁ ନାହିଁ । ଆମେ ଯେଉଁ କେତେ ଜଣ ଅଛନ୍ତି, ତାହା ଭିତରୁ ଭାଗ ଚଳିବ ନାହିଁ ।

 

“ଏପରି ହତ୍ୟାକାଣ୍ଡ– ।”

 

“ଯଦି ସେମାନେ ସାର୍ଦୋର ଡ଼େରା ଘେରାଉ କରନ୍ତି, ତାହା ହେଲେ ତ– ।”

 

“ସତରେ କଅଣ କିଛି କରିବାର ନାହିଁ, ରବାର୍ଟ ? ତୁମେ କବଣ ମୋତେ ପଠାଇ ପାରିବ ନାହିଁ ମେସିନ ଗନ୍‌ ଦେଇ, ସାଙ୍ଗରେ ଆଉ ଜଣେ କେହି ?”

 

“ସେଥିରେ କିଛି ଫଳ ହେବ ନାହିଁ–” ରବାର୍ଟ ଜବାବ ଦେଲା ।

 

“ଭଗବାନ ! ହାୟ ଭଗବାନ ।” ପ୍ରିମିଟିଭୋ ଆର୍ତ୍ତନାଦ କଲା । ତା ପରେ ତାହାର ମୁଖ ମଳିନ ପଡିଗଲା, ଆଖି ଲୁହରେ ଛଳଛଳ ହେଲା ଏବଂ ଓଠ ଥରିଲା ।

 

“ଶାନ୍ତ ହୁଅ । ସେମାନଙ୍କ ସାଙ୍ଗରେ ଲଢ଼ିବାର ସମୟ ଆଗେଇ ଆସୁଛି । ଏହି ଯେ ପିଲାର ।”

 

ପିଲାର ଗୋଟିଏ ପଥରରୁ ଆଉ ଗୋଟିଏ ପଥରକୁ ପାଦ ପକାଇ ଉପରକୁ ଉଠି ଆସିଲା । ରବାର୍ଟ ପାଖରେ ଠିଆ ହୋଇ ସେ ଧଇଁ ସଇଁ ହେଲା । ରବାର୍ଟ ପଚାରିଲା– “ବନ୍ଧାବନ୍ଧି ସବୁ ସରିଲା ?”

 

“ଯାହା କିଛି ନେବାର, ସେ ସବୁ ବନ୍ଧାବନ୍ଧି ସରିଛି । ତୁମ୍ଭମାନଙ୍କୁ ଥରେ ଦେଖିବାକୁ ଆସିଲି । ମୁଁ ଏବେ ଚାଲି ଯାଉଛି । ତେଣେ ଖାଦ୍ୟ ତିଆରି କରିବାକୁ ହେବ ।”

 

ପାହାଡର ଚୂଡ଼ାରେ ଏକ ସାର୍ଦୋ ଲଢ଼େଇ ଚଳ ଶେଷ ଅବଧି ଏହି ପାହାଡ଼ର ଚୁଡ଼ାକୁ ଆସି ସେ ଅଟକିଗଲା । ଘୋଡ଼ାଟି ଢେର ବେଳୁ ଅସ୍ଥିର ହେଲାଣି ସାର୍ଦୋର କାନ୍ଧରେ ଝୁଲୁଛି ହାତ–ବୋମାର ଥଳି ଓ ଅଟୋମେଟିକ ରାଇଫେଲ । ଜୋୟାକୁଇନ ଓ ଇଗନାସିଓ ରହି ଯାଉଛନ୍ତି ଏବଂ ଗୁଳି ଫୁଟାଇଛନ୍ତି । ସେ ଉନ୍ନତ୍ତ ହୋଇ ଘୋଡ଼ା ଛୁଟାଇ ଦେଇଥିଲା ପାହାଡରୁ ପାହାଡକୁ ଚାରିଆଡ଼େ ବୁଲେଟର ବୃଷ୍ଟି । ନା, ଘୋଡ ଆଉ ଚାଲିବ ନାହିଁ । ତହୁଁ ସେ ଘୋଡ଼ାଟାକୁ ଗୁଳି କରିଦେଲା, ଆସ୍ତେ ସାବଧାନରେ, ଯତ୍ନ ସହକାରେ, ଯେଉଁଠି ଗୁଳି ବାଜିଲେ ସବୁଠାରୁ କମ୍‌ ଯନ୍ତ୍ରଣା ହେବ ଠିକ୍ ସେଠାକୁ । ହୁଇଟା ବଡ଼ ପଥରରେ ମଝିରେ ଘୋଡ଼ା ମୁହଁ ମାଡି ପଡିଗଲା । ବାକି ସମସ୍ତେ ଖତମ୍ ହୋଇ ଯାଇଛନ୍ତି । ଖାଲି ସେମାନେ ପାଞ୍ଚ ଜଣ ଏହି ଚୂଡାକୁ ଉଠି ପାରିଥିଲେ । ତିନି ଜଣ ଆହତ । ସାର୍ଦୋର ପାଦରେ ଗୁଳି ବାଜିଛି, ଆଉ ବାମ ବାହୁରେ । ଶେଷରେ ତାହାର ଗଳା ଶୁଖିଯାଉଛି, କଦର୍ଯ୍ୟ ଭାବରେ ମଥା ଧରିଛି । ଗୋଟିଏ ସ୍ପେନୀୟ ଥଟ୍ଟା ତାହର ମନେ ପଡ଼ିଲା–ମୃତ୍ୟୁକୁ ଏସପିରିନ ବଟିକା ଭଳି ଗିଳି ପକାଇବାକୁ ହେବ । ମଲା ଘୋଡ଼ାଟିର ପଛରୁ ସେ ଆସ୍ତେ ଆସ୍ତେ ମୁଣ୍ଡ ଟେକି ଚାରିଆଡକୁ ଅନାଇଲା । ମେସିନ ଗନ୍‌ରୁ ଗୁଳି ଆସି ବାଜିଲା ଘୋଡ଼ାର ଦେହରେ । ମଥାର ଯନ୍ତ୍ରଣା ବଢୁଛି, ହାତ ହଲାଇବା ପ୍ରାୟ ଅସମ୍ଭବ ହୋଇଛି । ଗ୍ରୀଷ୍ମ କାଳୀନ ନୀଳ ଆକାଶ ଆଡ଼କୁ ସେ ଅନାଇଲା । ସେ ଜଣେ, ତାହାର ବୟସ ବାବନ ବର୍ଷ । ଏହି ତାହାର ଶେଣ ଆକାଶ ଦେଖା ।

 

ସେ ମରଣକୁ ପରବାଏ କରେ ନାହିଁ । କିନ୍ତୁ ରାଗରେ ତାହାର ସର୍ବାଙ୍ଗ ଜଳୁଛି । ସେ ଏମିତି ଗୋଟାଏ ପାହାଡର ଫାନ୍ଦରେ ପଡିଗଲା, ଯାହାର ଖାଲି ମରଣର ସ୍ଥାନ ତିଆରି କରିବା ଛଡା ଆଉ କିଛି ସାର୍ଥକତା ନାହିଁ ।

 

ପଥର ପଛରୁ ଶୁଭିଲା–“ଶୁଣ, ଡକାୟତଦଳ, ଏକ୍ଷଣି ବି ଆତ୍ମ ସମର୍ପଣ କରିବାର ବେଳ ଅଛି । ଉଡ଼ାଜାହାଜ ତୁମ୍ଭମାନଙ୍କୁ ଟିକି ଟିକି କରି ଦେଇ ଯିବ ।”

 

“କଅଣ କହୁଛି ?” ସାର୍ଦୋ ପଚାରିଲା ।

 

ଜୋୟାକୁଇନ ତାହାକୁ ବୁଝାଇଦେଲା । ସାର୍ଦୋ ତାହାକୁ ନିର୍ଦ୍ଦେଶ ଦେଲା– “ନା, ସେ କଥାର କିଛି ଜବାବ ଦିଅ ନାହିଁ କି ଗୁଳି ଫୁଟାଅ ନାହିଁ । ବଡ଼ ପିସ୍ତଲଟା କାହା ପାଖରେ ଅଛି ? ମୋତେ ଦିଅ ।”

 

“ଏହି ଯେ ।”

 

ସାର୍ଦୋ ଆଣ୍ଠୁରେ ଭରା ଦେଇ ହାତ ବଢ଼ାଇଲା ।

 

“କପ୍ତାନ ଦଳ ! ଏବେ ବି ସମୟ ଅଛି ।” ପୁଣି ଚିତ୍‌କାର ହେଲା । “ଆରେ ଲାଲ ମାର୍କା ଘୁଷୁରି ଦଳ, କାପୁରୁଷ !” ତାହାର ମଥାଟା ପରିଷ୍କାର ଦେଖା ଯାଉଥିଲା । ପିସ୍ତଲ ନଚାଇ ନଚାଇ ଲୋକଟି ବାହାରି ଆସିଲା । ସେ ଚାରିଆଡ଼େ ଅନାଇ ଦେଖିଲା, ଗଛପତ୍ର ହୀନ ପାହାଡ଼ର ଚୂଡ଼ା, ଚତୁର୍ଦ୍ଦିଗରେ ପଥର ଖଣ୍ଡ, ମଲା ଘୋଡ଼ା ଓ ମଲା ମଣିଷ । ପୁଣି ଚିତ୍‌କାର ହେଲା–“ରେ କାପୁରୁଷ ଦଳ, ଯଦି କେହି ବଞ୍ଚି ଥାଅ, ଗୁଳି କର ନାହିଁ । ତୁମ୍ଭମାନଙ୍କ ଭଳି ବହୁତ ଲାଲ ମୁଁ ଦେଖିଛି ।”

 

ଲୋକଟି ହେଉଛି କାପ୍ତାନ । ସେ କହି ଚାଲିଲା–“ଏମାନେ ମୋ ଭଉଣୀକୁ ଗୁଳି କରି ମାରିଛନ୍ତି, ମାଆକୁ ମାରିଛନ୍ତି । ନା, କେହି ବଞ୍ଚି ନାହାନ୍ତି । ଏହି ଆଗେଇ ଯାଇ ଦେଖ ତ ।” ସେ ଜଣେ ସୈନିକକୁ ହୁକୁମ ଦେଲା– “କଅଣ ହେଲା ? ଶୁଭୁ ନାହିଁ କି ?”

 

ଲୋକଟି ଜବାବ ଦେଲା–“ଶୁଣି ପାରୁଛି, କପ୍ତାନ ସାହେବ ।”

 

“ତାହାହେଲେ ଯାଉ ନାହିଁ କାହିଁକି ?” କପ୍ତାନ ଆଗେଇ ଯାଇ ସୈନିକଟିର ପିଠିରେ ପିସ୍ତଲ ଠୁଙ୍କିଲା । “ଭୟ ? କାପୁରୁଷର ଦଳ । ମୁଁ ଏକା ଯିବି ।” ପିସ୍ତଲ ଘୂରାଇ ଘୂରାଇ ସେ ଆଗେଇଗଲା ।

 

ଏଲ୍‌ ସାର୍ଦୋ ଘୋଡ଼ାର ପଛରୁ ରାଇଫେଲର ଟ୍ରିଗାର ଚିପିଲା ।

 

କପ୍ତାନ ସାହେବ ଯଥର ଉପରେ ଓଲଟି ପଡ଼ିଲା । ଏଥର ସାର୍ଦୋ ଚିତ୍‌କାର କରିବାକୁ ଲାଗିଲା– ଡକାୟତ ଦଳ, ଲାଲମାର୍କା ଡକାୟତ ଦଳ ।” ହସରେ ତାହାର ମୁଖ ଭରିଗଲା । ଠିକ୍‌ ସେତିକି ବେଳେ ବହୁତ ତଳୁ ଫାସିଷ୍ଟ ଉଡ଼ାଜାହାଜ ଉଡ଼ି ଆସିଲା । ବୋମା ଓ ମେସିନ୍‌ ଗନ୍‌ରେ ପାହାଡର ଚୂଡା ବିଧ୍ଵସ୍ତ ହୋଇଗଲା ।

 

ରବାର୍ଟ ବୋମା ଓ ମେସିନ୍‌ ଗନ୍‌ର ଶବ୍ଦ ଶୁଣି ପାରିଲା ଏବଂ ଦେଖିଲା ଆକାଶରେ ଧୂଆଁ ଉଠୁଛି । ମାରିୟା ଖାଦ୍ୟ ନେଇ ଆସିଲା ଏବଂ ପଚାରିଲା– “କେଉଁଠି ସେମାନେ ବୋମା ପକାଇଛନ୍ତି ?”

 

“ସାର୍ଦୋକୁ ଖତମ କରିଦେଲେ । ତୁମେ ତଳକୁ ଚାଲିଯାଅ, ମାରିୟା ।”

 

“ତୁମର ଆଉ କିଛି ଦରକାର ?”

 

“ନା, କିଛି ନା ।”

 

ମାରିୟା ଓହ୍ଲାଇଗଲା । ରବାର୍ଟ ବସି ରହିଲା । ଘଣ୍ଟାକ ପରେ ମନେ ହେଲା, ଦୂରରେ ମଣିଷ ଚଲାବୁଲା କରୁଛି । ସେ ଆଖିରେ ଫିଲ୍‌ଡ–ଗ୍ଲାସ ଲଗାଇଲା । ଢାଲୁ ପାହାଡରେ ଘୂରି ଘୂରି ଅଶ୍ଵାରୋହୀ ସୈନ୍ୟ ଦଳ ଓହ୍ଲାଇ ଯାଉଛନ୍ତି । ଆସ୍ତେ ଆସ୍ତେ ସେମାନେ ଗଛର ଆଢୁଆଳରେ ମିଳେଇଗଲେ ।

 

ଏନସେଲମୋ ଗୁହାକୁ ଯାଇ ଦେଖିଲା ପଟା ଟେବୁଲରେ ରବାର୍ଟ ଓ ପାବ୍‌ଲୋ ମୁହାଁମୁହିଁ ବସିଛନ୍ତି । ସାମନାରେ ମଦର ପାତ୍ର । ରବାର୍ଟର ଦୃଷ୍ଟି ଖୋଲା ଟିପା ଖାତା ଉପରେ ଥିଲା, ହାତରେ ପେନସିଲ । ପିଲାର ଓ ମାରିୟା ଗୁହାର ଶେଷକୁ ବସିଥିଲେ । ଏନସେଲମୋ ମୃଦୁ ସ୍ଵରରେ ଜଣାଇଲା–“ପାହାଡ ଉପରେ ଛଅ ଜଣ ଖତମ ହେଲେ । ସେମାନେ ମୁଣ୍ଡସବୁ କାଟି ନେଇ ଯାଇଛନ୍ତି ।”

 

ରବାର୍ଟ ତାହାକୁ ବସିବାକୁ କହିଲା । ଏନସେଲମୋ ବସି ପଡ଼ିଲା । ସେ ପୁଣି କହିଲା–“ଖାଲି ଘୋଡ଼ାର ପିଠିରେ ବସ୍ତା ଦେଖି ବୁଝି ପାରିଲି ଯେ ତାହା ଭିତରେ ଦୁଇ ଜଣ ଅଫିସରଙ୍କ ଦେହ ଝୁଲାଇ ନେଇ ଯାଉଥିଲେ । ବିଶ୍ୱାସ କର, ଏନସେଲମୋ, ତୁମେ କ୍ଳାନ୍ତ, କିଛି ଖାଅ । ଜେନେରାଲଙ୍କ ନିକଟକୁ ଯିବାକୁ ହେବ ଖଣ୍ଡିଏ ସିଲ ହୋଇଥିବା ଖାମ୍‌ ନେଇ । ଆନ୍ଦ୍ରେକୁ ଅବଶ୍ୟ ପାଇବା । ଆନ୍ଦ୍ରେ ପାରିବ ତ ?”

 

“ପାରିବ, ମୁଁ ତାହାକୁ ଡାକି ନେଇ ଆସୁଛି ।”

 

“ପାବ୍‌ଲୋ ପଚାରିଲା–“ରବାର୍ଟ, ସାର୍ଦୋ ଛଡ଼ା ଆମର କେତେ ଜଣ ଲୋକ ଅଛନ୍ତି ? ତୁମ ପୋଲର କାମ–ହତାଶ ହେବାର କିଛି ନାହିଁ ।”

 

ରବାର୍ଟ ଉତ୍ତର ଦେଲା ନାହିଁ । ସେ ଖବର ଲେଖା ଶେଷ କରୁଥିଲା ।

 

ଏନସେଲମୋ ଆନ୍ଦ୍ରେକୁ ଖବର ଦେବାକୁ ଗଲା । ବାହାରେ ଅନ୍ଧାର ଘନେଇ ଆସୁଥିଲା ।

 

ଆଜି ଶେଷ ରାତି । ଘନ ଅନ୍ଧକାର । ପାଇନ ଗଛର ଶାଖାରେ ପବନର ଦୀର୍ଘଶ୍ଵାସ । ମାରିୟା ଆଲଖାଲା ଭିତରେ ତାହା ପାଖରେ ଶୋଇଥିଲା । ମାରିୟାର ଓଠ ତାହାର ଗାଲ ଉପରେ “ରବାର୍ଟ, ମୋର ଗୋଟାଏ ଦ୍ଵିଧା ଅଛି, ଆଉ ଅଛି ଅପରିସୀମ ବେଦନ । ମୋର ମନେ ହୁଏ ନା, ମୁଁ ତୁମର କିଛି କାମରେ ଲାଗି ପାରିବି ।”

 

“ବେଦନାର ହାତରୁ ଆମର ମୁକ୍ତ କେଉଁଠି, ମାରିୟା ?”

 

“ନା, ତାହା ନୁହେଁ । ତୁମକୁ ଗ୍ରହଣ କଲା ଭଳି ପବିତ୍ର ମୁଁ ନୁହେଁ ।”

 

“ମୁଁ ସବୁ ଶୁଣିଛି, ମାରିୟା । ସେଥିରେ କିଛି ଯାଏ ଆସେ ନାହିଁ । ଆସ, ଆମେ ମାଦ୍ରିଦର କଥା ହେବା, ମାଦ୍ରିଦରେ ତୁମେ ଆଉ ମୁଁ । ସେଠାରେ ଆମର ବିବାହ ହେବ ।”

 

“ସେଠାରେ ବହୁତ ସୁନ୍ଦରୀ ଝିଅ ଅଛନ୍ତି । ତୁମେ ସେମାନଙ୍କୁ ଦେଖି ନିଶ୍ଚୟ ମୋତେ ଭୁଲିଯିବ ।”

 

“ନା, ତୁମକୁ କଦାପି ଭୁଲିବି ନାହିଁ । ତୁମକୁ ଦେଖିବା ଆଗରୁ ମୋର କେବେ ମନେ ହୋଇ ନାହିଁ ଯେ ମୁଁ କାହାକୁ ଏମିତି ଗଭୀର ଭାବରେ ଭଲପାଇ ପାରେଁ ।”

 

“ତାହାହେଲେ କହୁଛି, ଶୁଣ । ପିଲାର କହୁଥିଲା ଯେ କାଲି ଆମେ ସମସ୍ତେ ମରିବା । ସେଥିପାଇଁ– ।”

 

“ପିଲାର ଏମିତି କଥା କହୁଥିଲା ? ଆଜି ତ ମୁଁ ବଞ୍ଚିଛି, ତେବେ ମୃତ୍ୟୁର କଥା ଭାବିବି କାହିଁକି ? ନା, ନା, ଆମେ ମାଦ୍ରିଦ ଯିବା । ଆଶା କରୁଛି, ସେଠାରେ ମୁଁ ଗୋଟାଏ କିଛି କାମ ଯୋଗାଡ଼ କରିପାରିବି । ଲଢ଼େଇର ଆରମ୍ଭରୁ ମୁଁ ଏମାନଙ୍କ ସାଙ୍ଗରେ ଅଛି । ତେଣୁ ଏଥର ଏମାନେ ମାଦ୍ରିଦରେ ମୋତେ ନିଶ୍ଚୟ କିଛି କାମ ଦେବେ ! ମୁଁ କେବେ ଏମାନଙ୍କଠାରୁ କିଛି ଚାହି ନାହିଁ । ଖାଲି ବରାବର ଭାବିଛି, କିପରି ଲଢ଼େଇରେ ଜିତିବା । ମାରିୟା, ଏଥର ତୁମକୁ ମୁଁ ବିବାହ କରିବି ।”

 

“ତୁମକୁ କହୁଛି, ତାହାହେଲେ– ।”

 

“ନା, କହିବାକୁ ହେବ ନାହିଁ ।”

 

“ଶୁଣ, ମୋର ବାପା ଥିଲେ ଗ୍ରାମର ମେୟର । ସେମାନେ ମୋ ବାପାଙ୍କୁ ଗୁଳି କରି ମାରିଦେଲେ । ମଲା ବେଳେ ବାପା କହି ପାରିଥିଲେ– ପ୍ରଜାତନ୍ତ୍ର ଅମର ହେଉ । ଯେତେବେଳେ ମୋତେ ଦଉଡ଼ିରେ ବାନ୍ଧି ନେଇ ଯାଉଥିଲେ, ମୁଁ ମାଆଙ୍କୁ ଦେଖି ପାରିଲି ନାହିଁ; ମାତ୍ର ବାପାଙ୍କୁ ଭୂଇଁରେ ମୁହଁ ମାଡ଼ି ପଡ଼ିଥିବାର ଦେଖିଲି । ଭଣ୍ଡାରୀର ଦୋକାନକୁ ନେଇଯାଇ ଦୁଇ ଜଣ ଦୁଇ ପଟରୁ ଚାପି ଧରି ମୋତେ ଲଣ୍ଡା କରିଦେଲେ ଏବଂ ତା’ ପରେ ଟାଣି ଟାଣି ନେଇଗଲେ ବାପାଙ୍କ ଅଫିସକୁ । ସେଠାରେ– ।”

 

“ମାରିୟା, ଥାଉ । ମୁଁ ତୁମକୁ ବିଭା ହେବି । ତୁମ ବାପାଙ୍କ ପାଇଁ ମୁଁ ଗର୍ବ ବୋଧ କରୁଛି ।”

 

ପାଇନର ଶାଖାରେ ପବନର ଅସ୍ପଷ୍ଟ ମର୍ମର ।

 

ମାରିୟା ତାହାର ଛାତି ଉପରେ ଶୋଇ ପଡ଼ିଲା । ରବାର୍ଟ ଆଖି ବୁଜିଲା ।

 

ରାତି ଦୁଇଟା ବେଳେ ପିଲାର ତାହାର ଓ ମାରିୟାର ନିଦ ଭାଙ୍ଗି ଦେଲା । ପିସ୍ତଲଟା ବାଗେଇ ସେ ପଚାରିଲା– “କିଏ ।” ସେ ପିଲାରକୁ ଦେଖିଲା ।

 

“କଥା କଅଣ ?”

 

ପିଲାର କହିଲା–“ପାବ୍‌ଲୋ, ନିଖୋଜ । ତୁମର କିଛି ଜିନିଷପତ୍ର ବି ସେ ନେଇ ଯାଇଛି ।”

 

ରବାର୍ଟ କ୍ଷିପ୍ର ହାତରେ ଟ୍ରାଉଜର ଓ ଜୋତା ପିନ୍ଧି ପକାଇଲା–“କଅଣ ନେଇଛି ତୁମେ ଦେଖିଛ ।”

 

“ନା, ତୁମେ ଶୀଘ୍ର ଆସ ।”

 

“କେତେବେଳ ହେଲା ?”

 

“ନିଶ୍ଚୟ ଘଣ୍ଟାକ ଆଗରୁ ।”

 

ମାରିୟାର ନିଦ ଭାଙ୍ଗି ନ ଥିଲା । ସେମାନେ ଗୁହା ଭିତରକୁ ଧାଇଁ ଗଲେ । ରବାର୍ଟ ଟର୍ଚ୍ଚ ଜାଳିଲା ।

 

“ରାତି ପାହିଲାଣି ?” ଏନସେଲମୋ ପଚାରିଲା । ପାଦ ଶବ୍ଦରେ ତାହାର ନିନ୍ଦ ଭାଙ୍ଗିଗଲା ।

 

“ନା, ତୁମେ ଶୁଅ ।” ପରଦାରେ ଉହାଡ଼ ହୋଇଥିବା ଦୁଇଟି ଗଣ୍ଠିରି ଉପରେ ରବାର୍ଟ ଟର୍ଚ୍ଚର ଆଲୁଅ ପକାଇଲା । ଛୁରୀରେ ଦୁଇଟି ଯାକ କଟା ହୋଇଥିଲା । କାଠ ବାକ୍‌ସରେ ବିସ୍ଫୋରଣ ଯନ୍ତ୍ରଟା ନ ଥିଲା । ଟିଣଟା ବି ଅଦୃଶ୍ୟ ହୋଇଥିଲା । ସେ ଅନ୍ୟ ଗଣ୍ଠିରିଟା ଦେଖିଲା, ସବୁ ବିସ୍ଫୋରକ ରହିଛି ।

 

“ଏମିତି ଭାବରେ ତୁମେ ମୋର ଜିନିଷପତ୍ର ପହରା ଦେଉଥିଲ ?” ଶୁଖିଲା ଗଳାରେ ରବାର୍ଟ ପିଲାରକୁ ପଚାରିଲା ।

 

ସଙ୍କୋଚ ଓ ହତାଶାରେ ପିଲାରର କଣ୍ଠ ସ୍ଵର ଭାରୀ ହୋଇଗଲା–“ମୋତେ କ୍ଷମା କର । କୁହ, ମୁଁ କଅଣ କରି ପାରେଁ ? ପାବ୍‌ଲୋର ବିଶ୍ଵାସଘାତକତା ଖାଲି ତୁମ ପ୍ରତି ନୁହେଁ ।”

 

ରବାର୍ଟ ବୁଝି ପାରିଲା, ମନକୁ ତିକ୍ତ କରି ଦେବାର ବିଳାସିତାରେ ସେ କାହିଁକି ଧରା ଦେବ ? ନା, ସେ ପିଲାର ସହିତ ଝଗଡ଼ା କରି ନ ପାରେ । ତାହାକୁ ତାହା ସହିତ ମିଳି ମିଶି କାମ କରିବାକୁ ହେବ । ସେ ପିଲାରର କାନ୍ଧରେ ହାତ ରଖି କହିଲା–“କିଛି ଚିନ୍ତା ନାହିଁ, ପିଲାର । ସେମିତି ସାଘାଂତିକ କିଛି ଚୋରି ଯାଇନାହିଁ । କାମ ଅଟକିବ ନାହିଁ । ଫିଉଜ ନାହିଁ, ବିସ୍ଫୋରଣର ଯନ୍ତ୍ରଟି ବି ଯାଇଛି । ତଥାପି ଉଡ଼ାଯାଇ ପାରିବ, କାମ ଅଟକିବ ନାହିଁ । ଯାଅ, ତୁମେ ଟିକିଏ ଶୋଇପଡ଼ । ଚାରିଟା ବେଳେ ଆମକୁ ବାହରିବାକୁ ହେବ ।” ରବାର୍ଟ ନଇଁ ପଡ଼ି ଛୁରିରେ କଟା ହୋଇଥିବା ଗଣ୍ଠିରି ଦୁଇଟାକୁ କାନ୍ଧ ଉପରକୁ ଉଠାଇନେଲା ।

 

“ଦିଅ, ମୁଁ ବସ୍ତା ଦୁଇଟା ସିଲେଇ କରି ଦିଏଁ”–ପିଲାର ହାତ ବଢ଼ାଇଲା ।

 

“ବ୍ୟସ୍ତ ହୁଅ ନାହିଁ, ବାହରିବା ଆଗରୁ ହେବ । ଏ ଦୁଇଟା ଏ କ୍ଷଣି ନେଇଯାଉଛି, ଯଦ୍ୱାରା ତୁମେ ବାକି ରାତି ଟିକକ ଶୋଇପାରିବ । ଯାଅ, ଟିକିଏ ଶୋଇପଡ଼ ।”

 

ରବାର୍ଟ ବାହାରିଗଲା ।

 

ଗଣ୍ଠିରି ଦୁଇଟା ସମ୍ଭାଳି ସେ ପୁଣି ଆଲଖାଲା ଭିତରେ ପଶିଗଲା । ମାରିୟା ନିଦ୍ରାରେ ଆଚ୍ଛନ୍ନ ଥିଲା । କିନ୍ତୁ ରବାର୍ଟ ସେତେବେଳେ ରାଗରେ କମ୍ପୁଥାଏ । କିଛି ଡ଼ିନାମାଇଟ ବି ଚୋରି ଯାଇଛି । ବିଶ୍ଵାସଘାତକ, ବିଷଧର ସର୍ପ ଜାରଜ ।

 

“ଶାନ୍ତ ହୁଅ, ରଚାର୍ଟ । ରାଗ ଓ ଘୃଣାର ନିଆଁରେ ପୋଡ଼ି ମରିବା ଉଚିତ ନୁହେଁ । ରାଗ ଓ ଘୃଣା ଜୀବନରେ ବଡ଼ କଥା ନୁହେଁ । ଯଦି ତାହା ହୋଇଥାଆନ୍ତା । ତାହା ହେଲେ ତୁମେ ଏକ୍ଷଣି ଆସି ନ ଥାଆନ୍ତ ।” ରବାର୍ଟ ଆସ୍ତେ ଆସ୍ତେ ଶାନ୍ତ ହୋଇଗଲା । ସେ ମାରିୟାକୁ ଛାତି ଉପରକୁ ଭିଡ଼ିନେଲା । ଏବଂ ଅସ୍ପଷ୍ଟ ସ୍ଵରରେ କହିଲା– “ତୁମର ନିଦ ଭାଙ୍ଗି ନାହିଁ । ତୁମେ ଏଥିର କିଛି କଥା ଜାଣିପାରିଲ ନାହିଁ । କାଲି ଆମେ ମରିବୁ; କିନ୍ତୁ ଠିକ୍‌ କାଲି ମୁଁ ପୋଲ ଉଡ଼ାଇଦେବି । ତୁମକୁ ଉଠାଇଲି ନାହିଁ । ତୁମକୁ ଗୋଟିଏ ରାତିର ନିଦ ଦେଇଗଲି, ମାରିୟା । ଆପାତତଃ ମୁଁ ତୁମ ଲାଗି ଏତିକି କରିପାରେ ।” ସେ ମାରିୟାର ଛାତିର ସ୍ପନ୍ଦନ ତାହାର ଛାତି ଭିତରେ ଶୁଣି ପାରୁଥିଲା ଏବଂ ହାତ ଘଡ଼ିରେ ସମୟ ହିସାବ କରୁଥିଲା । ମିନିଟ କଣ୍ଟା ଉପରେ ତାହାର ଦୃଷ୍ଟି ଥିଲା । ତାହାର ଚିବୁକ ତଳେ ମାରିୟାର ମୁଖ । ସେ ଫେର୍ ଘଡ଼ି ଦେଖିଲା ।

 

“ମାରିୟା, ଯଦି ତୁମ ଜୀବନରେ କୌଣସି ଦୁର୍ଘଟଣା ନ ଘଟେ, ଯାହା ମୁଁ ଶଙ୍କା କରୁଛି, ତାହାହେଲେ ମୋ ଜୀବନରେ ବି କିଛି ନ ଘଟି ପାରେ । ତୁମ ଜୀବନ ଓ ମୋ ଜୀବନ ଏକ । ମୁଁ ଓ ତୁମେ ତ ଅଭିନ୍ନ ନୋହୁଁ । ଆମର ସତ୍ତା ଏକ । ଆଉ ମୃତ୍ୟୁର କଥା । ଯଦି ଆଜି ମୋର ମୃତ୍ୟୁ ହୁଏ, ତାହା ନିଶ୍ଚୟ ଅପବ୍ୟୟ ହେବ, କାରଣ ପୃଥିବୀରେ ବହୁତ କିଛି ମୋର ଅଜଣା ରହିଯିବ । ଏପର୍ଯ୍ୟନ୍ତ ମୁଁ ଅତି ସାମାନ୍ୟ ଅଭିଜ୍ଞତା ଅର୍ଜନ କରିଛି । ଏହି ପାହାଡ଼ରେ ମୁଁ କେତେ ଦୀର୍ଘ ଦିନ କଟାଇଦେଲି । ଶିଖିବାକୁ ଓ ଜାଣିବାକୁ ମୁଁ ବା କେତିକି ସମୟ ପାଇଲି ? କିନ୍ତୁ ତାହା କଅଣ ସତ ? ସାମୟିକ ମିଆଦ କଅଣ ସତରେ ଶିକ୍ଷାର ପ୍ରତିକୂଳ ? ଏହି ପାହାଡ଼ରେ ତ ମୁଁ ପାଇଛି ପ୍ରକୃତ ପ୍ରେମ, ଆଉ ଏହି ପାହାଡ଼ ତ ମୁଁ ପାଉଛି ଜୀବନ ସଙ୍ଗିନୀ । ଖାଲି ସେତିକି ନୁହେଁ, ମାରିୟା । ଆଜି ମୁଁ ତୁମକୁ କହିପାରେ, କେବେ ଭଉଣୀ ନ ଥିଲା, କି ମୋର କେବେ ଝିଅ ହେବ ନାହିଁ ।”

 

ମାରିୟା ଉଠି ବସିଲା ଏବଂ ଡାକିଲା–“ରବାର୍ଟ । ଦିନର ଆଲୁଅ ଆଗରୁ କଅଣ ତୁମକୁ ହରାଇବାକୁ ପଡ଼ିବ ? ମୁଁ କଅଣ ତୁମ ସାଙ୍ଗରେ ଯାଇ ପାରିବି ନାହିଁ ?

 

“ନା, ମୋର ଯାହା କାମ, ତାହା ଖାଲି ମୋର । ତୁମେ ମୋ ମନ ଭିତରେ ରହିଥିବ ।”

 

“ତୁମ କାମ ସରିଲେ ତୁମେ ଖୁବ୍‌ ଶୀଘ୍ର ଫେରି ଆସିବ ତ ?”

 

“ହଁ ଖୁବ୍ ଶୀଘ୍ର ।”

 

ମାରିୟା ଅନ୍ଧାରରେ ତାହାର ନିଃସଙ୍ଗ ହସଟା ଦେଖି ପାରିଲା ନାହିଁ ।

 

“ଚାଲ, କିଛି ଟିକିଏ ଖାଇଦେବା ।” ସେ ଗଣ୍ଠିରି ଦୁଇଟା କାନ୍ଧ ଉପରକୁ ଉଠାଇନେଲା ।

 

“ଆଉ ଆଲଖାଲାଟା ?”

 

“ଉଠାଇ ନିଅ ।”

 

କମ୍ବଳ ଟେକି ଦେଇ ଯେତେବେଳେ ସେମାନେ ଗୁହାରେ ପଶିଲେ, ସେତେବେଳେ ତିନିଟା ବାଜିବାକୁ ଦଶ ମିନିଟ ବାକି I କେହି ଶୋଇ ନ ଥିଲେ, ସମସ୍ତେ ନିଆଁ ଚାରିପଟେ ଠିଆ ହୋଇଥିଲେ । ପିଲାର କଫିର ପାତ୍ର ଥୋଇଦେଇ ବସ୍ତା ଦୁଇଟା ସିଲେଇ କରିବାକୁ ଲାଗିଲା । ରବାର୍ଟ ପାଖରୁ ଫେରି ଆସି ସେ ଆଉ ଆଖି ବୁଜି ପାରି ନ ଥିଲା । ସେମାନେ ସମସ୍ତେ ଖାଇ ବସିଲେ । କାନ୍ଥରେ ଛାଇ କମୁଥିଲା ।

 

ବସ୍ତା ସିଲେଇ କରି ସାରି ପିଲାର ପଚାରିଲା–“କେତେବେଳେ ଆମେ ବାହାରିବା ?”

 

“ଯେ କୌଣସି ମୁହୂର୍ତ୍ତରେ”– ରବାର୍ଟ ଜବାବ ଦେଲା । ସେ ଏନସେଲମୋକୁ କହିଲା–“ଗୋଟାଏ ଗଣ୍ଠିରି ତୁମ ଜିମାରେ ରହିବ । ସବୁ ଠିକ୍ ଅଛି ତ ?”

 

“ଠିକ୍, ସବୁ ଠିକ୍ ଦେଖ”–କହି ସେ ହାତଟା ରବାର୍ଟର ସାମନାରେ ମେଲାଇ ଦେଲା I ତାହାର ହାତ ତିଳେ ହେଲେ କମ୍ପୁ ନ ଥିଲା ।

 

“ଶୁଣ–”,ପିଲାର କଅଣ କହୁଥିଲା । କିନ୍ତୁ ତାହାର କଥା ଶେଷ ହେଲା ନାହିଁ । ତାହାର ଓଠ ଦୁଇଟା ମେଲା ହୋଇ ରହିଲା । ତାହାର ଦୃଷ୍ଟି ଗୁହାର ଦୁଆର ଉପରେ ଯାଇ ପଡ଼ିଲା ।

 

ରବାର୍ଟ ତତ୍‌କ୍ଷଣାତ୍ ଆଖି ବୁଲାଇଲା । ପରଦାଟା ଗୋଟିଏ ହାତରେ ଆଡ଼େଇ ଦେଇ ପାବ୍‌ଲୋ କାନ୍ଧ ଉପରେ ଅଟୋମେଟିକ ରାଇଫେଲ ଧରି ଠିଆ ହୋଇଛି । ସେ ବିଶେଷ କାହାରି ଆଡ଼କୁ ଅନାଇ ନ ଥିଲା ।

 

ଅବିଶ୍ଵାସ୍ୟ ଗଳାରେ ପିଲାର କହି ପକାଇଲା–“ତୁମେ ?”

 

“ହଁ, ମୁଁ”–ଶାନ୍ତ ସ୍ଥିର ଗଳାରେ ପାବ୍‌ଲୋ ଜବାବ ଦେଲା । ସେ ଗୁହା ଭିତରକୁ ପଶିଗଲା ।

 

ରବାର୍ଟ ପଚାରିଲା–“ତୁମେ । କିନ୍ତୁ ଉଡାଇବାର ଯନ୍ତ୍ର କାହିଁ ? ଫିଉଜ କଅଣ ହେଲା ?”

 

“ଫିଙ୍ଗି ଦେଇଛି, ନଦୀରେ ଫିଙ୍ଗି ଦେଇଛି । କିନ୍ତୁ– ।” ସେ କାହା ଆଡ଼କୁ ଅନାଇଲା ନାହିଁ । “କିନ୍ତୁ ହାତ ବୋମାଦ୍ୱାରା ବିସ୍ଫୋରଣ କାମଟା– ।”

 

“ହଁ, ମୁଁ ବି ସେୟା ଭାବିଛି ।”

 

“କିନ୍ତୁ ମୁଁ କେତେ ଜଣ ବିଶ୍ଵସ୍ତ ଲୋକଙ୍କୁ ନେଇ ଆସିଛି । ସେମାନେ ଉପରେ ଅଛନ୍ତି ।”

 

“ତୁମ ମଥା ଠିକ୍ ଅଛି ତ ?” ପିଲାର ପଚାରିଲା–“ତୁମର କଅଣ ହୋଇଛି ?”

 

“କିଛି ନା । ମୁଁ ଫେରି ଆସିଛି । ମୁହୂର୍ତ୍ତକର ଦୁର୍ବଳତା । କିନ୍ତୁ ମୁଁ ଫେରି ଆସିଛି । ଅନ୍ତରରେ ମୁଁ କାପୁରୁଷ ନୁହେଁ । ରବାର୍ଟ, ମୋର ମନେ ହୋଇଥିଲା, ତୁମେ ଏ କାମ କରି ପାରିବ ନାହିଁ । ମାତ୍ର ପରେ ମନେ ହେଲା, ଏହା ସମ୍ଭବ ।”

 

ରବାର୍ଟ ପାବ୍‌ଲୋ କତିକି ଆଗେଇ ଗଲା–“ତୁମେ ଫେରି ଆସିଲ, ଖୁସି ହେଲି । ହାତବୋମା ଦ୍ଵାରା କାମ ଚଳାଇବାକୁ ହେବ ।”

 

“ତୁମକୁ କିଛି କହିବାକୁ ହେବନାହିଁ । ତୁମେ ଆମର ଅମଙ୍ଗଳ ନେଇ ଆସିଛ । ଏହି ଯେ ଏତେ ଗଣ୍ଡଗୋଳ, ସବୁ ତୁମରି ସକାଶେ । ସାର୍ଦୋ ବି ସେୟା । ଯାହାହେଉ, ଜିନିଷଗୁଡ଼ାକ ନଦୀରେ ଫିଙ୍ଗି ଦେବାପରେ ବୁଝି ପାରିଲି ଯେ ମୁଁ ତୁମ୍ଭମାନଙ୍କଠାରୁ କେତେ ଦୂରକୁ ଚାଲିଗଲି । ବୁଝି ପାରିଲି ଯେ ମୁଁ ନିତାନ୍ତ ଏକା ।”

 

“ତୁମ ମାଆର–” କଥା ଶେଷ କରି ପାରିଲା ନାହିଁ ପିଲାର, ଅଟକିଗଲା ।

 

“ମୁଁ ସାର୍ଦୋର କଥା ଢେର ଭାବିଛି । ଯଦି ମରିବାକୁ ପଡେ, ତାହାହେଲେ ତୁମ୍ଭମାନଙ୍କ ସାଙ୍ଗରେ ମରିବି । କିନ୍ତୁ ରବାର୍ଟ, ତୁମକୁ ମୁଁ ଘୃଣା କରେଁ । ତୁମେ ତ ଆମର ଏହି ଦୁର୍ଭାଗ୍ୟ ନେଇ ଆସିଛ !”

 

“ଦିଅ, ତାହାଙ୍କୁ ଖାଇବାକୁ ଦିଅ !” ପିଲାରର ବିଦ୍ରୂପ ଅସ୍ତ୍ର ପରି ଧାରୁଆ ହେଲା । “ଓ, ତାହାହେଲେ ତୁମେ ପୁଣି ଆସିଛ, କିଛି କହୁଛ ?”

 

“ହଁ !”

 

“ମୋର ଧାରଣା ନ ଥିଲା, ତୁମେ ନରକରେ ଯାଇ ପଡ଼ିଲଣି ।”

 

“ଯାହା କରିଛି, ତା’ ପରେ ଯେଉଁ ଏକାକୀତ୍ଵ, ତାହା ଅସହ୍ୟ ।”

 

“ଜଲଦି ଜଲଦି ଖାଇଦିଅ, ବାହାରିବାକୁ ହେବ, ତୁମର ଅଭିନୟ ଦେଖିବାକୁ ଆମର ଧୈର୍ଯ୍ୟ ନାହିଁ ।”

 

ଅନ୍ଧାରରେ ଗଛର ଫାଙ୍କରେ ସେମାନେ ପାହାଡ଼ ଉପରକୁ ଉଠିଆସିଲେ । ପ୍ରତ୍ୟେକଙ୍କ କାନ୍ଧରେ ଓ ପିଠିରେ ବୋଝ । ଘୋଡ଼ା କେତୋଟିର ପିଠିରେ ବି ଜିନିଷପତ୍ରର ଅଭାବ ନାହିଁ । ରବାର୍ଟର ପିଠିରେ ଭାରୀ ବୋଝ, ଜ୍ୟାକେଟର ପକେଟରେ ହାତ ବୋମା ଭର୍ତ୍ତି, ଜମରରେ ପିସ୍ତଲ ବନ୍ଧା, ଟ୍ରାଉଜରର ପକେଟରେ ସବ୍‌ମେସିନଗନର ଗୁଳି ।”

 

“ରବାର୍ଟ ।” ପାବ୍‌ଲୋ ତାହା ପଖକୁ ଘୁଞ୍ଚିଯାଇ କହିଲା–“ପାଞ୍ଚ ଜଣ ଲୋକ ଦେଇ ମୁଁ ତୁମକୁ ସାହାଯ୍ୟ କରି ପାରିବି ।”

 

“ନିଶ୍ଚୟ, ସଫଳ ହେବାକୁ ପଡ଼ିବ ।”

 

“ଏହି ପାଞ୍ଚ ଜଣ ଓ ମୁଁ ନିଜେ, ତଳଟା ସମ୍ଭାଳିବୁ ।”

 

“ବେଶ୍ ।”

 

“ତାର କାଟି ସାରିଲା ପରେ ପୋଲ ପାଖରେ ଯାଇପହଞ୍ଚିବା– ଯାହା ଆମର କଥା ହୋଇଥିଲା ।” ରବାର୍ଟ ପଚାରିଲା– “ତମକୁ ପୂରାପୂରି ବିଶ୍ୱାସ କରିପାରେ କି, ପାବ୍‌ଲୋ ? ସେ ହସି ଦେଲା । ପିଲାର ଓ ମାରିୟା ପଛରେ ପଡିଥିଲେ । ସେମାନେ ପାଖକୁ ଆସିଗଲାରୁ, ରବାର୍ଟ ପଚାରିଲା–“ମାରିୟା, କିଛି କଷ୍ଟ ହେଉ ନାହିଁ ତ ?”

 

“ନା, ଚମତ୍କାର, ରବାର୍ଟ !”

 

ତା ପରେ ଅନ୍ଧାରରେ ସେହି ଲୋକମାନଙ୍କୁ ଘୋଡ଼ା ଉପରେ ଦେଖାଗଲା, ଯେଉଁମାନଙ୍କ କଥା ପାବ୍‌ଲୋ କହିଥିଲା । “ସଲାମ !” ରବାର୍ଟ କହିଲା ।

 

“ସଲାମ !” ଅନ୍ଧାରରେ ସେମାନେ ଫେରାଇଦେଲେ ।

 

ପାବ୍‌ଲୋ ଚିହ୍ନାଇଦେଲା । “ଏ ହେଉଛି ସେହି, ଯେ ଡ଼ିନାମାଇଟ ନେଇ ଆସିଛି ।” ଏହାର ଉତ୍ତରରେ କେହି କିଛି କହିଲେ ନାହିଁ, ହୁଏତ ଅନ୍ଧାରରେ ମୁଣ୍ଡ ହଳେଇଲେ ।

 

ସେମାନଙ୍କ ଭିତରୁ ଜଣେ କହିଲା–“ଚାଲ ଯିବା, ପାବ୍‌ଲୋ । ଫର୍ଚ୍ଚା ହେବାକୁ ଆଉ ଡେରି ନାହିଁ ।”

 

“ଆସ ମୋ ସାଙ୍ଗରେ । ଜାଗା ଦେଖାଇ ଦେବି, କେଉଁଠି ଘୋଡ଼ା ରଖିବାକୁ ହେବ ।” ପାବ୍‌ଲୋ ଆଗେଇଗଲା ।

 

ଅନ୍ଧାରରେ ପାବ୍‌ଲୋ ଅଟକିଲା ଏବଂ ଘୋଡ଼ାରୁ ଓହ୍ଲାଇଲା । ତା ପରେ ସମସ୍ତେ ଓହ୍ଲାଇଲେ । ରବାର୍ଟ ହାତର ଆଢ଼ୁଆଳରେ ନିଆଁ ଲୁଚାଇ ଖଣ୍ଡିଏ ସିଗାରେଟ୍ ଲଗାଇଲା । ସେ ଶୁଣି ପାରିଲା, ପାବ୍‌ଲୋ ମୃଦୁ ଗଳାରେ କହୁଛି–“ହାତ ବୋମାର ବସ୍ତାଟା ମୋତେ ଦିଅ, ପିଲାର ।”

 

ରବାର୍ଟ ଫୁସ୍‌ଫୁସ୍‌ କରି କହିଲା– “ଅଗାଷ୍ଟିନ, ତୁମେ ଆଉ ଏନସେଲମୋ ମୋ ସାଙ୍ଗରେ ଚାଲ । ଶୁଣ ।” ସେ ପିଲାର ଆଡ଼କୁ ମୁଖ ବୁଲାଇଲା । ସେତେବେଳେ ପିଲାର ବୋଝ ଉତାରୁଥିଲା ।

 

“କଅଣ କହୁଛ ?”

 

“ମନେ ଅଛି ତ, ଘାଟି ଆକ୍ରମଣ କରିବ ନାହିଁ, ଯେତେବେଳ ଯାଏ ବୋମାର ଶବ୍ଦ ଶୁଣିବାକୁ ନ ପାଇଛ ।”

 

“କେତେ ଥର ସେହି କଥା କହୁଥିବ ?”

 

“ଖାଲି ମନେ ପକାଇ ଦେଉଛି । ଘାଟି ସାବାଡ଼ କଲା ପରେ ଯାଇ ପୋଲ ଆଡୁକୁ ଆଗେଇଯିବ । ମୋ ବାମ ପଟେ ଉପରୁ ପହରା ଦେବ ।”

 

“ମନେ ଅଛି, ଭୁଲିବୁ ନାହିଁ ! ତୁମେ ନିଜର କାମ ଆରମ୍ଭ କର ।”

 

“ଆଉ, କେହି ଘୁଞ୍ଚିବ ନାହିଁ ନିଜ ଜାଗାରୁ, ଗୁଳି ଫୁଟାଇବ ନାହିଁ କି ବୋମା ପକାଇବ ନାହିଁ, ଯେତେ ବେଳ ଯାଏ ବୋମାର– ।”

 

“ଆଉ ବିରକ୍ତ କର ନାହିଁ, ରବାର୍ଟ”–ପିଲାରର ଗଳାରେ ଚାପା ରାଗ ।

 

ରବାର୍ଟ ପାବ୍‌ଲୋ ପାଖକୁ ଗଲା ଏବଂ ପଚାରିଲା–“ସମସ୍ତେ ସବୁ କଥା ବୁଝିଛନ୍ତି ତ ?”

 

“ନୁହେଁ ତ ଆଉ କଅଣ ? ଘାଟି ଉଡାଇ ଦିଅ, ତାର କାଟି ଦିଅ, ପୋଲ ପାଖରେ ଯାଇ ଠିଆ ହୁଅ ଏବଂ ଲକ୍ଷ୍ୟ ରଖ ଯେତେବେଳେ ଯାଏ ପୋଲାଟା ଖତମାନ ହୋଇଛି ।”

 

“ବେଶ୍ । ଆମେ ଯାଉଛୁଁ । ଅନ୍ଧାର ଥାଉଁ ଥାଉଁ ଠିକ୍ ଜାଗାରେ ଯାଇ ଲୁଚିବାକୁ ହେବ ।”

 

“ହଁ, ଚାଲ ।”

 

ରବାର୍ଟ ମନେ ମନେ ଭାବିଲା, ଏହି ହାରାମଜାଦାର ଆଉ କିଛି ମତଲବ ଅଛି କି ନା କେଜାଣି ।

 

“ଆଚ୍ଛା ।” ପାବ୍‌ଲୋ ହାତ ବଢ଼ାଇଦେଲା । ଅନ୍ଧାରରେ ସେମାନେ ହାତ ମିଳାଇଲେ ।

 

ମନେ ହେଲା, ହୁଏତ ସାପର କି କୁଷ୍ଠ ରୋଗୀର ଛୁଆଁ ଲାଗିବ । କିନ୍ତୁ ସେହି ଅନ୍ଧାରରେ ରବାର୍ଟ ପାବ୍‌ଲୋର ହାତରେ ଆନ୍ତରିକତାର ସ୍ପର୍ଶ ଅନୁଭବ କଲା । ତାହାର ମନେ ହେଲା, ଏମାନେ ତାହାର ବନ୍ଧୁ । କିନ୍ତୁ ଆଶ୍ଚର୍ଯ୍ୟ ଲୋକ ଏହି ପାବ୍‌ଲୋ ।

 

“ତମେ ଦୁହେଁ ଏଠି କଅଣ କରୁଛ ?” ଅନ୍ଧାରରେ କେତେବେଳେ ପିଲାର ଆସି ସେମାନଙ୍କ ପଛରେ ଠିଆ ହେଲାଣି । “ଭଣ୍ଡାମି କରୁଛ ନା କଅଣ ନା କଅଣ ?” ସେ ପାବ୍‌ଲୋକୁ କହିଲା–“ଏତିକି ତୁମର ବାକି ଥିଲା ।” ରବାର୍ଟକୁ କହିଲା–“ଆରମ୍ଭ କର । ତୁମର ଏହି ବିଦାୟର ପର୍ବଟା ସଂକ୍ଷିପ୍ତ କର, ଆଉ କିଛି ମାଲ ଚୋରି ହେବା ଆଗରୁ । ଘୋଡ଼ା ଅଟକାଇ ମାରିୟା ଠିଆ ହୋଇଛି, ତେଣେ ଥରେ ଯାଅ ।” ରବାର୍ଟ ଆଗେଇଗଲା ।

 

“ଚାଲିଲି, ମାରିୟା । ଫେର୍ ଦେଖା ହେବ ।”

 

“ବିଦାୟ ସାବଧାନ କିନ୍ତୁ ।”

 

“ନିଶ୍ଚୟ ।” ସେ ନଇଁ ପଡ଼ିଲା ଏବଂ ମାରିୟାର ମୁଖ ଉପରେ ମୁଖ ରଖିଲା–“କାନ୍ଦ ନାହିଁ ।”

 

“ମୁଁ କାନ୍ଦୁ ନାହିଁ । କିନ୍ତୁ ତୁମେ ଜଲ୍‌ଦି ଫେରି ଆସିବ ।”

 

“ଗୁଳିର ଶବ୍ଦ ଶୁଣିବ । ବ୍ୟସ୍ତ ହୁଅ ନାହିଁ ।”

 

“ନା, ତୁମେ ଖାଲି ଜଲ୍‌ଦି ଆସିବ ।”

 

“ବିଦାୟ ।”

 

“ସଲାମ, ରବାର୍ଟ ।”

 

 

ସେମାନେ ସାବଧାନରେ ତଳକୁ ଓହ୍ଲାଇବାକୁ ଲାଗିଲେ । ଆଗେ ଏନସେଲମୋ, ପଛରେ ଅଗାଷ୍ଟିନ, ଆଉ ତା ପରେ ରବାର୍ଟ ଜୋର୍ଡାନ । ଜୋତା ତଳେ କଣ୍ଟା ପରି ଶୁଖିଲା ପାଇନର ଡାଳ ।

 

ଏନସେଲମୋ ଗୋଟାଏ ପାଇନ ଗଛ ତଳେ ଅଟକିଲା ଏବଂ ରବାର୍ଟର କହୁଣି ଧରି ପକାଇ ଅତି ମୃଦୁ ସ୍ଵରରେ କହିଲା–“ଦେଖ, ପୋଷ୍ଟ କଡ଼ରେ ଚୁଲିର ନିଆଁ ।”

 

ସେହି ପୋଷ୍ଟ ତଳେ ପୋଲ ରାସ୍ତା ସାଙ୍ଗରେ ମିଶିଛି । “ଏଇଠି ଛିଡ଼ା ହୋଇ ଆମେ ପୋଲ ଦେଖିଥିଲୁ ।”

“ଏଇଠି ମେସିନ ଗନ୍ ବସାଇବୁ ।”

 

“ବେଶ୍ ।” ସେମାନେ ଗଣ୍ଠିରି ଓହ୍ଲାଇଲେ ।

 

ରବାର୍ଟ କହିଲା– “ଅଗାଷ୍ଟିନ, ଆଲୁଅ ହେଲେ ଏଇଠୁ ଦେଖିବାକୁ ପାଇବ, ପୋଲର ମୁଖରେ ସରୁ ରାସ୍ତା, ମୋଡ଼ କତିରେ ପଥର ଆରମ୍ଭ ହେଲା । ଏଇଠି ତୁମେ ଲୁଚି ରହିବ ଯେତେବେଳ ଯାଏ ମୋର କାମ ଚାଲିବ ଏବଂ ଉପରୁ ବା ତଳୁ ଯାହାକୁ ପୋଲ ଆଡ଼କୁ ଯିବାର ଦେଖିବ, ତୁରନ୍ତ ଗୁଳି କରିବ ?”

 

“ସନ୍ତ୍ରୀ ଉପରେ କିଏ ନଜର ରଖିବ ?”

 

“ମୁଁ ଆଉ ଏନସେଲମୋ । ଯଦି ଦେଖ ଯେ ଆମେ ସନ୍ତ୍ରୀମାନଙ୍କୁ କିଛି କଲୁ ନାହିଁ, ତୁମେ ନିଶ୍ଚୟ ଗୁଳି କରିବ ।”

 

“ପରେ ଖାଇବି । ଖାଲି ଓଠରେ ଜାକି ରଖିବି, ଲଗାଇବି ପରେ ।”

 

ରବାର୍ଟ ସିଗାରେଟ ପାକେଟଟା ବଢ଼ାଇ ଦେଲା । ଅଗାଷ୍ଟିନ ତିନିଟା ସିଗାରେଟ ନେଲା ।

 

“ବନ୍ଧୁକର ନଳରୁ ତେଲ ପୋଛି ଦେଇଛି ତ, ଏନସେଲମୋ ?”

 

“ହଁ, ସେସବୁ କାମ ଗୁହାରେ ସାରି ଦେଇଛି ।”

 

“ତାହା ହେଲେ ଆଗେଇ ଯାଅ । ପୁଣି ପରେ !”

 

“ପରେ !” ଏନସେଲମୋ ନିଃଶବ୍ଦରେ ପାଇନ ଗଛର ଉହାଡ଼ରେ ଆଗେଇ ଗଲା ।

ପାଇନ ଗଛର ଗଣ୍ଡି ପଛରେ ରବାର୍ଟ ବାମ ହାତରେ ବନ୍ଧୁକ ଧରି ପଡ଼ିରହିଲା । ସନ୍ତ୍ରୀ ତାହାର ଡେରାରୁ ବାହାରି ଆସି ନିଆଁ ସାମନାରେ ଠିଆ ହେଲା । ରବାର୍ଟ ଭୋରର ଆଲୁଅକୁ ଅପେକ୍ଷା କରି ରହିଲା ।

 

ରାସ୍ତା ଓ ପୋଲ ଉପରେ ପାହାଡ଼ର ଢାଲୁରେ ପାଇନ ଗଛର ପଛରେ ଶୋଇ ରହି ରବାର୍ଟ ଭୋରର ପ୍ରଥମ ଆଲୁଅ ଦେଖିପାରିଲା । ସେଦିନର ଏହି ବେଳଟିକୁ ଭାରି ଭଲପାଏ । ସେ ମନଦେଇ ଦେଖିବାକୁ ଲାଗିଲା, ଆକାଶ ସାରା ଭୋରର ଆଲୁଅ ଖେଳି ଯାଇଛି, ଅତି ଉଚ୍ଚରେ ଗଛର ପତରରେ ମଧ୍ୟ । ଚାରିଆଡ଼େ ପାଇନର କଣ୍ଟା ପଡ଼ିଛି । ଗଛର ଆକାର ସ୍ପଷ୍ଟ ହୋଇଛି । ପୋଲର ଆକୃତି ମଧ୍ୟ ସ୍ପଷ୍ଟ ହୋଇଛି । ରବାର୍ଟ ପୋଲର ପ୍ରାନ୍ତରେ ସନ୍ତ୍ରୀର କାଠ–ଡେରାଟା ଦେଖି ପାରିଲା । ରାସ୍ତାର କୋଣରେ ଦୁଇ ଜଣ ସୈନ୍ୟ ମଥାରେ ଶିରସ୍ତ୍ରାଣ ଓ ପିଠିରେ ରାଇଫେଲ ପକାଇ ପୋଲ ଆଡକୁ ଆଗେଇ ଯାଉଛନ୍ତି । ଜଣେ ସୈନିକ ସନ୍ତ୍ରୀ–ଘରର କାନ୍ଥ ପାଖରେ ପକେଟରୁ ତମାଖୁ–ଥଳି ବାହାର କରି ସିଗାରେଟ ବଳିଲା ଏବଂ କେତେ ଥର ଲାଇଟାରରେ ସିଗାରେଟ ଲଗାଇବାକୁ ଚେଷ୍ଟା କଲା; ମାତ୍ର ପାରିଲା ନାହିଁ । ସେ ଚୂଲିରୁ ସିଗାରେଟ ଲଗାଇ ଟାଣିବାକୁ ଲାଗିଲା । ଗୋଟିଏ ଗୁଣ୍ଡୁଚିମୂଷା କିଚ୍‌ କିଚ୍‌ କରି ପାଇନ ଗଛର ଡାଳକୁ ଚଢିଗଲା । ରବାର୍ଟ ମୁଣ୍ଡ ଉପରକୁ ଅନାଇଲା । ତାହାର ମନେ ହେଲା, ଗୁଣ୍ଡୁଚିମୂଷାଟା ବଞ୍ଚିଯିବ l ହଁ, ନିଶ୍ଚୟ । ଗୁଣ୍ଡୁଚିମୂଷାଟା ବଞ୍ଚୁ ପଛକେ, ମାତ୍ର ମୁଁ ପୋଲଟା ଉଡାଇ ଦିଏଁ । ସେ ସେମିତି ନିଃଶବ୍ଦରେ ପଡ଼ି ରହିଲା । ସକାଳର ନରମ ଆଲୁଅ ଚାରିଆଡ଼େ ଖେଳିଗଲା । ସେ ମନକୁ ମନ କହିଲା–କିଛି ଚିନ୍ତା କର ନାହିଁ, ରବାର୍ଟ, ଆଦୌ ଭାବ ନାହିଁ କି ସନ୍ତ୍ରୀ ଆଡ଼କୁ ଅନାଅ ନାହିଁ ।

 

ଚମଡା କୋଟ ଓ ଟୋପି ପିନ୍ଧି ଏବଂ ପିଠିରେ ଅଟୋମେଟିକ ରାଇଫେଲ ପକାଇ ଜଣେ ଲୋକ ପୋଲ ଉପରେ ମଟର ସାଇକେଲରେ ଆସି ରାସ୍ତାରେ ମିଳେଇଗଲା । ଏମ୍ବୁଲେନ୍‌ସ ପାର ହୋଇଗଲା । ନିଃଶ୍ଵାସରେ ପାଇନର ଗନ୍ଧ, ଝରଣାର ଶବ୍ଦ ଶୁଭୁଛି, ଆଉ ପୋଲଟା ସକାଳର ଆଲୁଅରେ ପରିଷ୍କାର ଓ ସୁନ୍ଦର ଦିଶୁଛି । ରବାର୍ଟ ସବ୍–ମେସିନ ଗନ୍ ତଳେ ବାମ ହାତଟା ପୂରାଇ ଅପେକ୍ଷା କରିବାକୁ ଲାଗିଲା । ସତରେ ମଇ ମାସରେ ଏପରି ଅପୂର୍ବ ସକାଳ କ୍ଵଚିତ୍ ଦେଖିବାକୁ ମିଳେ । କିନ୍ତୁ ପର ମୁହୂର୍ତ୍ତରେ ସେ ବୋମାର ଶବ୍ଦ ଶୁଣିବାକୁ ପାଇଲା ।

 

ରବାର୍ଟ ସବ୍–ମେସିନ ଗନ୍‌ଟାକୁ ଠିକ୍‌ ଭାବରେ ଠିଆ କରାଇଲା । ସେ ଦେଖିବାକୁ ପାଇଲା, ପୋଲର ସନ୍ତ୍ରୀ ରାଇଫେଲ ଧରି ସନ୍ତ୍ରୀ–ଡେରାର ବାହାରେ ଆସି ଠିଆ ହେଲା । ସୂର୍ଯ୍ୟ କିରଣରେ ତାହାର ଦେହ ଝଟକୁଛି । ସେ ଆକାଶ ଆଡ଼କୁ ମୁଖ ଟେକି ଅନାଇଲା, ଯେଉଁଆଡ଼େ ଉଡ଼ାଜାହାଜରୁ ବୋମା ପଡ଼ୁଥିଲା ।

 

ତାହାର ନିଃଶ୍ଵାସ ଭାରି ହୋଇଆସିଲା, ଯେମିତି ଛାତି ଭିତରେ ଗୁଡ଼ାଏ ତାରର ବନ୍ଧନ । ସେ ଖୁବ୍ ଆସ୍ତେ ଟ୍ରିଗାରଟା ଟାଣିଲା । ତାହାର କାନ୍ଧରେ ଗୋଟାଏ କ୍ଷିପ୍ର ଧକ୍‌କା ଲାଗିଲା । ଯେତେବେଳେ ସନ୍ତ୍ରୀ ଡେରା ସାମନାରେ ଲୋକଟି ଭୂଇଁରେ ଆଣ୍ଠୁ ମାଡ଼ି ଓଲଟିପଡ଼ିଲା, ସେତେବେଳେ ତାହାର ମୁଖରେ ବିସ୍ମୟର ରେଖା ଖେଳିଗଲା । ତାହାର ରାଇଫେଲଟା ଛିଟିକି ପଡ଼ିଲା । ରବାର୍ଟ ମୁଖ ଫେରାଇ ନେଲା ଏବଂ ପୋଲର ଅପର ପ୍ରାନ୍ତକୁ ଅନାଇଲା, ଯେଉଁଠି ଅଗାଷ୍ଟିନ ଲୁଚି ରହିଥିଲା । ତା ପରେ ସେ ଶୁଣି ପାରିଲା, ଏନସେଲମୋ ଦୁଇଥର ଗୁଳି ଫୁଟାଇଲା ।

 

ଦ୍ୱିତୀୟ ଗୁଳି ସାଙ୍ଗରେ ହାତ–ବୋମାର ଶବ୍ଦ ପୋଲ ତଳୁ ଓ ରାସ୍ତାର ବାମ ପଟରୁ । ତା ପରେ ରବାର୍ଟ ଶୁଣିବାକୁ ପାଇଲା, ରାସ୍ତା ଉପରୁ ରାଇଫେଲର ଶବ୍ଦ ଓ ତଳୁ ପାବ୍‌ଲୋର ଅଟୋମେଟିକ୍ ରାଇଫେଲର ଜବାବ । ସେ ଦେଖିଲା, ଏନସେଲମୋ ନଇଁ ନଇଁ ପୋଲର ଅପର ପ୍ରାନ୍ତକୁ ଦଉଡ଼ି ଯାଉଛି । ରବାର୍ଟ ସବ୍‌–ମେସିନ ଗନଟା କାନ୍ଧ ଉପରକୁ ଉଠାଇଲା, ଭାରୀ ଗଣ୍ଠିରି ଦୁଇଟା ହାତରେ ଧରିଲା ଏବଂ ତା ପରେ ଧାଇଁବାକୁ ଲାଗିଲା । ଠିକ୍‌ ସେତିକିବେଳେ ସେ ଶୁଣି ପାରିଲା ଏନସେଲମୋ ପୁଣି ଗୁଳି ଫୁଟାଇଲା ।

 

ରବାର୍ଟ ମୃତ ସନ୍ତ୍ରୀର ପାଖ ଦେଇ ଆଗେଇଗଲା । ଏନସେଲମୋ ତାହା ଆଡ଼କୁ ଧାଉଁ ଆସି ଚିତ୍‌କାର କରି କହିଲା–“କଅଣ କରିବି ? ତାହାକୁ ଖତମ କରିବା ଛଡ଼ା ମୋର ଅନ୍ୟ ଏନସେଲମୋର ଆଖିରେ ଲୁହ ଦେଖି କହିଲା– “ମୋତେ ବି ତ ଜଣକୁ ମାରିବାକୁ ପଡ଼ିଲା ।”

 

ବୁଢ଼ା ଲୋକଟି ଜବାବ ଦେଲା– “ହଁ, ସେମାନଙ୍କୁ ମାରିବା ଛଡ଼ା ଆଉ କି ଉପାୟ ଅଛି ? ମାରିବାକୁ ତ ହେବ ।”

 

ରବାର୍ଟ ପୋଲର ଖମ୍ବ ଭିତରେ ଇସ୍ପତର କଡି ଧରି ତଳକୁ ଓହ୍ଲାଇଲା । ତଳେ ପାଣିର ଶବ୍ଦ, ଆଉ ଦୂରରେ ଗୁଳିର ଆବାଜ । ଦୂରରେ, ଉପରେ ଘାଟି ପାଖରେ ଗୁଳି ଚାଲିଛି । ତାହାର ଜାମା ଝାଳରେ ଭିଜି ଗଲାଣି । ତାହାର ବାମ ହାତରେ ଝୁଲୁଛି ତାରର ବଣ୍ଡିଲ, ଆଉ କଚଟିରେ ସଣ୍ଡୁଆସି ବନ୍ଧା ଯାଇଛି । ସେ ଏନସେଲମୋକୁ ଡାକି କହିଲା– “ପୁଡ଼ିଆଗୁଡାକ ଗୋଟି ଗୋଟି କରି ଖସାଇ ଦିଅ ତ, ଭାଇ ।”

 

ଏନସେଲମୋ ଭଙ୍ଗା ଇସ୍ପାତ ଉପରେ ଭରା ଦେଇ ବିସ୍ଫୋରକ ଖସାଇ ଦେଲା । ରବାର୍ଟ ତାହାକୁ ସବା ତଳ କଡ଼ି ଉପରେ ସଜାଇ ରଖିଲା ଏବଂ କାଠ ଟୁକୁରାଗୁଡ଼ାକ ସାଙ୍ଗରେ ବିସ୍ଫୋରକକୁ ଜୋରରେ ଭିଡ଼ିଦେଇ, ତା ପରେ ଯନ୍ତ୍ର ପରି କ୍ଷିପ୍ର ହାତରେ ତାରରେ ବାଢ଼ିବାକୁ ଲାଗିଲା ।

 

ସେତେବେଳେ ଉପର ଘାଟିରେ ଗୁଳି ଚାଲିଥିଲା । ରବାର୍ଟ ବିସ୍ଫୋରକ ଉପରେ ଲାଗି ଲାଗି ଦୁଇଟା ହାତ ବୋମା ବସାଇ ଦେଲା ଏବଂ ପୁଣି ତାରରେ ଭିଡ଼ି କରି ବାନ୍ଧି ଦେଲା । ସେ ବାରମ୍ବାର ପରଖିଲା ଏବଂ ତା ପରେ ସଣ୍ଡୁଆସିରେ ତାରର ମୁଖକୁ ତାର ସାଙ୍ଗରେ ଯୋଡ଼ି ଦେଲା ।

 

ରବାର୍ଟ କହିଲା– “ଏଥର ଅନ୍ୟଆଡ଼େ ।” ପ୍ରାୟ ତାର୍ଜନ ପରି କୁଦା ମାରି ମାରି ସେ ଉପରକୁ ଉଠି ଆସିଲା । ସେ ମନେ ମନେ ଭାବିଲା– ବେଶ୍ ତ ହେଲା । କିନ୍ତୁ ଉତ୍ତେଜନା ନୁହେଁ, ଏବେ ବି କାମ ଅଛି, କାମ କର, ଠିକ୍ ସେମିତି ନିଖୁଣ ଓ ଜଲଦି । ଗୋଳମାଳ କର ନାହିଁ, ଯେତେ ଶୀଘ୍ର ତୁମ ପକ୍ଷରେ ସମ୍ଭବ ତାହା ଠାରୁ ବେଶି ଶୀଘ୍ର ଯେମିତି ନ କର । ଏକ୍ଷଣି ଆଉ ନ ପାରିବାର ପ୍ରଶ୍ନ ନାହିଁ । ଚାଲ, ଆଗେଇ ଚାଲ, ଆଉ ଟିକିଏ ସାମନାକୁ ।

 

ପୁଣି ସେମିତି କ୍ଷିପ୍ରତା, ସେମିତି ଚାତୁରୀ ଓ ସେମିତି ତପ୍ରରତା । ସେ ଭାବିଲା– ପିଲାର ନିଶ୍ଚୟ ମୁସ୍କିଲରେ ପଡ଼ିଛି । ସେମାନେ ନିଶ୍ଚୟ ଗୁଳି କରିଛନ୍ତି, କିଛି ଲୋକ ନିଶ୍ଚୟ ସେମାନଙ୍କ ପଟେ ଜମା ହୋଇଛନ୍ତି । ଭଗବାନ । ଟ୍ୟାଙ୍କ ଯେମିତି କୌଣସି ମତେ ନ ଆସି ପହଞ୍ଚୁ । ଏ କଅଣ । ତୁମ ହାତ ଥରୁଛି କାହିଁକି ? ଶେଷ କର, ଏବେ ବି ବନ୍ଧା ବାକି ଅଛି । ନା, ଏତେ ତରବରରେ ନୁହେଁ । ଉପରେ ପିଲାର ନିଶ୍ଚୟ କମ୍ପୁ ନାହିଁ, ମୁଁ ବାଜି ମାରି ଏହା କହି ପାରେ ।

 

ପୁଣି ଗୁଳି ଓ ହାତ ବୋମାର ଶବ୍ଦ । ଯଦି ପାବ୍‌ଲୋ ଫଟାଇବା ଯନ୍ତ୍ରଟାକୁ ଚୋରି କରି ନଥାନ୍ତା । ନଦୀରେ ଫିଙ୍ଗି ଦେଇଛି । ଘୁଷୁରିର ଛୁଆ । ଏହି ନଦୀରେ ପକାଇଛି । ବେଧୁଆଟାଏ । ବୁଢ଼ା ଲୋକଟି କି ଚମତ୍କାର କାମ କରୁଛି । ସେ ସନ୍ତ୍ରୀକୁ ମାରିବାକୁ ଚାହିଁ ନାହିଁ, ତେବେ ଅସ୍ତ୍ର ଥିଲେ ହତ୍ୟା ସେମିତି ଭୟାବହ ମନେହୁଏ ନାହିଁ । କି, କଅଣ ହେଉଛି ? କଅଣ ଭାବୁଛ ? ତୁମର କାମ ଜରୁରୀ, ବିଶେଷ ଜରୁରୀ, ଭାବିବାକୁ ଆଉ ବେଳ ନାହିଁ ।

 

ଉପରକୁ ଉଠି ଆସି ରବାର୍ଟ ଡାକିଲା– “ଏନସେଲମୋ, ଦିଅ, ତାରର ବଡ଼ ବଣ୍ଡିଲଟା ଦିଅ ତ ।”

 

ରବାର୍ଟ ତାର ସାଙ୍ଗରେ ବଡ଼ ପିନ ଲଗାଇ ହାତ–ବୋମା ସାଙ୍ଗରେ ବାନ୍ଧିଲା । ତା ପରେ ସେ କହିଲା– “ତାରର ବଣ୍ଡିଲଟା ସାବଧାନରେ ଧର ।”

 

ଏନସେଲମୋ ତାର ଧରି ଠିଆ ହୋଇରହିଲା । ବାକି କାମ ସାରିବାକୁ ରବାର୍ଟକୁ କେତେ ମୁହୂର୍ତ୍ତ ଲାଗିଲା । ସେ ଏନସେଲମୋର ହାତରୁ ବଣ୍ଡିଲଟା ନେଲା, ତାର ଖୋଲି ଖୋଲି ପଛେଇ ଯିବାକୁ ଲାଗିଲା ଏବଂ ସବ୍‌–ମେସିନ ଗନ୍‌ଟା କାନ୍ଧ ଉପରକୁ ଉଠାଇ ନେଲା । ସେ ପୋଲର ପ୍ରାନ୍ତରେ ବଡ଼ ପଥର ପାଖରେ ଛିଡ଼ ହେଲା । ତାର କାଟି ପକାଇ ସେ କହିଲା–“ଧର, ଖୁବ୍ ହଲୁକା କିନ୍ତୁ ଶକ୍ତ କରି । ଯେତେବେଳେ ଟାଣିବ, ଜୋରରେ ଟାଣିବ । ତାହା ହେଲେ ପୋଲଟା ଉଡ଼ିଯିବ । ବୁଝିଲ ?”

 

“ହଁ ।”

 

“ଟାଣି ଧରିବ, ଯେମିତି କେଉଁଠି ଢିଲା ହୋଇ ନ ଯାଏ । ଜୋରରେ ଟାଣିବ ।”

 

“ହଁ ।”

 

ଏତିକିବେଳେ ପିଲାରର, ଦଳକୁ ରାସ୍ତା ଉପରେ ଦେଖାଗଲା । କିଛି ଲୋକ ଖତମ ହୋଇଥିଲେ ।

 

ପ୍ରିମିଟିଭୋ ଓ ରାଫେଲର କାନ୍ଧରେ ଭରା ଦେଇ ଫାର୍ନାଣ୍ଡୋ ଆସୁଥିଲା । ପାଖକୁ ଆସିଲାରୁ ରବାର୍ଟ ଦେଖିବାକୁ ପାଇଲା, ତାହାର ପେଟରେ ଗୁଳି ବାଜିଛି । ପିଲାର ତିନିଟା ରାଇଫେଲ ଧରି ଆସିଲା ।

 

ପ୍ରିମିଟିଭୋ ପଚାରିଲା– “କେମିତି ଚାଲିଛି ?”

 

“ପ୍ରାୟ ଶେଷ ହୋଇଗଲାଣି”–ରବାର୍ଟ ଜବାବ ଦେଲା ।

 

“ମୋତେ ଗୋଟିଏ ରାଇଫେଲ ଦିଅ ।” –ଫାର୍ନାଣ୍ଡୋ ମିନତି କଲା ।

 

“ନା ତୁମକୁ ଆମେ ଘୋଡ଼ାର ପିଠିରେ ବସାଇ ଫେରାଇ ନେଇଯିବୁ ।”

 

ରବାର୍ଟ ଏନସେଲମୋକୁ ନିର୍ଦ୍ଦେଶ ଦେଲା– “ଟ୍ୟାଙ୍କ ଆସିବାର ଦେଖିଲେ ପୋଲ ଉଡ଼ାଇ ଦେବ । ବାକି ସବୁ ପାବ୍‌ଲୋ ସମ୍ଭାଳିବ ।”

 

“ଏକ୍ଷଣି ତ ତୁମର ଟିକିଏ କାମ ବାକି ଅଛି । ତୁମେ ପୋଲ ତଳେ ଥିବ, ମୁଁ କେମିତି ପୋଲଟା ଉଡ଼ାଇ ଦେବି ?”

 

“ମୋ କଥା ଚିନ୍ତା କର ନାହିଁ । ଯଦି ପୋଲ ଉଡ଼ାଇବାର ପ୍ରୟୋଜନ ମନେକର, ତାହାହେଲେ ଉଡ଼ାଇ ଦେବ । ମୁଁ ଆରଟା ଠିକ୍ କରି ଆସିଛି । ତା ପରେ ଦୁହେଁ ଏକା ସାଙ୍ଗରେ ଉଡ଼ାଇବା ।” ରବାର୍ଟ ପୋଲ ଆଡ଼କୁ ଦୌଡ଼ିଲା ।

 

ଫାର୍ନାଣ୍ଡୋ କହିଲା–“ମୋତେ ଏଇଠି ଛାଡ଼ି ଦେଇ ଯାଅ । ଭୀଷଣ କଷ୍ଟ । ହଲଚଲ ହେଲାବେଳେ ବୁଝି ପାରୁଛି, ଭିତରେ ପ୍ରଚୁର ରକ୍ତପାତ ହେଉଛି ।”

 

“ଚାଲ, ତୁମକୁ ପାହାଡ଼ର ଢାଲୁରେ ରଖିଦେଇ ଆସିବି ।”

 

“କିଛି ଲାଭ ନାହିଁ । ଏଇଠି ଖଣ୍ଡିଏ ପଥର ପଛରେ ମୋତେ ରଖି ଦେଇ ଯାଅ । ସେଥିରେ ବରଂ ଢେର କାମ ହେବ । ସତରେ ମୋତେ ଟିକିଏ ଦୟା କର, ମୋତେ ଆଉ ଟଣାଟଣି କର ନାହିଁ । ସେ ଆଖି ବୁଜିଲା । ତାହାର ଓଠ ଥରୁଥିଲା । କିଛି କ୍ଷଣ ପରେ ଆଖି ଖୋଲି ସେ କହିଲା– “ଏଇଠି ବେଶ୍‌ ଆରାମରେ ଅଛି । ରାସ୍ତାର ଉପରଟା ଦେଖି ପାରୁଛି, ପୋଲ ବି ଦିଶୁଛି ।” ସେ ପୁଣି ଆଖି ବୁଜିଲା । ପୁଣି ଗୋଟାଏ ଦମକା ବ୍ୟଥାରେ ତାହାର ମୁଖ ଫିକା ପଡ଼ିଗଲା ।

 

ସେମାନେ ଚାଲିଗଲେ ।

 

ରାସ୍ତା କଡ଼ରେ ଖଣ୍ଡିଏ ଚୂନ କାମ ହୋଇଥିବା ପଥର ପଛରେ ଫାର୍ନାଣ୍ଡୋ ପଡ଼ିରହିଲା । ପଟି–ବନ୍ଧା ପେଟ ଉପରେ ତାହାର ଦୁଇଟି ହାତ ଥାଏ, ପାଖରେ ରାଇଫେଲଟାଏ ।

 

ଏନସେଲମୋ ତାହା କତିରେ ହାମୁଡ଼େଇ ବସିଥିଲା ।

 

ସେ ଡାକିଲା–“ଫାନାଁଣ୍ଡୋ । ଫାର୍ନାଣ୍ଡୋ ।”

 

ଫାର୍ନାଣ୍ଡୋ ଆଖି ଖୋଲି ଚାହିଁଲା, ଆଉ ପଚାରିଲା–“ତୁମେ ସବୁ ପ୍ରସ୍ତୁତ ତ ?”

 

“ହଁ, ଦେଖ ନା, ଆଉ ଗୋଟିଏ ମିନିଟ ଭିତରେ ପୋଲଟା ଉଡ଼ାଇ ଦେଉଛି ।” ଏନସେଲମୋ ଚାରିଆଡ଼େ ଆଖି ବୁଲାଇ ନେଲା । ଏବଂ ତାରର ଶେଷ ମୁଣ୍ଡ ଯାଏ ଦେଖିନେଲା । ତାହାର ମନରେ ତିଳେମାତ୍ର ଭୟ ନାହିଁ, କେବେହେଲେ ନଥିଲା । “କିନ୍ତୁ ସନ୍ତ୍ରୀଟାକୁ ମାରିବାକୁ ମୁଁ ଚାହିଁ ନଥିଲି । ହତ୍ୟା କି ବୀଭତ୍ସ କାର୍ଯ୍ୟ । ମନେହୁଏ, ତୁମେ ନିଜର ଭାଇକୁ ଗୁଳି କଲ । ନା, ଆଉ ସେ ସବୁ କଥା ଭାବିବ ନାହିଁ । ମୁଁ ଏକ୍ଷଣି ଲଢ଼େଇ କରିବାକୁ ଆସିଛି । ଲଢ଼େଇ ଛଡ଼ା ମୋର ଆଉ କୌଣସି ସମସ୍ୟା ନାହିଁ । ଯଦି ଆଜି ସକାଳେ ମୋର ମୃତ୍ୟୁ ଘଟେ, ତା ହେଲେ ସୁଦ୍ଧା ମୋର ମଥା ଖେଳାଇବାର କିଛି ନାହିଁ ।” ସେ ଫାର୍ନାଣ୍ଡୋ ଆଡ଼କୁ ଅନାଇଲା । ତାହାର ଓଠ ନୀଳ ହୋଇ ଗଲାଣି, ଆଖି ବନ୍ଦ, ଟାଣି ଟାଣି ନିଃଶ୍ଵାସ ନେଉଛି । “ଯଦି ମୋର ମୃତ୍ୟୁ ହୁଏ, ଯେମିତି ମୁହୂର୍ତ୍ତକ ଭିତରେ ସବୁ ଶେଷ ହୋଇଯାଏ । ଆଜି ଏତିକି ମାତ୍ର ମୋର ପ୍ରାର୍ଥନା । ମୋର ଆଉ କିଛି ଲୋଡ଼ା ନାହିଁ । ମୁଁ ଯାହା ଚାହୁଁଛି, ଖାଲି ସେତିକି ମୋତେ ଦିଅ ।”

 

ଉଚ୍ଚ ପାହାଡ଼ର ଚୂଡ଼ାରୁ ପିଲାର ଚିତ୍‌କାର କଲା– “ଏନସେଲମୋ; ଘୁଷୁରିଟା ଗଲା କୁଆଡ଼େ ?”

 

ଏନସେଲମୋ ଜବାବ ଦେଲା–“ଟିକିଏ ଧୈର୍ଯ୍ୟ ଧର, ବାବା । କାମ ସାରିବାକୁ କିଛି ସମୟ ଲାଗିବ ।”

 

“ଏତେ ସମୟ ?” ସେମିତି ବଡ଼ ପାଟିରେ ।

 

“ଏଟା ଗୋଟାଏ ବୈଜ୍ଞାନିକ– ।”

 

“ଚୁଲିକୁ ଯାଉ ତୁମର ବିଜ୍ଞାନ । ସମୟର ଜ୍ଞାନ ହେଲା ବଡ଼ କଥା ।”

 

ପାବ୍‌ଲୋ ଯେଉଁଠି ପହରା ଦେଉଥିଲା, ସେଠାରୁ ଗୁଳିର ଆବାଜ ଶୁଣାଗଲା ।

 

ରବାର୍ଟ ମଧ୍ୟ ଗୁଳିର ଆବାଜ ଶୁଣି ପାରିଲା । ସେତେବେଳକୁ ସେ ତାର ଯୋଡ଼ି ସାରି ଉପରକୁ ଉଠି ଆସୁଥିଲା । ଯେତେବେଳେ ସେ ତାର ଖୋଲି ଖୋଲି ପଛେଇ ଆସୁଥିଲା, ସେତେବେଳେ ସେ ମେସିନଗନ୍‌ର ଶବ୍ଦ ଶୁଣିବାକୁ ପାଇଲା । ସେ ରାସ୍ତାର ମୋଡ଼ ଆଡ଼କୁ ଅନାଇଲା । ସେ ସନ୍ତ୍ରୀ ଡେରା ଟପି ରାସ୍ତା ଉପରକୁ ଆସିଗଲା, ରାସ୍ତା ଟପି ପାହାଡ଼ ତଳକୁ, ଆଉ ତା ପରେ ପ୍ରାୟ ଏନସେଲମୋର ସାମନାରେ ପହଞ୍ଚିଗଲା ।

 

ରାସ୍ତାରେ ଗାଡ଼ିର ଶବ୍ଦ ଶୁଭିଲା । ପାହାଡ଼ି ପଥ ଦେଇ ରାସ୍ତାର ମୋଡ଼ରେ ରବାର୍ଟ ଗାଡ଼ି ଦେଖିବାକୁ ପାଇଲା । ହାତରେ ତାରଟା ଟାଣି ଧରି ସେ ଏନସେଲମୋକୁ କହିଲା– “ଉଡ଼ାଇ ଦିଅ ।” ସେ ଭୂଇଁରେ ଶକ୍ତ ପାଦରେ ଠିଆ ହୋଇ ପଛକୁ ଝୁଙ୍କି ପଡ଼ିଲା । ତାହାର କଚଟିରେ ତାରର ଗୋଟିଏ ପେଣ୍ଡୁଳା । ଗାଡ଼ି ଆଗେଇ ଆସୁଛି, ରାସ୍ତା ଉପରେ ମୃତ ସନ୍ତ୍ରୀ, ଲମ୍ବା ପୋଲ । ସେ ଏନସେଲମୋ ଆଡକୁ ଚକିତେ ଥରେ ମାତ୍ର ଅନାଇ ଦଉଡ଼ି ଟାଣି ଦେଲା ।

 

ପୋଲର, ମଧ୍ୟ ଭାଗଟା ଶୂନ୍ୟକୁ ଉଠିଗଲା ଏବଂ ଢେଉ ଭଳି ଚାରିଆଡ଼େ ଖେଳିଗଲା । ଗୋଟାଏ ବଜ୍ରର ନିଆଁ ହୁଳା ଯେମିତି ତାହାର ଦେହ ଉପରେ ଆସି ପଡ଼ିଲା । ରବାର୍ଟ ଦୁଇ ହାତରେ ମୁଣ୍ଡ ଚାପି ଧରି ତଳକୁ ମୁଖ ନୁଆଁଇଲା । ପଥରର ଟୁକୁରା ଉପରେ ତାହାର ମୁଖ ! ଇସ୍ପାତର ଲକ୍ଷ ଲକ୍ଷ ଟୁକୁରା ସବୁ ମେଘ ପରି ନଦୀର ଜଳରେ, କୂଳରେ ଓ ଏଣେ ତେଣେ ଝରି ପଡିଲା । ସେହି ପରିଚିତ ହଳଦିଆ ଧୂଆଁର କୁଣ୍ଡଳୀ ଓ ଉତ୍‌କଟ ଗନ୍ଧ ।

 

ଇସ୍ପାତ–ବୃଷ୍ଟିପରେ ସେ ଅନୁଭବ କଲା, ସେତେବେଳେ ସେ ବଞ୍ଚିରହିଛି । ସେ ପୋଲ ଆଡ଼କୁ ଅନାଇଲା, ମଝିଟା ପୂରାପୂରି ଉଡ଼ିଯାଇଛି । ରାସ୍ତାର ମୁଖରେ ପ୍ରାୟ ଶହେ ଗଜ ଦୂରରେ ଗାଡି ଠିଆ ହୋଇଛି । ଡ୍ରାଇଭର ଓ ତାହାର ଦୁଇ ଜଣ ସଙ୍ଗୀ ଦଉଡୁଛନ୍ତି ।

 

ଫାର୍ନାଣ୍ଡୋ ପଥର ପାଖରେ ସେମିତି ପଡ଼ି ରହିଛି । ହାତ ଦୁଇଟା ଲମ୍ବି ଯାଇଛି । ତେବେ ବି ତାହାର ନିଃଶ୍ଵାସ ଚାଲୁଛି ।

 

ଏନସେଲମୋ ଚିତ୍ ହୋଇ ପଡ଼ି ରହିଛି । ଭାଙ୍ଗ ହୋଇଥିବା ବାମ ହାତ ଉପରେ ତାହାର ମୁଖ, ଡାହାଣ ହାତ ସାମନାକୁ ଲମ୍ଵି ଯାଇଛି । ତାରର ଗଣ୍ଠିଟା ସେ ହାତରେ ମୁଠାଇ ଧରିଛି । ରବାର୍ଟ ଠିଆ ହେଲା ନାହିଁ । ରାସ୍ତା ଗପି ସେ ଏନସେଲମୋ ପାଖରେ ଆସି ବସି ପଡ଼ିଲା I ନା, ଖତମ ହୋଇ ଯାଇଛି ।

 

ବୁଢା ମଣିଷଟା ଖୁବ୍ ଛୋଟ ଦିଶୁଥିଲା । ରବାର୍ଟ ତାହାର ଛୋଟ ବନ୍ଧୁକଟି ଧରି ଛିଡ଼ା ହେଲା ଏବଂ ଟିକିଏ ଆଗେଇ ଯାଇ ଫାର୍ନାଣ୍ଡୋ ପାଖରୁ ରାଇଫେଲଟା ଉଠାଇ ନେଲା । ସେ ଗଛର ଫାଙ୍କରେ ପାହାଡ଼ ଉପରକୁ ଉଠିଲା, ଯେଉଁଠି ପିଲାର ହାତରେ ରାଇଫେଲ ଧରି ପହରା ଦେଉଥିଲା । ସେ ମୁଖ ବୁଲାଇ ଅନାଇଲା ଏବଂ ପଚାରିଲା– “ବୁଢ଼ାଟା ?”

 

“ଖତମ ହୋଇଛି ।”

 

ରବାର୍ଟ କାଶିଲା ।

 

“କରତ କଳରେ ଆମର ଦୁଇଜଣ ଯାଇଛନ୍ତି । ଏବେ ବି ପାବ୍‌ଲୋ ଲଢ଼େଇ ଚଳାଇଛି ।”

 

“ନରକରେ ପଡ଼ୁ ପାବ୍‌ଲୋ । ଯଦି ସେ ଫଟାଇବାର ଜିନିଷପତ୍ର ଗୁଡ଼ାକ ଚୋରି କରି ନ ଥାଆନ୍ତା, ତାହାହେଲେ ଲୋକଟି ମରି ନ ଥାଆନ୍ତା । ଛାଡ଼, କଅଣ ହେବ ରାଗ କରି ? ଏବେ ବି– ।”

 

ଆକାଶରେ ଉଡ଼ାଜାହାଜର ଶବ୍ଦ ଶୁଭିଲା ।

 

ଘନ ପାଇନ ଗଛର ଆଢ଼ୁଆଳରେ ମାରିୟା ଘୋଡ଼ାଗୁଡିକୁ ଉଗାଳୁଥିଲା । ସେ ଯେଉଁଠି ଥିଲା, ସେଠାରୁ ରାସ୍ତା ଦେଖା ଯାଉ ନଥିଲା । ଗୁଳିର ଶବ୍‌ଦରେ ଧଳା ଘୋଡ଼ାଟି ବାରମ୍ବାର ଚମକି ପଡ଼ୁଥିଲା । ସେ ହାତ ବୁଲାଇ ଘୋଡ଼ାକୁ ଶାନ୍ତ କରୁଥିଲା ଏବଂ ରବାର୍ଟ ପାଇଁ ପ୍ରାର୍ଥନା କରୁଥିଲା । ତା ପରେ ପୋଲ ଉଡ଼ିଯିବା ସଙ୍ଗେ ସଙ୍ଗେ ଗୋଟିଏ ଘୋଡ଼ା ତାହାର ହାତରୁ ଖସି ପଳାଇଲା, ମାତ୍ର ସେ ଧାଇଁ ଯାଇ ତାହାକୁ ଧରି ଆଣିଲା । ତେବେ ବି ଘୋଡ଼ାଟା ଥରୁଥିଲା । ତାପରେ ଗୁଳିର ଶବ୍ଦ । କେଉଁଠି ଯେ କଅଣ ହେଉଛି କିଛି ବୁଝିବାର ଉପାୟ ନାହିଁ । ତାହାର ମନେ ହେଲା– ନା, ଏମିତି ଭାବରେ ବଞ୍ଚି ହୁଏ ନାହିଁ । ତାହାକୁ ନିଃଶ୍ଵାସ ନେବାକୁ କଷ୍ଟ ହେଉଥିଲା, ଜିଭ ଶୁଖି ଯାଉଥିଲା । ହେ ଭଗବାନ । ଯେମିତି ସବୁ ଠିକ୍ ଥାଉ, ରବାର୍ଟର କିଛି ନ ହେଉ । ତାହାକୁ ମୋ ପାଖକୁ ଫେରାଇ ଆଣ । ମୋର ନିଜର ତ କୌଣସି ଭିନ୍ନ ସତ୍ତା ନାହିଁ । ମୁଁ ତ ତାହା ସହିତ ଜଡ଼ିତ ହୋଇଛି । ତା ପରେ ବହୁତ ତଳୁ ସେ ପିଲାରର କଣ୍ଠ ସ୍ଵର ଶୁଣି ପାରିଲା–“ମାରିୟା; ମାରିୟା; ତୋର ରବାର୍ଟ ଠିକ୍ ଅଛି ।”

 

ସେମାନେ ଉଡ଼ାଜାହାଜର ଶବ୍ଦ ଶୁଣି ମୁଖ ଟେକି ଅନାଇଲେ ।

 

ରବାର୍ଟ ପିଲାରକୁ କହିଲା–“ତୁମେ ଥାଅ । ମୁଁ ଅଗାଷ୍ଟିନ୍ ପାଖକୁ ଯାଉଛି ।”

 

ସେ ପାଇନ ଗଛର ଉହାଡ଼ରେ ବୁଲି ବୁଲି ଆଗେଇବାକୁ ଲାଗିଲା । ଆକାଶରେ ଉଡ଼ାଜାହାଜର ଶବ୍ଦ, ଆଉ ତଳେ ରାସ୍ତାରେ ମେସିନଗନ୍‌ର ଆବାଜ ।

 

ସେ ଅଗାଷ୍ଟିନର ପାଖରେ ବସି ପଡ଼ିଲା । ଅଗାଷ୍ଟିନ ପଚାରିଲା–“ତଳେ କଅଣ ହେଉଛି ? ପାବ୍‌ଲୋ କଅଣ କରୁଛି ?”

 

ରବାର୍ଟ ଜବାବ ଦେଲା–“ଯଦି ପାରେ, ଅବଶ୍ୟ ଏକ୍ଷଣି ଆସି ପହଞ୍ଚିବ ।”

 

ଆଉ କେତୁଟା ଉଡ଼ାଜାହାଜ ଦୂରରୁ ଉଡ଼ି ଆସୁଥିବାର ଦେଖାଗଲା । ନୀଳ ନିର୍ମେଘ ଆକାଶ ।

 

ଠିକ୍ ସେହି ସମୟରେ ଅଗାଷ୍ଟିନ ଦେଖି ପାରିଲା, ପାବ୍‌ଲୋ ଉଠି ଆସୁଛି । “ଏହି ଯେ ବେଧୁଆଟା ଆସୁଛି ।”

 

“କିଏ ?”

 

“ପାବ୍‌ଲୋ ।”

 

ରବାର୍ଟ ବଡ଼ ପାଟିରେ ଡାକିଲା–“ପିଲାର, ଓହ୍ଲାଇଆସ ।”

 

“ତୁମର ଲୋକମାନେ କାହାନ୍ତି ।” –ଅଗାଷ୍ଟିନ ପଚାରିଲା ।

 

“ସମସ୍ତେ ଖତମ ହୋଇଛନ୍ତି ।” –ଧଇଁ ସଇଁ ହୋଇ ପାବ୍‌ଲୋ ଜବାବ ଦେଲା । ତାହାର ନିଃଶ୍ଵାସ ନେବାକୁ କଷ୍ଟ ହେଉଥିଲା । “ପିଲାର ଅଛି ତ ?”

 

“ଅଛି । ଫାର୍ନାଣ୍ଡୋ ଓ ତାହାର ଭାଇ ନାହାନ୍ତି ।”

 

ତୁମେ । ପାବ୍‌ଲୋ ରବାର୍ଟକୁ ପଚାରିଲା ।

 

ସେ ଖାଲି କହିଲା–“ଏନସେଲମୋ ।”

 

ସେମାନେ ଉପରକୁ ଉଠିଗଲେ । ମାରିୟା ଠିଆ ହୋଇଥିଲା । ଘୋଡ଼ାଗୁଡାକ ଗଛରେ ବନ୍ଧା ହୋଇଥିଲେ । ରବାର୍ଟ ହାତ ବଢ଼ାଇଲା ମାତ୍ରେ ମାରିୟା ତାହାର ଛାତି ଉପରେ ଢଳି ପଡ଼ି କହିଲା–“ରବାର୍ଟ । ତୁମେ ।”

 

“ହଁ, ମୁଁ । ଚାଲ, ଆମେ ଯିବା । ଘୋଡ଼ା ଉପରକୁ ଉଠ ।”

 

ସମସ୍ତେ ଘୋଡ଼ାରେ ଚଢ଼ିଲେ । ରବାର୍ଟ ପାଉଁଶିଆ ବଡ଼ ଘୋଡ଼ାଟା ଉପରକୁ ଉଠିଲା; ପିଠିରେ ସବ୍-ମେସିନ ଗନ୍, ପକେଟରେ ଗୁଳି ଭର୍ତ୍ତି । ସେମାନେ ଆସ୍ତେ ଆସ୍ତେ ଘନ ପାଇନ ବଣ ଭିତରେ ଓହ୍ଲାଇବାକୁ ଲାଗିଲେ । ସେମାନେ ରାସ୍ତା ପାଖରେ ଆସି ପହଞ୍ଚିଲେ । ମାରିୟାର ପଛରେ ରବାର୍ଟ ଥିଲା । ସେ ମାରିୟାକୁ କହିଲେ–“ରାସ୍ତା ଟପିଲା ବେଳେ ତୁମେ ଅନ୍ତତଃ ଜଣେ ଲୋକର ପଛରେ ରହିଥିବ ।”

 

ଘୋଡ଼ାର ପେଟରେ ଯାଦରେ ଗୋଇଠା ମାରି ପାବ୍‌ଲୋ ଝଡ଼ ବେଗରେ ରାସ୍ତା ଟପିଗଲା । ବାକି ସମସ୍ତେ ତାହା ପଛରେ ଛୁଟିଲେ । ମେସିନ ଗନରୁ ପାହାଡ଼ ଉପରେ ଗୁଳିର ଆବାଜ ଶୁଭିଲା । ସେତେବେଳକୁ ରାଫେଲ ରାସ୍ତା ଟପି ନ ଥିଲା । ସେ ରାସ୍ତାର ସେ ପଟେ ପାହାଡ ଆଡକୁ ଅନାଇଲା । ରବାର୍ଟ କହିଲା– “ଯାଅ,ଯାଅ, ଘୋଡ଼ା ଛୁଟାଅ !”

 

ରାଫେଲର ଘୋଡ଼ା କୁଦି ପଡ଼ିଲା । ଗୁଳି ଛୁଟିଲା । ଧୂଆଁ ଓ ଧୂଳି ଉଠିଲା । ରାଫେଲ ଗଛପତ୍ର ଭିତରେ କୁଆଡ଼େ ମିଳାଇଗଲା । ସେ ସେମାନଙ୍କ ସାଙ୍ଗରେ ଯାଇ ପହଞ୍ଚି ପାରିଲା । ରବାର୍ଟ ନିଜର ପାଉଁଶିଆ ବଡ଼ ଘୋଡ଼ାଟା ଆଡକୁ ଅନାଇଲା । ଘୋଡ଼ାଟା ଚଞ୍ଚଳ ଓ ଅସ୍ଥିର ହୋଇ ବାରମ୍ବାର କୁଦା ମାରୁଛି । ସେ ଶକ୍ତ ହାତରେ ଲଗାମ ଚାପି ଧରିଲାରୁ ଘୋଡ଼ା ଧାଇଁବାକୁ ଲାଗିଲା । ସେ ରାସ୍ତା ଉପରେ ମୁଖ ବୁଲାଇ ଦେଖିଲା, ପୋଲ ମୁହଁରେ ବହୁତ ଗାଡ଼ି ଅଟକିଛି । ତାହାର ମୁଣ୍ଡ ପାଖ ଦେଇ ବୁଲେଟଟାଏ ଚାଲିଗଲା । ସେ ସବୁଜ ଢାଲୁ ପାହାଡ଼ ତଳେ ଯାଇ ପହଞ୍ଚିଲା । ଏକ୍ଷଣି ସେ ଗଛର ଉହାଡ଼କୁ ଚାଲିଯିବ ।

 

ଧାଡ଼ି ଧାଡ଼ି ପାଇନ ଗଛ ଭିତରେ ଘୋଡ଼ା ଆଉ ଉପରକୁ ଉଠିବାକୁ ଚାହିଁଲା ନାହିଁ । ତାହା ପାଇଁ ଦୂରରେ ସମସ୍ତେ ଅପେକ୍ଷା କରିଥିଲେ । ସେ ଚାପା ଗଳାରେ ଘୋଡ଼ାଟାକୁ କହିଲା–“କଅଣ ହେଲା ତୋର ? ଆଉ ଟିକିଏ ଉଠ ନା ।” ସେ ଲଗାମ ଟାଣିଲାରୁ ଘୋଡ଼ାଟା ବେକ ଉଠାଇ ଧକ୍‌କା ମାରିଲା । ପରମୁହୂର୍ତ୍ତରେ ତାହାର ପାଦ ଖସି ଯିବାରୁ ସେ ମାଟିରେ ପଡ଼ିଗଲା । ମନେ ହେଲା, ତାହାର ମୁଣ୍ଡ ଭିତରେ ଯେମିତି ଗୋଟାଏ ବୟଲାର ଫାଟିଗଲା । ରବାର୍ଟ ଉପରେ ପଡ଼ି ଯାଇ ଘୋଡ଼ାଟି ଗୋଡ଼ରେ ନାତ ମାରିବାକୁ ଲାଗିଲା । ରବାର୍ଟ ଘୋଡ଼ାର ଚାପାରୁ ବାହାରି ଆସିବାକୁ ପ୍ରାଣପଣେ ଚେଷ୍ଟା କଲା ।

 

ସେ ଡାହାଣ ପଟକୁ ଟିକିଏ ହଲି ପାରିଲା । ତାହାର ବାମ ଗୋଡ଼ଟା ଘୋଡ଼ାର ପିଠି ତଳେ ସ୍ଥିର ଭାବରେ ପଡ଼ିଛି, ଯେମିତି ଅଣ୍ଟା ପାଖରୁ ଆଉ ଜୋଡ଼ ନାହିଁ । ତାପରେ ସେ ଘଟଣାଟା କଅଣ ବୁଝି ପାରିଲା । ଘୋଡ଼ାଟି ଆଣ୍ଠୁରେ ଭରା ଦେଇ ଉଠି ଠିଆ ହେଲା ।

 

ରବାର୍ଟ ଦୁଇ ହାତରେ ପରୀକ୍ଷା କଲା, ତାହାର ବାମପଟ ଉରୁର ହାଡ ଭାଙ୍ଗି ଯାଇଛି । ସେ ଭଙ୍ଗା ହାଡ଼ର କୋଣଟା ହାତରେ ଅନୁଭବ କଲା । ପ୍ରିମିଟିଭୋ ଓ ଆଗାଷ୍ଟିନ ଧାଇଁ ଆସିଲେ ଏବଂ ଦୁଇ କାଖ ତଳେ ହାତ ଦେଇ ତାହାକୁ ଉପରକୁ ଟାଣି ଆଣିଲେ । ନିଷ୍ପ୍ରାଣ ବାମ ପାଦଟା ଏପାଖ ସେ ପାଖ ହଲିବାକୁ ଲାଗିଲା ।

 

ସେମାନେ ତାହାକୁ ଘନ ପାଇନ ଗଛର ଆଢୁଆଳରେ ଶୁଆଇ ଦେଲେ । ମାରିୟା, ପିଲାର ଓ ପାବ୍‌ଲୋ ତାହାକୁ ଫେରିଠିଆ ହେଲେ ।

 

ମାରିୟା ତାହା ପାଖରେ ବସି ପଡ଼ିଲା– “ରବାର୍ଟ, ରବାର୍ଟ । କଅଣ ହେଲା ତୁମର ?”

 

ରବାର୍ଟ କହିଲା–“ବାମ ପାଦଟା ଭାଙ୍ଗି ଯାଇଛି ।”

 

ପିଲାର କହିଲା–“ଆମେ ତୁମର ପାଦରେ ପଟି ବାନ୍ଧି ଦେଉଛୁ । ତୁମକୁ ଘୋଡ଼ାର ପିଠିରେ ଉଠାଇ ନେବୁ । ଜଲଦି ଗୋଟାଏ ଘୋଡ଼ା ଖାଲି କର ।”

 

“ଶୁଣ, ପାବ୍‌ଲୋ”–ରବାର୍ଟ ଡାକିଲା ।

 

ପାବ୍‌ଲୋ ତାହା ଉପରେ ନଇଁ ପଡ଼ି ପଚାରିଲା–“ବେଶୀ କିଛି ହୋଇଛି ?”

 

“ନା, ସେମିତି କିଛି ଗୁରୁତର ନୁହେଁ । ଶିରା ଛିଡ଼ିଗଲା ଭଳି ମନେ ହେଉଛି । ଶୁଣ, ତୁମ୍ଭେମାନେ ଚାଲିଯାଅ । ମୋ ଦ୍ଵାରା ଆଉ କିଛି ହେବା ନାହିଁ । ସେହି ଝିଅଟି ସାଙ୍ଗରେ ଟିକିଏ କଥା ହେବି । ଯେତେବେଳେ ତାହାକୁ ନେଇଯିବାକୁ କହିବି, ନେଇଯିବ । ସେ ଅବଶ୍ୟ ଯିବାକୁ ଚାହିବ ନାହିଁ । କିନ୍ତୁ– ମାରିୟା !”

 

“ଟ୍ରାଉଜରଟା ଏଇଠୁ କାଟି ଦିଅ ପିଲାର !” ରବାର୍ଟ କହିଲା ।

 

ମାରିୟା କିଛି କଥା କହିଲା ନାହିଁ । ସୂର୍ଯ୍ୟ କିରଣ ତାହାର କେଶଗୁଚ୍ଛ ଉପରେ ପଡ଼ିଥିଲା, ତାହାର ମୁଖ ଯନ୍ତ୍ରଣାରେ କୁଞ୍ଛିତ ହୋଇଯାଇଥିଲା, ଠିକ୍ ଯେମିତି କାନ୍ଦିବା ଆଗରୁ ଶିଶୁର ମୁଖ ହୁଏ । କିନ୍ତୁ ସେ କାନ୍ଦୁ ନ ଥିଲା ।

 

ପିଲାର ଛୁରି ବାହାର କରି ତାହାର ଟ୍ରାଉଜରଟା ପକେଟ ତଳୁ ଏକାବେଳେ ଶେଷ ପର୍ଯ୍ୟନ୍ତ ଚିରି ଦେଲା ।

 

କପଡା ଟେକି ରବାର୍ଟ ଦେଖିଲା, କମରଠାରୁ ଦଶ ଇଞ୍ଚ ତଳେ ଚମଡ଼ା ଛୋଟ ତମ୍ବୁ ପରି ଉଚ୍ଚ ହୋଇଛି । ସେ ପିଲାର ଆଡକୁ ଚାହିଁଲା । ତାହାର ମୁଖରେ ବି ଯନ୍ତ୍ରଣାର ଛାପ, ଠିକ୍ ମାରିୟା ପରି ।

 

“ଟିକିଏ ଯାଅ ।” –ରବାର୍ଟ କହିଲା ।

 

ପିଲାର ଚାଲିଗଲା, ପଛକୁ ଅନାଇଲା ନାହିଁ । ରବାର୍ଟ ଦେଖି ପାରିଲା; ତାହାର ପିଠିଟା ବାରମ୍ବାର କମ୍ପୁଛି ।

 

“ଶୁଣ, ମାରିୟା, ଆମକୁ ମାଦ୍ରିଦ ଯିବାକୁ ହେବ ନାହିଁ ।”

 

ଏଥର ସେ କାନ୍ଦିବାକୁ ଆରମ୍ଭ କଲା ।

 

“କାନ୍ଦ ନା ମାରିୟା । ଶୁଣ ମୋ କଥା । ଆମେ ଏକ୍ଷଣି ମାଦ୍ରିଦ ଯିବା ନାହିଁ । କିନ୍ତୁ ତୁମେ ଯେଉଁଠାକୁ ଯାଅ, ମୁଁ ବି ତୁମ ସାଙ୍ଗରେ ଯିବି । ବୁଝିଲ ?”

 

ମାରିୟା ତାହାର ଛାତି ଉପରେ ଲୋଟିଗଲା ।

 

“ଶୁଣ; ମନ ଦେଇ ଶୁଣ, ମାରିୟା !” ରବାର୍ଟ ଜାଣେ, ଆଉ ସମୟ ନାହିଁ । ତାହାର ସର୍ବାଙ୍ଗ ଝାଳରେ ଭିଜି ଯାଉଛି । କିନ୍ତୁ ଏତକ ତାହାକୁ ନ ଜଣାଇଲେ ନ ହୁଏ–“ଏକ୍ଷଣି ତୁମକୁ ଯିବାକୁ ହେବ, ମାରିୟା । କିନ୍ତୁ ମୁଁ ତୁମ ସାଙ୍ଗରେ ଥିବି । ତୁମେ ଓ ମୁଁ ତ ଅଭିନ୍ନ ନୋହୁଁ, ଆମେ ଏକ । ବୁଝିଲ ?”

 

ନା, ମୁଁ ଯିବି ନାହିଁ । ମୁଁ ଏଇଠି ରହିବି ।”

 

“ନା ଶୁଣ, ମାରିୟା । ମୁଁ ଜାଣେ, ତୁମେ ଯିବ । ତୁମେ ଅବୁଝା ନୁହଁ । ତୁମେ ଚାଲିଯିବ, ଖାଲି ତୁମ ପାଇଁ ନୁହେଁ, ଆମ ଦୁହିଁଙ୍କ ପାଇଁ । ତୁମେ କଅଣ ସ୍ଵାର୍ଥପର ହୋଇପାର ? କଦାପି ନୁହେଁ । ଏକ୍ଷଣି ତ ତୁମର କର୍ତ୍ତବ୍ୟ କରିବାର ସମୟ । ତୁମେ ଭଲ, ତୁମେ ଦୟାଳୁ । ଏଇଠି ହାତ ରଖ, ମୁଣ୍ଡ ନୁଆଁଇ ଆଣ, ଏଥର ମୁଁ ହାତ ରଖୁଛି । ଆଉ କିଛି ଚିନ୍ତା କର ନାହିଁ । ତୁମର ଯଥା କର୍ତ୍ତବ୍ୟ ତୁମେ କରିଛ । ଖାଲି ତୁମର ନୁହେଁ, ଆମ ଦୁହିଁଙ୍କର । କାରଣ, ମୁଁ ତ ତୁମେ । ସତରେ ତୁମର ପ୍ରସ୍ତାବ ଖାଲି ତୁମର ଏକା ନୁହେଁ, ଆମ ଦୁଇ ଜଣଙ୍କର !”

 

କତିରେ ଗଛ ଉହାଡ଼ରେ ପାବ୍‌ଲୋ ଠିଆ ହୋଇଥିଲା । ରବାର୍ଟ ହାତଠାରି ପିଲାରକୁ ଡାକି ଦେବା ପାଇଁ ତାହାକୁ କହିଲ ।

 

“ସତରେ ଆମେ ମାଦ୍ରିଦକୁ ଯିବା ଅନ୍ୟ କେଉଁ ସମୟରେ । ଏଥର ଉଠ, ଏକ୍ଷଣି ଯାଅ ।”

 

“ନା”–ମାରିୟା ଆହୁରି ଜୋରରେ ରବାର୍ଟକୁ ଜାବୁଡ଼ି ଧରିଲା ।

 

“ଠିଆ ହୁଅ !” –ଏକାନ୍ତ ଆଦେଶର ସ୍ଵରରେ ରବାର୍ଟ କହିଲା ।

 

ମାରିୟା ଛିଡ଼ା ହେଲା । ପିଲାର ତାହାର ବାହୁ ଧରିଲା ।

 

“ନା, ମାରିୟା, କୌଣସି ବିଦାୟର କଥା ନୁହେଁ । କାରଣ ଆମର ତ ବିଚ୍ଛେଦ ନାହିଁ । ଯାଅ ଏଥର !”

 

ସେମାନେ ବୁଲି ପଡ଼ିଲେ ।

 

କ୍ଳାନ୍ତ ଗଳାରେ ରବାର୍ଟ କହିଲା “ମୁଖ ବୁଲାଅ ନାହିଁ, ମାରିୟା । ଆଗେଇ ଯାଅ, ଆଗେଇ ଯାଅ, ମାରିୟା । ପିଲାର, ତାହାକୁ ଘୋଡ଼ା ଉପରକୁ ଉଠାଇ ଦିଅ ।”

 

ମାରିୟା ଘୋଡ଼ାରେ ଚଢି ମୁଖ ବୁଲାଉଥିଲା । ମାତ୍ର ରବାର୍ଟ ଚିତ୍କାର କରିକହିଲା–“ନା, ଆଉ ପଛକୁ ଅନାଅ ନାହିଁ, ମାରିୟା । ଚାଲି ଯାଅ ।”

 

ସେମାନେ ଗଛର ଉହାଡ଼ରେ ମିଳାଇ ଗଲେ ।

 

ଅଗାଷ୍ଟିନ ଯାଇ ନଥିଲା । ସେ ପାଖରେ ଠିଆ ହୋଇଥିଲା । ସେ ପଚାରିଲା–“ତୁମେ କଅଣ ଚାହ, ରବାର୍ଟ, ତୁମକୁ ମୁଁ ଗୁଳି କରିଦେବି ?” ନଇଁ ପଡ଼ି ସେ ପୁଣି କହିଲା–“ପାରିବି । ମୋର କିଛି ମନେ ହେବ ନାହିଁ ।”

 

“ଯାଅ, ଏଠି ମୁଁ ବେଶ ଭଲରେ ଅଛି ।”

 

“ସଲାମ !” ଅଗାଷ୍ଟିନର ଆଖିରୁ ଲୁହ ଗଡ଼ି ପଡ଼ିଲା ।

 

“ସଲାମ ବନ୍ଧୁ ! ମାରିୟାକୁ ଦେଖ ।”

 

ଅଗାଷ୍ଟିନ ଘୋଡ଼ାରେ ଉଠିଲା, ମାତ୍ର ତାହାର ମନ ଯିବାକୁ ଟେକିଲା ନାହିଁ ।

 

“ଯାଅ, ଆଉ ଠିଆ ହୁଅ ନାହିଁ । ମନେ ରଖ, ଏଟା ଲଢ଼େଇ !”

 

ପାଇନ ପଛ ଓ ପଥରର ଆଢୁଆଳରେ ଘୋଡ଼ାର ଖୁରାର ଶବ୍ଦ ମିଳାଇଗଲା ।

 

ରବାର୍ଟ ଭାବିଲା–ଛାଡ଼, ଆଉ କିଛି ସମସ୍ୟା ନାହିଁ ଖାଲି ଶରୀରରେ ଓ ମନରେ ବିଶାଳ ଶୂନ୍ୟତା । ସେ ଗୋଟାଏ ଗଛର ଗଣ୍ଡିକୁ ପିଠି ଆଉଜାଇ ବସି ରହିଲା । ତଳେ ସବୁଜ ଢାଲୁ ପାହାଡ଼ । ଭଙ୍ଗା ପୋଲଟା ଏଠାରୁ ଦେଖା ଯାଉଛି । ରାସ୍ତାରେ ଟ୍ରକ ସବୁ ଜମା ହେଉଛି । ସେମାନେ ଆସିବେ, ଶୀଘ୍ର ଆସି ପହଞ୍ଚିବେ ।

 

ତୁମେ ମାରିୟାକୁ ଯାହା କହିଛ, ନିଜେ ବି ତାହା ବିଶ୍ଵାସ କର । ଆପାତତଃ ତୁମର ଆଉ କିଛି କରିବାର ନାହିଁ । ସମୟ ମଧ୍ୟ ନାହିଁ ନୂତନ କିଛି କରିବାର । ଏହି ସଂସାରରେ ଯେ ଯେତିକି କରିପାରେ, ସେ ସେତିକି କରେ । ଏହି ମୁହୂର୍ତ୍ତରେ ତୁମର ନିଜ ପାଇଁ କିଛି କରିବାର ନ ଥିଲା, କିନ୍ତୁ ହୁଏତ ଅନ୍ୟ ପାଇଁ ବା କିଛି କରି ପାରି ଥାଆନ୍ତ । ତେବେ ତୁମର କପାଳ ଭଲ । ଏହାଠାରୁ ବହୁତ କିଛି ସାଙ୍ଘାତିକ ତ ମଣିଷର ଜୀବନରେ ଘଟେ । ତେବେ ଏହା ଗୋଟାଏ ଭଲ କଥା ଯେ ତୁମର ଶିର ଛିଡ଼ି ଯାଇଛି, ତୁମର ପଦରେ ଶକ୍ତି ନାହିଁ । ସେ ହାତରେ ସ୍ପର୍ଶ କଲା, ଯେମିତି ଶରୀରର ଅନ୍ୟ କୌଣସି ଅଂଶ ନୁହେଁ ।

 

ସେ ଢାଳୁ ପାହାଡ଼ ଆଡ଼କୁ ଅନାଇଲା । ଛାଡ଼ିଦେଇ ଚାଲି ଯିବାକୁ ଖରାପ ଲାଗୁଛି । ତାହା ଛଡ଼ା ଆଉ କି ବାଟ ଅଛି ? ଯିବାକୁ ଚାହେ ନା । ହୁଏତ ଜୀବନରେ ମୁଁ କିଛି ଭଲ କାମ କରିଛି । ଯେତିକି ମୋର ବୁଦ୍ଧି–ବିବେକ ଅଛି, ଅନ୍ତତଃ ମୁଁ ସେତିକି କରିବା ପାଇଁ ଚେଷ୍ଟା କରିଛି । ଚେଷ୍ଟା କରିଛି ! ବେଶ, ଭଲ । ଟିକିଏ କଡ଼େଇ କରି ବସ । ଏକ୍ଷଣି ହାତରେ କିଛି ସମୟ ଅଛି । ପଛ ପକେଟରେ ଗୋଟାଏ ଫ୍ଲାସ୍କ ଥିଲା ନା ? ସେ ହାତ ବଢ଼ାଇ ଦେଖିଲା, ନାହିଁ !

 

ସେ ହାତ ବଢ଼ାଇ ସବ୍-ମେସିନ ଗନ୍‌ଟା ଟାଣି ନେଲା । ହୁଏତ ଆଉ ଅଧ ଘଣ୍ଟାଏ । ଏହାଠାରୁ ଆଉ ଅଧିକ ସହଜ ଉପାୟ କିଛି ଅଛି କି ?

 

କେଉଁଟା ସହଜ ? ଧର୍ମର ଆଶ୍ରୟ, ନା ଯେମିତି ଭାବରେ ଆସିବାର କଥା ଆସୁ । ଧର୍ମ-ବିଶ୍ଵାସୀ ମାନଙ୍କର ଅବଶ୍ୟ ସାନ୍ତ୍ୱନା ଅଛି । କିନ୍ତୁ ଜଣା ତ ଅଛି, ଭୟ କରିବାର କିଛି ନାହିଁ । ମରଣ ତ ସେତେବେଳେ କଷ୍ଟକର, ଯଦି ମୃତ୍ୟୁ ପାଇଁ ଅପେକ୍ଷା କରିବାକୁ ପଡ଼େ, ଏବଂ ଯଦି ମୃତ୍ୟୁର ଯନ୍ତ୍ରଣା ମନୁଷ୍ୟତ୍ଵ ହରଣ କରି ତୁମକୁ ଅନେକ ତଳକୁ ନେଇଯାଏ ।

 

କି ଚମତ୍କାର ଲାଗୁଛି । ସେମାନେ ଯେ ଚାଲି ଯାଇପାରିଛନ୍ତି । ମୋର ଆଉ କି ଦୁଃଖ ଅଛି ? କିନ୍ତୁ ଯନ୍ତ୍ରଣା ଆରମ୍ଭ ହୋଇଛି, ସତରେ କଷ୍ଟ ହେଉଛି । ରାସ୍ତାରୁ ଉଠି ଆସନ୍ତୁ ନା ସେମାନେ । କେଜାଣି, ହୁଏତ ଯନ୍ତ୍ରଣା ସହିବା ଭଳି ଶକ୍ତି ତାହାର ଅଛି କି ! ଆଚ୍ଛା, ଶୁଣ, ଯଦି ଏକ୍ଷଣି କାମଟା ସାରି ଦିଆଯାଏ, ତାହାହେଲେ କେମିତି ହୁଅନ୍ତା ? ତୁମେ କାହା ସାଙ୍ଗରେ କଥା କହୁଛି ? ନା, କାହା ସାଙ୍ଗରେ ନୁହେଁ–ସେ କହିଲା । ନା, ନା । ଓଃ, ଯଦି ସେମାନେ ଆସି ଯାଇଥାଆନ୍ତେ ! ତୁମେ କଅଣ ଆଉ ପାରୁ ନାହଁ ରବାର୍ଟ ? ତୁମେ କିଛି କାମ ନୁହଁ । କିନ୍ତୁ ଏମିତି ମୁହୂର୍ତ୍ତରେ କିଏ ସେହି କାମିକା ଲୋକଟି ? ମୁଁ ଜାଣେ ନା, କି ଜାଣିବାର ଆଗ୍ରହ ମଧ୍ୟ ମୋର ନାହିଁ । ଏକ୍ଷଣି ସାରି ଦେବା ଭଲ, କଅଣ କହୁଛ ?

 

ନା, ଏକ୍ଷଣି ନୁହେଁ । କାରଣ ଏକ୍ଷଣି ବି ତୁମେ କିଛି କରି ଯାଇପାରେ । ଆସ, ଆସ ନା ବାବା ! ଆସନ୍ତୁ ନା ସେମାନେ, ଆସି ଯାଆନ୍ତୁ ପଛକେ । ତୁମ ବନ୍ଧୁମାନେ ତ ନିରାପଦରେ ଫେରିଯାଇଛନ୍ତି । ସେମାନଙ୍କ କଥା ଭାବ ନାହିଁ । ମନ–ଟଣାର କଥା ଭାବ । ମାଦ୍ରିଦର କଥା ମନେ ପକାଅ I ନା, ପାରୁ ନାହିଁ । ଗିଲାସେ ଥଣ୍ଡା ପାଣିର କଥା ଚିନ୍ତା କର ନା । ବେଶ ଗିଲାସେ ଥଣ୍ଡା ପାଣି ପରି । ତୁମେ ମିଥ୍ୟାବାଦୀ । ଏଟା ଅନ୍ୟ କିଛି ଭଳି ନୁହେଁ । ତାହା ହେଲେ କରି ପକାଉ ନାହିଁ କାହିଁକି ? କର ! ଏକ୍ଷଣି କର । କାହିଁକି ? ତୁମେ ଭଲ ଭାବରେ ଜାଣ । ତାହା ହେଲେ ଅପେକ୍ଷା କର ।

 

ସେ କହିଲା–ନା, ମୁଁ ଆଉ ଅପେକ୍ଷା କରି ପାରୁ ନାହିଁ । ତାହା ହେଲେ ମୁଁ ଜ୍ଞାନ ହରାଇବି । କିନ୍ତୁ ଯଦି ତୁମେ କ୍ଷଣକ ପାଇଁ ସେମାନଙ୍କୁ ଅଟକାଇ ରଖିପାରନ୍ତ ଏବଂ ଜଣେ ଅଫିସରଙ୍କୁ ଆହତ କରି ପାରନ୍ତ, କିଏ କହି ପାରେ, ସେଥିରେ ଅନେକ ଭଲ କାମ ହୋଇ ପାରନ୍ତା ।

 

ଠିକ୍ ଅଛି । ଗଛରେ ପିଠି ଲଗାଇ ପଡ଼ି ରହିଲା, ଆଉ ପଳାୟମାନ ଚେତନାକୁ ଧରି ରଖିବା ପାଇଁ ଚେଷ୍ଟା କଲା ।

ତାହା ହେଲେ ସେମାନେ ନ ଆସିବା ଯାଏ ମୁଁ ରହୁଛି ।

 

ଠିକ୍ ସେତିକି ବେଳେ ତାହାର ନଜରରେ ପଡ଼ିଲା, ଦଳେ ଅଶ୍ଵାରୋହୀ ସୈନ୍ୟ ରାସ୍ତା ଟପି ଆଗେଇ ଆସୁଛନ୍ତି ।

 

ରବାର୍ଟ ରାସ୍ତା ଆଡ଼କୁ ଅନାଇଲା । ପୋଲଟା ଦେଖା ଯାଉଛି, ଆଉ ଗାଡ଼ିର ଲମ୍ବା ଧାଡ଼ି । ବର୍ତ୍ତମାନ ତାହାର ଚେତନା ସମ୍ପୂର୍ଣ୍ଣ ସ୍ପଷ୍ଟ । ସେ ଆଗ୍ରହ ସହକାରେ ଚତୁର୍ଦ୍ଦିଗର ସବୁ କିଛି ଆଡ଼କୁ ଥରେ ଅନାଇଲା ଏବଂ ତାପରେ ଆକାଶ ଆଡ଼କୁ । ଧଳା ମେଘ ଉଡ଼ି ଯାଉଥିଲା । ସେ କଡ଼େଇ ପଡ଼ିଲା, ପାଇନ କଣ୍ଟା ଉପରେ ହାତ ବୁଲାଇ ନେଲା ଏବଂ ପାଇନ ଗଛର ବକଳା ଉପରେ କେତେ ଥର ହାତ ଘଷିଲା । ତାପରେ ସେ ସବ୍‌–ମେସିନ ଗନ୍‌ର ନଳୀଟା ଗଛର ଗଣ୍ଡି ଉପରେ ସିଧା କରି ଧରିଲା ।

 

ଭଙ୍ଗା ପୋଲଟା ଏହି ଦଳର ଆକ୍ରମଣର ରାସ୍ତା ବନ୍ଦ କରିଦେଇଛି । ସେମାନେ ଅନେକ ବାଟ ଘୂରି କରି ଯିବେ । ସେମାନଙ୍କର ନାୟକ ଲେଫ୍‌ଟେନାଣ୍ଟ ବେରେଣ୍ଡୋ ଘୋଡ଼ାର ପିଠିରେ ଚଢ଼ି ଆସ୍ତେ ଆସ୍ତେ ଆଗେଇ ଆସୁଛି । ରବାର୍ଟ ଗଛର ପଛରେ ଭୂଇଁରେ ପଡ଼ି ଏକାଗ୍ର ଚିତ୍ତରେ ନିଜକୁ ସ୍ଥିର କରି ରଖିଛି, ଯେମିତି ତାହାର ହାତ ନ ଥରେ । ସେ ଅପେକ୍ଷା କଲା । ଅଫିସରଟି ସ୍ପଷ୍ଟ ଦିବାଲୋକରେ ଆହୁରି ପାଖକୁ ଆସିଲା, ଯେଉଁଠୁ ପାଇନ ବଣ ଆରମ୍ଭ ହୋଇଛି । ରବାର୍ଟର ଆଙ୍ଗୁଳି ଟ୍ରିଗାର ଉପରେ, ଆଉ ଛାତିଟା ପାଇନ କଣ୍ଟା ଉପରେ । ସେ ହୃତ୍‌ପିଣ୍ଡର ଶବ୍ଦ ସ୍ପଷ୍ଟ ଭାବରେ ଅନୁଭବ କଲା ।

Image

 

ଆଲେକଜାଣ୍ଡାର ଡୁମା

(କନିଷ୍ଠ)

ଆନନ୍ଦ ମଠ

ସ୍ଵୟଂବୃତା

 

ତାହାର ନାମ କାମିଲ ନୁହେଁ । ସେ କାମେଲିୟା ଫୁଲ ଖୁବ୍‌ ସୁଖ ପାଏ ବୋଲି ପ୍ୟାରୀସ ନଗରୀର ରସିକ ଜନମାନେ ତାହାକୁ କାମିଲ ବୋଲି ଡାକୁଥିଲେ । ତାହାର ପ୍ରକୃତ ନାମ ହେଉଛି ମାର୍ଗାରେଟ ଗତିୟେର । ତନୁ ପାତଳୀ, ଦୀର୍ଘାଙ୍ଗୀ, ସୁନ୍ଦରୀ, ବୟସ କୋଡ଼ିଏ ଟପି ନ ଥିଲା । ସେ ଗଉଁଲି ଗରୀବ ଘରର ସରଳା ଝିଅଟିଏ । ପାଞ୍ଚ ବର୍ଷ ତଳେ କାଉଣ୍ଟ ଜି ତାହାକୁ ଆଣି ପ୍ୟାରୀସର ଗୋଟିଏ ସୁସଜ୍ଜିତ ଘରେ ରଖିଥିଲେ । କିଛିଦିନ ତାହାକୁ ଛାତିରେ ଭିଡି ଧରିଲା ପରେ ସେ ନୂତନ ଫୁଲର ସନ୍ଧାନରେ ଚାଲିଗଲେ । ତଥାପି ସେ ତାହାକୁ ଭୁଲି ନଥିଲେ, ମଝିରେ ମଝିରେ ଆସି ରାତିଟିଏ ସେ ତାହା ସହିତ କଟାଉଥିଲେ ଏବଂ ତାହାକୁ ଯଥେଷ୍ଟ ଅର୍ଥ ମଧ୍ୟ ଦେଉଥିଲେ ।

 

ଗାଁ-ଇଲାଇଜିର ଚତ୍ଵର ହେଉଛି ପ୍ୟାରୀସର ସୌଖୀନ ସମ୍ପ୍ରଦାୟର ଏକ ମନୋରମ ସମାବେଶ ସ୍ଥଳୀ । ନିତି ସଞ୍ଜବେଳେ କାମିଲ ସେଠାକୁ ଯାଏ ଏବଂ ସହଚରୀକୁ ଧରି ଚତ୍ଵରରେ ଘେରାଏ ବୁଲେ । ସେ ହାତରେ କାମେଲିୟାର ଫୁଲ ତୋଡ଼ା ଧରିଥାଏ । ସେଠାରୁ ସେ କୌଣସି ରଙ୍ଗାଳୟ କିମ୍ୱା ଅନ୍ୟ ମନୋରଞ୍ଜନର କେନ୍ଦ୍ରକୁ ଯାଏ । ସେଠାରେ ଅନୁରାଗୀମାନେ ତାହାକୁ ବେଢ଼ି ଯାଇ ମନାଜ୍‌କାର ପୁଡ଼ିଆସବୁ ଉପହାର ଦିଅନ୍ତି । ଅଭିନୟ ସରିବା ଆଗରୁ ଜଣେ ବୁଢ଼ା ଆସି ତାହା ପାଖରେ ବସେ । ତା ପରେ ଆଉ କୌଣସି ନାଗର ତାହାର ପାଖ ପଶନ୍ତି ନାହିଁ । ସତୁରି ବର୍ଷର ବୁଢ଼ାଟି ହେଉଛି ଜଣେ ଧନୀ ଡିଉକ । ତାହାଙ୍କ ସମ୍ଵନ୍ଧରେ ଗୋଟିଏ ବଡ଼ କରୁଣ କାହାଣୀ ପ୍ରଚଳିତ ଅଛି । ଡିଉକଙ୍କର ଗୋଟିଏ ବୋଲି ଝିଅ ଥିଲା । ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ସେ ଚିକିତ୍ସା ପାଇଁ ବାଗନେରାକୁ ଗଲା । ଠିକ୍‌ ସେତିକି ବେଳେ କାମିଲ ମଧ୍ୟ ସେଠାରେ ଥିଲା, କାରଣ ଡାକ୍ତର ଯକ୍ଷ୍ମା ସନ୍ଦେହ କରି ତାହାକୁ ସେଠାକୁ ପଠାଇଥିଲେ । ସ୍ୱାସ୍ଥ୍ୟ ନିବାସରେ ଡିଉକଙ୍କ ଝିଅ ଓ କାମିଲ ଦୁହେଁ ଅପୂର୍ବ ସୁନ୍ଦରୀ ଯାଆଁଳା ଭଉଣୀ ଭଳି ଦିଶୁଥିଲେ । ସେଠାରେ ଡିଉକଙ୍କ ଝିଅଟି ମରିଗଲାରୁ, ସେ ଦିନେ ଶୋକାତୁର ଅବସ୍ଥାରେ ରାସ୍ତାରେ କାମିଲକୁ ଦେଖି “ମାଆ, ମାଆ” କହି କୁଣ୍ଢାଇ ପକାଇଲେ । ସେହିଦିନରୁ ସେ କାମିଲର ପାଖେ ପାଖେ ଅଛନ୍ତି ଏବଂ ତାହାକୁ ମାସିକ ଛଅ ହଜାର ଫ୍ରାଙ୍କ ଭତ୍ତା ଦେଉଛନ୍ତି । ତାହା ଛଡ଼ା ସେ ନିତି ରାତିରେ କାମିଲକୁ ରଙ୍ଗାଳୟରୁ ନେଇ ତାହାର ଘରେ ଛାଡ଼ନ୍ତି, ସେଠାରେ ଦୁଇ ତିନି ଘଣ୍ଟା ବସି ତାହା ସହିତ ଗପସପ ହୁଅନ୍ତି, ଅଧିକାଂଶ ବେଳେ ସେ ତାହା ଆଡ଼କୁ ବଲବଲ କରି ଚାହିଁ ରହନ୍ତି ଏବଂ ତା ପରେ ତାହାକୁ ଶୁଭ ରାତ୍ରି ଜଣାଇ ନିଜ ଘରକୁ ଫେରି ଯାଆନ୍ତି ।

 

ଡିଉକଙ୍କ ପ୍ରସ୍ଥାନ ଅନ୍ତେ କାମିଲର ଘରେ ରାତି ସାରା ମହୋତ୍ସବ ଚାଲେ । ନାଗରମାନେ ଜଣ ଜଣ କରି ହାଜର ହୁଅନ୍ତି । ରାତି ଦଶଟା ଠାରୁ ଦୁଇଟା ପର୍ଯ୍ୟନ୍ତ ଚାଲେ ରସିକତା, ଗାନ ବାଜଣା, ହସଖୁସି, ମଦ–ପାନ ଓ ଭୋଜି । ଠିକ୍‌ ପାହାନ୍ତା ଦିପହରକୁ କାମିଲ ଜଣେ ବିଶେଷ ଅନୁଗୃହୀତ ଲୋକକୁ ଧରି ନିଜର ଶଯ୍ୟା ରଚନା କରେ । ତାହାର ନିଜ ଭାଙ୍ଗିଲା ବେଳକୁ ପ୍ରାୟ ଦିପହର ହୋଇ ଯାଇଥାଏ । ନିତ୍ୟକର୍ମ ସାରି ସେ ଭୋଜନରେ ବସେ ଏବଂ ତା ପରେ ପ୍ରସାଧନ ସରିଲେ ଗାଡ଼ିରେ ବସି ଗାଁ-ଇଲାଇଜିକୁ ବାହାରିଯାଏ ହାତରେ କାମେଲିୟାର ଅପୂର୍ବ ସୁନ୍ଦର ଫୁଲ ତୋଡଟିଏ ଧରି ।

 

 

ଆର୍ମାଣ୍ଡ ଡୁଭାଲ ନାରୀକୁ ଭଲପାଏ ସତ; ମାତ୍ର ପ୍ରଥମେ ପ୍ରେମିକାର ପାଖ ପଶିବାକୁ ତାହାର ସାହସ କୁଳାଏ ନାହିଁ । ଚବିଶ ବର୍ଷର ତରୁଣ । ଇତି ମଧ୍ୟରେ ସେ ବହୁ ନାରୀଙ୍କୁ ଉପଭୋଗ କରିଛି । ସେ ଅନେକ ଥର କାମିଲକୁ ଦେଖିଛି ଏବଂ ତାହା ସମ୍ବନ୍ଧରେ ନାନା କଥା ଶୁଣିଛି । ତଥାପି ନିଜର ମୋହକୁ ସେ ତୁଟାଇ ପାରୁନାହିଁ । ସେ କାମିଲ ପଛରେ ଛାଇ ପରି ଗୋଡ଼ାଇଥାଏ, ଅବଶ୍ୟ ଟିକିଏ ଦୂରେଇ । ଗାଁ–ଇଲାଇଜିରୁ ତାହା ପଛେ ପଛେ ରଙ୍ଗାଳୟକୁ ଯାଇ କାମିଲର ଯେଉଁଠି ବସିବାର ବ୍ୟବସ୍ଥା ହୋଇଥାଏ, ସେ ତାହାରି ପାଖ ଆଖରେ ଆସନ ଗ୍ରହଣ କରେ ଏବଂ ତାହାର ରୂପ ସୁଧାପାନ କରିବାକୁ ଲାଗେ । ସେଥିପାଇଁ ସେ ଆଗତୁରା ଟିକଟ କାଟି ରଖିଥାଏ ।

 

ଦିନେ ଆର୍ମାଣ୍ଡ ଦେଖିଲା, ବନ୍ଧୁ ଗାଷ୍ଟନ ପାଖରେ ତାହାର ପରିଚିତା ଶ୍ରୀମତୀ ପ୍ରୁଡେନ୍‌ସ ଡୁଭାର୍ନୟ ବସିଛି । ବୟସ ବଢ଼ିଲାରୁ ସେ ଗଣିକା ବୃତ୍ତି ଛାଡ଼ି ଏକ୍ଷଣି କୁଟୁଣି ସାଜିଛି ।

 

ଗାଷ୍ଟନ ଆର୍ମାଣ୍ଡକୁ ଦେଖି ପାରି ହାତ ଠାରି ତାହା ପାଖକୁ ଡାକିଲା । ଶ୍ରୀମତୀ ଡୁଭାର୍ନୟ ତାହାକୁ ଅଭ୍ୟର୍ଥନା କଲା । ତିନିହେଁ ହସରସରେ ମାତିଗଲେ । ଏତିକି ବେଳେ କାମିଲ ନିଜ ଆସନରୁ ଗୋଟିଏ ମନାକ୍‌କାର ପୁଡ଼ିଆ ହାତରେ ଧରି ଠାରରେ ଡୁଭାନୟକୁ ପଚାରିହା–ନେଲା ?

 

ହାତ ହଲାଇ ଶ୍ରୀମତୀ ଡୁଭାର୍ନୟ ଜଣାଇଲା–“ନା, ଲୋଡ଼ା ନାହିଁ ।

 

ଆର୍ମାଣ୍ଡ ଅବାକ୍ ହୋଇ ପଚାରିଲା–“ତୁମର ତାହା ସାଙ୍ଗରେ ପରିଚୟ ଅଛି କି ?”

 

ଶ୍ରୀମତୀ ଡୁଭାର୍ନୟ ତତ୍‌କ୍ଷଣାତ ଜବାବ ଦେଲା– “ଅଛି । ଘରକୁ ଭଲ ଲାଗିଛି ପରା । ଝରକାରେ ଦୁହେଁ କଥାବାର୍ତ୍ତା ହେଉ । ନିତି ରାତିରେ ଅନ୍ତତଃ ଥରେ ମୋତେ ତାହାର ଘରେ ହାଜିରା ଦେବାକୁ ହୁଏ । ସେ ବି ଆପେ ଆପେ ମୋ ଘରକୁ ଆସେ । ଆମ ଭିତରେ ଖୁବ୍ ମେଳ ଅଛି, ଅବିକଳ କ୍ଷୀର ନୀରର ସମ୍ପର୍କ ।”

 

ଅଭିନୟ ଭାଙ୍ଗିଲାରୁ ଗାଷ୍ଟନ ଓ ଆର୍ମାଣ୍ଡ ଉଭୟେ ଶ୍ରୀମତୀ ଡୁଭାର୍ନୟ ସାଙ୍ଗରେ ତାହାର ଘରକୁ ଗଲେ । ସେଠାରେ ତିନିହେଁ ରଙ୍ଗ ରସରେ ମସଗୁଲ ହୋଇଗଲେ । ଖୋଲା ଝରକାରେ କାମିଲର ମଧୁର କଣ୍ଠ ସ୍ଵର ଭାସି ଆସିଲା । ସେଥିରେ ଆର୍ମାଣ୍ଡ ରୋମାଞ୍ଚିତ ହୋଇଗଲା ।

 

କାମିଲ ତାହାର ଝରକା କତିରେ ଠିଆ ହୋଇ ଡାକ ଛାଡ଼ିଲା–“ପ୍ରୁଡେନ୍‌ସ । ଆଜି ଏତେ ବେଳ ଯାଏ କାହିଁକି ତୁମେ ଆସୁ ନାହଁ ?”

 

ଝରକା ପାଖକୁ ଉଠି ଯାଇ ଶ୍ରୀମତୀ ଡୁଭାର୍ନୟ ଜବାବ ଦେଲା–“ଆଜି ତୁମ ପାଖକୁ ମୋର ଯିବାର ଉପାୟ ନାହିଁ । ମୋର ଯେ ଦୁଇଜଣ ଅତିଥି ଅଛନ୍ତି ।”

 

“ଆରେ, ସେମାନଙ୍କୁ ସାଙ୍ଗରେ ନେଇ ଚାଲି ଆସନା”–ପୁଣି କାମିଲ କହିଲା ।

 

“ହେଉରେ ବାବା, ଯାଉଛି, ତୁମେ ଏମିତି ରବେଇ ଖବେଇ ହୁଅନା–” କହି ଶ୍ରୀମତୀ ଡୁଭାର୍ନୟ ସହାସ୍ୟ ବଦନରେ ଦୁଇ ଅତିଥିଙ୍କ ଆଡ଼କୁ ଚାହିଁଲା ଏବଂ କହିଲା– “ଶୁଣିଲେ ତ କାମିଲର ହୁକୁମ । ଆପଣମାନେ ଯିବେ ନା କଅଣ ?”

 

ଗାଷ୍ଟନର ଆଗରୁ କାମିଲ ସହିତ ପରିଚୟ ଥିଲା । ସେ ମନା କଲା ନାହିଁ । ଏଣେ ଆର୍ମାଣ୍ଡ ଏପରି ଏକ ସୁବର୍ଣ୍ଣ ସୁଯୋଗ ପାଇ ଆନନ୍ଦରେ ଆତ୍ମହରା ହୋଇଗଲା । କାମିଲ ନିଜେ ଡାକିବାରୁ ସେ ତୁରନ୍ତ ସମ୍ମତି ପ୍ରଦାନ କଲା ।

 

ରୁଦ୍ୟ ଆଣ୍ଟିନରେ ୯ ନମ୍ବର ଘର । ଦୁଆର ମୁହଁରେ ଜଣେ ସୁସଜ୍ଜିତା ଦାସୀ ଠିଆ ହୋଇଥିଲା । ପହଞ୍ଚିଲା କ୍ଷଣି ସେ ସେମାନଙ୍କୁ ସାଦରେ ଭିତରକୁ ନେଇଗଲା ।

 

ବୈଠକଖାନାରେ କାଉଣ୍ଟ ଏନ ପିଆନୋ ଉପରେ ନଇଁ ପଡ଼ି ଠିଆ ହୋଇଥିଲେ, ଆଉ କାମିଲ ଖାମଖିଆଲ ଭାବରେ ତାହା ଉପରେ ଆଙ୍ଗୁଳି ଚଳାଉଥିଲା । ଅତିଥିମାନଙ୍କ ଉପରେ ନଜର ପଡ଼ିଲା କ୍ଷଣି ସେ ଛିଡା ହୋଇ ହସି ହସି ଅଭ୍ୟର୍ଥନା କଲା–“ଆସନ୍ତୁ, ଆସନ୍ତୁ, ଗାଷ୍ଟନ ।”

 

ଗାଷ୍ଟନ ପରିଚୟ କରାଇ ଦେଲା–“ଏ ହେଉଛନ୍ତି ମୋର ବନ୍ଧୁ ଆର୍ମାଣ୍ଡ ଡୁଭାଲ । ତୁମ ସହିତ ଆଳାପ ନାହିଁ ସତ, କିନ୍ତୁ ସେ ତୁମ ପାଇଁ ପ୍ରାୟ ପାଗଳ ।”

 

କୌତୁକପୂର୍ଣ୍ଣ ହସଟିଏ ହସି ଦେଇ କାମିଲ ଆର୍ମାଣ୍ଡ ଆଡ଼କୁ ଅନାଇ କହିଲା–“ଏଁ, ପାଗଳ । କିନ୍ତୁ ମୋ ଦୁଆର ତ ସେ କେବେ ମାଡ଼ି ନାହାନ୍ତି ।”

 

ଆର୍ମାଣ୍ଡ ଜବାବ ଦେଲା–“ଭୂଲ କହିଲ ତୁମେ ! ଏକ ସମୟରେ ଖାଡାଖାଡି ଦୁଇ ମାସ କାଳ ନିତି ତୁମ ଦୁଆର ମୁହଁରେ ଆସି ମୁଁ ଠିଆ ହୋଇଛି ଏବଂ କିଛି ସମୟ ପରେ ଫେରି ଯାଇଛି ।”

 

ସମସ୍ତେ ଅବାକ ହୋଇଗଲେ । କାମିଲ ପଚାରିଲା–“କଅଣ କହିଲେ କିଛି ବୁଝି ପାରିଲି ନାହିଁ । ଖାଡାଖାଡ଼ି ଦୁଇ ମାସ ? କେଉ ଦୁଇ ମାସ ?”

 

“ଯେଉଁ ଦୁଇ ମାସ ତୁମେ ଖୁବ୍ ଅସୁସ୍ଥ ଥିଲ ।”

 

“ଆପଣ କଅଣ ସେତେବେଳେ ନିତି ଏଠାକୁ ଆସୁଥିଲେ ? କେଉଁଥି ପାଇଁ ଆସୁଥିଲେ ?”

 

“ତୁମେ କେମିତି ଅଛ, ଜାଣିବା ଲାଗି ମୁଁ ଆସୁଥିଲି । ତୁମର ଦାସୀକୁ ପଚାରିଲେ, ସେ ନିଶ୍ଚୟ କହି ପାରିବ ମୋ କଥା ଠିକ୍ କି ନା ।”

 

ଦାସୀ ଘରେ ଥିଲେ । ସେ ଆର୍ମାଣ୍ଡ ଆଡ଼କୁ ଟିକେ ଅନାଇ କହି ପକାଇଲା–“ସେ ଠିକ୍ କହିଛନ୍ତି । ସେ ନିତି ଆସନ୍ତି, ତୁମ କଥା ପଚାରନ୍ତି, ଆଉ ଚାଲି ଯାଆନ୍ତି । ମୁଁ କେତେଥର ତାଙ୍କ ନାମ ପଚାରିଛି, ମାତ୍ର ସେ କହନ୍ତି ନାହିଁ । ସେ ଖାଲି ଏତିକି କହୁଥିଲେ–କଅଣ ହେବ ସେ ସବୁ ଜାଣି ?”

 

 

କାମିଲ ଟିକିଏ ଭାବି କହିଲା–“ହଁ, ତୁ ତ ସେତେବେଳେ ମଝିରେ ମଝିରେ ମୋତେ କହୁଥିଲୁ ଯେ ନିତି ଜଣେ ଭଦ୍ରଲୋକ ମୋ ଖବର ବୁଝିବାକୁ ଆସନ୍ତି, ମାତ୍ର ନିଜର ପରିଚୟ ଦେବାକୁ କୁଣ୍ଠିତ ହୁଅନ୍ତି । ତାହା ହେଲେ ସେ ହେଉଛନ୍ତି ଆପଣ ? ଏଁ, ଆପଣ ?

 

କାମିଲ ଥରେ କାଉଣ୍ଟ ଏନ୍–ଙ୍କ ଆଡ଼କୁ ଅନାଇ ଅଧରରେ ବଙ୍କା ହସ ଖେଳାଇ କହିଲା– “ଆପଣ କିନ୍ତୁ ଏମିତି କରି ନ ଥାଆନ୍ତେ, କାଉଣ୍ଟ ।”

 

କାଉଣ୍ଟ ନୀରବ ରହିଲେ । ସୁନ୍ଦର ମୁଖଟି ଅପ୍ରସନ୍ନ ଦିଶିଲା ।

 

ତା’ ପରେ ଗାନ ବଜାଣ ଚାଲିଲା । ଶେଷ ଆଡ଼କୁ କାମିଲ କୌଣସି ମତେ ବାଜଣା ଧରି ପାରିଲା ନାହିଁ । ଗାଷ୍ଟନ ବାରମ୍ବାର ବାଜଣା ଦେଖାଇ ଦେଲେ ସୁଦ୍ଧା, ସେ ନିଜର ଅକ୍ଷମତା ଜଣାଇ କହିଲା– “ଏକା ଥରେ ଆଠଟା ସ୍ଵର ବଜାଇବାର ଶକ୍ତି ଥିଲେ, ମୋର ଆଉ କିଛି ଚିନ୍ତା ନ ଥାଆନ୍ତା ।” ଏହା କହି ସେ ସ୍ଵରଲିପିଟା ଗୋଟାଏ କୋଣକୁ ଫିଙ୍ଗି ଦେଲା ।

 

“ଦାସୀ ଆସି ପଚାରିଲା– “ଖାଇବା ପାଇଁ ଜାଗା କରିବି ?”

 

ତତ୍‌କ୍ଷଣାତ୍ ପ୍ରୁଡେନ୍‌ସ କହି ପକାଇଲା– “ଅଲବତ, ଅଲବତ, ଭୋକରେ ମୋ ପେଟ ଜଳିଲାଣି ।”

 

ଗାଷ୍ଟନ ଓ ଆର୍ମାଣ୍ଡ ଚାଲିଯିବାକୁ ଉଠି ପଡ଼ୁଥିଲେ, କାମିଲ ସେମାନଙ୍କୁ ବାରଣ କଲା– “ସମସ୍ତଙ୍କ ପାଇଁ ଖାଇବାର ବ୍ୟବସ୍ଥା ହୋଇଛି, ଆପଣମାନେ ନ ଖାଇ କେମିତି ଚାଲିଯିବେ ?”

 

କାଉଣ୍ଟ ଏନ ରାଜି ହେଲେ ନାହିଁ । ସେ ବିଦାୟ ନେବାକୁ ଅନୁମତି ଚାହିଁଲେ– “କାଲି ଫେର୍ ଆସି ପାରେ ତ ?

 

କାମିଲ ବିରସ କଣ୍ଠରେ ଜବାବ ଦେଲା–“ଏଥିରେ ଅନୁମତିର କି ଦରକାର ?”

 

ଏଥିରେ କାଉଣ୍ଟ ଅପମାନିତ ବୋଧ ନ କରି ହସି ହସି ସମସ୍ତଙ୍କୁ ଶୁଭ ରାତ୍ରି ଜଣାଇ ବିଦାୟ ନେଲେ ।

 

ସମସ୍ତେ ଭୋଜନାଗାରରେ ଯାଇ ବସିଲେ । ସମସ୍ତଙ୍କର ଦୃଷ୍ଟି ପାନୀୟ ଉପରେ ନିବଦ୍ଧ ହେଲା । କାମିଲ

ଥରେ କି ଦୁଇ ଥର ମଦ ଢୋକି ଦେଲା ମାତ୍ରେ ତାହାର କାଶ ଆରମ୍ଭ ହେଲା । କାଶି କାଶି ସେ ବେଦମ ହୋଇଗଲା, ମୁଖରେ ରୁମାଲ ଚାପା ଦେଲା । କିଛି କ୍ଷଣ ପରେ ଧଳା ରୁମାଲରେ କେତୁଟା ଲାଲ ଦାଗ ଦିଶିଲା । କାମିଲ ଚଉକିରୁ ଉଠି ପଡ଼ି ଅତିଥିମାନଙ୍କୁ ଅନୁରୋଧ କଲା–“ଆପଣମାନେ ଖାଉ ଥାଆନ୍ତୁ, ମୁଁ ଏକ୍ଷଣି ଆସୁଛି ।”

 

କାଶର ଦାଉରେ କୁଜା ହୋଇଯାଇ କାମିଲ କାନ୍ଥ ଧରି ଧରି ଶୟନ କକ୍ଷକୁ ଚାଲିଗଲା । ଆର୍ମାଣ୍ଡ ଉଠି ପଡ଼ି ତାହା ପଛେ ପଛେ ଧାଇଁଲା ।

 

କାମିଲ ବିଛଣାରେ ଦେହ ଲମ୍ବାଇ ଦେଲା । ଆର୍ମାଣ୍ଡ ଚଉକିରେ ବସି ପଡ଼ିଲାରୁ, ସେ ଚମକିପଡ଼ି ମୁଖ ଟେକି କହିଲା– “ଓ, ତୁମେ । ନ ଖାଇ ଚାଲି ଆସିଲ କାହିଁକି ?”

 

କାମିଲର କପାଳରେ ହାତ ବୁଲାଉଁ ବୁଲାଉଁ ଆର୍ମାଣ୍ଡ ସ୍ନେହରେ ଧୀରେ ଧୀରେ ପଚାରିଲା–“ଜାଣି ଜାଣି କାହିଁକି ତୁମେ ଦେହ ଉପରେ ଏମିତି ଅତ୍ୟାଚାର କରୁଛ କହିଲ ଭଲା ?”

 

କାମିଲ ନୀରବ ରହିଲା । ଦୁଇ ଠୋପା ଲୁହ ତାହାର ହାତ ଉପରେ ପଡ଼ିଲା । ତହୁଁ ସେ କହିଲା–“ତାହା ହେଲେ ସତରେ ତୁମେ ନିତି ଆସୁଥିଲ । ସେତେବେଳେ, ମୋର ଅସୁଖ ସମୟରେ ?”

 

ଆର୍ମାଣ୍ଡ ମୃଦୁ କଣ୍ଠରେ ଜବାବ ଦେଲା–“ମୋର ଆସିବାରେ ତ ତୁମର କିଛି ଉପକାର ହୋଇ ନାହିଁ ।”

 

“ଦେଖୁଛ ତ, ଏ ଯାଏ ମୋର ରୋଗ ଭଲ ହୋଇ ନାହିଁ । ଏବେ ଆସିବ ତ ?”

 

“ନିଶ୍ଚୟ ଆସିବି, ଯଦି ତୁମକୁ ଆରୋଗ୍ୟ କରିବାର ସମ୍ପୂର୍ଣ୍ଣ ସୁଯୋଗ ମୋତେ ଦିଅ ।”

 

“ଆରୋଗ୍ୟ କରିବ ? କେମିତି ?”

 

“କାହିଁକି ? ତୁମର ଯତ୍ନ ନେଇ, ସେବା କରି, ଆଉ ତୁମକୁ ନିଜ ଉପରେ ଅତ୍ୟାଚାର କରିବାକୁ ନ ଦେଇ । ଯଦି କିଛି ଦିନ ଟିକିଏ ଶାନ୍ତ ହୋଇରହନ୍ତ ଏବଂ ଏହି ଉଚ୍ଛୃଙ୍ଖଳ ଜୀବନ ଧାରାକୁ କିଞ୍ଚିତ ସଂଯତ କରନ୍ତ, ତାହା ହେଲେ ମୋର ତ ଦୃଢ଼ ବିଶ୍ଵାସ ଯେ ତୁମେ ଅଚିରେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଯାଆନ୍ତ ।”

 

“ତୁମେ ପାରିବ ମୋତେ ସଂଯତ ରଖି ? କେଉଁ ଜୋରରେ ?”

 

“ଭଲ ପାଇବାର ଜୋରରେ I ତୁମେ ଖାଲି ମୋତେ ସେହି ସୁଯୋଗ ଦିଅ ।”

 

ଫୁଲଦାନିରେ କାମେଲିୟା ଫୁଲର ଗୋଟାଏ ବଡ଼ ତୋଡ଼ା ଥିଲା । ସେଥିରୁ ଗୋଟିଏ ଫୁଲ କାଢ଼ି ନେଇ କାମିଲ ଆର୍ମାଣ୍ଡର କୋଟର ବୋତାମ ଘରେ ଖୋସି ଦେଇ କହିଲା–“ଏହି ଧଳା ଫୁଲ କାଲି ଯେତେବେଳେ ଲାଲ ହୋଇଯିବ, ସେତିକିବେଳେ ତୁମେ ମୋ ପାଖକୁ ଆସିବ ।”

 

“କେତେବେଳେ ତୁମ ଫୁଲ ଲାଲ ହୋଇଯିବ ?”

 

“ରାତିରେ–ପ୍ରାୟ ଏଗାରଟା ବାରଟା ବେଳକୁ ।”

 

 

ନିତି ଡିଉକଙ୍କର ଠିକ୍ ପ୍ରସ୍ଥାନପରେ ଓ ଅନ୍ୟ ନାଗରମାନେ ଆସି ପହଞ୍ଚିବା ପୂର୍ବରୁ ଆର୍ମାଣ୍ଡ ଯାଇ କାମିଲର ଘରେ ହାଜର ହୁଏ । ସେ କାମିଲକୁ ନଜରରେ ରଖେ, ମଦ ଖାଇବାକୁ କି ପାଟିଗୋଳ କରିବାକୁ ଦିଏ ନାହିଁ ଏବଂ ଏପରି ମିନତିଭରା ଦୃଷ୍ଟିରେ ନୀରବରେ ତାହା ଆଡ଼କୁ ଚାହିଁ ରହେ ଯେ ଅସଂଯତ ଆଚରଣରେ ଲିପ୍ତ ହେବାକୁ ତାହାର ମନ ବଳେ ନାହିଁ ।

 

କ୍ରମେ କ୍ରମେ ସୌଖୀନ ଅତିଥିମାନେ କାମିଲ ପାଖକୁ ଆସି ଆଉ ଆନନ୍ଦ ପାଇଲେ ନାହିଁ । କାଉଣ୍ଟ ଏନ ଛଡା ଅନ୍ୟମାନଙ୍କର ଯାତାୟାତ କମିବାକୁ ଲାଗିଲା । ପ୍ରୁଡେନ୍‌ସ ଅବଶ୍ୟ ଆସେ, କାରଣ ନୈଶ୍ୟ ଭୋଜନଟା ସେ ଏଠାରେ ସାରିଦିଏ । କାଉଣ୍ଟ ଏନ ଏଣିକି କାମିଲର ଶଯ୍ୟାରେ ସ୍ଥାନ ପାଏ ନାହିଁ । ତଥାପି ବେଳେ ବେଳେ ସେ କିଛି ଟଙ୍କା କାମିଲର ହାତରେ ଗୁଞ୍ଜି ଦେଇଯାଏ ।

 

ଦୁଇ ତିନି ସପ୍ତାହ ପରେ କାମିଲର ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ପରିଲକ୍ଷିତ ହେଲା । ଏକ୍ଷଣି ତାହାର କାଶ ଟିକିଏ କମି ଯାଇଛି, ଜର ବି ଆଗ ପରି ଆଉ ଆସୁ ନାହିଁ, ସତେକି ଜୀବନରେ ନୂତନ ଆନନ୍ଦ ଆସିଛି । ସେ ଏବେ ନୂଆ ଭାବରେ ଜୀବନ ଯାପନ କରିବ ବୋଲି ଭାବୁଛି ।

 

ଆର୍ମାଣ୍ଡ ତାହା ସାମନାରେ ବସି କଳ୍ପନାର ଜାଲ ବୁଣେ । କାମିଲକୁ ସେ ପୁଣି ମାର୍ଟାରେଟରେ ପରିଣତ କରିବ । ସେ ତାହାକୁ ସହରର ଏହି ପଙ୍କିଳ ପରିବେଶରୁ ଉଦ୍ଧାର କରି ନେଇଯିବ କୌଣସି ନଦୀ କୂଳବର୍ତ୍ତୀ ବନ ଭୂମି ନିକଟସ୍ଥ ନିରୋଳା ଗ୍ରାମକୁ–ଗୋଟିଏ କୁଡ଼ିଆ, ଫୁଲ ବଗିଚାଟିଏ, ଆଉ କେତୋଟି କୁକୁଡ଼ା ଓ ବତକ ଏତିକି ସମ୍ବଳ ହେବ ସେମାନଙ୍କର ସୁଖର ସଂସାରରେ ।

 

କାମିଲ ମୁଗ୍‌ଧ ହୋଇ ଏହି ମଧୁର ସପନ କଥା ଶୁଣେ, ଆଉ ହସି ହସି କହେ–“ଯାହାର ବାର୍ଷିକ ଖର୍ଚ୍ଚ ଲକ୍ଷେ ଫ୍ରାଙ୍କ, ସେହି ନାରୀକୁ ତୁମେ ନେଇ ଗୋଟିଏ କୁଡ଼ିଆରେ ବାନ୍ଧି ରଖିବ ? ପାଗଳାମୀ ଛଡ଼ା ଏହା ଆଉ କଅଣ ହୋଇପାରେ ?”

 

ଆର୍ମାଣ୍ଡ କରି ଯାଏ ସତ, ମାତ୍ର ଆଶା ଛାଡ଼େ ନାହିଁ । ସୁଯୋଗ ପାଇଲେ ସେ କାମିଲକୁ ନାନା ଭାବରେ ବୁଝାଏ, ମାତ୍ର କାମିଲ ମାନେ ନାହିଁ ।

 

ହଠାତ୍ ଦିନେ ଭୋରରୁ ଉଠି ପଡ଼ି କାମିଲ କହିଲା–“ଉଠ, ଚାଲ, ଆଜି ଟିକିଏ ପଲ୍ଲୀ ଜୀବନର ଆସ୍ଵାଦ ଚାଖି ଆସିବା ।”

 

“ଯିବ ? ହେଉ, ଚାଲ”–ଆର୍ମାଣ୍ଡ ଅତିଶୟ ଉତ୍ସାହିତ ହେଲା ।

 

ଗୋଟିଏ ଖୋଲା ଗାଡ଼ି ଭଡ଼ା କରା ହେଲା । ଚାରି ଜଣ ଲୋକ– କାମିଲ, ଆର୍ମାଣ୍ଡ, ପ୍ରୁଡେନ୍‌ସ ଓ ଦାସୀ । ସାଙ୍ଗରେ ବିଛଣାପତ୍ର, ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଜିନିଷପାତିସବୁ ଗଲା ।

 

ଦୁଇ ଘଣ୍ଟା ପରେ ଗାଡ଼ି ବୁଗିଭାଲରେ ଯାଇ ପହଞ୍ଚିଲା । ଆନଲଡ୍‌ଙ୍କର ହୋଟେଲରେ ସେମାନେ ଆସ୍ଥାନ ଜମାଇଲେ । କିଛି ସମୟ ପରେ ସେମାନେ ବୁଲି ବାହାରିଲେ । ପ୍ରଥମେ ଗୋଟାଏ ପଡ଼ିଆ, ତା ପରେ ଧାଡ଼ିକି ଧାଡ଼ି ବହୁତ ବଡ଼ ବଡ଼ ଗଛ ପଛରେ ଛୋଟ ଘରଟିଏ, ଦୁଇ ପଟେ ବଗିଚା ଓ ପଛରେ ବଣ, ସତେ କି କୌଣସି ଚିତ୍ରକର ତୂଳୀରେ ଛବିଟିଏ ଆଙ୍କିଛି । ଘରଟି ଭଡ଼ା ଦିଆଯିବ ।

 

ସେମାନେ ଦିନ ସାରା ବଣରେ ବୁଲି ବୁଲି ଏବଂ ଘରଟି ଦେଖି ଫେରି ଆସିଲେ । ଘରଟି ଭଡ଼ା ନେବା ପାଇଁ କାମିଲ କିଛି ଦିନ ଯାଏ ପ୍ରୁଡେନ୍‌ସ ସହିତ ଗୁପ୍ତ ମସୁଧା ଚଳାଇଲା । ଏହାର ଆଭାସ ପାଇ ଆର୍ମାଣ୍ଡ ରାଗିଗଲା ।

 

ଇତି ମଧ୍ୟରେ ଆର୍ମାଣ୍ଡକୁ ନ ଜଣାଇ କାମିଲ ଦିନେ ଡିଉକଙ୍କୁ ସେହି ଘରଟି ଦେଖାଇବାକୁ ନେଇଗଲା । ସେ ଡିଉକଙ୍କୁ ବୁଝାଇଦେଲା ଯେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ତାହାର ଏକ୍ଷଣି ପଲ୍ଲୀଗ୍ରାମରେ ବାସ କରିବା ଏକାନ୍ତ ବିଧେୟ । ନିରୋଳାରେ ଓ ଶାନ୍ତିରେ ସଞ୍ଜମ ଜୀବନ ଯାପନ କଲେ ତାହାର ବଞ୍ଚି ରହିବାର ରଥ ସୁଗମ ହେବ । ଏଣେ ଡିଉକ ବି ନିତି ସହରରୁ ବୁଗିଭାଲକୁ ଘୋଡ଼ାଗାଡିରେ ଯାଇ ଦୁଇ ତିନି ଘଣ୍ଟା ପଲ୍ଲୀ ଅଞ୍ଚଳରେ ଖୋଲା ହାୱା ସେବନ କଲେ, ତାଙ୍କର ଯଥେଷ୍ଟ ଉପକାର ହେବ । ସୁତରାଂ ଡିଉକ ବୁଗିଭାଲର ଘରଟି କାମିଲ ପାଇଁ ଭଡ଼ା ନେଲେ । ତାହା ଛଡ଼ା କାମିଲ ଶ୍ରୀମତୀ ଆର୍ନଲ୍‌ଡଙ୍କ ହୋଟେଲର ଗୋଟିଏ କୋଠରୀ ଆର୍ମାଣ୍ଡ ପାଇଁ ଭଡ଼ା ନେଲା ।

 

ଏକ ରମଣୀୟ ପ୍ରଭାତରେ କାମିଲ ଯାଇ ପହଞ୍ଚିଲା ସେହି ପଲ୍ଲୀ ନିବାସରେ, ଆଉ ଆର୍ମାଣ୍ଡ ହୋଟେଲର ନିର୍ଦ୍ଦିଷ୍ଟ କୋଠରୀରେ । କାମିଲ ନିରୋଳାରେ ବାସ କରିବା ପାଇଁ ବୁଗିଭାଲକୁ ଗଲା ସିନା, କିନ୍ତୁ ଫଳ ହେଲା ବିପରୀତ । କାରଣ କାମିଲର ଅଗଣିତ ସହରବାସୀ ବନ୍ଧୁମାନେ ଏହି ନିଭୃତ ନିବାସ ପ୍ରତି କୌତୂହଳୀ ହେଲେ । ନିତି ସନ୍ଧ୍ୟା ଆଗରୁ ସେମାନେ ଦଳ ଦଳ ହୋଇ ଯଆନ୍ତି ଏବଂ ଅଧ ରାତିରେ ସହରକୁ ଫେରି ଆସନ୍ତି । ଏହା ଦ୍ୱାରା ଡିଉକ ବଡ଼ ଅଡୁଆରେ ପଡ଼ିଗଲେ । ଆଗରୁ ସେ ଚରାବର ସଞ୍ଜ ବେଳେ କାମିଲକୁ ନିଜ ପାଖରେ ପାଉଥିଲେ । ବର୍ତ୍ତମାନ ବହୁ ବନ୍ଧୁଙ୍କର ସମାଗମ ହେତୁ ତାହା ଆଉ ସମ୍ଭବ ହେଲା ନାହିଁ ।

 

ଦିନେ ଡିଉକ ପଛପଟେ ଗୋଟିଏ ଘରେ ଏକା ଚୁପଚାପ ବସି ବସି ଶେଷକୁ ବିରକ୍ତ ହୋଇ ଉଠି ଚାଲି ଯାଉଥିଲେ । ଅନ୍ୟମନସ୍କ ଭାବରେ ଯାଉଁ ଯାଉଁ ସେ ହଠାତ୍ ସେହିଘରେ ପହଞ୍ଚିଗଲେ, ଯେଉଁଠି ଦଳେ ପାନୋନ୍ମଭ ନର–ନାରୀ ଭୋଜନ ଟେବୁଲ ଚାରିପଟେ ବସି ଅଶ୍ରାବ୍ୟ ଭାଷାରେ ରସାଳାପ କରୁଥିଲେ । ବୃଦ୍ଧ ଡିଉକଙ୍କୁ ସାମନାରେ ଦେଖି ସେମାନେ ଅଟ୍ଟହାସ୍ୟ କଲେ ଏବଂ ଡିଉକ ଲାଜରେ ସଢିଯାଇ କ୍ରୋଧରେ ନିଆଁ ହୋଇଗଲେ । ସେ ରୂଢ଼ ଭାଷାରେ କାମିଲକୁ ତିରସ୍କାର କଲେ– “ଏଟା ମୋ ନିଜର ଘର, ଅଥଚ ତୁମ ବନ୍ଧୁମାନେ ଏଇଠି ବସି ମୋତେ ଅପମାନ ଦେଲେ । ଏତେ ସାହସ ସେମାନଙ୍କର । ସେଥିପାଇଁ ତୁମର ଲଜ୍ଜିତ ହେବା ଉଚିତ ନୁହେଁ କି ?”

 

କାମିଲ କିଛି ଜବାବ ଦେବା ଆଗରୁ, ଡିଉକ ଯାଇ ଗାଡ଼ିରେ ବସି ପଡିଲେ । ସେହି ଦିନରୁ ସେ ଏହି ଘରେ ଆଉ ପାଦ ଦେଲେ ନାହିଁ ।

 

ଡିଉକଙ୍କୁ ଆଉ ନ ଆସିବାର ଦେଖି କାମିଲ ଆର୍ମାଣ୍ଡକୁ ହୋଟେଲରୁ ନେଇଗଲା । ଦୁହେଁ ପ୍ରକାଶ୍ୟରେ ସେହି ଘରେ ଏକତ୍ର ବାସ କରିବାକୁ ଲାଗିଲେ । କାମିଲର ବନ୍ଧୁମାନେ ସହରକୁ ଫେରି ଯାଇ ଏହି କଥା ଚାରିଆଡ଼େ ରଚନା କରିଦେଲେ ।

 

କାମିଲର ଖର୍ଚ୍ଚ ଲକ୍ଷେ ଫ୍ରାଙ୍କରୁ ତିନି ଭାଗ ମିଳୁଥିଲା ଡ଼ିଉକଙ୍କ ପାଖରୁ । ସେହି ଝରଣାଟି ବର୍ତ୍ତମାନ ଶୁଖିଯିବାରୁ, କାମିଲ ଓ ଆର୍ମାଣ୍ଡ ନୁହେଁ ଅଭାବ ଘୁଞ୍ଚାଇବା ପାଇଁ ଚେଷ୍ଟାକଲେ କାମିଲ ଅତୀତକୁ ଏକାବେଳେ ପୋଛିପାଛି ଦେବାକୁ ବସିଲା । ପ୍ୟାରିସର ଘରେ ତାହାର ଯେଉଁ ଆସବାବପତ୍ର, ଗହଣାଗାଣ୍ଠି, ଲୁଗାପଟା ଓ ଗାଡ଼ି–ଘୋଡ଼ା ଥିଲା, ସେସବୁ ସେ ବିକି ଦେଇ ଧାର ଶୁଝିଲା ଏବଂ ହାତରେ ମଧ୍ୟ କିଛି ରଖିଲା । ସେସବୁ ହରାଇ ତାହାର ମନରେ ଦୁଃଖ ନାହିଁ, ବରଂ ସେ ପରିତୃପ୍ତି ଲାଭ କଲା । ପ୍ରିୟତମକୁ କତିରେ ପାଇ ତାହାର ଜୀବନ ଧନ୍ୟ ହେଲା । ନିଜର ନିରାଭରଣ ଦେହଲତା ପ୍ରେମିକର ବାହୁ ପାଶରେ ଆବଦ୍ଧ କରି ସେ ଛାୟାନ୍ଧକାର ବନସ୍ଥଳୀର ବକ୍ଷରେ ଅଳସ ଚରଣରେ ବିଚରଣ କଲା ଏବଂ ପ୍ରେମର ସୁଖକର ଶଯ୍ୟା ରଚିଲା ।

 

 

ଅର୍ଥାଭାବ ଜନିତ ଦୁଃଖ କାମିଲ ଓ ଆର୍ମାଣ୍ଡର ଅନ୍ତରକୁ ତିଳେ ହେଲେ ଛୁଇଁ ପାରିଲା ନାହିଁ । ଚିନ୍ତା କି ଭୟ ସେମାନଙ୍କ ପାଖ ପଶିଲା ନାହିଁ । ଦୁଇ ଜଣ ସାମନାସାମନି ଠିଆ ହେଲେ ଦୁଇଟି ନିର୍ମଳ ଶାନ୍ତ ଅଧରରେ ହସର ଅନିନ୍ଦ୍ୟ ରେଖା ପ୍ରକଟିତ ହୁଏ ।

 

ପ୍ୟାରୀସରେ ଆର୍ମାଣ୍ଡର ଘର ଜଗିଥିବା ଚାକରଟି ଦିନେ ହଠାତ୍ ଆସି ପହଞ୍ଚିଲା ଏବଂ ଆର୍ମାଣ୍ଡର ହାତକୁ ଖଣ୍ଡିଏ ଚିଠି ବଢ଼ାଇଦେଇ ଜଣାଇଲା–“ଆପଣଙ୍କ ବାପା ଗାଁରୁ ଆସିଛନ୍ତି । ସେ ଆପଣଙ୍କ ପାଇଁ ଅପେକ୍ଷା କରି ବସିଛନ୍ତି । ଆପଣଙ୍କୁ ଶୀଘ୍ର ଯିବାକୁ ସେ କହିଛନ୍ତି ।” ଖବର ଦେଇ ଚାକର ଫେରିଗଲା ।

 

ଆର୍ମାଣ୍ଡଠାରୁ ଏହି ଖବର ଶୁଣି କାମିଲ କହିଲା–“ଚାକରର ଆସିବା ଦେଖି ମୁଁ ଏମିତି ଗୋଟାଏ କିଛି ଆଶଙ୍କା କରିଥିଲି । ତୁମର ବାପା ପ୍ୟାରିସକୁ ଆସିଛନ୍ତି, ଏହା ଭିତରେ ନିଶ୍ଚୟ କିଛି ରହସ୍ୟ ଅଛି । ତାଙ୍କର ଏହି ଆକସ୍ମିକ ଆଗମନ ବୋଧହୁଏ ଆମ ପକ୍ଷରେ ଶୁଭପ୍ରଦ ହେବନାହିଁ ।”

 

“କାହିଁକି ? ଅଶୁଭ ବା କେଉଁଥି ପାଇଁ ହେବ ? ପ୍ରତିବର୍ଷ ଏହି ସମୟରେ ମୁଁ ତ ଗାଁକୁ ଯାଏ । ଏଥର ଯାଇ ନାହିଁ ବୋଲି ସେ ବୋଧହୁଏ ବ୍ୟସ୍ତ ହୋଇ ଚାଲି ଆସିଛନ୍ତି ମୋତେ ନେଇଯିବା ପାଇଁ ।”

 

କାମିଲ କାତର ସ୍ୱରରେ ପଚାରିଲା–“ତାହାହେଲେ ତୁମେ ଯିବ ତ ?”

 

“ତୁମକୁ ଏକା ଛାଡ଼ିଦେଇ ମୁଁ କେମିତି ଯିବି ? ଗୋଟାଏ କିଛି ଆଳ ଦେଖାଇ ତାହାଙ୍କୁ ବିଦା କରିଦେଇ ପାରେ । ତେବେ ବାପାଙ୍କ ସହିତ ଦେଖା କରିବା ପାଇଁ ମୋତେ ନିଶ୍ଚୟ ଥରେ ପ୍ୟାରୀସକୁ ଯିବାକୁ ପଡ଼ିବ ।”

 

“ତାହା ତ ଠିକ୍”–କାମିଲର କାତର ଦୃଷ୍ଟି ସୁଦୂର ଦିଗନ୍ତ ଉପରେ ନିବଦ୍ଧ ଥିଲା ।

 

ଆର୍ମାଣ୍ଡ ଆଶ୍ୱାସନା ଦେଲା– “ମୁଁ ଯିବି, ଆଉ ଆସିବି । ତୁମର ଭୟ କରିବାର କିଛି କାରଣ ନାହିଁ ।”

 

କିନ୍ତୁ ସେଥିରେ କାମିଲର ଅନ୍ତରରୁ ଭୟ ଅପସରିଲା ନାହିଁ । ଆର୍ମାଣ୍ଡକୁ ବିଦାୟ ଦେଲାବେଳେ ସେ ପ୍ରାୟ କାନ୍ଦି ପକାଇଲା ।

 

ଆର୍ମାଣ୍ଡ ନିଜର ଘରେ ଯାଇ ହାଜର ହେଲା । ତାହାର ବାପା ଟେବୁଲ କତିରେ ବସି ଖଣ୍ଡିଏ ଚିଠି ଲେଖୁଥିଲେ । ଚିଠିଟି ଲେଖି ସାରି ଡାକରେ ପକାଇବା ଲାଗି ଚାକରକୁ ଦେଇ, ସେ ପୁଅକୁ ଆଲିଙ୍ଗନ କଲେ । ତା ପରେ କାନ୍ଥ ଆଡ଼କୁ ପିଠି କରି ସେ କହିଲେ–“ଆର୍ମାଣ୍ଡ, ତୋ ସାଙ୍ଗରେ ମୋର ଗୋଟାଏ ଗୁରୁତର କଥା ଅଛି । ଆଜିକାଲି ଯୁବକମାନେ ପ୍ରଣୟିନୀ ନ ରଖିଲେ ବଞ୍ଚି ପାରିବେ ନାହିଁ । ତୁ ବି ରଖିବୁ ବୋଲି ମୁଁ ଆଶଙ୍କା କରିଥିଲି । ତେବେ ସେ ଆଶଙ୍କା ଏତେ ପ୍ରବଳ ନୁହେଁ ।”

 

“ତାହା ହେଲେ ଆପଣ କେଉଁଥି ପାଇଁ ଏଠାକୁ ଧାଇଁ ଆସିଛନ୍ତି ?”

 

“ନା, ମୂଳରୁ ମୋର ଆଶଙ୍କା ନ ଥିଲା । ଯୌବନରେ କେତେଗୁଡ଼ିଏ ଉପସର୍ଗ ଭିତରୁ ପ୍ରଣୟ କରିବାର ଝୁଙ୍କ ଅନ୍ୟତମ । ଏଥିରେ ଅବଶ୍ୟ ଅସ୍ଵାଭାବିକତା କିଛି ନାହିଁ । ବର୍ତ୍ତମାନ ମୁଁ ଆଶଙ୍କା କରିବାକୁ ବାଧ୍ୟ ହୋଇଛି । କାରଣ ତୁ ସୀମା ଟପିବାକୁ ଲାଗିଲୁଣି । ଏପରି ଗୋଟାଏ ସାଙ୍ଘାତିକ ମାଇକିନାକୁ ନେଇ ତୁ ମାତିଛୁ– ।”

 

ଆର୍ମାଣ୍ଡ ବାଧା ଦେଇ ପଚାରିଲା–“ସାଙ୍ଘାତିକର କାରଣଟା କଅଣ ?”

 

“ତୋତେ କଅଣ ମାଲୁମ ନାହିଁ ଯେ ତାହାର ବାର୍ଷିକ ଖରଚ ଲକ୍ଷେ ଫ୍ରାଙ୍କ ।”

 

ଲାଲ ପଡ଼ିଯାଇ ଆର୍ମାଣ୍ଡ ଓଲଟି ଜବାବ ଦେଲା–“ତାହାର ଲକ୍ଷେ ଫ୍ରାଙ୍କ ଖରଚ କରିବାର ସଙ୍ଗତି ଥିଲେ, ସେ କରିବ ନାହିଁ ?”

 

“ଅଛି ତାହାର ସଙ୍ଗତି ? ସେ କଅଣ କୌଣସି କାଉଣ୍ଟର ସ୍ତ୍ରୀ ? ଏହି ଲକ୍ଷେ ଫ୍ରାଙ୍କ ସେ ତାହାର ବିଭିନ୍ନ ପ୍ରଣୟୀମାନଙ୍କ ଠାରୁ ପାଏ । ଯଦି ତୁ ଏକା ତାହାକୁ ଏହି ଲକ୍ଷେ ଫ୍ରାଙ୍କଦେଇ ପାରୁ ଥାଆନ୍ତୁ, ମୋର କିଛି କହିବାର ନ ଥାଆନ୍ତା । କିନ୍ତୁ ଟଙ୍କା ତାହାକୁ ଦେଉଛନ୍ତି ପାଞ୍ଚ ଜଣ, ଅଥଚ ତାହାକୁ ଭୋଗ ଦଖଲ କରି ରହିଛୁ ତୁ ଏକା । ଯଦି ଏମିତି ଗୋଟାଏ ଅଜବ କଥା ତୁ ମୋତେ ବିଶ୍ଵାସ କରିବାକୁ କହୁ, ତାହାହେଲେ ମୁଁ ତ କହିବି ଯେ ସେଥିରେ ତୋ ଭିତରେ ମର୍ଯ୍ୟାଦା ବୋଲି କୌଣସି ବସ୍ତୁର ଚିହ୍ନ ବର୍ଣ୍ଣ ନାହିଁ ।”

 

ଆର୍ମାଣ୍ଡ ଅତି କଷ୍ଟରେ ବୁଝାଇବାକୁ ବସିଲା–“ଯଦିଚ ବର୍ତ୍ତମାନ ପରିସ୍ଥିତି ମୋ ପକ୍ଷରେ ଗୌରବଜନକ ନୁହେଁ, ଆଶା କରୁଛି, ଅତି ଶୀଘ୍ର ତାହା ବଦଳିଯିବ ।”

 

“ମୁଁ ଖବର ପାଇଲି ଯେ ତୁ ତୋର ଯଥାସର୍ବସ୍ଵ ସେହି ମାୟାବିନୀର ହାତରେ ସମର୍ପି ଦେବାକୁ ଯାଉଛୁ । ହେଉ, ହେଲା, ତୋ ମାଆ ଠାରୁ ପାଇଥିବା ଷାଠିଏ ହଜାର ଫ୍ରାଙ୍କ ଉଠାଇ ଆଣି ତୁ ତାହାକୁ ଦେଇ ଦେଲୁ । ସେତକ ତ ସେ ମାସ ଛଅଟା ଭିତରେ ଉଡ଼ାଇଦେବ । ତା ପରେ ତୁମେ କିପରି ଚଳିବ ? ଫେର୍ ସେହି ପର ପାଖରେ ସେ ହାତ ପାତିବ । ମଝିରେ ତୁ ଦାଣ୍ଡର ଭିକାରୀ ହୋଇଯିବୁ । ମାତ୍ର ଏହାହିଁ କେବଳ ଚିନ୍ତାର ବିଷୟ ନୁହେଁ, କି ଆର୍ଥିକ ସମସ୍ୟାଟା ସବୁଠାରୁ ବେଶି ଗୁରୁତର ନୁହେଁ । ତାହାଠାରୁ ଢେର୍ ବେଶି ଗୁରୁତର ପ୍ରଶ୍ନ ଅଛି । ଫରାସୀ ଦେଶରେ ସମାଜ ବୋଲି ଗୋଟାଏ ଜିନିଷ ଅଛି, ତୁ ଜାଣୁ ତ ? ତୁ ତାହାକୁ ମାନ ବା ନ ମାନ, ମୋତେ ତ ନିଶ୍ଚୟ ମାନିବାକୁ ହେବ । ନୋହିଲେ ସେହି ସମାଜ ଦିନେ ନା ଦିନେ ମୋ ତଣ୍ଟି ଚିପି ମାରି ଦେବ ।”

 

“ଆପଣ ସମାଜ ବୋଲି କାହାକୁ କହୁଛନ୍ତି, ମୁଁ ତ କିଛି ବୁଝି ପାରୁ ନାହିଁ”– ଆର୍ମାଣ୍ଡ ଉଗ୍ର ସ୍ୱରରେ ଜବାବ ଦେଲା ।

 

“ତୁ ଯଦି ତାହା ବୁଝି ଥାଆନ୍ତୁ, ତାହା ହେଲେ ଆଜି ମୋର କିଛି ଦୁଃଖ ନ ଥାଆନ୍ତା । ଏକ୍ଷଣି କହୁଛି, ଶୁଣ, ତୁ ସେହି ଗଣିକା ସହିତ ଆଉ କିଛି ସମ୍ପର୍କ ରଖି ପାରିବୁ ନାହିଁ ।”

 

ଆର୍ମାଣ୍ଡ ତିକ୍ତ କଣ୍ଠରେ କହିଲା–‘‘ସମ୍ପର୍କ ଛିଡ଼ାଇ ଦେବା କଥା ତ ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ପାରୁ ନାହିଁ ।”

 

“ଏକ୍ଷଣି ତୋତେ ଭାବିବାକୁ ହେବ । ଖାଲି ଭାବିଲେ ଚଳିବ ନାହିଁ, ଭାବନାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ହେବ । ମୋର ଆଦେଶ ଏହା ।”

 

“ବୟସ ଦୃଷ୍ଟିରୁ ମୋ ଉପରେ ଏକ୍ଷଣି ହୁକୁମ ଝାଡ଼ିବାର ଅଧିକାର କାହାର ନାହିଁ–“ଆର୍ମାଣ୍ଡର ତୁଣ୍ଡରୁ ରୁକ୍ଷ ଜବାବ ବାହାରି ଆସିଲା ।”

 

ଶ୍ରୀଯୁକ୍ତ ଡୁଭାଲ ନିଜର କପାଳ ଓ ମୁଖ ଉପରେ ଦୁଇ ଥର ହାତ ବୁଲାଇ ନେଲେ । ତା ପରେ କୋମଳ ଦୃଷ୍ଟିରେ ଆର୍ମାଣ୍ଡ ଆଡକୁ ଅନାଇ ସେ ମଧୁର ସ୍ଵରରେ କହିଲେ–“ନା, ଆମେ ଦୁହେଁ ଭୁଲ କରୁଛନ୍ତି । ଉତ୍ତେଜିତ ହେଲେ କୌଣସି ସମସ୍ୟାର ସମାଧାନ ହୋଇପାରେନାହିଁ । ଆଜି ଏତିକି ଥାଉ । ତୁ କାଲି ପୁଣି ଆସିବୁ । ଆମେ ଏଇଠି ବସି ଗୋଟାଏ କିଛି ଫଇସଲା କରିପାରିବା ।”

 

ଯେତେ ଆପତ୍ତି ଥିଲେ ସୁଦ୍ଧା ଆର୍ମାଣ୍ଡ ବାପାଙ୍କର ଅନୁରୋଧ ଦେଇପାରିଲାନାହିଁ । ସେ ଜବାବ ଦେଲା ଯେ ପର ଦିନ ଆସି ବାପାଙ୍କ ସହିତ ଭୋଜନ କରିବ ।

 

ବୁଦ୍ଧ ପୁଣି ସତର୍କ କରି ଦେଲେ–“ଠିକ୍ ଭୋଜନ ବେଳେ ଆସିଲେ ଚଳିବ ନାହିଁ । ଅନ୍ତତଃ ଦୁଇ ଘଣ୍ଟା ଆଗରୁ ଆସିବା ତୋର ଦରକାର । ତୋ ଭଉଣୀର ବିଭାଘର ହେବ, ଆଜି ସେ ବିଷୟରେ କିଛି କଥା ହୋଇ ପାରିଲା ନାହିଁ ।”

 

“ସତେ ? କେବେ ?” –ଆର୍ମାଣ୍ଡ ଉତ୍ସୁକ ହେଲା ।

 

“କାଲି ସବୁ କହିବି । ଭୋଜନର ଦୁଇ ଘଣ୍ଟା ଆଗରୁ ତୁ ନିଶ୍ଚୟ ଆସିବୁ ।”

 

ତହୁଁ ଆର୍ମାଣ୍ଡ ଫେରିଗଲା ?

 

 

ଅତି ସଙ୍କୋଚରେ ଆର୍ମାଣ୍ଡ ଘରେ ଆସି ପହଞ୍ଚିଲା । ସେ ଧାଇଁଯାଇ ପ୍ରେୟସୀ କାମିଲକୁ ଦୁଇ ବାହୁରେ ଭିଡ଼ି ଧରି ପଚାରିଲା–“ତୁମର କଅଣ ହୋଇଛି, ପ୍ରିୟେ ? ଦେହ ଭଲ ନାହିଁ କି ?”

 

“ନା, ମୋର କିଛି ହୋଇ ନାହିଁ”–କହି କାମିଲ ଆର୍ମାଣ୍ଡର କାନ୍ଧ ଉପରେ ମୁଣ୍ଡ ରଖି ଆଖିରୁ ଲୁହ ଗଡ଼ାଇଲା ।

 

ଆର୍ମାଣ୍ଡ ତାହାକୁ କୁଣ୍ଢାଇ ନେଇଯାଇ ସୋଫାରେ ବସାଇ ଦେଲା ଏବଂ ଯଥାସମ୍ଭବ ନରମ ସ୍ଵରରେ ନିଜ ବାପାର ବକ୍ତବ୍ୟ ବୁଝାଇବାକୁ ଲାଗିଲା । କିନ୍ତୁ କାମିଲ ବୋକା ନୁହେଁ । ସେ ଆଗରୁ ଜାଣି ପାରିଛି ଯେ ଆର୍ମାଣ୍ଡ ସହିତ ତାହାର ବିଚ୍ଛେଦ ଘଟାଇବା ପାଇଁ ବୁଦ୍ଧ ସୁଦୂର ମଫସଲରୁ ଧାଇଁ ଆସିଛନ୍ତି ।

 

ଆର୍ମାଣ୍ଡ ଭଗବାନଙ୍କ ନାମରେ ଶପଥ କରି କହିଲା, ସେ ବାପାଙ୍କୁ ସିଧା ସିଧା ବତାଇ ଦେଇଛି ଯେ ନିଜର ପ୍ରେମର ବ୍ୟାପାରରେ ସେ କାହାର ହସ୍ତକ୍ଷେପ ବରଦାସ୍ତ କରିବ ନାହିଁ । ତଥାପି ସେ କାମିଲର ମନ ବାନ୍ଧି ପାରିଲା ନାହିଁ । କାରଣ କିଛି କଥାରେ କାମିଲର ମନ ମାନିଲା ନାହିଁ । ସେ ପଦେ ଦି ପଦ କଥା କହୁଥାଏ, ଆଉ ଆଖିରୁ ଲୁହ ପୋଛୁଥାଏ । ବେଳେ ବେଳେ ସେ କଅଣ କହିବାକୁ ବସେ, ମାତ୍ର ପର ମୁହୂର୍ତ୍ତରେ ତାହା ତଣ୍ଟିରେ ଲାଗିଯାଏ ।

 

ଶେଷକୁ ଆର୍ମାଣ୍ଡ ପଚାରିଲା–“ତୁମେ ମୋତେ ଯାହା କହିବାକୁ ଚାହୁଁଛ, କହୁ ନାହଁ କାହିଁକି ? ତୁମ ମୋ ଭିତରେ ଏବେ ବି କଅଣ କିଛି କଥା ଅଛପା ଅଛି ?”

 

“ମୋର ଆଉ କଅଣ କହିବାର ଅଛି ?” କହି କାମିଲ ଆର୍ମାଣ୍ଡର ବକ୍ଷ ଉପରେ ଲୋଟିଗଲା । ଆର୍ମାଣ୍ଡ ତାହାକୁ ନାନା କଥା କହି ଭୁଲାଇବାକୁ ଚେଷ୍ଟାକଲା । ସେ ନିଜର ସମୁଦାୟ ଅର୍ଥ କାମିଲର ହାତରେ ଦେଇଦେବ । ସେଥିରେ ସେମାନେ ସୁଦୂର ପଲ୍ଲୀ ଅଞ୍ଚଳକୁ ଯାଇ ଖଣ୍ଡିଏ ଛୋଟ କୁଟୀର ତିଆରି କରି ପ୍ରେମର ସ୍ଵର୍ଗପୁରୀ ରଚନା କରିବେ ।
 

“କିନ୍ତୁ ତୁମର ବାପା–“ଅଟକିଗଲା କାମିଲ ।

 

“ମୋର ଆଶା, ବାପା ମୋ କଥାରୁ ବାହାରି ଯିବେନାହିଁ । ଆସିଲାବେଳେ ତାହାଙ୍କୁ ନରମ ଗଳାରେ କଥା କହିବାର ଶୁଣିଛି । କାଲି ସେ ପୁଣି ମୋତେ ଆଲୋଚନା କରିବାକୁ ଡାକିଛନ୍ତି । ମାତ୍ର ଆଲୋଚନା କରିବାର ଆଉ କିଛି ନାହିଁ । ତେବେ ଭଉଣୀର ବିବାହ ଠିକ୍ ହୋଇଛି, ସେହି ବିଷୟରେ ତାହାଙ୍କ ସାଙ୍ଗରେ କଥା ହେବାକୁ କାଲି ଯିବି ।”

 

‘‘ହଁ, ନିଶ୍ଚୟ ଯିବ, ସକାଳୁ ଉଠି ଚାଲିଯିବ”–କହି କାମିଲ ଥରିବାକୁ ଲାଗିଲା ।

 

ରାତିସାରା କାମିଲର ଆଖିକୁ ନିଦ ଆସିଲା ନାହିଁ । ବେଳେ ବେଳେ ସେ ଭୟରେ ଶିହରି ଉଠି ଆର୍ମାଣ୍ଡକୁ କୁଣ୍ଢାଇଧରେ । ମାତ୍ର ଆର୍ମାଣ୍ଡ କିଛି ବୁଝି ପାରେନାହିଁ । ସେ ମନେ ମନେ ଭାବେ ବୋଧହୁଏ ଏହା କୌଣସି ଅସୁଖର ସୂଚନା ।

 

ସକାଳେ ବିଛଣାରୁ ଉଠି କାମିଲ ବାରମ୍ବାର ତାଗଦା କରିବାକୁ ଲାଗିଲା–“ଉଠ, ଶୀଘ୍ର ଯାଅ, ବାପା ପରା ଅପେକ୍ଷା କରି ବସିଥିବେ ।”

 

“ହଁ, ଯିବି, ଯଥାଶୀଘ୍ର ଫେରି ଆସିବି । ଦୂରରୁ ନିଶ୍ଚୟ ତୁମର ମୁଖ ଝରକାରେ ଦେଖି ପାରିବି”– କହି ଆର୍ମାଣ୍ଡ ସହାସ୍ୟ ବଦନରେ କାମିଲ ଆଡ଼କୁ ଅନାଇଲା । କିନ୍ତୁ କାମିଲର ଓଠ ଥରୁଥାଏ, ସେ କିଛି ଜବାବ ଦେଲା ନାହିଁ । ସେହି କମ୍ପିତ ଅଧର ଉପରେ ଗୋଟିଏ ଉଷୁମ ଚୁମ୍ବନ ଆଙ୍କି ଦେଇ ଆର୍ମାଣ୍ଡ ଘରୁ ଚାଲିଗଲା ।

 

ସହରରେ ପହଞ୍ଚି ସେ ଦେଖିଲା, ଇତି ମଧ୍ୟରେ ତାହାର ବାପା କୁଆଡ଼େ ବାହାରି ଯାଇଛନ୍ତି । ସେ ଖଣ୍ଡିଏ କାଗଜରେ ଲେଖି ଦେଇ ଯାଇଥିଲେ–“ହୁଏତ ଫେରିବାକୁ ମୋର ଟିକିଏ ଉଛୁର ହୋଇପାରେ । କିନ୍ତୁ ତୁ କଦାପି ଚାଲିଯିବୁ ନାହିଁ । ଭୋଜନ ଆଗରୁ ମୁଁ ନିଶ୍ଚୟ ଫେରିଆସିବି ।”

 

ବାପା କ୍ଳାନ୍ତ ଶ୍ରାନ୍ତ ହୋଇ ଆସିପହଞ୍ଚିଲେ I କି କାମରେ ସେ କେଉଁଠାକୁ ଯାଇଥିଲେ କିଛି କହିଲେ ନାହିଁ । ଘରେ ଗୋଡ଼ ଦେଲାକ୍ଷଣି ସେ ଖାଇ ବସିଲେ । ଭଉଣୀର ବିବାହ ବିଷୟ ସେ ବିଶଦ ଭାବରେ ଆଲୋଚନା କଲେ । ଶେଷରେ ସେ କହିଲେ–“ଭାବି ଦେଖିଲି, ତୋର ପ୍ରଣୟିନୀ ବିଷୟରେ ଏତେ ବିଚଳିତ ହେବା ମୋର ଉଚିତ ନୁହେଁ । ଯେହେତୁ ତୁ ତାହାକୁ ଛାଡ଼ି ରହି ପାରିବୁ ନାହିଁ, ସେପରି ସ୍ଥଳେ ମୋର ତୋତେ ତାହାକୁ ଛାଡ଼ିବାକୁ କହିବା ଅନ୍ୟାୟ । ହେଉ, ତୁ ଯାଆ, ସୁଖରେ ରହ, ତୋତେ ଆଉ କଅଣ କହିବି ।”

 

ତହୁଁ ଆର୍ମାଣ୍ଡ ବାପାଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇ ଆନନ୍ଦରେ ଗଦଗଦ ହୋଇ କାମିଲକୁ ଏହି ସୁସମାଚାରଟି ଜଣାଇ ଦେବା ପାଇଁ ବୃଗିଭାଲ ଆଡ଼କୁ ଘୋଡ଼ାଗାଡ଼ିଟା ବାୟୁ ବେଗରେ ଛୁଟାଇ ଦେଲା । ସେ ଉତ୍ତେଜନାରେ ଗାଡ଼ିରୁ କୁଦିପଡ଼ି ଡାକି ଡାକି ଘର ଭିତରକୁ ପଶିଗଲା– “କାମିଲ ! କାମିଲ ।”

 

କାମିଲର ଦାସୀଟି ଧୀରେ ଧୀରେ ବାହାରି ଆସି ଖଣ୍ଡିଏ ଚିଠି ଆର୍ମାଣ୍ଡର ହାତକୁ ବଢ଼ାଇଦେଲା । ତ୍ରସ୍ତ ହସ୍ତରେ ସେ ଚିଠିଟି ଖୋଲି ପକାଇ ପଢ଼ିଲା, କାମିଲ ଲେଖିଥିଲା–“ମୁଁ ଚାଲି ଯାଉଛି । ତୁମେ ଏହି ଚିଠିଟି ପାଇବା ଆଗରୁ ମୁଁ କାଉଣ୍ଟ ଏନ୍‌ଙ୍କର କଣ୍ଠଲଗ୍ନା ହୋଇଥିବି ।” ଆର୍ମାଣ୍ଡ ପାଗଳ ହୋଇଗଲା । କୌଣସିମତେ ସେ ପ୍ୟାରୀସକୁ ଫେରିଯାଇ ବାପାଙ୍କର ଗୋଡ଼ ତଳେ ପଡ଼ିଗଲା । ତାହାର ତୁଣ୍ଡରୁ ପଦେହେଲେ କଥା ବାହାରିଲା ନାହିଁ । କାମିଲର ଚିଠିଟା ସେ ନୀରବରେ ବାପାଙ୍କ ହାତକୁ ବଢ଼ାଇଦେଲା ।

 

ବାପା ଚିଠିଟା ପଢ଼ି ଅବାକ ନ ହୋଇ ମନ୍ତବ୍ୟ କଲେ–“ସେମାନେ ସମସ୍ତେ ଏକା ଜାତିର ।” ତା’ପରେ ସେ ଚାକରକୁ ହୁକୁମ ଦେଲେ–“ଜିନିଷପତ୍ର ବନ୍ଧାବନ୍ଧି କର, ଆମେ ଗାଁକୁ ଚାଲିଯିବୁ ।”

 

ଆର୍ମାଣ୍ଡର ଭାବନା–ଚିନ୍ତାର ଶକ୍ତି ଏକାବେଳେ ଲୋପ ହୋଇଯାଇଥିଲା । ସେ ବାପାଙ୍କ ସାଙ୍ଗରେ ଯାଇ ଗାଡ଼ିରେ ବସିଲା । ଗାଁରେ ସେ ସାଙ୍ଘାତିକ ଭାବରେ ଅସୁସ୍ଥ ହେଲା–ମସ୍ତିଷ୍କ ପ୍ରଦାହ । ଡାକ୍ତର ମତ ଦେଲେ–“ଏହି ରୋଗଟା ହେବାରୁ ସେ ବଞ୍ଚିଗଲା, ନୋହିଲେ ସେ ବଦ୍ଧ ପାଗଳ ହୋଇଯାଇଥାଅନ୍ତା ।”

 

ପ୍ରାୟ ତିନି ମାସ ପରେ ଆର୍ମାଣ୍ଡ ଟିକିଏ ସୁସ୍ଥ ହୋଇ ଉଠିବସିଲା । ଏହି ସମୟ ଭିତରେ ସେ କାମିଲକୁ ମୁହୂର୍ତ୍ତେ ସୁଦ୍ଧା ପାସୋରି ପାରିଲା ନାହିଁ । ବର୍ତ୍ତମାନ କାମିଲକୁ ଥରେ ଦେଖିବାକୁ ଅତିଶୟ ଅଧୀର ହୋଇ ପଡ଼ିଲା । ବାପାଙ୍କ ଅନୁମତି ନେଇ ସେ ପ୍ୟାରିସକୁ ଚାଲିଗଲା, ମାତ୍ର ଅତି ଶୀଘ୍ର ଫେରି ଆସିବା ପାଇଁ ସେ ବାପାଙ୍କୁ ପ୍ରତିଶ୍ରୁତି ଦେଲା ।

 

ସେ ପ୍ରୁଡେୁନସ ସହିତ ଦେଖା କରି ଜାଣିଲା ଯେ କାମିଲର କିଛି ଦୋଷ ନାହିଁ; ତାହାର ବନ୍ଧୁମାନେ ତାହାକୁ ଧରାଧରି କରି କାଉଣ୍ଟ ଏନ୍‌ଙ୍କ ବେକରେ ଛନ୍ଦି ଦେଇଛନ୍ତି । ସେ କାମିଲର ଧାରକରଜସବୁ ପରିଶୋଧ କରି ଦେଇଛନ୍ତି । କାମିଲକୁ ଭେଟିବା ପାଇଁ ସେ ଗାଁ–ଇଲାଇଜିରେ ଠିଆ ହେଲା I ସାମନାରେ ତାହାର ଗାଡ଼ି ରହିଥିଲା; କିନ୍ତୁ କାମିଲ ସେଥିରେ ନ ଥିଲା । ସେ ଆଉ ଗୋଟିଏ ଝିଅ ସାଙ୍ଗରେ ଆସୁଥିଲା । ତାହାର ବେଶଭୂଷା ଠିକ୍ ଆଗ ଭଳି ଥିଲା, ମାତ୍ର ବଦନ ମଣ୍ଡଳରେ ବିଷାଦର ଛାୟା ଘୋଟି ଯାଉଥିଲା ।

 

ଅବଶେଷରେ ସେମାନଙ୍କର ଚାରି ଚକ୍ଷୁର ମିଳନ ହେଲା । ଦୁହେଁ ମୁଣ୍ଡ ନୂଆଁଇ ପରସ୍ପରକୁ ନମସ୍କାର ଜଣାଇଲେ । ତାପରେ କାମିଲ ଯାଇ ଗାଡ଼ିରେ ବସିଲା । ଥରେ କାମିଲକୁ ଦେଖିଲାରୁ ତାହାର ଗାଁକୁ ଫେରିଯିବା କଥାଟା ମନରୁ ଉଭେଇଗଲା । ସେ କାମିଲର ଚାରି ପଟେ ପତଙ୍ଗ ପରି ଘୁରି ବୁଲିବାକୁ ଲାଗିଲା ।

 

ସେ ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ । ରାତିରେ କାମିଲର ଘରକୁ ଯାଇ ସେ ଦୁଆରେ କରାଘାତ କଲା । ଦାସୀ ଆର୍ମାଣ୍ଡକୁ ଦେଖି ସେ ଅବାକ୍ ହୋଇଗଲା । ସେ ଲଜ୍ଜିତ ହୋଇ କହିଲା–“କାଉଣ୍ଟ ଏନ ଅଛନ୍ତି । ଆପଣ କିପରି ଆସିବେ ?”

 

ଏତିକିରେ ଆର୍ମାଣ୍ଡର ନିଶା ତୁଟିଗଲା । “ଓ, ହଁ, ମୋର ଖିଆଲ ନ ଥିଲା”– କହିଦେଇ ସେ ଟଳିଟଳି ରାସ୍ତାକୁ ଓହ୍ଲାଇଗଲା ।

 

ପର ଦିନ ସକାଳେ କାମିଲ ଏହା ଶୁଣି ଢେର ବେଳ ଯାଏ ବସି କାନ୍ଦିଲା ଏବଂ ତା’ପରେ ଦାସୀକୁ କହିଲା–ଜିନିଷପତ୍ର ସବୁ ବନ୍ଧାଛନ୍ଦା କରିଦେ । ଏକ୍ଷଣି ଆମେ ଇଂଲଣ୍ଡ ଯିବା । ଏଠାକାର ଜଳବାୟୁରେ ମୋର କାଶ କ୍ରମେ କ୍ରମେ ବଢ଼ୁଛି ।”

 

କାମିଲର ସେହି ପୁରୁଣା ଯକ୍ଷ୍ମା ରୋଗ ପୁଣି ବାହାରିଲା । ଡାକ୍ତରଙ୍କର ପରାମର୍ଶ ନ ନେଇ ସେ ନିଜ ଇଚ୍ଛାରେ ଇଂଲଣ୍ଡକୁ ଚାଲିଯିବା ପରେ ଯାଇ ଆର୍ମାଣ୍ଡ ଖବର ପାଇଲା । ସେ ଇଂଲଣ୍ଡ ଯିବାକୁ ଭାବୁଛି, ଜଣେ ବନ୍ଧୁ ସହିତ ତାହାର ଭେଟ ହେଲା । ବନ୍ଧୁଟି ଆଫ୍ରିକା ଓ ଏସିଆ ମହାଦେଶ ଭ୍ରମଣରେ ବାହାରିଥିଲା । ସେ ବାପାଙ୍କୁ ଖଣ୍ଡିଏ ଚିଠି ଲେଖିଦେଇ ତାହାର ସାଥୀ ହେଲା ।

 

ସେମାନେ ଆଲେକଜାଣ୍ଡ୍ରିୟାରେ କିଛିଦିନ ରହିଲେ । ସ୍ଥାନୀୟ ଦୂତାବାସର ଜଣେ କର୍ମଚାରୀଠାରୁ ଆର୍ମାଣ୍ଡ ଖବର ପାଇଲା ଯେ ଇଂଲଣ୍ଡରେ କାଶ ଖୁବ୍ ବେଶି ବଢ଼ି ଯିବାରୁ କାମିଲ ପ୍ୟାରିସକୁ ଫେରି ଆସିଛି ଏବଂ କାଉଣ୍ଟ ଏନ ଅବଶ୍ୟ କିଛି ଚିକିତ୍ସାର ବ୍ୟବସ୍ଥା କରିଛି । ତହୁଁ ସେ କାମିଲକୁ ଲେଖିଲା– “ଏଠାରେ ଶୁଣିଲି, ତୁମର ରୋଗ ବଢ଼ିଛି । ପୁରୁଣା ଦିନର କଥା ମନେ ପକାଇ ଯଦି ମୁଁ ଏଠାରୁ ତୁମର ଆରୋଗ୍ୟ କାମନା କରେ, ମୋର ଦୃଢ଼ ଆଶା, ତୁମେ ତାହାକୁ ଅନଧିକାର ଚର୍ଚ୍ଚା ବୋଲି କଦାପି ମନେ କରିବ ନାହିଁ । ମୁଁ ସୁଦୂର ପ୍ରାଚ୍ୟ ଭ୍ରମଣରେ ବାହାରି ଯାଉଛି । ଫେରିବାକୁ ନିଶ୍ଚୟ ଢେର ଦିନ ଲାଗିବ । ସୁତରାଂ ମୋ ଦ୍ଵାରା ଉତ୍ତ୍ୟକ୍ତ ହେବାର ତୁମର ଆଶୁ ସମ୍ଭାବନା ନାହିଁ । ତୁମେ ନିଶ୍ଚିନ୍ତରେ ଆରୋଗ୍ୟ ଲାଭ କର, ମୋର ଆନ୍ତରିକ କାମନା । ନିଜ ଦେହ ପ୍ରତି ଯନ୍ତ୍ର ନେବ ।” ଚିଠିଟି ଡାକରେ ପକାଇ ଆର୍ମାଣ୍ଡ ବନ୍ଧୁ ସାଙ୍ଗରେ ପ୍ରାଚ୍ୟ ଭ୍ରମଣରେ ବାହାରିଗଲା ।

 

ସେହି ଚିଠିର ଜବାବ ଗୋଟିଏ ଦୂତାବାସରୁ ଅନ୍ୟ ଦୂତାବାସକୁ ଘୂରି ଘୂରି ବହୁ ଦିନ ପରେ ଅବଶେଷରେ ଇରାନର ଗୋଟିଏ ସହରରେ ଆର୍ମାଣ୍ଡର ହାତରେ ପଡ଼ିଲା–

 

“ମୋର ଆର୍ମାଣ୍ଡ !”

 

ତୁମେ ଆଜି ମୋ ଠାରୁ ବହୁ ଦୂରରେ । ମୁଁ ଆଜି ମୃତ୍ୟୁଶଯ୍ୟାରେ । ପ୍ରତି ମୁହୂର୍ତ୍ତରେ ମୋର ମନେହୁଏ, ଯଦି ତୁମେ ଆଜି ମୋ କତିରେ ଥାଆନ୍ତ ତାହାହେଲେ ମୋର ରୋଗ–ଯନ୍ତ୍ରଣା କଦାପି ଏତେ ଅସହ୍ୟ ହୁଅନ୍ତା ନାହିଁ । ଶୁଣ, ମୋର ତୁମକୁ କେତେ ପଦ କଥା କହିବାର ଅଛି । ମୁଁ ପ୍ରତିଜ୍ଞା କରିଛି ଯେ ବଞ୍ଚିଥିବା ଯାଏ ସେହି କଥା ମୁଁ ତୁମକୁ କଦାପି କହି ପାରିବି ନାହିଁ । କିନ୍ତୁ ମୋ ମୃତ୍ୟୁ ପରେ ତୁମକୁ ଅନ୍ଧକାରରେ ରଖିବାର ବ୍ୟବସ୍ଥା ଯେ କରିଯିବି, ଏଭଳି ପ୍ରତିଜ୍ଞା ବି ମୁଁ କରି ନାହିଁ । ତେଣୁ ମୋ କଥାସବୁ ଲେଖି ଲୁସି ଡ଼ିପ୍ରେକୁ ମୁଁ ଚିଠିଟି ଦେଇଯିବି । ତୁମେ ଫେରି ଆସିବା ଆଗରୁ ମୁଁ ନିଶ୍ଚୟ ମରିଯାଇଥିବି । ଏ ଚିଠିରେ ଆଉ କିଛି ଲେଖିବି ନାହିଁ, କାରଣ ତୁମେ ଏଟା ପାଇବ କି ନା ସେଥିରେ ନିଶ୍ଚୟତା ନାହିଁ । ଗୋଟିଏ କଥା ଖାଲି ଏଠାରେ ତୁମକୁ କହି ରଖୁଛି– ବୁଗିଭାଲରୁ ଚାଲି ଆସିଲା ଦିନରୁ ମୁଁ ତୁମ ଛଡ଼ା ଆଉ କାହାକୁ ଭଲପାଇ ନାହିଁ । ମୋର ଘୃଣା ଜୀବନରେ ତୁମେ ହିଁ ଏକମାତ୍ର ଆଲୋକ ଦେବତା ।

 

“ମାର୍ଗାରେଟ (କାମିଲ ନୁହେଁ)”

 

ଚିଠିଟି ପାଇଲା ପରେ ଆର୍ମାଣ୍ଡର ଭ୍ରମଣର ସଉକ କୁଆଡ଼େ ଉଭେଇ ଗଲା । ତଥାପି ସେ ଦେଶକୁ ଫେରିବାକୁ ପ୍ରାୟ ତିନି ମାସ ଲାଗିଗଲା । ପ୍ୟାରିସରେ ଗୋଡ଼ ଦେଲାକ୍ଷଣି ସେ ଧାଇଁଲା କାମିଲର ଘରକୁ । ମାତ୍ର କାମିଲ ସେତେବେଳେ ଆର ପୁରକୁ ଚାଲି ଯାଇଥିଲା । କବରଖାନାକୁ ଯାଇ ସେ କାମିଲର କବର ଚାରିପଟେ କାମେଲିୟା ଫୁଲର କୁଣ୍ଡ ସବୁ ସଜାଇ ରଖି ଆଲୋକିତ କରିଦେଲା । ମାର୍ଗାରେଟର ନାମ ଓ ମୃତ୍ୟୁର ତାରିଖ ଲେଖାଇ ଖଣ୍ଡିଏ ଶଙ୍ଖ ମଲମଲ ପଥରର ଫଳକ ସେ ତାହାର କବର ଉପରେ ବସାଇ ଦେଲା । ତା ପରେ ସେ ଲୁସି ଡିପ୍ରେ ପାଖକୁ ଧାଇଁଲା ମାର୍ଗାରେଟର ଚିଠିଟା ପାଇବା ପାଇଁ ।

 

ଲୁସି ତାହାକୁ ଢେର କଥା ଶୁଣାଇଲା–“ମରିବା ଆଗରୁ ମାର୍ଗାରେଟ ଅର୍ଥାଭାବରୁ ବହୁତ କଷ୍ଟ ପାଇଲା । କାଉଣ୍ଟ ଏନ୍ ତାହାକୁ ଛାଡ଼ି ଦେଇଥିଲେ । ଖବର ପାଇ ବୁଢ଼ା ଡିଉକ ଆସିଥିଲେ ଏବଂ କିଛି ଅର୍ଥ ଦେଇଥିଲେ । ଅତୀତର ପ୍ରଣୟୀ କାଉଣ୍ଟ ଜୀ ମଧ୍ୟ କିଛି ଅଧିକ ସାହାଯ୍ୟ ଦେଇଥିଲେ । ଏହି ଦୁଇଜଣ ତାହାର ଶବାନୁଗମନ କରିଥିଲେ । ତାହାର ଅଗଣିତ ପ୍ରେମିକଙ୍କ ମଧ୍ୟରୁ ଆଉ କେହି ସେତେବେଳେ ଉପସ୍ଥିତ ନଥିଲେ, ଏପରିକି ଶ୍ରୀମତୀ ପ୍ରୁଡ଼େନସ ମଧ୍ୟ ଶେଷ ବେଳକୁ ତାହାର ପାଖ ମାଡ଼ିଲେ ନାହିଁ । ଜବାବର ଆଶା ନାହିଁ ଜାଣି ସୁଦ୍ଧା ସେ ରୋଗଶଯ୍ୟାରେ ଶୋଇ ରହି ନିତି ଆପଣଙ୍କୁ ଚିଠି ଲେଖୁଥିଲା । ତାହାର ଦୈନଦିନ ଚିନ୍ତାରେ ଆପଣଙ୍କ ପ୍ରେମର ଇତିହାସ ଯେ କେତେ ନିବିଡ଼ ଭାବରେ ଜଡ଼ିତ ଥିଲା, ତାହାର ପ୍ରକୃତ ପରିଚୟ ଏହି ଚିଠିର ଛତ୍ରେ ଛତ୍ରେ ପ୍ରକଟିତ ହୋଇଛି ।”

 

ଆର୍ମାଣ୍ଡ ଏତେ ଦିନ ଯାଏ ନୈରାଶ୍ୟ ମିଶା କରୁଣ ରାଗିଣୀରେ ଝଙ୍କତ ଚିଠିକୁ ଅତି ଆଗ୍ରହରେ ଅପେକ୍ଷା କରିଥିଲା, ଯେଉଁ ଥିରେ ନିହିତ ଥିଲା ସେହି ଗୁପ୍ତ କଥାର ବିବରଣୀ । ସେ ଲମ୍ବା ଚିଠିଟି ଏକ ନିଃଶ୍ଵାସରେ ପଢ଼ିବାକୁ ଲାଗିଲା– “ଆର୍ମାଣ୍ଡ ! ମୁଁ ମରିବାକୁ ବସିଛି । ଏହି ସମୟରେ ତୁମେ କେଉଁଠି ? ଯଦି ତୁମେ ଥରେ ମାତ୍ର ମୋ ପାଖରେ ଆସି ବସି ଥାଆନ୍ତ ଏବଂ ମୋତେ ମାର୍ଗାରେଟ ବୋଲି ଥରେ ଡାକି ଥାଆନ୍ତ, ତାହାହେଲେ ମୋର ରୋଗର ଯାତନା ଅଧେ କମିଯାଇ ଥାଆନ୍ତା । ଆର୍ମାଣ୍ଡ । ଆର୍ମାଣ୍ଡ ! ଆର୍ମାଣ୍ଡ ।

 

ତୁମର ଚାକର ଜୋସେଫ ସେ ଦିନ ତୁମ ବାପାଙ୍କର ଚିଠି ନେଇ ବୁଗିଭାଲରେ ଆସି ପହଞ୍ଚିଲା । ସେତିକିବେଳେ ମୋ ମନ ଭିତରେ ଗୋଟାଏ ମନ୍ଦ ଫଳର ଆଶଙ୍କା ଜାତ ହେଲା । ସେ ଦିନ ତୁମେ ପ୍ୟାରିସକୁ ଚାଲିଗଲ । ଫେରି ଆସିବା ଆଗରୁ ଡାକରେ ମୋ ନାମରେ ଖଣ୍ଡିଏ ଚିଠି ଆସିଲା । ସେହି ଚିଠିରେ ତୁମର ବାପା ଲେଖିଥିଲେ ଯେ ପର ଦିନ ଦିପହରେ ସେ ମୋତେ ଦେଖା କରିବାକୁ ଆସିବେ । ଏହି କଥାଟି ତୁମଠାରୁ ଗୋପନ ରଖିବା ପାଇଁ ସେ ମୋତେ ସକାତରେ ଅନୁରୋଧ କରିଥିଲେ । ସେ ଆହୁରି ଜଣାଇଥିଲେ, ଯେମିତି ପରଦିନ ମୁଁ ତୁମକୁ ଦି ପହରେ ଘରୁ ବାହାରେ ରଖିବାର ବ୍ୟବସ୍ଥା କରେଁ ।

 

ସେ ଚିଠିରେ ବାରମ୍ବାର ଲେଖିଥିଲେ ଯେ ତୁମର ମଙ୍ଗଳ ପାଇଁ ତାଙ୍କ ଓ ମୋ ଭିତରେ ଏହି ଗୋପନ ସାକ୍ଷତ ହେବା ନିହାତି ଦରକାର, ଏକାନ୍ତ ଅପରିହାର୍ଯ୍ୟ । ତାହାଙ୍କ ସମ୍ବନ୍ଧରେ ମୋର ଯେତେ ସଂଶୟ ଥାଉ ନା କାହିଁକି, ଯଦି ତୁମ ମଙ୍ଗଳର ଦ୍ଵାହି ଦେଇ କେହି ମୋ ସହିତ ଦେଖା କରିବାକୁ ଚାହେଁ, ମୁଁ କଅଣ କେବେ ସେଥିପାଇଁ ଆସ୍ଵୀକାର କରିପାରେ ?

 

ସେଇଥି ପାଇଁ ମୁଁ ତୁମକୁ ତାଗଦା କରି ପରଦିନ ସକାଳେ ତୁମକୁ ପ୍ୟାରିସକୁ ପଠାଇଦେଲି । ତୁମରି ବାପା ଯେ ମୋର ସର୍ବନାଶ କରିବାକୁ ଆସୁଛନ୍ତି, ଏଥିରେ ମୋର ଆଦୌ ସନ୍ଦେହ ନ ଥିଲା । ତେଣୁ ତୁମର ଓ ମୋର ଏକତ୍ର ବାସର ସେହି ଅନ୍ତିମ ରଜନୀର ପ୍ରଥମରୁ ଶେଷ ପ୍ରହର ପର୍ଯ୍ୟନ୍ତ ତୁମେ ମୋତେ କାନ୍ଦିବାର ଦେଖିଥିଲ ।

 

ଯାହାହେଉ, ତୁମେ ବାହାରି ଯିବାର କିଛିକ୍ଷଣ ପରେ ତୁମର ବାପା ଆସି ପହଞ୍ଚିଲେ । ମୁଁ ତାହାଙ୍କୁ ସମ୍ଭ୍ରମ ଓ ଶ୍ରଦ୍ଧାନ ସହକାରେ ଗ୍ରହଣ କଲି । କିନ୍ତୁ ଆସନ ଗ୍ରହଣ କରୁ ନ କରୁଣୁ ସେ ମୋତେ ଧମକାଇବାକୁ ଆରମ୍ଭ କଲେ । ତିରସ୍କାର, ଅପମାନ ଓ ଭୟ ପ୍ରଦର୍ଶନ । ଶେଷକୁ ମୁଁ ଧୈର୍ଯ୍ୟ ହରାଇ ତାହାଙ୍କୁ ମୁହେଁ ମୁହେଁ ଶୁଣାଇଦେଲି ଯେ ସେ ଆର୍ମାଣ୍ଡର ବାପା ହେଲେ ସୁଦ୍ଧା ମୋତେ ମୋତେ ଭୟ ଦେଖାଇବା କିମ୍ବା ଅପମାନ ଦେବାର ଅଧିକାର ତାଙ୍କର ଆଦୌ ନାହିଁ, ଆଉ ମୁଁ ବି ଅପମାନ ସହ୍ୟ କରିବାର ପାତ୍ରୀ ନୁହେଁ ।

 

ତହୁଁ ସେ କଥାର ଢଙ୍ଗ ବଦଳାଇଲେ । ସେ କନ୍ଦାକଟା କରିବାକୁ ଲାଗିଲେ ଏବଂ କହିଲେ ଯେ, ମୁଁ ତୁମକୁ ତ୍ୟାଗ ନ କଲେ ତୁମର କୁଆଡ଼େ ସର୍ବନାଶ ହେବ, ତୁମର ଅର୍ଥ ଯିବ, ସମ୍ମାନ ଯିବ ଏବଂ ଜୀବନଟା ମଧ୍ୟ ଧ୍ୱଂସ ହୋଇଯିବ । ଖାଲି ଏକା ଯେ ତୁମର ସର୍ବନାଶ ହେବ ତାହା ନୁହେଁ, ତୁମର ସମୁଦାୟ ସଂସାରର ସର୍ବନାଶ ହେବ । କାରଣ ସମାଜ ବୋଲି ଗୋଟିଏ ଜିନିଷ ଅଛି ଆଉ ତାହାର ଶାସନ ମଧ୍ୟ ଅଛି । ମୋ ସହିତ ତୁମର ଏକତ୍ର ବାସର କଥା ତାଙ୍କର ଆତ୍ମୀୟ ସ୍ୱଜନମାନେ ଜାଣି ସାରିଲେଣି । ସମସ୍ତେ ଛି ଛାକର କରୁଛନ୍ତି । ତାଙ୍କର ଝିଅ, ଅର୍ଥାତ୍ ତୁମ ଭଉଣୀର ବିବାହ ସମ୍ବନ୍ଧ ଜଣେ ସୁପାତ୍ର ସହିତ ସ୍ଥିର ହୋଇଥିଲା । ବର୍ତ୍ତମାନ ସେହି ପାତ୍ରଟି କହୁଛି ଯେ ଯଦି ତାହାର ଭାବି ବନ୍ଧୁ ପ୍ରକାଶ୍ୟରେ ଜଣେ ଗଣିକା ସହିତ ବାସ କରେ, ତାହାହେଲେ ସେ ଏହି ବିବାହ କରି ପାରିବ ନାହିଁ ।

 

ଏହିସବୁ କଥା ମୋତେ ଶୁଣାଇ ବୃଦ୍ଧ ମୋର ହାତ ଧରି ମିନତି କରିବାକୁ ଲାଗିଲେ, ମୁଁ ଯେମିତି ତୁମ ସହିତ ସବୁ ସମ୍ପର୍କ ତୁଟାଇ ଦିଏଁ । ନୋହିଲେ ତୁମର ସର୍ବନାଶ ହେବ, ତାହା ଛଡ଼ା ତାଙ୍କର ନିଷ୍ପାପ ଦୁହିତାଟିର ମଧ୍ୟ ସର୍ବନାଶ ହେବ ।

 

ଆର୍ମାଣ୍ଡ । ଆଜି ତୁମକୁ ସତ କହୁଛି, ସେ ଦିନ ମୁଁ ମନ ପ୍ରାଣରେ ବିଶ୍ଵାସ କରିଥିଲି ଯେ ସତରେ ମୁଁ ତୁମ ଭାଇ ଭଉଣୀ ଦୁହିଁଙ୍କର ସର୍ବନାଶ କରିବାକୁ ଯାଉଛି । ଏକମାତ୍ର ଭଗବାନ ମୋର ସାକ୍ଷୀ ଅଛନ୍ତି, ସେପରି ସର୍ବନାଶ କରିବାକୁ କଦାପି ଚାହେଁ ନାହିଁ ବୋଲି ମୁଁ ସେ ଦିନ ତୁମ ବାପାଙ୍କ ପ୍ରସ୍ତାବରେ ରାଜି ହୋଇଗଲି ।

 

ତୁମକୁ ହଠାତ୍ ତ୍ୟାଗ କରି ଚାଲିଗଲେ ପଛରେ ତୁମେ ତୁମର ବାପାଙ୍କୁ ସେଥିପାଇଁ କାଳେ ସନ୍ଦେହ କରିପାର, ସେହି ଭୟରେ ସେ କାକୁତି ମିନତି କରି ମୋ ଠାରୁ କଥା ଆଦାୟ କରିନେଲେ ଯେ ତାହାଙ୍କ ସହିତ ମୋ ସାକ୍ଷାତର ବିବରଣୀ ମୁଁ ବଞ୍ଚିଥିବା ଯାଏ କେବେହେଲେ ତୁମକୁ ଜଣାଇବି ନାହିଁ ।

 

ତୁମେ ମୋତେ ତ୍ୟାଗ କରିବାକୁ କଦାପି ରାଜି ହେବ ନାହିଁ ବୋଲି ଜାଣି ମୁଁ ତୁମକୁ ଲେଖିଥିଲି ଯେ ମୁଁ କାଉଣ୍ଟଏନ୍‌ଙ୍କର ରକ୍ଷିତା ହେବାକୁ ଯାଉଛି । ତେଣୁ ମୁଁ ନିଜକୁ ତୁମର ଅସ୍ଵର୍ଶ୍ୟା କରିବା ପାଇଁ ପଳାଇଯାଇଥିଲି, ସତେ ଯେମିତି ମୁଁ ଗଳିତ କୁଷ୍ଠ ଦ୍ୱାରା ନିଜକୁ ଆକ୍ରାନ୍ତ କରିପକାଇଥିଲି ।

କ୍ଷମା । କ୍ଷମା । କ୍ଷମା । ଦେହ ମୋର ଯେତେ କଳୁଷିତ ହେଉ ନା କାହିଁକି, ମୋ ଅନ୍ତରରେ ପ୍ରେମର ଧ୍ରୁବ ଜ୍ୟୋତି ଚିର ଅମ୍ଳାନ । ସେହି ପ୍ରେମର ଦେବତା ଯେ ତୁମେ, ତାହା ତୁମେ କଦାପି ଅବିଶ୍ଵାସ କରିବ ନାହିଁ ।”

 

ଚିଠିଟି ପଢ଼ିସାରିଲା ମାତ୍ରେ ଆର୍ମାଣ୍ଡ ଏକାବେଳେ ଅଜ୍ଞାନ ହୋଇଗଲା । ଆଗରୁ ତାହାର ତ ଥରେ ମସ୍ତିଷ୍କ ପ୍ରଦାହ ହୋଇଥିଲା । ଏଥର ତାହାଠାରୁ ଅଧିକ କଠିନ ରୋଗରେ ସେ ଆକ୍ରାନ୍ତ ହେଲା । ମାତ୍ର ଶେଷ ଅବଧି କେବଳ ବନ୍ଧୁମାନଙ୍କର ସେବାଶୁଶ୍ରୂଷାରେ ତାହାର ପ୍ରାଣଟା ରହିଲା ।

Image

 

ଲେଖକ ପରିଚୟ

 

ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ :

 

ଜାତୀୟ ସଙ୍ଗୀତ “ବନ୍ଦେ ମାତରମ୍”ର ସ୍ରଷ୍ଟା ଓ କଲିକତା ବିଶ୍ଵ ବିଦ୍ୟାଳୟର ପ୍ରଥମ ଗ୍ରାଜୁଏଟ ବଙ୍କିମଚନ୍ଦ୍ର (୧୮୩୮-୯୪) ସାମ୍ବାଦିକ ହେବାକୁ ଇଚ୍ଛା କରିଥିଲେ, ମାତ୍ର ଡେପୁଟି କଲେକ୍‌ଟର ଚାକିରି ପାଇଲରୁ ତାଙ୍କର ମତି ବଦଳିଗଲା । ପ୍ରଥମେ ସେ କବିତା ରଚନା କରୁଥିଲେ । ୟୁରୋପୀୟ ଢାଞ୍ଚାରେ ଲିଖିତ ତାଙ୍କର ପ୍ରଥମ ବଙ୍ଗଳା ଉପନ୍ୟାସ “ଦୁର୍ଗେଶ ନନ୍ଦିନୀ” ୧୮୬୪ ସାଲରେ ପ୍ରକାଶିତ ହେବାକୁ, ବଙ୍ଗଳା ସାହିତ୍ୟ ଏକ ନବ ଯୁଗରେ ପଦାର୍ପଣ କଲା । ୧୮୭୨ ସାଲରେ ତାଙ୍କରି ସମ୍ପାଦନାରେ “ବଙ୍ଗ ଦର୍ଶନ” ପତ୍ରିକା ପ୍ରକାଶିତ ହେଲା । ଏଥିରେ ତାଙ୍କର ପ୍ରଥମ ସାମାଜିକ ଉପନ୍ୟାସ “ବିଷ ବୃକ୍ଷ” ଧାରାବାହିକ ଭାବରେ ବାହାରିଲା । ୧୮୮୨ ସାଲରେ ବ୍ରିଟିଶ ଶାସନର ଅଭ୍ୟୁଦୟର ସନ୍ଧିକ୍ଷଣରେ ସ୍ଵଦେଶ ପ୍ରେମର ଅଗ୍ନିମୟ ବାଣୀର ପଟ୍ଟଭୂମରେ ରଚିତ ଜନପ୍ରିୟ ଉପନ୍ୟାସ “ଆନନ୍ଦ ମଠ” ପ୍ରକାଶିତ ହୁଅନ୍ତେ, “ବନ୍ଦେ ମାତରମ୍” ଧ୍ଵନିରେ ଦେଶ ପ୍ରକମ୍ପିତ ହେଲା । ଚାକିରି କାଳ ଭିତରେ ସେ ସବୁ ଐତିହାସିକ ଓ ସାମଜିକ ଉପନ୍ୟାସ ରଚନା କରିଥିଲେ । ତା ପରେ ସେ ପ୍ରବନ୍ଧ, ଖଣ୍ଡଚିତ୍ର, ସ୍ମୃତିକଥାରେ ହାତ ଦେଲେ, ବେଦ ଅଧ୍ୟୟନ କଲେ ଏବଂ ଶ୍ରୀକୃଷ୍ଣ ଚରିତ ପ୍ରଣୟନ କଲେ । ତାଙ୍କର ଅନ୍ୟ ପ୍ରଧାନ ଉପନ୍ୟାସ–“କପାଳ କୁଣ୍ଡଳା” “ମୃଣାଲିନୀ”, “କୃଷ୍ଣ କାନ୍ତର ଦାନପତ୍ର”, “ଦେବୀ ଚୌଧୁରାଣୀ”, “ଚନ୍ଦ୍ରଶେଖର” ।

 

ସଂକ୍ଷିପ୍ତ ଉପନ୍ୟାସ : ଆନନ୍ଦ ମଠ

 

ଶାର୍ଲଟ ବ୍ରଣ୍ଟି :

 

ତିନି ଭଉଣୀଙ୍କ ମଧ୍ୟରେ ଜ୍ୟେଷ୍ଠା ଶାର୍ଲଟ ବ୍ରଣ୍ଟି (୧୮୧୬-୫୫) ତନ୍ମଧ୍ୟରୁ ୧୮୪୭ ସାଲରେ ପ୍ରକାଶିତ ତନ୍ମଧ୍ୟରୁ ମାତ୍ର ତିନି ଖଣ୍ଡ ବଳିଷ୍ଠ ଉପନ୍ୟାସ ରଚନା କରିଥିଲେ । ଆତ୍ମଜୀବନୀମୂଳକ ଉପନ୍ୟାସ “ଜେନ ଆୟାର” ହେଉଛି; ତାଙ୍କର ସର୍ବାଧିକ ଜନପ୍ରିୟ ସାହିତ୍ୟ କୃତି । ବିଶଦ ଭାବରେ ବିଭିନ୍ନ ଚରିତ୍ର ସବୁ ଚିତ୍ରଣ କରିବାରେ ତାଙ୍କର ଦକ୍ଷତା ନିହିତ । ସେ ଇଂଲଣ୍ଡର ଥର୍ଣ୍ଣଟନରେ ୨୧-୪-୧୮୧୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଶିକ୍ଷା ସମାପନ କରି ସେ ପ୍ରଥମେ ଶିକ୍ଷୟିତ୍ରୀର କାର୍ଯ୍ୟ କଲେ ଏବଂ ତା ପରେ କେତେକ ବିଶିଷ୍ଟ ଗୃହସ୍ଥଙ୍କର ପରିଚାରିକା ରୂପେ ନିଯୁକ୍ତ ହୋଇଥିଲେ । କିଛିକାଳ ସେ ବ୍ରସେଲ୍‌ସରେ କଟାଇ ୧୮୪୪ ସାଲରେ ନିଜର ପିତାଙ୍କ ନିକଟକୁ ଫେରି ଆସିଲେ ଏବଂ ୧୮୫୪ ସାଲରେ ରେଭେରେଣ୍ଡ ନିକୋଲସଙ୍କୁ ବିବାହ କରିଥିଲେ । ମୃତ୍ୟୁ ପରେ ତାଙ୍କର ଅନ୍ୟତମ ଉପନ୍ୟାସ “ଅଧ୍ୟାପକ” ପ୍ରକାଶିତ ହୋଇଥିଲା । ତିନି ଭଉଣୀ ପ୍ରଥମେ ଏକାଠି କବିତା ରଚନା କରିଥିଲେ । ୧୮୬୪ ସାଲରେ “ବ୍ରଣ୍ଡି ସୋସାଇଟି” ପ୍ରତିଷ୍ଠା ହୋଇଥିଲା ଏବଂ ୧୯୨୮ ସାଲରେ ହେଓ୍ୟାର୍ଥ ଠାରେ “ବ୍ରଣ୍ଟି ଯାଦୁଘର” ଖୋଲାଗଲା । ତାଙ୍କର ଅନ୍ୟ ଉପନ୍ୟାସ–“ଭିଲେଟ” ଓ ଶାର୍ଲେ ।

 

ସଂକ୍ଷିପ୍ତ ଉପନ୍ୟାସ : ସ୍ଵେନ ଅୟାର

 

ନୁଟ ହାମସୁନ୍ :

 

ଶୈଶବରୁ ନୁଟ ହାମସୁନ (୧୮୫୯–୧୯୫୨) ଦାରିଦ୍ର୍ୟ ସହିତ ସଂଗ୍ରାମ କରିଥିଲେ । ଦାଦାଙ୍କର ଉତ୍ପୀଡ଼ନରେ ଜର୍ଜରିତ ହୋଇ ସେ ଦିନେ ଘରୁ ପଳାଇଯାଇ ଗୋଟିଏ ମୋଚିର ଦୋକାନରେ ଆଶ୍ରୟ ନେଇ ନିଜର ଜୀବିକା ନିର୍ବାହ କଲେ । କିଛିଦିନ ପରେ ଜନ୍ମଭୂମି ନରୱେରୁ ଆମେରିକାରୁ ଯାଇ ପ୍ରଥମେ ସେ ଗୋଟିଏ କାରଖାନାରେ କୁଲି କାମ କଲେ, ତା ପରେ ଗୋଟିଏ ଦୋକାନରେ କର୍ମଚାରୀ ଏବଂ ଶିକାଗୋରେ ଟ୍ରାମ କଣ୍ଡକ୍‌ଟର । ଶିଳ୍ପୀ ହାମସୁନ ଆମେରିକାରୁ ଫେରି ଆସିଲେ ଏବଂ ନିଜର ତିରିଶ ବର୍ଷର କଠିନ ଅଭିଜ୍ଞତାର ଫଳ ରୂପେ ୧୮୧୮ ସାଲରେ ପ୍ରଥମ ଉପନ୍ୟାସ “କ୍ଷୁଧା” ଡେନ୍‌ମାର୍କର ଏକ ପତ୍ରିକାରେ ପ୍ରକାଶିତ ହୁଅନ୍ତେ, ସାହିତ୍ୟ ଜଗତରେ ଏହା ଆଲୋଡ଼ନ ସୃଷ୍ଟି ହେଲା ଏବଂ ତାଙ୍କର ଶ୍ରେଷ୍ଠ ସାହିତ୍ୟ କୃତି ରୂପେ ଗଣ୍ୟ ହେଲା । ତାଙ୍କର ପ୍ରଥମ କାବ୍ୟ–ଗ୍ରନ୍ଥରେ ସେ ଛଦ୍ମନାମ ବ୍ୟବହାର କରିଥିବାରୁ ଅସଲ ନାମ କ୍ଲୁଟ ପେଡ଼ାରସନ ପରିବର୍ତ୍ତେ ନୁଟ ହାମସୁନ ନାମରେ ସେ ବିଶ୍ଵବିଦିତ ହେଲେ । ସେ ୧୯୨୮ ସାଲରେ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିଲେ । ତାଙ୍କର ଅନ୍ୟାନ୍ୟ ଉପନ୍ୟାସ–“ଦେବତା” ଓ “ମାଟିର ମାୟା” ।

 

ସଂକ୍ଷିପ୍ତ ଉପନ୍ୟାସ : ଭିକ୍‌ଟୋରିୟା

 

ଆର୍ନେଷ୍ଟ ହେମିଙ୍ଗଓୟେ :

 

ଶିକାଟୋର ଆର୍ନେଷ୍ଟ ମିଲାର ହେମିଙ୍ଗଓୟେଙ୍କର (୧୮୯୯–୧୯୬୧) ପିତା ପୁଅକୁ ଡ଼ାକ୍ତର ଏବଂ ମାଆ ସଙ୍ଗୀତଜ୍ଞ ହେବାକୁ ଚାହିଁଥିଲେ । ମାତ୍ର ଉଭୟଙ୍କର ଆଶା ସଫଳ ହେଲା ନାହିଁ । ହେମିଙ୍ଗଓୟେ ଶିକାରପ୍ରିୟ ହେଲେ । ୧୯ ବର୍ଷ ବୟସରେ ସେ ବିଦ୍ୟାଳୟର ପାଠ ସାରି ପ୍ରଥମେ “କାନସାସ ସିଚିଷ୍ଟାର” ପତ୍ରିକାରେ ସାମ୍ବାଦିକ ଭାବରେ ଚାକିରି କଲେ । ପ୍ରଥମେ ମହାଯୁଦ୍ଧ ସମୟରେ ଇତାଲୀର ପଦାତିକ ବାହିନୀରେ ଏମ୍ବୁଲେନ୍‌ସ ଡ୍ରାଇଭର ଭାବରେ ନିଯୁକ୍ତି ପାଇ ସେ ଯୁଦ୍ଧକ୍ଷେତ୍ରକୁ ଗଲେ, ମାତ୍ର ସେଠାରେ ଗୁରୁତର ଭାବରେ ଆହତ ହୋଇ ସେ ସ୍ଵଦେଶ ଆମେରିକାକୁ ଫେରି ଆସିଲେ । ସେହି ଯୁଦ୍ଧର ପଟ୍ଟଭୂମିକାରେ ସେ ରଚନା କଲେ “ହେ ଯୁଦ୍ଧ, ବିଦାୟ ।” ୧୯୧୯ ସାଲରେ ଶୈଶବର ବାନ୍ଧବୀକୁ ବିବାହ କରି ସେ ସାମ୍ବାଦିକ ଭାବରେ ତୁରସ୍କକୁ ଚାଲିଗଲେ ଏବଂ କିଛିଦିନ ପରେ ପ୍ୟାରିସକୁ ଯାଇ ସ୍ଥାୟୀ ଭାବରେ ବାସ କଲେ । ୧୯୩୬ ସାଲରେ ସ୍ଵେନରେ ଗୃହଯୁଦ୍ଧ ଲାଗିବାରୁ, ସେ ସେଠାକୁ ସାମ୍ୱାଦିକ ଭାବରେ ଧାଇଁଗଲେ । ସେଠାକାର ପ୍ରତ୍ୟକ୍ଷ ଅଭିଜ୍ଞତାରୁ ଲିଖିତ ଦୁଃସାହସୀ ଯୁଦ୍ଧ–ସାମ୍ବାଦିକ, ମୁଷ୍ଟିଯୋଦ୍ଧା ଓ ଶିକାରୀ ହେମିଙ୍ଗଓୟେଙ୍କର ଶ୍ରେଷ୍ଠ ଉପନ୍ୟାସ “ପ୍ରତିଧ୍ଵନି” ୧୯୪୦ ସାଲରେ ପ୍ରକାଶିତ ହେଲା । ସେ ୧୯୫୩ ସାଲରେ “ପୁଲିଟଜାର” ପୁରସ୍କାର ଓ ୧୯୫୪ ସାଲରେ ନୋବେଲ ପୁରସ୍କାର” ଦ୍ୱାରା ସମ୍ମାନିତ ହେଲେ । ସମକାଳୀନ ଲେଖକମାନଙ୍କ ମଧ୍ୟରେ ହେମିଙ୍ଗଓୟେ ହେଉଛନ୍ତି ଏକମାତ୍ର ବ୍ୟକ୍ତି, ଯେ ମଣିଷର ବର୍ବରତା ନିଜ ଆଖିରେ ଦେଖିଛନ୍ତି ଏବଂ ନିର୍ଭୀକ ଭାବରେ ତାହାକୁ ଲିପିବଦ୍ଧ ମଧ୍ୟ କରିଛନ୍ତି । ଏହି ଦାନବୀୟ ଯୁଗରେ ତାଙ୍କର ସାହିତ୍ୟ ଓ ଜୀବନୀ ଏକ ବିସ୍ମୟକର ଦଲିଲ । ସେ ୧୯୬୧ ସାଲରେ ଆତ୍ମହତ୍ୟା କଲେ । ତାଙ୍କର ମତ ହେଉଛି– “ମଣିଷ ଧ୍ୱଂସ ହୋଇଯାଇପାରେ, କିନ୍ତୁ ପରାଜୟ ସ୍ଵୀକାର କରିବ ନାହିଁ ।” ତାଙ୍କର ଅନ୍ୟାନ୍ୟ ରଚନା– “ବୁଢ଼ା ଓ ସାଗର” “ସୂର୍ଯ୍ୟୋଦୟ” “ଆମ ସମୟରେ”, “ଝରଣାର ସୁଅ”, “ଆଜି ଶୁକ୍ରବାର”, “ଅପରାହ୍ନରେ ମୃତ୍ୟୁ”, “ଆଫ୍ରିକାର ସବୁଜ ପର୍ବତ”, “ସ୍ଵେନର ମାଟି” ।

 

ସଂକ୍ଷିପ୍ତ ଉପନ୍ୟାସ : ‘ଫର୍‌ ହୁମ୍‌ ଦି ବେଲ୍‌ ଟୋଲ୍‌ସ୍‌’

 

ଆଲେକଜାଣ୍ଡାର ଡୁମା :

 

ବିଶ୍ଵବିଦିତ ଫରାସୀ ଔପନ୍ୟାସିକ ଆଲେକଜାଣ୍ଡାର ଡୁମାଙ୍କର ପୁତ୍ର ଆଲେକଜାଣ୍ଡାର ଡୁମା (କନିଷ୍ଠ)ଙ୍କର ଜନ୍ମ ପ୍ୟାରିସ ନଗରୀରେ । ନାଟ୍ୟକାର ତଥା ଔପନ୍ୟାସିକ ରୂପେ ସେ (୧୮୨୪-୧୮୯୫) ପ୍ରସିଦ୍ଧି ଲାଭ କରିଥିଲେ । ୨୩ ବର୍ଷ ବୟସରେ ତାଙ୍କର ପ୍ରଥମ କୃତିରୂପେ ଏକ ଖଣ୍ଡ-କାବ୍ୟ ପ୍ରକାଶିତ ହୋଇଥିଲା । ତହିଁ ପର ବର୍ଷ ପ୍ୟାରିସ ବାସିନୀ ବିଳାସିନୀ ମାରୀ ଡୁପ୍ଳେସିସର ଜୀବନୀ ଅବଲମ୍ବନରେ ରଚିତ ଉପନ୍ୟାସ “କାମିଲ” ପ୍ରକାଶିତ ହୁଅନ୍ତେ, ସେ ଫ୍ରାନ୍‌ସର ଅନ୍ୟତମ ଶ୍ରେଷ୍ଠ ସାହିତ୍ୟିକ ରୂପେ ପରିଗଣିତ ହେଲେ । ଏହି ଉପନ୍ୟାସର ନାଟ୍ୟ–ରୂପ ରଙ୍ଗମଞ୍ଚରେ ଅତୁଳନୀୟ ସଫଳତା ଅର୍ଜନ କରିଥିଲା । ଫଳରେ, ୧୮୭୪ ସାଲରେ ସେ ଫରାସୀ ଆକାଦମୀର ସଦସ୍ୟ ପଦ ଲାଭ କଲେ । ତାଙ୍କର ଅନ୍ୟାନ୍ୟ ପ୍ରସିଦ୍ଧ ପୁସ୍ତକ–“ଡେମି ମଣ୍ଡି”, “ଲା ଫିଲ ନାଚୁରେଲ”, “ଆନ ପିୟର ପ୍ରୋଡ଼ିଗ” ଓ “ଡିନାଇଜ” ।

 

ସଂକ୍ଷିପ୍ତ ଉପନ୍ୟାସ : ତାମିଲ

Image